Unknown

 

 

 

 

 

 

 

 

 

 

 

ଉପନାୟିକା

(ରହସ୍ୟ ଉପନ୍ୟାସ)

 

କଣ୍ଡୁରି ଚରଣ ଦାସ

 

ଟିକେ ଶୁଣିବେ କି ?

 

ଏକ ମଧୁର କଣ୍ଠରେ କାକଳିରେ ଚନ୍ଦ୍ରକାଂତ ବୁଲି ଅନେଇଲା ପଛକୁ । ସୁନ୍ଦରୀ, ଶୁଭାଙ୍ଗୀ ଏକ ତରୁଣୀ । ଆଖିରେ ଫିକା ନୀଳରଙ୍ଗର ଚଶମା । ମୁହଁରେ ସ୍ମିତ ହାସ୍ୟ ।

 

ମୁଁ କ’ଣ କହୁଥିଲି କି, ତରୁଣୀଟି ପୁଣି ଆରମ୍ଭ କଲା । କାଲି ପାଇଁ ଟିକେଟ ଅଛି ମାତ୍ର ତିନି ଖଣ୍ତ । ମୋର କିନ୍ତୁ ଖଣ୍ତେ ଏକାନ୍ତ ପ୍ରୟୋଜନ । ଆପଣ ଯଦି କାଲିର ଟିକେଟ କରୁ ଥାଆନ୍ତି, ତେବେ ମୋ ପାଇଁ ଖଣ୍ତିଏ ଛାଡ଼ି କରିବେ ।

 

ଚନ୍ଦ୍ରକାଂତ ତରୁଣୀଟି ମୁହଁରୁ ଆଖି ଉଠାଇ ଚାହିଁଲା, ଆହୁରି ତିନି ଚାରିଜଣ ଲୋକ ଲାଇନରେ ଠିଆ ହୋଇଛନ୍ତି । ସମସ୍ତେ ଆସିଛନ୍ତି ଟିକେଟ କାଟିବା ପାଇଁ । କିନ୍ତୁ ତରୁଣୀଟିର ଚନ୍ଦ୍ରକାଂତକୁ ଏପରି ଅନୁରୋଧ କରିବା ମୂଳରେ କୌଣସି ସଂଗତ କାରଣ ଥିବା ପରି ମନେ ହେଉ ନଥିଲା ।

 

ତଥାପି ଚନ୍ଦ୍ରକାଂତ ଲାଇନରୁ ବାହାରି ଆସି କହିଲା, ଆପଣ ଆଗକୁ ଯାଆନ୍ତୁ । ମୋ ଠାରୁ ଆପଣଙ୍କର ପ୍ରୟୋଜନଟା ଯେତେବେଳେ ଏକାନ୍ତ ଜରୁରୀ, ଟିକେଟଟା ଆପଣଙ୍କର ଆଗ କରିନେବା ଉଚିତ ।

 

ତରୁଣୀଟି ଟିକିଏ ଲଜ୍ଜା ପାଇଲା । ମୁହଁଟି ତା’ର ଆରକ୍ତ ଦିଶିଲା । କିନ୍ତୁ ସେ ସ୍ଥାନ ତ୍ୟାଗ କରିଲା ନାହିଁ କିମ୍ବା ଉତ୍ତର କିଛି ଦେଲା ନାହିଁ ।

 

ଚନ୍ଦ୍ରକାଂତ ଆଘାତ ପାଇଲା । ତାର ମନେ ହେଲା ବୋଧହୁଏ ଭଦ୍ରମହିଳା ତା’ଆଚରଣରେ କ୍ଷୁବ୍ଧ ହୋଇଛନ୍ତି ।

 

ଚନ୍ଦ୍ରକାଂତ ଏଥର ବିନୟ ସହକାରେ କହିଲା, ଆପଣ କାଲିର ଟିକେଟ ଯେତେ ଖଣ୍ତ ଇଚ୍ଛା କାଟି ନିଅନ୍ତୁ, ମୁଁ ପହରିଦିନର ଟିକେଟ ପାଇଁ ଆସିଛି; ତେଣୁ ମୋର କିଛି ଅସୁବିଧା ହେବ ନାହିଁ ।

 

ଏଥର ତରୁଣୀଟି ଧନ୍ୟବାଦ ଜଣାଇ ଆଗେଇ ଗଲା । ଚନ୍ଦ୍ରକାନ୍ତ ଠିଆ ହୋଇ ରହିଲା ତରୁଣୀଟି ପଛରେ ।

 

ଚନ୍ଦ୍ରକାଂତ ଜୀବନରେ ଏ ଅଭିଜ୍ଞତା ପ୍ରଥମେ । ଯେପରି ଏସ୍‍ପ୍ଲାନେଡର ଏହି ବୁକିଂ ଅଫିସରେ ତା’ର ପ୍ରବେଶ ସର୍ବ ପ୍ରଥମ, ସେହିପରି ଏକ ତରୁଣୀ ତମ୍ବୀର ସାନିଧ୍ୟର ଅନୁଭୂତି ମଧ୍ୟ ନୂତନ ।

 

ତରୁଣୀଟି ଟିକେଟ କାଟିସାରି, ଚନ୍ଦ୍ରକାନ୍ତକୁ ଧନ୍ୟବାଦ ଜଣାଇ ଚାଲିଗଲା ।

 

ଚନ୍ଦ୍ରକାଂତ ନିଜର କାମ ଶେଷ କରି ଯେତେବେଳେ ବୁକିଂ ଅଫିସରୁ ବାହାରି ଆସିଲା, ଦେଖିଲା ସେହି ତରୁଣୀଟି ଫୁଟ୍‍ପାଥ୍ ଉପରେ ଏପାଖ ସେପାଖ ହେଉଛି । ଯେପରି କାହାକୁ ପ୍ରତୀକ୍ଷା କରି ବିରକ୍ତ ହୋଇଉଠିଲାଣି ।

 

ଚନ୍ଦ୍ରକାଂତ ମନେର କୌଣସି ଭାବାନ୍ତର ହେଲାନାହିଁ । ସେ ଯାଇ ତା’ ଗାଡ଼ିର ଲକ୍ ଖୋଲି ଦରଜା ଖୋଲିଲା ।

 

ତରୁଣୀଟି ଯାଇ ଠିଆ ହେଲା କାର୍ ପାଖରେ ।

 

ଆପଣ ? ଚନ୍ଦ୍ରକାଂତ ସ୍ୱରରେ ବିସ୍ମୟ ଫୁଟାଇ ପଚାରିଲା ।

 

ତରୁଣୀଟି ସ୍ମିତ ହସିଲା । ନୀଳ କାଚର ଆବରଣ ତଳେ କଳା ଡୋଳା ଯୋଡ଼ିକି ନାଚି ଉଠିଲା ଥରେ ଦି’ଥର । କଣ୍ଠରେ ମଧୁଛନ୍ଦ ତୋଳି କହିଲା, ଦୟା କରି ମୋତେ ଗୋଟାଏ ଲିଫଟ୍ ଦେବେ ? ଅବଶ୍ୟ ଆପଣ ଯଦି ଭବାନୀପୁର ଆଡ଼େ ଯାଉଥାଆନ୍ତି । ଏ ସମୟଟାରେ ଟ୍ୟାକସି ମିଳିବା କାଠିକର ପାଠ ।

 

ଚନ୍ଦ୍ରକାଂତ ଦରଜା ଖୋଲି କାର୍ ଭିତରେ ପଶିଲା । ପଛ କାର୍ ର ଲକ୍ ଖୋଲିଦେଇ କହିଲା, ବସନ୍ତୁ ।

 

ତରୁଣୀଟି କିନ୍ତୁ ଉଠିଲା ଆଗ ସିଟରେ । ବସିଲା ଚନ୍ଦ୍ରକାଂତ ପାଖରେ ।

 

ଚନ୍ଦ୍ରକାଂତ ବଙ୍କେଇ ଥରେ ଚାହିଁଲା ତରୁଣୀଟି ଆଡେ । ଗାଡ଼ିଷ୍ଟାର୍ଟ କରିଦେଲା ।

 

ଚୌରଙ୍ଗୀର ବକ୍ଷ ଉପରେ ଛୁଟି ଚାଲିଥିଲା ଚନ୍ଦ୍ରକାଂତର ଗାଡ଼ି ଖଣ୍ତିକ । ଦୁହେଁ ନୀରବରେ ବସିଥିଲେ ।

 

ପାର୍କଷ୍ଟ୍ରୀଟ ଛକରେ ଟ୍ରାଫିକର ରେଡ ସିଗନାଲ ଦେଖି ଚନ୍ଦ୍ରକାଂତ ଗାଡ଼ି ଅଟକେଇଲା । ଆଉଥରେ ଚାହିଁଲା ସେ ତରୁଣୀଟି ଆଡ଼େ ।

 

ଚାରି ଆଖିର ମିଳନରେ ତରୁଣୀଟି ସ୍ମିତ ହସିଲା । କହିଲା, ଆପଣ ତ ମୋ ନାଁ ପଚାରିଲେ ନାହିଁ ?

 

କ’ଣ ଲାଭ ? କ୍ଷଣିକର ପରିଚୟ । ଅଜ୍ଞାତରେ ରହିଯିବା ଭଲ ।

 

ମୋତେ କିନ୍ତୁ ଆପଣଙ୍କ ନାମ ଠିକଣା ଦେଇଯିବେ ।

 

କାହିଁକି ? ଚନ୍ଦ୍ରକାଂତ ଆଖିରେ ବିସ୍ମୟ ଫୁଟାଇ ପଚାରିଲା ।

 

ମୋର ପ୍ରୟୋଜନ । ତରୁଣୀଟି ନିର୍ବିକରା କଣ୍ଠରେ କହିଲା । ଆପଣ ପୁରୁଷ ବୋଲି, ଆପଣଙ୍କର ଅହଙ୍କାରର ସୀମା ନାହିଁ । ମୁଁ କିନ୍ତୁ କାହାରି ପାଖରେ ଋଣୀ ହୋଇ ରହି ପାରେନାହିଁ ।

 

ଚନ୍ଦ୍ରକାଂତ ମନେ ମନେ ହସିଲା । ସେ ଭାବି ପାରିଲା ନାହିଁ ଅହଙ୍କାର କାହାର ବେଶୀ । ନୀରବରେ କିଛି ସମୟ ଗାଡ଼ି ଚଳେଇବା ପରେ କହିାଲ, ମୋ ନାଁ ଚନ୍ଦ୍ରକାଂତ ପଟ୍ଟନାୟକ । ନିଉ ଇଣ୍ତିଆ ଆଲମୋନିୟମ କମ୍ପାନୀର ଲୋକାଲ ମ୍ୟାନେଜର । ଋଣ ଶୁଝିବା ପାଇଁ ଆଶା କରୁଚି ମୋର ଏତିକି ପରିଚୟ ଯଥେଷ୍ଟ ହେବ ।

 

ଚନ୍ଦ୍ରକାଂତ ଭାବିଥିଲା ଏହାପରେ ଝିଅଟି ହୁଏତ ତା’ଆଡ଼େ ବିସ୍ଫୋରିତ ନୟନରେ ଅନାଇ ଦେଖିବ । ମୁହଁରେ ତା’ର ଫୁଟି ଉଠିବ ବିସ୍ମୟର ବୈଚିତ୍ର୍ୟ । ସେ ଆଉ ଟିକିଏ ଦୂରେଇ ବସିବ ଚନ୍ଦ୍ରକାଂତଠାରୁ ।

 

କିନ୍ତୁ ତରୁଣୀଟି ନିର୍ବିକାର । ସେ କେବଳ ଥରେ ଚାହିଁଲା ଚନ୍ଦ୍ରକାଂତ ମୁହଁକୁ । କହିଲା, ମୋ ନାଁ ମଧୁମିତା ଚୌଧୁରୀ । ବାରିଷ୍ଟର ଶଶୀଶେଖର ଚଉଧୁରୀଙ୍କର ଏକମାତ୍ର ସନ୍ତାନ ।

 

କେହି ବୋଧହୁଏ କାହାରି ପରିଚୟରେ କୌଣସି ବିଶେଷତ୍ୱ ଖୋଜି ପାଇ ନଥିଲେ । ତେଣୁ କାହାରି ଆଖିରେ ବିସ୍ମୟ ଫୁଟି ନ ଥିଲା କିମ୍ବା ଅନୁସନ୍ଧିତ୍ସା ଜାଗି ନ ଥିଲା ।

 

ଏକ ସମୟରେ ମଧୁମିତା କହିଲା, ଏଇଠି ବାଁ ପାଖରେ ଗାଡ଼ି ରଖନ୍ତୁ । ଏଇ ଯୋଉ ତିନିତାଲା କୋଠାଟା, ସେଇଟା ଆମର । ବାପା ଆଉ ମୁଁ ରହୁ । ବାପା ଭାରି ମେଲାପୀ ଲୋକ । ଆସନ୍ତୁନା ! ତାଙ୍କ ସହିତ ମୁଁ ଆପଣଙ୍କର ପରିଚୟ କରାଇ ଦେବି । ସେ ଆପଣଙ୍କ କଥା ଶୁଣିଲେ ଭାରି ଖୁସି ହେବେ ।

 

ଚନ୍ଦ୍ରକାଂତର ଆଉ ବୋଧହୁଏ ଧୈର୍ଯ୍ୟ ନଥିଲା । ସେ ହାତ ଯୋଡି ନମସ୍କାର କରି, ଗାଡ଼ିର ଦରଜା ବନ୍ଦ କରି କହିଲା, କ୍ଷମା କରିବେ । ଆଜି ମୋର ଅନେକ କାମ । ଆଉ ଦିନେ ସମୟ କରି ଆସି ମିଷ୍ଟର ଚଉଧୁରୀଙ୍କ ସଂଗରେ ଆଳାପ କରିବି ।

 

କିନ୍ତୁ ଚନ୍ଦ୍ରକାଂତ ଗାଡ଼ି ଚଳେଇ ବାହାରି ଯାଇ ପାରିଲା ନାହିଁ ।

 

ସେଇ ମୁହୂର୍ତ୍ତରେ ତା ଗାଡ଼ି ଆଗରେ ଆସି ଠିଆ ହେଲା ଆଉ ଗୋଟିଏ ଗାଡ଼ି । ଯେଉଁ ପ୍ରୌଢ଼ ଭଦ୍ରଲୋକ ଜଣକ ଗାଡ଼ିରେ ବସିଥିଲେ, ମଧୁମିତା ତାଙ୍କ ପାଖକୁ ଛୁଟି ଯାଇ କହିଲା, ତମେ ଠିକ୍ ସମୟରେ ଆସି ପହଞ୍ଚିଛ ଡାଡ଼ି ।

 

ଭଦ୍ରଲୋକ ଘଟଣା କ’ଣ ଜାଣିବା ଆଗରୁ ମଧୁମିତା ଚନ୍ଦ୍ରକାଂତ ଆଡ଼େ ହାତ ବଢ଼ାଇ କହିଲା, ଜାଣ ଡାଡ଼ି, ୟାଙ୍କ ନାଁ ଚନ୍ଦ୍ରକାଂତ ପଟ୍ଟନାୟକ । କିନ୍ତୁ ଭୀଷଣ ଅହଙ୍କାରୀ । ମୋତେ ସେ ଏସ୍ପ୍ଳାନଡ଼ରୁ ଗାଡ଼ିରେ ବସେଇ ଏ ଯାଏ ଆଣିଲେ ଅଥଚ ଆମ ଘରକୁ ନ ଯାଇ ଚାଲି ଯାଉଛନ୍ତି । କହିଲ ଡାଡ଼ି, ଏଭଳି ଲୋକ ଶାସ୍ତି ପାଇବାର ଉପଯୋଗୀ କି ନୁହେଁ ?

 

ଆଡ଼ଭୋକେଟ ଶଶୀ ଶେଖର ଚଉଧୁରୀ ଥରେ ଚାହିଁଲେ ତରୁଣ ଚନ୍ଦ୍ରକାଂତ ଆଡ଼େ, ଆଉଥରେ ଚାହିଁଲେ କନ୍ୟା ମଧୁମିତା ମୁହଁକୁ । ଗାଡ଼ିରୁ ତଳକୁ ଓହ୍ଳେଇ ପଡ଼ି, ଚନ୍ଦ୍ରକାଂତ ଆଡ଼େ ଆଗେଇ ଯାଉଥିଲେ । ଚନ୍ଦ୍ରକାଂତ ଏଥର ନିଜେ ଓହ୍ଳେଇ ଆସିଲା ଶଶୀ ଶେଖର ଚଉଧୁରୀଙ୍କ ନିକଟକୁ । ପ୍ରଣାମ କରି ଠିଆହେଲା ନୀରବରେ ।

 

ଶଶୀଶେଖର ଚଉଧୁରୀ କହିଲେ, ଏ ତୁମର ବଡ଼ ଅନ୍ୟାୟ ୟଙ୍ଗମ୍ୟାନ୍‍ । ମିତା ତମକୁ ଘରକୁ ଡ଼ାକୁଛି ଯେତେବେଳେ, ତା’ ଅନୁରୋଧ ଅନ୍ତଃତ ତମର ରଖିବା ଉଚିତ । ଅବଶ୍ୟ ସମୟରେ ମୂଲ୍ୟ ସମ୍ବନ୍ଧରେ ମୁଁ ସବୁବେଳେ ସଚେତନ । ତଥାପି ମିତା ତରଫରୁ ମୋର ଅନୁରୋଧ ତମୁକୁ ରଖିବାକୁ ହେବ ୟଙ୍ଗ୍ ମ୍ୟାନ ।

 

ଚନ୍ଦ୍ରକାଂତ ବୃଦ୍ଧ ଶଶୀଶେଖର ଚଉଧୁରୀଙ୍କ ଅନୁରୋଧ ଏଡ଼େଇ ପାରିଲା ନାହିଁ । କିନ୍ତୁ ସେ ଯେତେବେଳେ ଲକ୍ଷ୍ୟ କଲା, ତା’ର ପରାଜୟରେ ମଧୁମିତା ଆହୁରି ପ୍ରଗଳ୍‍ଭ ହୋଇ ଉଠିଛି, ସେତେବେଳେ ଚନ୍ଦ୍ରକାଂତ ମନରେ ଏକ ପ୍ରବଳ ପ୍ରତିହିଂସା ଜାଗି ଉଠିଲା । ସେ ପ୍ରତିଜ୍ଞା କଲା, ମଧୁମିତା ଠାରୁ ଏହାର ପ୍ରତିଶୋଧ ନିଶ୍ଚୟ ନେବ ।

 

ଶଶୀଶେଖର ଚଉଧୁରୀ ଚନ୍ଦ୍ରକାଂତ ପିଠିରେ ହାତ ଥାପୁଡ଼େଇ କିହଲେ, ମୁଁ ଗୋଟାଏ ଜରୁରୀ କାମରେ ବାହାରିଛି, ତେଣୁ ମୋର ନିମନ୍ତ୍ରଣ ଆଉ ଦିନକୁ ରହିଲା ୟଙ୍ଗମ୍ୟାନ୍‍ । ଆଶା କରୁଛି ତମ ସହିତ ପୁଣି ସାକ୍ଷାତ ହେବ ।

 

ଚନ୍ଦ୍ରକାଂତା ମଧୁମିତା ସହିତ ବାଧ୍ୟ ହୋଇ ଆଗେଇଲା । ମଧୁମିତା ଭ୍ୟାନିଟି ବ୍ୟାଗଟା ବୁଲେଇ ବୁଲେଇ, ନିମିଷେ ପଛକୁ ଚାହିଁ ଲନ୍ ଭିତରେ ପଶିଲା ।

 

ପରିଚ୍ଛନ୍ନ, ରୁଚି ସମ୍ପନ୍ନ ବାସ ଗୃହ ।

 

ମଧୁମିତା ମଖମଲି ଗାଲିଚା ଉପର ଦେଇ ଉପରକୁ ଉଠୁଥିଲାବେଳେ ତଳକୁ ଆଙ୍ଗୁଳି ଦେଖେଇ କହିଲା, ଡାଡ଼ିଙ୍କ ଲାଇବ୍ରେରୀ, ଚେମ୍ବର, ବେଡ଼୍‍ରୁମ୍, ସବୁ ଏଇ ତଳେ । ଦୋତାଲାଟା ଗେଷ୍ଟମାନଙ୍କ ପାଇଁ ।

 

ତିନିତାଲାରେ ପହଞ୍ଚିଲା ବେଳକୁ ଦୁଇଜଣ ପରିଚାରିକା ଦୁଆର ଖୋଲିଦେଲେ ।

 

ମଧୁମିତା କହିଲା, ଏଇ ତିନିତାଲାଟା ସବୁ ମୋ ଅଧିକାରରେ । ଦୁଇ ଚାରିଟା ରୁମରୁମିଆ କୁକୁର ଆସି ମଧୁମିତାକୁ ଚାଟି ପକାଇଲେ । ଆଉ ଦୁଇ ତିନିଟା ଆସି ଚନ୍ଦ୍ରକାଂତକୁ ଶୁଙ୍ଘି ପକାଇଲେ ।

 

ମଧୁମିତା ଦୁଇ ହାତରେ ଦୁଇଟା କୁକୁର ଉଠାଇ ନେଇ, ଗୋଟାକୁ ଗାଲ ସଙ୍ଗରେ ଲଗାଇ ସ୍ମିତ ହସି କହିଲା, ଏମାନେ ମୋର ଅବସର ବିନୋଦନର ସହଚର ।

 

ଚନ୍ଦ୍ରକାଂତ ତଥାପି ନୀରବରେ ମଧୁମିତାକୁ ଅନୁସରଣ କରୁଥିଲା । ତା’ର ସବୁକଥା ଅତ୍ୟନ୍ତ ମନଯୋଗ ସହକାରେ ଶୁଣୁଥିଲା ।

 

ଆରେ, ଆପଣ ବସନ୍ତୁ ମିଷ୍ଟର ପଟ୍ଟନାୟକ । ମାତ୍ର ଦୁଇମିନିଟ୍ ଅପେକ୍ଷା କରନ୍ତୁ । ପ୍ଳିଜ୍-। ମୁଁ ଟିକିଏ ଆସୁଛି ।

 

ଚନ୍ଦ୍ରକାଂତ ଗୋଟିଏ ସୋଫା ଉପରେ ବସି ଘରର ଚାରିଆଡ଼କୁ ଥରେ ଆଖି ବୁଲେଇ ନେଲା, ପ୍ରତିଟି ଆସବାସ ପତ୍ରରେ ଆଭିଜାତ୍ୟର ଛାପ ଲାଗି ରହିଛି । ମଧୁମିତା ଯେ ବାରିଷ୍ଟର ଚଉଧୁରୀଙ୍କର ଅଲିଅଳି ସନ୍ତାନ, ଚନ୍ଦ୍ରକାଂତ ମନେ ମନେ ଚିନ୍ତା କରୁଥିଲା ।

 

କିନ୍ତୁ ହଠାତ୍ ମଧୁମିତା ତା’ପ୍ରତି ଏତେ ପ୍ରସନ୍ନ ହୋଇ ଉଠିଲା କାହିଁକି ? ଚନ୍ଦ୍ରକାନ୍ତ ନିଜର ପରିଚୟ ଦେବା ପୂର୍ବରୁ, ମଧୁମିତା ତ ତାକୁ ଚିହ୍ନି ନଥିଲା !

 

ଦିଆଲ ଘଡ଼ିଟା ଠନ୍ ଠନ୍ ହୋଇ ବାଜି ଉଠିଲା ।

 

ଚନ୍ଦ୍ରକାଂତ ସଚେତନ ହୋଇ ଦେଖିଲା, ଚାରିଟା ବାଜୁଛି । ତାକୁ ପୁଣି ଅଫିସ ଫେରିବାକୁ ହେବ । କେତେଟା ଜରୁରୀ ଫାଇଲ୍ ସେକ୍ରେଟାରୀକୁ ଦେଇ ଆସିଥିଲା ।

 

ମଧୁମିତାର ପୁଣି ଆବିର୍ଭାବରେ ଚନ୍ଦ୍ରକାଂତ ନିଜ ଭାବନା ଭିତରୁ ଫେରି ଆସିଲା ।

 

ସେ କାହାକୁ ଦେଖୁଛି ଆଖି ଆଗରେ ?

 

ମଧୁମିତା ହାଲ୍‍କା ପୋଷାକରେ ଅପୂର୍ବ ଦିଶୁଛି । ସେ ଆସି ବସିଲା ଚନ୍ଦ୍ରକାଂତ ପାଖକୁ ଲାଗି । ହସି ହସି କହିଲା, ସାମାନ୍ୟ ଟିକେ ଜଳଖିଆ ଏବଂ କପେ ସ୍ପେସାଲବ୍ରାଣ୍ତ କଫି ଖାଇ ଆପଣ ଚାଲିଯିବେ । ମୁଁ ଆଉ ଆପଣଙ୍କୁ ବେଶୀ ସମୟ ଅଟକାଇବି ନାହିଁ ।

 

ତା’ ହେଲେ ଋଣ ପରିଶୋଧ ହୋଇଯିବ ? ଚନ୍ଦ୍ରକାଂତ କଣ୍ଠରେ ଉତ୍ତେଜନା ଭରି ରହୁଥିଲା ।

 

ମଧୁମିତା ଖାଲି ହସିଲା । ଆଖିରେ ଆନ୍ତରିକତା ଭରି କହିଲା, ଆପଣଙ୍କୁ ବାଗକୁ ଆଣିବାର କୌଶଳ ମୋତେ ଜଣା ଅଛି, କିନ୍ତୁ ମୋର ସେ ଅଧିକାର ନାହିଁ ।

 

ମାନେ ? ଚନ୍ଦ୍ରକାଂତ ଆଖିରୁ ଯେପରି ବିଜୁଳି ଝଲସି ଉଠିଲା ।

 

ଆଉ ଯଦି କେବେ ଦେଖାହୁଏ ସେ ପ୍ରଶ୍ନର ଉତ୍ତର ଦେବି । ହେଇ ଜଳଖିଆ ଆସି ଗଲାଣି । ମୁଁ ଜାଣେ ଆପଣ ମୋ ଉପରେ ଭୀଷଣ ରାଗିଛନ୍ତି । ତଥାପି ଆପଣ ଜଳଖିଆ ଖାଇବେ, କଫି ପିଇବେ । କିନ୍ତୁ ବାଧ୍ୟ ହୋଇ । ଆପଣଙ୍କର ଏହି ବାଧ୍ୟବାଧକତା ମୂଳରେ କୌଣସି ଆନ୍ତରିକତା ନଥିଲେ ବି, ମୁଁ ଜାଣେ ମୋ କଥା ଆପଣଙ୍କ ବନ୍ଧୁ ମହଲରେ ଆଲୋଚିତ ହେବ ।

 

ଚନ୍ଦ୍ରକାଂତର ଆଉ ବୋଧହୁଏ ସହ୍ୟ ହେଉ ନଥିଲା । ମନେ ହେଉଥିଲା ଏଥର ବିସ୍ଫୋରଣ ହେବ ହୁଏତ ।

 

କିନ୍ତୁ ସେ ନୀରବରେ ଜଳଖିଆତକ ଶେଷ କରି, ଏକା ନିଶ୍ୱାସକେ କଫି କପ୍‍ଟି ପିଇ ପାରିଥିଲେ ବୋଧହୁଏ ଅଧିକ ଆନନ୍ଦ ପାଇଥାଆନ୍ତା । କିନ୍ତୁ ଧୂମାୟିତ କଫି କପ୍‍ଟା ଚନ୍ଦ୍ରକାନ୍ତକୁ ଆଉ କିଛି ସମୟ ଅଟକାଇ ଦେଲା ।

 

ଯେତେବେଳେ ସେ କଫି କପ୍‍ଟି ନିଃଶେଷ କରି ଉଠି ଠିଆ ହେଲା, ମଧୁମିତା ଆଶା କରିଥିଲା; ଚନ୍ଦ୍ରକାଂତ ନୀରବରେ ଉଠି ଚାଲିଯିବ ।

 

କିନ୍ତୁ ଚନ୍ଦ୍ରକାଂତ ଯିବା ପୂର୍ବରୁ କହିଗଲ, ଅଶେଷ ଧନ୍ୟବାଦ । ଆପଣଙ୍କ ପାଖରେ ମୁଁ କିନ୍ତୁ ଋଣୀ ହୋଇ ରହିଗଲି ।

 

ମଧୁମିତା ସେଇଠି ସେଇପରି ବସିରହି କହିଲା, କାହିଁ ଆପଣ ତ ଋଣୀ ଶୁଝିବା ପାଇଁ ମୋତେ ନିମନ୍ତ୍ରଣ କରିଗଲେ ନାହିଁ ?

 

ଚନ୍ଦ୍ରକାଂତ ବୁଲି ଅନେଇଲା । ମୁହୂର୍ତ୍ତେ ଚିନ୍ତା କଲା । କହିଲା, ହଁ ନିମନ୍ତ୍ରଣ ରହିଲା । ଯଦି ପାରନ୍ତି ଆପଣ କେବେ ଆସିବେ ସୁବିଧା ଦେଖି ।

 

ଚନ୍ଦ୍ରକାଂତ ଚାଲିଗଲା ।

 

ମଧୁମିତା ହସିଲା, ଖାଲି ହସିଲା ଚନ୍ଦ୍ରକାଂତର ଯିବା ପଥଆଡ଼େ ଚାହିଁ ।

 

ଉଠିଲା ନାହିଁ ବି ଆସନରୁ ।

 

ଚନ୍ଦ୍ରକାଂତ ପଛକୁ ଛୁଟିଲା ନାହିଁ ତାକୁ ବାଟେଇ ଦେଇ ଆସିବାକୁ । ଦୁଇହାତରେ କୁକୁର ଦୁଇଟା ଉଠାଇ ଆଣି, ଗାଲରେ ଲଗେଇ ଗେଲ କଲା ସେମାନଙ୍କୁ ।

 

ମଣିଷ ଠାରୁ ଏମାନେ ଅନେକ ଅହିଂସା । ଅନେକ ବିଶ୍ୱାସୀ ।

 

ଏହା ଭିତରେ ତିନି ଚାରିଦିନ ଅତିବାହିତ ହୋଇଯାଇଥିଲା ।

 

ଚନ୍ଦ୍ରକାଂତ ବୋଧହୁଏ ସେଦିନର ସେହି ଘଟଣାଟି ଭୁଲି ଯାଇଥିଲା ପୁରାପୁରି । ଅଫିସର ନାନା କାର୍ଯ୍ୟରେ ଲିପ୍ତ ରହି ହୁଏତ ଆଉ ମନେ ପକାଇ ପାରି ନଥିଲା ମଧୁମିତାକୁ ।

 

ସେଦିନ ଥିଲା ରବିବାର ।

 

ଚନ୍ଦ୍ରକାଂତ ଘରେ ବସି ବସି ଅଳସ ମୁହୁର୍ତ୍ତ ଗୁଡ଼ାକ କଟାଉ ଥିଲା । ସେ ବୋଧହୁଏ ଭଲ ପାଉଥିଲା ନିର୍ଜନତା । ସେଥିପାଇଁ ବେହେଲା ଅଞ୍ଚଳରେ ଗୋଟିଏ ଛୋଟ ବାଂଲୋପାଟର୍ଣ୍ଣର ଘର ନେଇ ବସବାସ କରୁଥିଲା ସେଇଠି ।

 

ଗୋଟିଏ, ଚାକର, ଗୋଟିଏ ମାଳୀ ଆଉ ସେ ।

 

ଘର ଆଗରେ ପ୍ରଶସ୍ତ ଜାଗାରେ ଏକ ସୁନ୍ଦର ବଗିଚାର ପରିକଳ୍ପନା କରିଥିଲା ଚନ୍ଦ୍ରକାଂତ । ବୁଲି ବୁଲି ସେ ଦେଖୁଥିଲା ବଗିଚାରେ ଗଛ ଲତାଙ୍କର ବିସ୍ତୃତି । ମାଳୀକୁ ବୁଝାଉଥିଲା ତା’ର ପରିକଳ୍ପନାର କଥା ।

 

ହଠାତ୍ ଗୋଟାଏ ମଟରଗାଡ଼ି ଆସିବାର ଶବ୍ଦ ଶୁଣି ଚନ୍ଦ୍ରକାଂତ ବୁଲି ଅନେଇଲା ପଛକୁ-। ଗାଡ଼ିଟା ପରିଚିତ ପରି ମନେ ହେଲା ତା’ର ।

 

ଆରେ, ଏଯେ ଶଶୀଶେଖର ଚଉଧୁରୀ ଆଉ ତାଙ୍କ କନ୍ୟା ମଧୁମିତା ।

 

ମଧୁମିତା ଗାଡ଼ିରୁ ଓହ୍ଳେଇଲା । ଚନ୍ଦ୍ରକାଂତ ନମସ୍କାର କିରବାକୁ କି ଭୁଲି ଯାଇଥିଲା ।

 

ଶଶୀଶେଖର ଚଉଧୁରୀ ଗାଡ଼ିରେ ବସିଥିଲେ । ମଧୁମିତା ଛୁଟି ଆସିଥିଲା ଚନ୍ଦ୍ରକାଂତ ପାଖକୁ । ହସି ହସି କହିଲା, ଆପଣଙ୍କ ନିମନ୍ତ୍ରଣ ରକ୍ଷା କରିବାକୁ ଚାଲି ଆସିଲି । ଡାଡ଼ିଙ୍କୁ ବି ସଂଗରେ ଆଣିଛି । ମୋର ଇଚ୍ଛା ନଥିଲା କିନ୍ତୁ ସେ କହିଲେ ମୁଁ ବି ଯିବି ୟଙ୍ଗମ୍ୟାନ୍ ପାଖକୁ ।

 

ଚନ୍ଦ୍ରକାଂତ ଯେପରି ସଚେତନ ହୋଇଉଠିଲା । ଆଗେଇ ଗଲା ଗାଡ଼ି ପାଖକୁ । ନମସ୍କାର ଜଣାଇ ସମ୍ଭ୍ରମ ସହକାରେ ଦୁଆର ଖୋଲିଦେଲା ଗାଡ଼ିର ।

 

ଶଶୀଶେଖର ଚଉଧୁରୀ ଖୁବ୍ ଉତ୍ସାହିତ ହେଲାପରେ କହିଲେ, ଇଉ ୟଙ୍ଗମ୍ୟାନ୍‍, ତୁମେ ଭୀଷଣ ମିଥ୍ୟାବାଦୀ । ମୁଁ ସେଦିନ କହିଥିଲି ନା ମୋ ସହିତ ଦେଖା କରିବା ପାଇଁ ! !

 

ଚନ୍ଦ୍ରକାଂତ ବିନୟ ସହକାରେ କହିଲା, ମୋଟେ ସମୟ ପାଇ ନାହିଁ ସାର୍ । କ୍ଷମା କରିବେ ।

 

ଶଶୀଶେଖର ଚଉଧୁରୀ ଗାଡ଼ିରୁ ଓହ୍ଲାଇ ପ୍ରଥମେ ଚନ୍ଦ୍ରକାଂତର ବଗିଚାମୟ ବୁଲିଲେ ! ଗୋଟି ଗୋଟି କରି ଗଛ ଲତାଗୁଡ଼ିକୁ ଦେଖିଲେ । ଯେତେବେଳେ ସେ ଚନ୍ଦ୍ରାକାଂତର ଛୋଟ ଘରଟି ଭିତରେ ପ୍ରବେଶ କଲେ, ଆନନ୍ଦରେ ଶତମୁଖ ହେଲା ପରି କହିଲେ, ତୁମର ରୁଚି ଅଛି ୟଙ୍ଗମ୍ୟାନ୍‍, ଜୀବନକୁ ଉପଭୋଗ କରି ଶିଖିଚ ତମେ । ମୋର ୟଙ୍ଗଏଜ୍‍ରେ ମୋ ମନ ଭିତରେ ତୁମରି ପରି ଏକ ସୌଖୀନ ମଣିଷର ଜନ୍ମ ହୋଇଥିଲା, କିନ୍ତୁ ମୁଁ ତାକୁ ଇଟା କଂକ୍ରିଟର ପାଚେରୀ ଭିତରେ ଜିଆଇ ରଖି ପାରିଲି ନାହିଁ ।

 

ଜାଣ ୟଙ୍ଗ୍‍ମ୍ୟାନ୍‍, ତମର ଏହି ଘରର ପରିବେଶ ମୋ ମନକୁ ବେଶ୍‍ ଆକୃଷ୍ଟ କରିଛି । ମୋର ମନ ହେଉଛି ଏଇଠି ରହିଯିବାପାଇଁ ।

 

ମଧୁମିତା କିନ୍ତୁ ସେଠି ସେମାନଙ୍କର ପାଖରେ ନଥିଲା । ସେ ଘର ଭିତରେ ପଶି, ଏପାଖ ସେପାଖ ହୋଇ ଶେଷରେ ପହଞ୍ଚିଲା ଯାଇ ରୋଷେଇ ଘରେ, ଗଣେଶ ବସି ବସି ଚୁଲି ଫୁଙ୍କୁଥିଲା । ମଧୁମିତାକୁ ଦେଖି ସେ ଯେପରି ଆଖି ଆଗରେ ଭୂତ ଦେଖିଲା ।

 

ମଧୁମିତା ଗଣେଶ ପାଖକୁ ଯାଇ କହିଲା, ଏତେ ବେଳଯାଏ ଚା’ କରିନାହୁଁ ? ଆସି ଆଠଟା ବାଜିଲାଣି । ବାବୁ ସକାଳେ ଚା’ ଖାଆନ୍ତିୁ ନାହିଁ ବୋଧେ !

 

ଗଣେଶ ଏହି ଆକସ୍ମିକାର ଆବିର୍ଭାବରେ ବୋଧହୁଏ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କେବେ ସେ କୌଣସି ନାରୀର ପ୍ରବେଶ ଦେଖି ନଥିଲା ତାଙ୍କର ଏହି ନିକାଞ୍ଚନ ଘରଟି ଭିତରେ । ସେଇଥିପାଇଁ ହୁଏତ ଏକ ଅବାକ୍ ଚାହାଣୀରେ ଅନାଇ ଥିଲା ସେ ମଧୁମିତା ମୁହଁକୁ ।

 

ମଧୁମିତା କିନ୍ତୁ ଅତି ପରିଚିତ ପରି ରୋଷେଇ ଘର ପରେ ଷ୍ଟୋର ରୁମରେ ପଶିଥିଲା । ଗୋଟିକ ପରେ ଗୋଟିକ ପଦାର୍ଥ ଖେଳେଇ ଦେଖିଲା ସେ । ବିସ୍କୁଟ ଟିଣଟି ହାତରେ ଧରି, ହରଲିକ୍‍ସ ଶିଶିଟି ଗଣେଶ ହାତକୁ ବଢ଼ାଇ ଦେଇ କହିଥିଲା, ତିନି କପ୍ ଶୀଘ୍ର ତିଆରି କର । ବାବୁଙ୍କୁ ଏତେ ବେଳଯାଏ କିଛି ଖାଇବାକୁ ଦେଇନାହୁଁ ?

 

ମଧୁମିତା ଗୋଟାଏ ଡ଼ିସ୍ ଆଣି ଟିଣରୁ ବିସ୍କୁଟ ବାହାର କରି ସଜେଇବାରେ ଲାଗିଲା । ଗଣେଶ ହାତରୁ ଚାମଚ ଟାଣି ନେଇ ହରଲିକ୍‍ସ କାଢ଼ି ଗରମ ପାଣିରେ ମିଶେଇଲା । ତା’ପରେ ଚାହିଁଲା ଚାରିଆଡ଼କୁ ।

 

ଟ୍ରେ ନାହିଁ ?

 

ଅଛି । ଗଣେଶ ଉଠିଗଲା ଟ୍ରେ ଆଣିବା ପାଇଁ ।

 

ମଧୁମିତା ବିସ୍କୁଟ ଡିସ୍‍ଟି ଏବଂ ଗଣେଶ ହରଲିକ୍‍ସ ଟ୍ରେ ଧରି ଆଗେଇଗଲେ ଡ୍ରଇଁରୁମ୍‍ ଆଡ଼କୁ ।

 

ଚନ୍ଦ୍ରକାଂତ ସହିତ ଶଶୀଶେଖରଙ୍କର ଗଳ୍ପ ଜମି ଉଠିଚି ସେତେବେଳକୁ ।

 

ହଠାତ୍ ସେଠାରେ ମଧୁମିତାର ପ୍ଳେଟ ହାତରେ ଆବିର୍ଭାବ ଚନ୍ଦ୍ରକାଂତ ଆଖିରେ ଅବାକ୍ ବିସ୍ମୟ ଫୁଟାଇଲା । ସେ ଉଠିପଡ଼ି ବୋଧହୁଏ ମଧୁମିତା ହାତରୁ ପ୍ଳେଟ୍‍ଟା କାଢ଼ି ଆଣିବାପାଇଁ ଯାଉଥିଲା ।

 

ଶଶୀଶେଖର ଚଉଧୁରୀ କହିଲେ, ତୁମେ ବ୍ୟସ୍ତ ହୁଅନାହିଁ ୟଙ୍ଗ୍‍ମ୍ୟାନ୍‍ । ନାରୀମାନଙ୍କର ଜନ୍ମ ସେଇଥିପାଇଁ । ସେମାନେ ହେଲେ ସେବିକା । ଅନ୍ୟର ସେବା କରିବା ହିଁ ସେମାନଙ୍କର ଧର୍ମ-

 

ହୋଇପାରେ, ଚନ୍ଦ୍ରକାଂତ କହିଲା, କିନ୍ତୁ ସେ ଯେ ମୋର ଅତିଥି ।

 

ଗଣେଶ ଆଡ଼େ ରାଗିଲା ଆଖିରେ ଚାହିଁ କହିଲା, ତୁ ଗୋଟାଏ ନିତାନ୍ତ ଅପଦାର୍ଥ । ନିଜେ ଆଣି ପାରିଲୁ ନାହିଁ ?

 

ଗଣେଶ ଥଙ୍ଗ ଥଙ୍ଗ ହୋଇ କ’ଣ କହିବାକୁ ଯାଉଥିଲା ।

 

ମଧୁମିତା ବାଧା ଦେଇ କହିଲା, ତା’ର କିଛି ଦୋଷ ନାହିଁ । ତେବେ ଏତିକି ତା’ର ଅପରାଧ ହୋଇପାରେ, ସେ ମୋର କାର୍ଯ୍ୟକଳାପରେ ବାଧା ଦେଇ ପାରିନାହିଁ ।

 

ଚନ୍ଦ୍ରକାଂତର ଆଉ କରିବାର କିଛି ନ ଥିଲା ।

 

ଶଶୀଶେଖର ଗୋଟିଏ ବିସ୍କୁଟ ଉଠାଇ ନେଇ, ହରିଲକ୍‍ସ କପ୍‍ରେ ବୁଡ଼ାଇ କହିଲେ, ମୁଁ ଭାରି ଖୁସି ହେଲି ୟଙ୍ଗମ୍ୟାନ୍‍ । ତମର ନିରୋଳାରେ ଏହି ବାସ ଗୃହଟି ମୋତେ ଭାରି ଆନନ୍ଦ ଦେଲା । ଆଉ ତମ ଗାର୍ଡ଼େନର ଦାୟିତ୍ୱ ମୁଁ ନେଉଛି । ଦେଖିବ, ବୟସରେ ମୁଁ ପ୍ରୌଢ଼ତ୍ୱକୁ ଟପି ଯାଇଥିଲେ ବି ମୋ ମନ ଭିତରେ କିପରି ଏକ ସବୁଜ ମଣିଷ ଜିଇ ରହିଛି ।

 

ଶଶୀଶେଖର ଚଉଧୁରୀ ଅନର୍ଗଳ ଗପି ପାରନ୍ତି । ଯେଉଁଟା ହୁଏତ ଚନ୍ଦ୍ରକାଂତକୁ ଭଲ ଲାଗେ ନାହିଁ । ସେ କାମର ମଣିଷ । ଚବିଶ ଘଣ୍ଟାରୁ ଷୋଳଘଣ୍ଟା କାମ କରୁ କରୁ କିପରି ଯେ କଟିଯାଏ, ସେ କଥା ସେ ବୁଝି ପାରେନାହିଁ ।

 

ସେ କଲିକତାକୁ କାର୍ଯ୍ୟଭାର ନେଇ ଆସିଲାଣି ପ୍ରାୟ ସାତ ଆଠ ମାସ ହେବ । ଦୁଇ ତିନିମାସ ହୋଟେଲରେ କାଟିଲା ଚନ୍ଦ୍ରକାଂତର । କିନ୍ତୁ ହୋଟେଲ ଜୀବନ ତାକୁ ଜମା ଭଲ ଲାଗିଲା ନାହିଁ । ସେଥିପାଇଁ ବହୁତ ଖୋଜି ଖୋଜି ସେ ଏଇ ଘରଟିକୁ ପସନ୍ଦ କଲା । ସହର ଠାରୁ ଦୂରରେ ନ ହେଲେ ବି କୋଳାହଳର ବହୁ ଦୂରରେ ସେ ବାଛି ନେଲା ବାସସ୍ଥଳୀଟି । ନିର୍ଜଞ୍ଜାଳ, ନିର୍ଝଞ୍ଜଟ ଲୋକ । ସକାଳ ଓ ସନ୍ଧ୍ୟାରେ ଟିକିଏ ମୁକ୍ତି ଆଲୋକ, ମୁକ୍ତବାୟୁ ସେବନ କରି ପାରିଲେ, ବାକି ସମୟତକ ନିରଳସ ଭାବରେ କାମ କରି ଯାଇପାରିବେ ଚନ୍ଦ୍ରକାନ୍ତ ।

 

ବାପା ମା’ ଅନେକ ଦିନରୁ ଛାଡ଼ି ଯାଇଛନ୍ତି ଚନ୍ଦ୍ରକାଂତକୁ । ଯେଉଁ ଆତ୍ମୀୟ ସ୍ୱଜନମାନେ ଅଛନ୍ତି, ସେମାଙ୍କର ପାଖକୁ କେବେ ଯାଏ ନାହିଁ ଚନ୍ଦ୍ରକାଂତ । କର୍ମମୟ ଜୀବନରେ କୌଣସି ଅଭାବ ଅସୁବିଧା ଚନ୍ଦ୍ରକାଂତକୁ ବିଚଳିତ କରି ପାରିନାହିଁ । ଜୀବନଟା ତା’ର ଗତିଶୀଳ କିନ୍ତୁ ଭାରି ଏକମୁଖୀ ।

 

ଶଶୀଶେଖର ଆଉ ମଧୁମିତାଙ୍କ ସହିତ ବସି କଥାବାର୍ତ୍ତା ହେଲାବେଳେ ତା’ର ମନେ ହେଉଛି, ଏକ ନୂତନ ଆସ୍ୱାଦ ଏକ ନୂତନ ରୋମାଞ୍ଚ ଯେପରି ରହି ରହି ଜାଗି ଉଠୁଚି ତା’ ଦେହ ମନରେ ବିଶେଷ କରି ଶଶୀଶେଖର ଚଉଧୁରୀ ତା’ମନ ଉପରେ ବିଶେଷ ପ୍ରଭାବ ପକାଇ ପାରିଛନ୍ତି ।

 

ଆଉ ମଧୁମିତା । ସେ ତ ତାରୁଣ୍ୟରେ ପାଦ ଦେଇଛି ମାତ୍ର । ଚନ୍ଦ୍ରକାଂତର ଝିଅମାନଙ୍କ ପ୍ରତି କେଜାଣି କାହିଁକି ଗୋଟାଏ ବିତୃଷ୍ଣା ରହିଛି ସବୁଦିନ । କୌଣସି ଝିଅଙ୍କୁ ସେ ସହ୍ୟ କରିପାରେନାହିଁ । ବୋଧହୁଏ ଅତି ଶୈଶବରୁ ମାତୃହରା ହୋଇଥିବାରୁ ଚନ୍ଦ୍ରକାଂତ ମନରେ ଏହି ବିଦ୍ୱେଷ । ତେଣୁ ମଧୁମିତା ପ୍ରତି ତା’ର ଖୁବ୍ ଗୋଟାଏ ଆନ୍ତରିକତା ନାହିଁ ।

 

ମଧୁମିତା କିନ୍ତୁ ସେଠାରୁ ଉଠି ଯାଇଥିଲା । ବୋଧହୁଏ ରୋଷେଇ ଘରକୁ । ଗଣେଶ ପାଖକୁ ।

 

ଶଶୀଶେଖର କହିଲେ, ଇଉ ୟଙ୍ଗମ୍ୟାନ୍‍, ଏହି ବିଶାଳ ଦୁନିଆ ଭିତରେ ତମ ମନରେ ଅଶେଷ ରଙ୍ଗିନ ସ୍ୱପ୍ନ ଥିବ । ଯେମିତି ମୋର ଥିଲା ତମ ବୟସରେ । ସେତେବେଳେ ବାପାଙ୍କର ବିଶାଳ ସମ୍ରାଜ୍ୟ । ଆମର ବିରାଟ ଜମିଦାରୀ । ମୁଁ ଏକମାତ୍ର ସନ୍ତାନ । ତେଣୁ ବୁଝୁଥିବ ୟଙ୍ଗମ୍ୟାନ୍‍, ମୋର ସ୍ଥିତି ମୋର ଅବସ୍ଥିତି କଥା ।

 

ତଥାପି ଜୀବନଟା ମୋର ବ୍ୟର୍ଥ ହୋଇଗଲା । ସରସ, ସୁନ୍ଦର ସ୍ୱପ୍ନମୟ ଜୀବନର ଯେଉଁ ଅଶେଷ କାମନା ପୂରି ରହିଥିଲା ମୋ ମନରେ ସବୁ ବ୍ୟର୍ଥ ହୋଇଗଲା । ସବୁ ବ୍ୟର୍ଥ କରିଦେଲା ମାନି ।

 

ମାନି ନାଁ ଶୁଣି ଚନ୍ଦ୍ରକାଂତ ଟିକିଏ ଚଞ୍ଚଳ ହୋଇଉଠିଲା । କିଏ ମାନି ? କିଏ ଶଶୀଶେଖର ଆଉ କିଏ ଚନ୍ଦ୍ରକାଂତ ? ବିରାଟ ବ୍ୟବଧାନ । ପୂର୍ବ ପଶ୍ଚିମ ପରି, ଉତ୍ତର ଦକ୍ଷିଣ ପରି-। କିନ୍ତୁ ହଠାତ୍, ଦିନକର ଦେଖା, କେଇ ଘଣ୍ଟାର ପରିଚୟ ତା’ରି ଭିତରେ ଶଶୀଶେଖର ତାଙ୍କ ଜୀବନର ଅତୃପ୍ତପୃଷ୍ଠାଗୁଡ଼ିକ ଚନ୍ଦ୍ରକାଂତ ଆଗରେ ଖୋଲି ଧରିଲେ କାହିଁକି ?

 

ଶଶୀଶେଖରଙ୍କ ତୁଳନାରେ ଚନ୍ଦ୍ରକାଂତର ବୟସ ଅଳ୍ପ ହେଲେ ମଧ୍ୟ ତା’ର ବି ଜୀବନ ଅଛି । ସୁଖ ଦୁଃଖ, ଅଶ୍ରୁ ଆନନ୍ଦ ଭିତରେ ବୃହତ୍ ନ ହେଲେ ବି, ତା’ ଜୀବନର ଇତିହାସ ପୃଷ୍ଠା କେବେ ତ ସେ କାହାରି ପାଖରେ ମେଲି ଧରିବାକୁ ଭରସା କରି ପାରିନାହିଁ । ଶଶୀଶେଖର ତା’ ହେଲେ ଏତେ ଅଳ୍ପ ପରିଚୟରେ....

 

ବୁଝିଲ ୟଙ୍ଗମ୍ୟାନ୍‍ ! ବୟସ ମୋର ଯଥେଷ୍ଟ ହୋଇଛି । ଜୀବନରେ ବହୁ ଅଭିଜ୍ଞତା ଭିତରେ ଦେଇ ମୁଁ ଅନ୍ତତଃ ଏତିକି ଶିଖିଚି, ମଣିଷ ଦେଖିଲେ ମୁଁ ପ୍ରଥମେ ଦର୍ଶନରେ ହିଁ ତାକୁ ଚିହ୍ନିପାରେ । ଯେମିତି ପ୍ରଥମ ଦର୍ଶନରେ ମୁଁ ତୁମକୁ ଚିହ୍ନି ପାରିଲି । ଠିକ୍ ମୋର ମନର ମଣିଷଟିଏ-। ଯାହାପାଖରେ ନିର୍ବିଘ୍ନରେ ଜୀବନର ସମସ୍ତ ଅଶ୍ରୁଳ ପୃଷ୍ଠାଗୁଡ଼ିକ ଖୋଲି ଦେଇ ହେବ ନିଃସଙ୍କୋଚରେ ।

 

ଚନ୍ଦ୍ରକାଂତ ଲକ୍ଷ୍ୟ କରୁଥିଲା, ଶଶୀଶେଖର କ୍ରମଶଃ ଭାବ ବିହ୍ୱଳ ହୋଇପଡ଼ୁଛନ୍ତି । ସ୍ଥାନାସ୍ଥାନ ପାତ୍ରାପାତ୍ର କିଛି ତାଙ୍କର ମନେ ରହୁନାହିଁ । କିନ୍ତୁ ଚନ୍ଦ୍ରକାଂତର କ’ଣ ତାଙ୍କର ଏପରି ଏକ ଦୁର୍ବଳତାର ସୁଯୋଗ ନେବା ଉଚିତ ?

 

ସାର....ଚନ୍ଦ୍ରକାଂତ ଡାକିବାକୁ ଚେଷ୍ଟା କରି ମଧ୍ୟ କୌଣସି ଉତ୍ତର ପାଇଲା ନାହିଁ ।

 

ଶଶୀଶେଖର ଆଖି ବୁଜି, ମନଟାକୁ ଯେପରି ଅତୀତର ଗଭୀର ଗହ୍ୱର ଭିତରେ ଭରି ଦେଇ, ଚୁନା ଚୁନା ସ୍ମୃତିର ଉପଳ ଖଣ୍ତମାନ ଦୁଇ ହାତରେ ଗୋଟାଇବାକୁ ଚେଷ୍ଟା କରୁଥିଲେ ।

 

ତା’ ନାଁ ମାନିନୀ । ମୁଁ ତାକୁ ଡ଼ାକୁଥିଲି ମାନି ।

 

ଆମ ଜମିଦାରୀର ଏକ କୃଷକ ପରିବାରରେ ତା’ର ଜନ୍ମ ।

 

ଯେତେବେଳେ ମାନି ସହିତ ମୋର ପରିଚୟ ହୁଏ, ସେତେବେଳେ ମୁଁ ତା’ର ଇତିହାସ ଜାଣି ନଥିଲି ।

 

କଲିକତାରେ ମୋର ମାନି ସହିତ ଭେଟ ହୋଇଥିଲା ।

 

ମୋର ସେତେବେଳେ ଛାତ୍ର ଜୀବନ । ଶ୍ୟାମବଜାରରେ ଆମର ବିରାଟ କୋଠା । ଦାସ ଦାସୀ, ଗାଡ଼ି ଘୋଡ଼ାରେ ଆମର ଶ୍ୟାମବଜାରରେ ଘର ଆଭିଜାତ୍ୟର ବିଜୟ ବୈଜୟନ୍ତୀ ଉଡ଼ାଉଥାଏ । ଆଉ ସହଜେ ମୁଁ କୁଳ ନନ୍ଦନ ।

 

ମାନି ସେତେବେଳେ ସ୍କୁଲରେ ପଢ଼ୁଥାଏ । ସେଇଟା ବୋଧହୁଏ ତା’ର ସ୍କୁଲ ଫାଇନାଲ ଇଅର । ସେ ତା’ର ଜଣେ ଆତ୍ମୀୟ ପାଖରେ ରହି ପାଠ ପଢ଼ୁଥିଲା ।

 

ଏକ ଆକସ୍ମିକ ବିପଦରୁ ମାନିକୁ ରକ୍ଷା କରିବାକୁ ଯାଇ ତା’ ସହିତ ମୋର ପରିଚୟ ହୁଏ । ତା’ ଆଖି ଦୁଇଟାର ଚାହାଣୀ ଆଡ଼େ ଚାହିଁ ମୁଁ ସ୍ଥିର ହୋଇଯାଏ । କ’ଣ ସେ ଆଖି । ଯେପରି ଗୋଟିଏ ଶିଳ୍ପୀ ତା’ର ସମସ୍ତ ସାଧନା ଦେଇ ଜୀବନ ଭରି ବସି ବସି ଆଖି ଦୁଇଟି ଗଢ଼ିଛି ! !

 

ମୋର ନିର୍ଲଜ ଚାହାଣୀ ଆଡ଼େ ମାନି ଚାହିଁପାରେ ନାହିଁ ସତ, କିନ୍ତୁ ସେ ବାଧ୍ୟ ହୋଇ ମୋ ଗାଡ଼ିରେ ବସେ । ମୁଁ ତାକୁ ନେଇ କୋଲଟୋଲାରେ ତା’ ଆତ୍ମୀୟଙ୍କ ନିକଟରେ ଛାଡ଼ିଦେଇ ଆସେ ।

 

ସେତେବେଳେ ମୁଁ ଜମିଦାର ବା ସେ ପ୍ରଜା ସେପରି କୌଣସି ପରିଚୟ ନଥାଏ ଆମର-

 

କିନ୍ତୁ ମାନିର ଆଖି ଦୁଇଟାକୁ ମୁଁ ଭୁଲିପାରେ ନାହିଁ ।

 

ବାରମ୍ବାର ପ୍ରତିଦିନ ମୋତେ ଗାଡ଼ିଧରି ଛୁଟି ଆସିବାକୁ ହୁଏ କଲୁଟୋଲାର ମୋଡ଼କୁ । ଗାଡ଼ି ଠିଆ କରି ମୁଁ ଚାହିଁ ରହିଥାଏ । ମାନି ବହିପତ୍ର ଧରି ସ୍କୁଲକୁ ଯିବାବେଳେ ମୋତେ ଚାହେଁ । କୃତଜ୍ଞତା ଫୁଟି ଉଠେ ତା’ ମୁହଁରେ । ଅଳ୍ପ ଟିକିଏ ହସର ଝଲକ ଦିଶେ । ଅଦୃଶ୍ୟ ହେବାଯାଏ ଫେରି ଫେରି ମୋ ଆଡ଼େ ଚାହିଁ ଚାଲିଯାଏ ।

 

ତୃପ୍ତିରେ ମୋ ମନ ଭରି ଉଠେ ।

 

ଗାଡ଼ି ନେଇ ମୁଁ ଫେରିଯାଏ ଆମ ଘରକୁ ।

 

କିଶୋରୀ ମାନି ଆଉ ତରୁଣ ଶଶୀଶେଖରର ଏହି ଆନ୍ତରିକତା ଦିନେ ପରିଣତ ହୁଏ ପ୍ରେମରେ ।

 

ତା’ପରେ ବିବାହ ।

 

କିନ୍ତୁ ମୋର ଏହି ବିବାହ ପ୍ରସ୍ତାବରେ ଆମ ସମଗ୍ର ଜମିଦାରୀରେ ଏକ ପ୍ରବଳ ଆଲୋଡ଼ନ ସୃଷ୍ଟି ହୋଇଯାଏ ।

 

ବାପା ଯେତେବେଳେ ମାନିର ବଂଶ ପରିଚୟ ସଂଗ୍ରହ କରିବାକୁ ଯାଇ ଜାଣି ପାରନ୍ତି ଯେ, ସେ ଆମରି ଜମିଦାରୀର ଏକ କୃଷକ କନ୍ୟା, ସେତେବେଳେ ସେ ମୋ ଉପରେ ଭୀଷଣ ମୂର୍ତ୍ତି ଧାରଣ କରି ଏ ବିବାହ ବନ୍ଦ କରିବା ପାଇଁ ମୋତେ ଧମକ ଦିଅନ୍ତି ।

 

ବାପା ଆଉ ମୋ ଭିତରେ ମନ କଷା କଷି ହୁଏ । ତାଙ୍କର ଏକ ଜିଦ୍ ସେ ବିବାହ କରାଇଦେବେ ନାହିଁ ।

 

ଆଉ ମୋର ଏକା ଜିଦ୍ ମୁଁ ମାନି ଛଡ଼ା ଅନ୍ୟ କାହାକୁ ବିବାହ କରିବି ନାହିଁ ।

 

ଶେଷରେ ଦୁଇଜଣଙ୍କର ଜୟ ହେଲା ।

 

ମାନେ ବାପା ଜିଣିଲେ ମୋତେ ତ୍ୟଜ୍ୟ ପୁତ୍ର କରି । ଆଉ ମୁଁ ଜିଣିଲି ମାନିକୁ ବାହା ହେଇ ।

 

ସେଇଦିନ ଠାରୁ ମୁଁ ବାପାଙ୍କଠାରୁ ସଂପୂର୍ଣ୍ଣ ଅଲଗା ହୋଇଗଲି । ସେତେବେଳକୁ ମୁଁ ବି.ଏ. ପରୀକ୍ଷା ଦେଇ ସାରିଥାଏ ।

 

ମାନିକୁ ଧରି ମୁଁ କଲିକତା ଛାଡ଼ି ଚାଲିଗଲି । ଏଲାହାବାଦ । ବ୍ୟାଙ୍କରେ ମୋ ନାମରେ ଯାହା ଗଚ୍ଛିତ ଟଙ୍କା ଥିଲା, ସେଇଥିରେ ମୁଁ ଲ’ ପଢ଼ିଲି ।

 

ମାନିକୁ ପାଇ ମୁଁ ପ୍ରକୃତରେ ଭୁଲି ଯାଇଥିଲି ସବୁ ।

 

ଅବସରବେଳେ ମୁଁ ଖାଲି ମାନିର ଆଖିକୁ ଅନାଇ ବସି ଦୁନିଆର ସବୁ କଥା ଭୁଲିଯାଏ-। ମାନିକୁ କେନ୍ଦ୍ର କରି ମୁଁ ଏକ ସୁନ୍ଦର ସଂସାରର ପରିକଳ୍ପନାରେ ମତ୍ତ ହୋଇଉଠେ ।

 

କିନ୍ତୁ ମାନି ମୋତେ ମୋ ଅଭିଳାଷ ପୂରଣର ସୁଯୋଗ ଦେଲା ନାହିଁ । ଯେତେବେଳେ ମୁଁ ଆର୍ଥିକ ସଂହତି ଫେରି ପାଇଲି; ଯଶ, ଖ୍ୟାତି ଗୋଟିକ ପରେ ଗୋଟିଏ ଆସି ମୋ ଆଗରେ ଠିଆହେଲେ, ମାନି ସେତେବେଳେ ମୋତେ ଏକା ଛାଡ଼ି ଚାଲିଗଲା । ରଖିଗଲା ବର୍ଷକର ସନ୍ତାନ ଏଇ ମିତାକୁ ।

 

ବ୍ୟର୍ଥ କରିଦେଲା ମୋର ଜୀବନଟାକୁ ।

 

ଯାହା ପାଇଁ ସବୁ ହରେଇଥିଲି, ଶେଷରେ ମୋତେ ତାକୁ ବି ହରେଇବାକୁ ପଡ଼ିଲା । ଭଗବାନଙ୍କୁ ଅଭିଶାପ ଦେଲି । କାହିଁକି ତମର ସୃଷ୍ଟି ?

 

ଶଶୀଶେଖରଙ୍କ ଆଖିରେ ଲୁହ ଭରି ଆସିଥିଲା ।

 

ମୁହଁଟା ଫୁଲି ଉଠିଥିଲା ।

 

ତାଙ୍କ ବେଦନା ହୁଏତ ଅନୁଭବ କରୁଥିଲା ଚନ୍ଦ୍ରକାଂତ । ସେ ସ୍ତବ୍ଧ ହୋଇଯାଇଥିଲେ ।

 

ଶଶୀଶେଖର ଆଖିରୁ ରୁମାଲଟା କାଢ଼ି ପୁଣି ଆରମ୍ଭ କରିଥିଲେ, ଜୀବନର ଧକ୍କା ବଡ଼ ସାଂଘାତିକ ୟଙ୍ଗ୍‍ମ୍ୟାନ୍‍ । ସମ୍ଭାଳି ନ ପାରିଲେ ଦୁନିଆରେ ଠିଆ ହୋଇ ପାରିବନାହିଁ । ମୁଁ ଯେପରି....

 

ଦୂରରୁ ମଧୁମିତାର କଣ୍ଠ ଶୁଣି ଶଶୀଶେଖର ନୀରବ ହୋଇଗଲେ । ହେଇ ଆସିଲାଣି ମୀତା । ବଡ଼ କଷ୍ଟରେ ମୁଁ ତାକୁ ମଣିଷ କରିଛି । ତୁମେ ମୀତାର ଆଖିକୁ ଲକ୍ଷ୍ୟ କରିବ ୟଙ୍ଗମ୍ୟାନ୍‍, ଦେଖିବ ଏକ ସ୍ୱାତନ୍ତ୍ର ରହିଛି । ହେଲେ ମାନିର ଶହେ ଭାଗରୁ ଭାଗେ ବି ହେବ ନାହିଁ ।

 

ମଧୁମିତା ମୁହଁରେ ହସର ଫୁଲ ଫୁଟାଇ ଝାଳ ସରସର ହୋଇ ଆସି ସେମାନଙ୍କ ଆଗରେ ଠିଆ ହେଲା ।

 

ଚନ୍ଦ୍ରକାଂତ ମଧୁମିତାର ଝାଳ ସରସର ଦେହ ଓ ଅଡ଼ୁଆ ତଡ଼ୁଆ କେଶବାସ ଆଡ଼େ ଚାହିଁ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ଆପଣ କ’ଣ କରୁଥିଲେ ?

 

ଉତ୍ତର ଦେଲେ ଶଶୀଶେଖର ।

 

ମୁହଁରେ ବାତ୍ସଲ୍ୟ ହସ ଫୁଟାଇ କହିଲେ, ମୀତାର ଗୋଟିଏ ଆଳୁ ଦୋଷ ଅଛି ମିଷ୍ଟର ପଟ୍ଟନାୟକ । ସେଇଟା ସଂପୂର୍ଣ୍ଣ ତା’ର ମାତୃଦତ୍ତ । ଯେତେ ଦାସ ଦାସୀ ଚାକର ପୁଝାରୀ ଥିଲେ ବି ଅନ୍ତତଃ ତରକାରୀଟା ନିଜ ହାତରେ ନ ରାନ୍ଧି ଛାଡ଼ିବେ ନାହିଁ ।

 

ତା’ହେଲେ ମୀତା ଦେବୀ କ’ଣ....ଚନ୍ଦ୍ରକାଂତ କଥା ଅସଂପୂର୍ଣ୍ଣ ରଖି ଉଠି ଠିଆ ହୋଇ ପଡ଼ିଥିଲା ।

 

ମଧୁମିତା ହସି ହସି କହିଲା, ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁ ନାହିଁ । ଗଣେଶ କିନ୍ତୁ ମୋତେ ଯଥେଷ୍ଟ ସାହାର୍ଯ୍ୟ କରିଛି । ଗଣେଶ ପରି ଯୋଗାଡ଼ିଆ ପାଇଲେ ମୁଁ ଘଣ୍ଟାକେ ନଅ ତରକାରୀ ଛଅ ଭଜା କରି ପରଶି ଦେଇ ପାରନ୍ତି ।

 

କିନ୍ତୁ, ଆପଣମାନେ ରହିବେ ନାହିଁ, ଖାଇବେ ନାହିଁ ଅଥଚ...ଚନ୍ଦ୍ରକାଂତ ଏଥର ବି ତା’ କଥା ଶେଷ କରି ପାରିଲା ନାହିଁ ।

 

ମଧୁମିତା ପୁଣି ହସି ହସି କହିଲା, ଆମେ ଏତେ ନିସ୍ୱାର୍ଥପର ନୋହୁ ଚନ୍ଦ୍ରବାବୁ ! ମୁଁ ସମସ୍ତଙ୍କ ପାଇଁ ଖାଇବାର ଆୟୋଜନ କରି ସାରିଛି । ଆପଣ ଆମକୁ ନିମନ୍ତ୍ରଣ ନ କଲେ ବି, ଖାଇବା ପିଇବାରେ ଆମର କିଛି ବାଛ ବିଚାର ନଥାଏ ।

 

ଚନ୍ଦ୍ରକାଂତ ଏତେବେଳେ ବୋଧହୁଏ ଟିକିଏ ଶ୍ୱସ୍ତିରେ ନିଶ୍ୱାସ ପକାଇ ପୁଣି ଆସନରେ ବସିଲା ।

 

ଏଥର ଚାହିଁଲା ସେ ମଧୁମିତାର ମୁହଁକୁ । ଶଶୀଶେଖର ଚଉଧୁରୀଙ୍କ କଥା ମନେ ପଡ଼ିଲା ତା’ର । ମଧୁମିତା ଆଖିରେ ଏକ ସ୍ୱାତନ୍ତ୍ର୍ୟ ଅଛି ସତେରେ ।

କିନ୍ତୁ ମଧୁମିତା ଆଖି ସହିତ ଚାରି ଆଖି ହୋଇଯିବା ମାତ୍ରେ ଚନ୍ଦ୍ରକାଂତ ଚାହାଣୀ ନତ ହୋଇଆସିଲା ।

ଜୀବନରେ ତା’ର ତିରିଶ ବତିଶଟି ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କେଇଜଣ ଝିଅଙ୍କ ଆଡ଼େ ଚାହିଁ ପାରିଛି ସେ ସ୍ୱଚ୍ଛନ୍ଦରେ ? ସାଙ୍ଗମାନଙ୍କ ପାଖରେ ସବୁଦିନ ସେ ଅପଦସ୍ଥ ହୋଇଆସିଛି । ଲାଜକୁଳା, ମାଇଚିଆ ଇତ୍ୟାଦି ବହୁ ବିଶେଷଣରେ ତା’ର ଛାତ୍ର ଜୀବନ କାହିଁକି, କର୍ମମୟ ଜୀବନରୁ ଅର୍ଦ୍ଧେକ ମଧ୍ୟ ଅତିବାହିତ ହୋଇଛି ।

କିନ୍ତୁ ଯେଉଁମାନେ ଝିଅମାନଙ୍କ ଆଡ଼େ ଚାହିଁ, ଶ୍ଳୀଳତା ହାନିକର ଇଂଗିତ କରି, ସେମାନଙ୍କ ପଛରେ ଘୁରି ବୁଲୁଥିଲେ, ସେମାନଙ୍କ ଭିତରୁ କେଇଜଣ ଜୀବନରେ ତା’ପରି ଉନ୍ନତି କରି ପାରିଛନ୍ତି ?

ସମସ୍ତଙ୍କର ଅଧୋଗତି ଘଟିଛି ସେହି ନାରୀଘଟିତ ବ୍ୟାପାରରେ ।

କିନ୍ତୁ ମଧୁମିତା !

ବାରିଷ୍ଟର ଶଶୀଶେଖର ଚଉଧୁରୀଙ୍କର ଏକମାତ୍ର ଶିକ୍ଷିତା କନ୍ୟା ।

ସୁନ୍ଦରୀ, ତନ୍ୱୀ ବିଦୁଷା ।

ଚନ୍ଦ୍ରକାଂତ ଆଖି ଉଠାଇ ଆଉ ଥରେ ଚାହିଁବାକୁ ଚେଷ୍ଟା କଲା ମଧୁମିତାର ମୁହଁକୁ ।

ଶାନ୍ତ, କମନୀୟ ।

ସତେ ତ ! ଆଖି ଯୋଡ଼ାକ ଯେପରି ଚନ୍ଦ୍ରକାଂତ ନୂଆ ଦେଖୁଛି ।

ଆହୁରି ଚାହିଁ ରହିବାକୁ ମନ ହେଉଥିଲା ଚନ୍ଦ୍ରକାଂତର ।

କିନ୍ତୁ ଶଶୀଶେଖର ଚଉଧୁରୀ ଯଦି ତା’ ଆଡ଼େ ଚାହାନ୍ତି, କ’ଣ ଭାବିବେ ସେ !

ଚନ୍ଦ୍ରକାଂତ ଉଠି ଠିଆହୋଇ ପଡ଼ିଲା । କହିଲା, କ୍ଷମା କରିବେ । ଆପଣମାନଙ୍କୁ ଯେତେବେଳେ ଅତିଥି ରୂପେ ପାଇବାର ସୌଭାଗ୍ୟ ଅର୍ଜନ କରିଛି, ଟିକିଏ ଗଣେଶକୁ କହି ଆସେ-। ଅନ୍ତତ ବଜାରକୁ ଯାଇ କିଛି ପରିବାପତ୍ର...

ଶଶୀଶେଖର ଚନ୍ଦ୍ରାକାଂତର ଏହି ବ୍ୟସ୍ତତା ଦେଖି ହୋ ହୋ ହୋଇ ହସି ଉଠିଲେ । କହିଲେ ତୁମେ ମୋଟେ ବିଚଳିତ ହୁଅନାହିଁ ୟଙ୍ଗମ୍ୟାନ୍‍ । ମୀତା ସବୁ ବନ୍ଦୋବସ୍ତ କରି ସାରିଥିବ । ଆମର ଏତେବଡ଼ ସଂସାରର ଦାୟିତ୍ୱ ମୀତା ମୁଣ୍ତରେ । କେଉଁଠି କେଉଁଦିନ ଟିକିଏ ହେଲେ ବ୍ୟତିକ୍ରମ ହୁଏ ନାହିଁ ।

କିନ୍ତୁ ଘରେ ପନିପରିବା ନ ଥିଲେ......

ମୁଁ ଗଣେଶକୁ ବଜାରକୁ ପଠାଇଛି । ଆପଣଙ୍କ ପାଇଁ ଚିକେନ୍, ଡାଡ଼ିଙ୍କ ପାଇଁ କଲିଜା, ଆଉ ମୋ ପାଇଁ ମାଛମୁଣ୍ତ ଆଣିବାର ବରାଦ ମୁଁ କରି ଦେଇଛି । ସେ ପ୍ରାୟ ଫେରି ଆସୁଥିବ ।

ଚନ୍ଦ୍ରକାଂତ ଆଉଥରେ ବିସ୍ମିତ ହୋଇ ମଧୁମିତା ମୁହଁକୁ ଚାହିଁଲା । ସେ ଯେ ଚିକେନ ଭଲପାଏ, ମଧୁମିତା ସେକଥା ଜାଣିଲା କିପରି ?

ପୁଣି ଚାରିଆଖିର ମିଳନରେ ଚନ୍ଦ୍ରକାଂତ ଆଖି ନୁଆଁଇଲା । ଏଥର କିନ୍ତୁ ସେ ଚେଷ୍ଟା କରୁଥିଲା ଚୋରେଇ ଚୋରେଇ ମଧୁମିତାର ଆଖି ଯୋଡ଼ାକୁ ଦେଖିବା ପାଇଁ ।

ମଧୁମିତା ଉଠି ଠିଆ ହେଲା । କହିଲା, ଆପଣ ଡାଡ଼ିଙ୍କୁ ନେଇ ଟିକିଏ ବୁଲି ଆସନ୍ତୁ ଚନ୍ଦ୍ର ବାବୁ, ମୁଁ ଗଣେଶ ସଂଗରେ ରୋଷେଇ ଘରେ ଅଛି । ଠିକ୍ କିନ୍ତୁ ଏଗାରଟା ବେଳକୁ ଫେରି ଆସିବେ ।

ଶଶୀଶେଖର ଚନ୍ଦ୍ରକାଂତର ହାତ ଧରି ଟାଣି ଉଠାଇଲେ । ଇଏସ୍ ୟଙ୍ଗମ୍ୟାନ୍‍ । ମିତା କହୁଥିଲା, ତୁମେ କୁଆଡ଼େ ଖୁବ୍ ସ୍ପିଡ଼ରେ ଗାଡ଼ି ଚଳେଇପାର । ଅନେକ ଦିନରୁ ମୁଁ କୋଡ଼ିଏ ପଚିଶ ମାଇଲରୁ ସ୍ପିଡ଼ୋମିଟର ଉପରକୁ ଉଠାଇ ପାରିନାହିଁ । ମୋର କିନ୍ତୁ ପଚାଶ ଷାଠିଏ ମାଇଲକୁ ଭାରି ଲୋଭ ।

ଚନ୍ଦ୍ରକାଂତର ସେଇ ଗୋଟିଏ ଦୁର୍ବଳତା । ମଟର ଡ଼୍ରାଇଭିଂ କଥା ପଡ଼ିଲେ ସେ ଆଉ ନୀରବ ହୋଇ ବସି ପାରେ ନାହିଁ ।

ସେଦିନ ଖାଇବା ଟେବୁଲରେ ବସି ଶଶୀଶେଖର ଚନ୍ଦ୍ରକାଂତର ଉଚ୍ଛ୍ୱସିତ ପ୍ରଶଂସା କଲେ । ଚନ୍ଦ୍ରକାଂତ ଗାଡ଼ି ଚଳେଇବାରେ ଯେ ଜଣେ ଏକ୍ସପର୍ଟ, ତାହା ସେ ନିଜେ ନ ଦେଖିଥିଲେ କେବେ ବିଶ୍ୱାସ କରି ପାରି ନଥାନ୍ତେ । ଜୀବନରେ ଏହିପରି ଡେଆରିଙ୍ଗ ସ୍ପିରିଟ୍‍ ନ ଥିଲେ ଜୀବନର ମାନ ଉନ୍ନତ୍ତ କରି ହୁଏ ନାହିଁ । ନା ହେବା ସମ୍ଭବ ନୁହେଁ । ଧୀର ସ୍ଥିର ସୁସ୍ଥ ଜୀବନ ପ୍ରବାହ, ଯାହା ଆବହମାନ କାଳରୁ ଚଳି ଆସୁଛି, ଶଶୀଶେଖର ସେ ସବୁ ପସନ୍ଦ କରନ୍ତି ନାହିଁ । ଜୀବନରେ ଲିଫ୍‍ଟ ପାଇଁ ଗୋଟାଏ କିଛି ବ୍ୟତିକ୍ରମ ଆବଶ୍ୟକ ଏବଂ ସେଇ ବ୍ୟତିକ୍ରମଟା ସେ ଚନ୍ଦ୍ରକାଂତର ପ୍ରତିଟି କାର୍ଯ୍ୟକଳାପରେ ଲକ୍ଷ୍ୟ କରି ଭାରି ଖୁସି ହେଇଛନ୍ତି ।

ଚନ୍ଦ୍ରକାଂତ କିନ୍ତୁ ସ୍ତବ୍ଧ ହୋଇଥିଲା ମଧୁମିତାର ଆଚରଣରେ ।

ବାରିଷ୍ଟର ଶଶୀଶେଖର ଚଉଧୁରୀଙ୍କ କନ୍ୟା ସେ ।

ପିଲାଟି ଦିନରୁ ବଢି ଆସିଛି ବିଳାସ ବ୍ୟସନ ଭିତରେ ।

କିନ୍ତୁ...ନା, ସେ କିନ୍ତୁର ସମାଧାନ ନାହିଁ । ଏତେ ସରଳ, ଏତେ ନିରାଡ଼ମ୍ବର ଆଉ ଏତେ ସଂସାରୀ ମଧୁମିତା ପରି ଗୋଟିଏ ଝିଅ ଯେ ଆଜିକାଲି ହୋଇପାରେ, ଚନ୍ଦ୍ରକାଂତ ମଧୁମିତାକୁ ଏତେ ନିକଟରେ ନ ଦେଖିଥିଲେ ହୁଏତ ବିଶ୍ୱାସ କରି ପରି ନଥାନ୍ତା ।

ଆପଣ ମୋଟେ ଖାଉନାହାନ୍ତି ଚନ୍ଦ୍ରବାବୁ, ସବୁବେଳେ ଏତେ ଭାବପ୍ରବଣ ହେଲେ ଦେହ ଭାଙ୍ଗି ପଡ଼ିବ ଯେ ।

ମଧୁମିତାର କଥାରେ ଚନ୍ଦ୍ରକାଂତ ଯେପରି ଚେତନା ଫେରିପାଇଲା । ସେ ତରତର ହୋଇ ଦୁଇ ଚାରିଥର ଖାଇବାକୁ ଚେଷ୍ଟା କରି ଦେଖିଲା, ମଧୁମିତା ତା’ରି ହାତକୁ ଅନେଇ ରହିଛି ।

ତରକାରୀ ଗୁଡ଼ା ବୋଧହୁଏ ଭଲ ହେଇନାହିଁ । ଗଣେଶ କହୁଥିଲା ଆପଣଙ୍କର ଖାଇବାବେଳେ କିଛି ବାଛ ବିଚାର ନଥାଏ, ମୋର ମନେ ହେଉଛି, ଆଜି ସବୁ ଅଖାଦ୍ୟ ହୋଇଯାଇଛି ।

ଚନ୍ଦ୍ରକାଂତ ମନ ଭିତରୁ ସମସ୍ତ ଭାବନା ଗୁଡ଼ାକ ଦୂରେଇ ଦେଇ ଯେତେ ସହଜ ହେବାକୁ ଚେଷ୍ଟା କରୁଥିଲା, ମୋଟେ ପାରୁ ନଥିଲା । ଖାଦ୍ୟ ସାମଗ୍ରୀର ସ୍ୱାଦ ଅପୂର୍ବ ହୋଇଛି । ମନେ ହେଉଛି ବହୁ ବର୍ଷ ପରେ ସେ ଯେପରି ନୂତନ ଏକ ପୃଥିବୀର ସନ୍ଧାନ ପାଇଛି ।

ବିଶେଷତଃ ମଧୁମିତାର ଯତ୍ନ ! ମଧୁମିତାର ଆନ୍ତରିକତା !! ଚନ୍ଦ୍ରକାଂତ ପ୍ରାଣରେ ଏକ ନବ ଦିଗନ୍ତର ସନ୍ଧାନ ଦେଇଛି ।

ରହି ରହି ଚାହୁଁଛି ସେ ମଧୁମିତାର କେଶ ବାସ ଆଡ଼େ । ଜଞ୍ଜାଳ ଭିତରେ ଯେପରି ମଧୁମିତାକୁ ଆହୁରି ସୁନ୍ଦର ଦିଶୁଛି । ଆଖି ଯୋଡ଼ାକରୁ ଝରି ପଡ଼ୁଛି ଅଜଣା ଏକ ମଧୁ-ମଦିରା । ଯାହା ଚନ୍ଦ୍ରକାଂତ ଜୀବନରେ ସଂପୂର୍ଣ୍ଣ ନୂତନ ।

ଶଶୀଶେଖର ଚଉଧୁରୀ ଖାଇ ବସିଲେ ଆଉ ବୋଧହୁଏ ପାଟି ଫିଟାନ୍ତି ନାହିଁ କିମ୍ବା କେଉଁ ଆଡ଼କୁ ଚାହିଁ ପାରନ୍ତି ନାହିଁ ।

ଚନ୍ଦ୍ରକାଂତ ଯେତେଥର ତାଙ୍କ ଆଡ଼େ ଅନେଇଛନ୍ତି, ଦେଖିଛି ସେ ଯେପରି ଖାଇବାରେ ଖୁବ୍ ବ୍ୟସ୍ତ ଅଛନ୍ତି ।

ମଧୁମିତା ନିରଳସ ଭାବରେ ପରିବେଷଣ କରି ଚାଲିଛି ।

ଏଇଟା ଖାଅ, ସେଇଟା ଆଉ ଟିକେ ନିଅ । ମୋ ହାତରେ ରାନ୍ଧଣା ଆପଣଙ୍କୁ ଭଲ ଲାଗୁନାହିଁ । ଏହିପରି ନାନା କଥା କହି, ଚନ୍ଦ୍ରକାଂତକୁ ସେ ବହୁତ ଖୁଆଇ ଦେଇଛି । ଏପରିକି ଚନ୍ଦ୍ରାକାଂତ ଖାଇବା ଟେବୁଲ ଉପରୁ ଉଠିବାର ସାମର୍ଥ୍ୟ ହରେଇ ବସିଛି ।

ଶେଷରେ ଶଶୀଶେଖର ହାତ ମୁହଁ ପୋଛି ସାରି, ପକେଟରୁ ଗୋଟିଏ ସିଗାର ବାହାର କରି, ତହିଁରେ ଅଗ୍ନି ସଂଯୋଗ କରୁ କରୁ କହିଲେ, ଭୋଜନଟା ଟିକିଏ ଅତିରିକ୍ତ ହୋଇଗଲା । ଜାଣ ୟଙ୍ଗମ୍ୟାନ୍‍, ମଣିଷ ମୃତ୍ୟୁ ଆଡ଼କୁ ଯେତିକି ଯେତିକି ଆଗେଇ ଚାଲିଛି, ତା ମନରେ ମାୟା, ମୋହ, ଲାଭ ସେତିକି ସେତିକି ବଢ଼ି ଚାଲିଛି । ସେ ହୋ ହୋ ହେଇ ହସି ଉଠିଲେ ।

ମାୟା, ମୋହ, ଲୋଭ ଏ ଶବ୍ଦ କେତୋଟି ବାଦ୍ ଦେଲେ, ଭୋଜନଟା ଯେ ଆଜି ପ୍ରକୃତରେ ଅତିରିକ୍ତ ହୋଇଯାଇଛି, ଶଶୀଶେଖର ସହିତ ଚନ୍ଦ୍ରକାଂତ ଏକମତ ହୋଇଥିଲା ।

ମଧୁମିତା ଚାଲି ଯାଇଥିଲା ସେଠାରୁ । ସେ ବୋଧହୁଏ ଖାଇ ବସିଥିଲା ଗଣେଶର ତତ୍ତ୍ୱାବଧାନରେ ।

ଚନ୍ଦ୍ରକାଂତର ଇଚ୍ଛା ହେଉଥିଲା, ନିଜେ ଯାଇ ସେ ମଧୁମିତାକୁ ଖୁଆଇବାର ଦାୟିତ୍ୱ ଗ୍ରହଣ କରିବ । କିନ୍ତୁ ଉଠି ପରିବା ଭଳି ଶକ୍ତି ନ ଥିଲା ତା’ର । ପେଟ ଭାରି ହୋଇଯାଇଥିଲା ବହୁ ଗୁଣରେ । ମନ ହେଉଥିଲା କିପରି ଟିକିଏ ଶୋଇ ପଡ଼ି ପାରିଲେ ବଞ୍ଚି ଯାଆନ୍ତା ଚନ୍ଦ୍ରକାଂତ ।

ଶଶୀଶେଖର କହିଲେ, ଖୁବ୍ ସାବଧାନ ୟଙ୍ଗମ୍ୟାନ୍‍ । ଜୀବନର ଯାତ୍ରା ତମର ଆରମ୍ଭ ମାତ୍ର । ଖୁବ୍ ମାପି ଚୁପି ଚଳିବାକୁ ହେବ । ସମସ୍ତ ପ୍ରକାର ପ୍ରଲୋଭନ ଠାରୁ ଦୂରେଇ ରହି ପାରିଲେ ଜୀବନର ଜୟ ଯାତ୍ରା ତମର ସଫଳ ହେବ, ନ ହେଲେ ମୋରି ପରି ବ୍ୟର୍ଥ ମନୋରଥ ହୋଇ ଅନୁତାପ କରିବ ଜୀବନ ଭରି । ମୁଁ ତମର କେହି ନୁହେଁ । ତଥାପି ତମ ପରି ଏକ ଉଦ୍ଦୀୟମାନ ଯୁବକକୁ ଦେଖିଲେ ମୋ ପ୍ରାଣରେ ଶତ ସମ୍ଭାବନା ଜନ୍ମ ଗ୍ରହଣ କରେ, ମୋର ମନେହୁଏ ମୁଁ ଯେପରି ଆଉ ଥରେ ତାରୁଣ୍ୟ ଫେରିପାଇଛି ।

ଚନ୍ଦ୍ରାକାଂତ ବୋଧହୁଏ କିଛି ଉତ୍ତର ଖୋଜି ପାଉନଥିଲା ।

ଆଜି ସେ ଯେଉଁ ପର୍ଯ୍ୟାୟ ପର୍ଯ୍ୟନ୍ତ ଉଠି ପାରିଛି, ସେ ତା’ ନିଜ ଚେଷ୍ଟାରେ । ତାକୁ ପଛରୁ ଠେଲି ଉପରକୁ ଉଠାଇ ଦେବାକୁ କେହି ନ ଥିଲେ । ସେ କେବଳ ନିଜର ନିଷ୍ଠା ଓ ପ୍ରଚେଷ୍ଠା ବଳରେ ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କ ବିଶ୍ୱାସ ଭାଜନ ହୋଇ, ଆଜି ତାଙ୍କ ବ୍ୟବସାୟର ଏକଛତ୍ର ଅଧିକାରୀ ହୋଇପାରିଛି । ସେ ଜାଣନ୍ତି କେବଳ କର୍ତ୍ତବ୍ୟ କରିବା । ହେଉଛି ମଣିଷର ଧର୍ମ । ଆଉ ସେ କିଛି ଜାଣନ୍ତି, ବୁଝନ୍ତି ନାହିଁ । ବିଳାସ, ବ୍ୟସନର ବହୁ ଦୂରରେ ତାଙ୍କର ସ୍ଥିତି । ଚନ୍ଦ୍ରାକାଂତ ତାଙ୍କରି ଶିଷ୍ୟ । ତାଙ୍କରି ପାଖେର ତା’ର କର୍ମମୟ ଜୀବନର ଆରମ୍ଭ । ତେଣୁ ଚନ୍ଦ୍ରକାଂତ ଜୀବନରେ ବିଳାସର ଗନ୍ଧ ନାହିଁ । ଫାଙ୍କି ସେ ଶିଖିନାହିଁ । କେବଳ ନିରଳସ କର୍ମମୟ ଜୀବନ ।

ମୃତ୍ୟୁଞ୍ଜୟ ମଙ୍ଗରାଜର ନାରୀ ଜାତି ପ୍ରତି କୌଣସି ଦୁର୍ବଳତା ନ ଥିଲା । ପରୋକ୍ଷରେ ସେ ଘୃଣା ବି କରୁଥିଲେ । କୌଣସି ନାରୀ ସହିତ କେବେ ପଦେ କଥା ହେବାର ଦେଖିନାହିଁ ଚନ୍ଦ୍ରକାଂତ । ବରଂ ମଙ୍ଗରାଜଙ୍କ ଠାରୁ ମଝିରେ ମଝିରେ ନାରୀଜାତି ସମ୍ବନ୍ଧରେ ବହୁ ତିକ୍ତ ଅଭିଜ୍ଞତାର କାହାଣୀ ଶୁଣି, ଚନ୍ଦ୍ରକାଂତ ମନରେ ନାରୀ ବିଦ୍ୱେଷ ଧୀରେ ଧୀରେ ପ୍ରବଳ ହୋଇଉଠିଛି-

ନାରୀ ତ ଯେତେ ଅନର୍ଥର ମୂଳ । ମୃତ୍ୟୁଞ୍ଜୟ ମଙ୍ଗରାଜ ବହୁ ଉଦାହରଣ ଦେଇଛନ୍ତି ଅବସର ସମୟରେ । ପୁରାଣର ସୀତାଠାରୁ ଆରମ୍ଭ କରି, ପ୍ରୋଫୁମାକିଲର ପର୍ଯ୍ୟନ୍ତ ସେ ଅନେକଙ୍କ କଥା କହିଛନ୍ତି ଚନ୍ଦ୍ରକାଂତକୁ । ଜୀବନରେ ବଡ଼ ହେବାକୁ ହେଲେ, ଯେତେ ସବୁ ତ୍ୟାଗର ଆବଶ୍ୟକ, ତା’ ଭିତରୁ ପ୍ରଥମେ ହେଉଛି ନାରୀ ।

କଣ ଏତେ ଚିନ୍ତା କରୁଛି ୟଙ୍ଗମ୍ୟାନ୍‍ ! ଶଶୀଶେଖର ଚଉଧୁରୀଙ୍କ ଡାକରେ ଚନ୍ଦ୍ରକାଂତ ଯେପରି କେଉଁ ସ୍ୱପ୍ନ ରାଜ୍ୟରୁ ଫେରି ଆସିଲା ।

ନା, ଖାଇବାଟା ଟିକିଏ ଅଧିକ ହୋଇଯାଇଛିତ, ସେଇଥିପାଇଁ ଆଖିଟା ବୁଜି ହୋଇପଡ଼ୁଛି ।

ମଧୁମିତା ହସି ହସି ଆସି ସେଠାରେ ପହଞ୍ଚିଲା ।

ଆଖିରେ ବିସ୍ମୟ ଫୁଟାଇ, ସ୍ୱରରେ କୌତୁହଳ ମିଶାଇ କହିଲା, ଆପଣମାନେ ଏତେବେଳଯାଏ ଡାଇନିଂ ଟେବୁଲରେ ବସି ରହିଛନ୍ତି ! ଆଉ ମୁଁ ଭାବୁଛି ମୋର ଅନେକ ଡେରି ହୋଇଯାଇଛି ।

 

ଚନ୍ଦ୍ରକାଂତ ମୁହଁରେ ଟିକିଏ ହସ ଫୁଟାଇବାକୁ ଚେଷ୍ଟା କରି କହିଲା, ଆପଣ କିଛି ଭାବିବେ ନାହିଁ ମଧୁମିତା ଦେବୀ । ଦେଖୁଛନ୍ତି ତ ମୁଁ ନିହାତି ଏକା ଲୋକ, ଆପଣଙ୍କ ଚର୍ଚ୍ଚାରେ ମୋର ଯଥେଷ୍ଟ ତ୍ରୁଟି ହୋଇଛି, ସେଥିପାଇଁ.....

 

ମଧୁମିତା ଚନ୍ଦ୍ରକାଂତକୁ କଥା ଶେଷ କରିବାକୁ ନ ଦେଇ ହୋ ହୋ ହୋଇ ହସି ଉଠି କହିଲା, ଦେଖିଲ ଡାଡ଼ି ! ତମ ପୁରୁଷ ଜାତିଟା ସମସ୍ତେ ସମାନ । କିଛି କରିବାର ଶକ୍ତି ନ ଥାଉ ପଛେ କଥାରେ ପାଣି ଗଳିବ ନାହିଁ । ତେବେ ମୋର ଗୋଟାଏ ଅନୁରୋଧ ଆପଣଙ୍କୁ ରଖିବାକୁ ହେବ ଚନ୍ଦ୍ରବାବୁ !

 

ଚନ୍ଦ୍ରକାଂତ ମନରେ ଅଶେଷ ପ୍ରଶ୍ନର ଝଡ଼ ଉଠାଇ ମଧୁମିତା ନୀରବ ହୋଇଗଲା ।

 

କ’ଣ ରଖିବେ ତ ? ପୁଣି ପ୍ରଶ୍ନ ମଧୁମିତାର ।

 

ଚନ୍ଦ୍ରକାଂତ ତଥାପି ନୀରବ । କି ଉତ୍ତର ଦେବ ସେ ମଧୁମତାକୁ ? ଏଇଟାତ କୋଉ ବ୍ୟବସାୟର ପେଣ୍ତିଙ୍ଗ୍ ଫାଇଲ ନୁହେଁ ଯେ, ଘଣ୍ଟାଏ ବସିଲେ ସବୁ ଚିଠିର ଉତ୍ତର ଶେଷ କରି ଦେଇହେବ !

 

ଏ ଯେପରି ଅନ୍ୟ ଏକ ଆର୍ଟି, ଅନ୍ୟ ଏକ ଜୀବନ ।

 

ଶେଷରେ ମଧୁମିତା ତା’ ବକ୍ତବ୍ୟ ପେଶ୍ କଲା । ଆପଣ ସ୍ୱୀକୃତି ନ ଦେଲେ ବି ମୁଁ ବାଧ୍ୟ କରି ଆଦାୟ କରି ନେବି । ମୋର ଅନୁରୋଧ ହେଉଛି, ଆପଣ ମୋତେ ମଧୁମିତା ଦେବୀ ନ ଡାକି ଖାଲି ମିତା ଡାକିବେ ଏବଂ ଆପଣ ନ କହି ତମେ କହିବେ ।

 

ଚନ୍ଦ୍ରକାଂତର ଉର୍ଦ୍ଧ୍ୱମୁଖୀ ଟେମ୍ପରେଚରଟା ଯେପରି ହଠାତ୍ ନିମ୍ନଗାମୀ ହୋଇଆସିଲା । ସେ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି, ସରଳ ସହଜ ଭାବରେ ମଧୁମିତା ଆଡ଼କୁ ଚାହିଁ କହିଲା, ଓଃ, ଏଇକଥା ! ମୁଁ ଭାବିଥିଲି...

 

ମଧୁମିତା ଅଳ୍ପହସି, ଥରେ ଶଶୀଶେଖରଙ୍କ ଆଡ଼େ କଣେଇ ଚାହିଁ, ହସି ହସି କହିଲା, ଆପଣ ଆଉ କ’ଣ ଭାବିଥିଲେ ? ହୁଏତ ମୁଁ ରାଜ୍ୟ ନ ହେଲେ ରାଜରାଣୀ, ଦୁଇଟାରୁ ଗୋଟାଏ ମାଗି ବସିବି ।

 

ଏଥର ଶଶୀଶେଖର ଚଉଧୁରୀ ମଧ୍ୟ ନ ହସି ରହି ପାରିଲେ ନାହିଁ । ସମସ୍ତଙ୍କ ଉଚ୍ଛ୍ୱସିତ ରୋଳରେ ଘରଟା ଯେପରି ମୁଖରିତ ହୋଇ ଉଠିଲା ।

 

ହଠାତ୍ ପୁଣି ମଧୁମିତା ଆବହାୱାର ମୋଡ଼ ଘୁରେଇ ଦେଲା ।

 

ହାତ ଘଡ଼ିକୁ ଚାହିଁ କହିଲା, ଡାଡ଼ି, ତମର ଆଜି ବାର ଆସୋସିଏସନରେ ଲୋକ୍ଚର ଅଛି ନା ? ସାଢ଼େ ପାଞ୍ଚଟାରେ ମିଟିଂ । ଏଠି ତ ଆସି ଦୁଇଟା ବାଜିଲା । ତମର ପୁଣି ସ୍ପିଚ୍‍ ରେଡ଼ି କରିବାକୁ ହେବ । ସମୟ ଯେ ହେଇଗଲା ।

 

ଶଶୀଶେଖର ଚଉଧୁରୀ ଚଞ୍ଚଳ ହୋଇଉଠିଲେ ।

 

ସତେ ତ ! ସେ କହିଲେ, ଆଜି ବାର୍ ଆସୋସିଏସନର ବାର୍ଷିକ ଅଧିବେଶନ । ମୋତେ ସେଠାରେ ପ୍ରିଜାଇଡ୍‍ କରିବାକୁ ହେବ । ଯେତେ ବାରଣ କଲେ ବି ସେମାନେ ମୋତେ ଛାଡ଼ିଲେ ନାହିଁ । ଅଲ୍ ରାଇଟ୍ ୟଙ୍ଗମ୍ୟାନ୍‍ । ତୁମ ସହିତ ଆଜି ଦିନଟା ବଡ଼ ଆନନ୍ଦରେ କଟିଲା । ଗତ ବହୁବର୍ଷ ଭିତରେ ଏପରି ଏକ ପବିତ୍ର ଦିନ ମୋ ଜୀବନରେ ଆସି ନ ଥିଲା । ସମୟ ପାଇଲେ ତୁମେ ଆସ ଆମ ଘରକୁ ।

 

ଶଶୀଶେଖରଙ୍କ ସହିତ ଚନ୍ଦ୍ରକାଂତ ଆଗେଇ ଯାଇଥିଲା ଗାଡ଼ି ପର୍ଯ୍ୟନ୍ତ । ଗାଡ଼ିରେ ଷ୍ଟାର୍ଟ ଦେଇ ଶଶୀଶେଖର ପୁଣି କହିଲେ, ତା’ ହେଲେ ନିଶ୍ଚୟ ଆସୁଛ ୟଙ୍ଗମ୍ୟାନ୍‍ । ଆମ ଘରକୁ ତମ ନିଜର ଘର ପରି ମନେ କରିନେଲେ ଆଉ କୌଣସି ସଂକୋଚ ରହିବ ନାହିଁ ।

 

ଚନ୍ଦ୍ରକାଂତ ଚାହିଁଲା ମଧୁମିତା ଆଡ଼େ ।

 

ମୁହଁରେ ସ୍ମିତହାସ୍ୟ । ଆଖିର ଇଂଗିତରେ ଏକ ମଦିର ମହକ । ଚନ୍ଦ୍ରକାଂତ ପ୍ରାଣଟା କେଜାଣି କାହିଁକି ଶୀତଳ ହୋଇଆସିଲା । ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କ ପରି ତା’ ନାରୀ ବିଦ୍ୱେଷୀ ମନ ବୋଧହୁଏ ଶକ୍ତି ରହିପାରିଲାନାହିଁ ।

 

ଗାଡ଼ି ଚାଲି ଯାଇଥିଲା ।

 

ଚନ୍ଦ୍ରକାଂତ ସେଇଠି ଠିଆ ହୋଇଥିଲା ଶୂନ୍ୟକୁ ଚାହିଁ । ରହି ରହି କାନରେ ତା’ର ବାଜି ଉଠୁଥିଲା ଶଶୀଶେଖରଙ୍କ ଶେଷ କଥା ପଦିକ । ‘ଆମ ଘରକୁ ତମ ନିଜର ଘର ପରି ମନେ କରିନେଲେ ଆଉ ସଂକୋଚ ରହିବ ନାହିଁ ।’

 

କିନ୍ତୁ ମୃତ୍ୟୁଞ୍ଜୟ ମଙ୍ଗରାଜ ! ତାଙ୍କର ସେ ତେଜୋଦୀପ୍ତ କଣ୍ଠସ୍ୱର ଯେପରି ଆହୁରି ଯୋର୍ ରେ ପ୍ରତିଧ୍ୱନିତ ହୋଇ ଉଠିଲା ଚନ୍ଦ୍ରକାଂତ କାନ ପାଖରେ । ‘ଜୀବନରେ ବଡ଼ ହେବା ପାଇଁ ଯେତେ ସବୁ ତ୍ୟାଗର ଆବଶ୍ୟକ, ତା’ ଭିତରୁ ପ୍ରଥମ ହେଉଛି ନାରୀ ।’

 

ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କର ନିଜ ଅନୁଭୂତିର କାହାଣୀ ସେ ।

 

କିନ୍ତୁ ଚନ୍ଦ୍ରକାଂତ ମନରେ ଆଜି ହଠାତ୍ ଏ ଦ୍ୱନ୍ଦ କାହିଁକି ?

 

ସେ’ତ କୌଣସି ଦିନ ନାରୀର ସାନିଧ୍ୟ କାମନା କରିନାହିଁ । ଆକସ୍ମିକ ଭାବରେ ଯଦି ବା ଭେଟ ହେଲା ମଧୁମିତା ସହିତ, ସେଇଟା କ’ଣ ତା’ର ନାରୀ ପ୍ରତି ଦୁର୍ବଳତା ! ତା’ର ଯଦି ମା’ ଥାଆନ୍ତେ, ଭଉଣୀ ଥାଆନ୍ତା, ଚନ୍ଦ୍ରକାଂତ କ’ଣ ସେମାନଙ୍କ ସାନିଧ୍ୟରେ ଆସନ୍ତା ନାହିଁ ? ସେମାନଙ୍କ ସହିତ କଥାବାର୍ତ୍ତା କରନ୍ତା ନାହିଁ ?

 

ଧେତ୍, ଯେତେ ସବୁ ବାଜେ ଦୁର୍ଭାବନା ।

 

ଚନ୍ଦ୍ରକାଂତ ଆଉଥରେ ଚାହିଁଲା ରାଜପଥ ଆଡ଼େ । କିନ୍ତୁ ସେମାନଙ୍କ ଗାଡ଼ି ବହୁ ପୂର୍ବରୁ ଅଦୃଶ୍ୟ ହୋଇ ଯାଇଥିଲା । ଚନ୍ଦ୍ରକାଂତ ମୁହଁ ବୁଲାଇଲା ଏଥର ।

 

ଗଣେଶ ତା’ପାନପିକ ବୋଳା କଳା କଳା ଦାନ୍ତ ଦୁଇଟା ଦେଖାଇ ଚନ୍ଦ୍ରକାଂତ ମୁହଁକୁ ଚାହିଁ ଥିରି ଥିରି ହସୁଛି ।

 

କ’ଣ କିରେ ? କ’ଣ ଦେଖୁଛୁ ଏଠି ଠିଆ ହୋଇ ?

 

ବାବୁ....ହେଃ ହେଃ ହେଃ.... । ଗଣେଶ କିଛି ଉତ୍ତର ଦେଇ ନ ପାରି ଖାଲି ହସିବାରେ ଲାଗିଲା ।

 

ଚନ୍ଦ୍ରକାଂତ ଧମକ ଦେଲାପରି କହିଲା, ଚୁପ୍ କରି ! କଥା ନାହିଁ, ବାର୍ତ୍ତା ନାହିଁ, ହେଃ ହେଃ ହେଃ, ହିଃ ହିଃ ହିଃ । ଯା’ ଘରକୁ ଯା’ ।

 

ଗଣେଶ କହିଲା, ଆପଣ ଯାହା କୁହନ୍ତୁ ପଛେ, ଦିଦିଟି ଭାରି ଭଲ ମଣିଷ । ଆପଣଙ୍କ ନାଖି ଏକା ।

 

ଚୁପ୍ ବେ । ଚନ୍ଦ୍ରକାଂତ ଧମକରେ ଗଣେଶ ଛୁଟି ପଳାଇଲା ।

 

ମଧୁମିତା ରାତ୍ରିର ହାଲୁକା ପୋଷାକଟା ପିନ୍ଧି ଶୋଇଥିଲା । ବେଡ୍‍ଟି’ ରୁ ସେତେବେଳଯାଏ ଧୂଆଁ ଉଠୁଥିଲା । ରଙ୍ଗ ବେରଙ୍ଗର ଜାତି ଜାତିକା ଲିଲିପୁଟ୍ କୁକୁର ଗୁଡ଼ାକ ମୁହଁ ଉପରେ ମୁହଁ ନଦି କୁଁ କା ହେଉଥିଲେ । ମଧୁମିତା କାଲି ରାତିରେ ଦେଖୁଥିବା ଆଲବମ୍‍ଟା ତକିଆତଳୁ ବାହାର କରି ପୁଣି ଥରେ ପୃଷ୍ଠା ଓଲଟେଇଲା ।

 

ପ୍ରଥମରେ ଗୋଟିଏ ସୁଦର୍ଶନ ଯୁବକର ଫଟୋ । ପୁରାପୂରି ସାହେବୀ ପୋଷାକରେ ସଜ୍ଜିତ । ଆଖିରେ ମୋଟା ଫ୍ରେମ୍‍ ଚଷମା । ମୁହଁରେ ଗୋଟାଏ ପାଇପ୍ । ମଧୁମିତା ମନକୁ ମନ ହସି ଉଠିଲା ।

 

ପୁଣି ସେ ପୃଷ୍ଠା ଓଲଟେଇଲା ଆଲବମ୍‍ର । କିନ୍ତୁ ଦ୍ୱିତୀୟ ଫଟୋଟି ଆଡ଼େ ଚାହିଁବା ପୂର୍ବରୁ, ଘର ଭିତରେ ପ୍ରବେଶ କଲା ନାଜ୍‍ନିନ୍‍ । ମଧୁମିତାର ପରିଚାରିକା । ସୁନ୍ଦରୀ, ସୁଶ୍ରୀ, ଦୀର୍ଘାଙ୍ଗୀ ।

 

ତମର ଫୋନ୍ ଆସିଛି ଦିଦି । ବାଁ ହାତରେ ଆଣିଥିବା ଟେଲିଫୋନ୍ ଯନ୍ତ୍ରଟି ଟିପୟ୍‍ ଉପରେ ଥୋଇ, ପ୍ଳକ୍‍ଟା ଲଗେଇ ଦେଲା । ରିସିଭରଟା ବଢ଼ାଇ ଦେଲା ମଧୁମିତା ହାତକୁ ।

 

ହ୍ୟାଲୋ ? ଆରେ ରଞ୍ଜନ ! ହଁ ମୁଁ ମିତା କହୁଛି । କ’ଣ ହେଲା ?

 

ଅପର ପାର୍ଶ୍ୱରୁ କ’ଣ ଶୁଣିଲା କେଜାଣି, ହସି ହସି ଗଡ଼ିଗଲା ମଧୁମିତା । ତା’ପରେ ଧୀରେ ଧୀରେ କହିଲା, ତମେ ବିଶ୍ୱାସ କର ରଞ୍ଜନ, କାଲି ଡାଡ଼ିଙ୍କ ସଙ୍ଗରେ ତାଙ୍କର ଜଣେ ୟଙ୍ଗଫ୍ରେଣ୍ତଙ୍କ ଘରକୁ ଯାଇଥିଲି । ତମେ ଜାଣ ତ ଡାଡ଼ିଙ୍କ କଥା । ଗଳ୍ପ ଆରମ୍ଭ ହେଲେ ତାଙ୍କର ଆଉ ଶେଷ ହୁଏ ନାହିଁ । ବେଳେବେଳେ ମୋର ଭାରି ଦୟା ହୁଏ ଡାଡ଼ିଙ୍କ ପ୍ରତି । ରାଗି ବି ରାଗି ପାରେ ନାହିଁ । ମୁଁ ତମ ଫୋନ୍ ପାଇଥିଲେ ଜମା ଡାଡ଼ିଙ୍କ ପ୍ରସ୍ତାବରେ ରାଜି ହୋଇ ନ ଥାନ୍ତି । ତା’ ହେଲେ ? ....ହଁ ହଁ ।...ଓଃ ! କ’ଣ ଆଜି ଚାଲି ଯାଉଛ ?......ଦେଖା ହେବ ତ ? ...ପ୍ଳେନରେ ? ଏରୋଡ୍ରମ୍‍ରୁ କହୁଛ ? ପ୍ରକୃତରେ ମୁଁ ଗୋଟାଏ ଗୋଲଡ଼େନ୍ ଅପରଚୁନିଟି ମିସ କଲି । ରିଅଲି, ଆଇ ଆମ ଭେରରି, ଭେରରି ସରି । କେବେ ଫେରିବ ବମ୍ବେରୁ ? ..ମାତ୍ର !...ହି ହି ହି ହି, ପୁଣି ଯେପରି ସେଇ ଏରୋଡ୍ରମ୍‍ରୁ ଖବର ପାଏ । ରହିଲି, ଏଁ ?

 

ମଧୁମିତା ହାତରୁ ନାଜ୍‍ନିନ୍‍ ରିସିଭରଟା କାଢ଼ିନେଲା । ଫଟୋ ଆଲବମ୍ ଟା ଏକ ଅସତର୍କ ମୁହୂର୍ତ୍ତରେ ତଳକୁ ଖସି ପଡ଼ିଥିଲା ।

 

ନାଜ୍‍ନିନ୍‍ ପଚାରିଲା, ଫୋନ୍‍ଟା ଡାଡ଼ିଙ୍କ ଘରକୁ ନେଇଯିବା ?

 

ମଧୁମିତା ଦାନ୍ତରେ ଆଙ୍ଗୁଠି କାମୁଡ଼ି ଟିକିଏ ଚିନ୍ତା କଲା । ତା’ପରେ ଉଠି ପଡ଼ି, ତକିଆ ତଳୁ ଗୋଟାଏ ନୋଟ ବୁକ ବାହାର କରି, ନିର୍ଦ୍ଦିଷ୍ଟ ଏକ ନମ୍ବର ଦେଖାଇ ଦେଇ ନାଜ୍‍ନିନ୍‍ ଡ଼ାଏଲ କରିବାକୁ କହିଲା ।

 

ନାଜ୍‍ନିନ୍‍ ଡ଼ାଏଲ କରି ରିସିଭରଟା କାନରେ ଦେଇ ବସିଥିଲା ଅପର ପାର୍ଶ୍ୱରୁ କେବଳ କ୍ରିଂ କ୍ରିଂ ଶବ୍ଦ ଶୁଣା ଯାଉଥିଲା, କିନ୍ତୁ କେହି ଫୋନ୍ ରିସିଭ କରୁ ନ ଥିଲେ ।

 

କ’ଣ ହେଲା ? ମଧୁମିତା ପଚାରିଲା ।

 

ରିଙ୍ଗ ହେଉଛି, କିନ୍ତୁ କେହି ଧରୁ ନାହାନ୍ତି । ନାଜ୍‍ନିନ୍‍ ରିସିଭରଟା ମଧୁମିତା ହାତକୁ ବଢ଼ାଇ ଦେଲା ।

 

ସେହିପରି ରିଙ୍ଗ୍ ହୋଇ ଚାଲିଥିଲା । ମଧୁମିତା ବିରକ୍ତ ହୋଇ ରିସିଭରଟା ରଖିଦେବାକୁ ଯାଉଛି, ହଠାତ୍ ଶୁଣିଲା ଅପର ପାର୍ଶ୍ୱରୁ କିଏ କହୁଛି, ହେଲୋ !

 

ଚନ୍ଦ୍ରକାଂତ ବାବୁ ଅଛନ୍ତି ? କୁଆଡ଼େ ଯାଇଚନ୍ତି ? ଆଚ୍ଛା, ତାଙ୍କର ପୁଣି ଦଣ୍ତ ବୈଠକର ବେମାର ଅଛି ନା କ’ଣ ? ନା ନା’କିଛି କହିବାକୁ ହେବ ନାହିଁ ।

 

ନାଜ୍‍ନିନ୍‍ ପୁଣି ରିସିଭରଟା ମଧୁମିତା ହାତରୁ କାଢ଼ି ନେଲା ।

 

ଆଚ୍ଛା ନାକ୍, ଡାଡ଼ି ଉଠିଲେଣି ? ମଧୁମିତା ପଚାରିଲା ।

 

ନା ଉଠି ନାହାନ୍ତି ।

 

ହୁଁ, ତା’ ହେଲେ ଆଉ କିଛି ନୂଆ ଖବର ଅଛି ?

 

ନାଜ୍‍ନିନ୍‍ ମଧୁମିତା ପାଖକୁ ଆଗେଇ ଯାଇ, ଫ୍ଲୋର ଉପରର କାର୍ପେଟ ଉପରେ ଆଣ୍ଠେଇ ପଡ଼ି, ଖୁବ ଧୀର ସ୍ୱରରେ କହିଲା, ଡାଡ଼ିଙ୍କର କାଲି ପ୍ରେସିଡ଼େଣ୍ଟଙ୍କ ସହିତ ଭୀଷଣ କଳି ହୋଇ ଯାଇଛି ।

 

ମଧୁମିତା ନାଜ୍‍ନିନ୍‍ ର କଥା ଉପରେ କୌଣସି ଗୁରୁତ୍ୱ ନ ଦେଇ କହିଲା, ସେଇଟା ପୁରୁଣା ଖବର, ଆଉ କିଛି ?

 

ନାଜ୍‍ନିନ୍‍ ଅବାକ ଆଖିରେ ମଧୁମିତା ମୁହଁକୁ ଅନାଇ କହିଲା, ତମେ ଶୋଇବା ପରେ ତ ପ୍ରେସିଡ଼େଣ୍ଟ ଡାଡ଼ିଙ୍କ ପାଖକୁ ଆସିଥିଲେ । ତମେ କଳି ହୋଇଥିବା ଖବର ପାଇଲ କିପରି ?

 

ଆରେ ମୁଁ ଜାଣିଥିଲି । ସିମିତି ଗୋଟାଏ କିଛି ହେବ ବୋଲି ମୁଁ ଅନୁମାନ କରିଥିଲି । ତା’ଛଡ଼ା ଆଉ କିଛି ?

 

ନା, ତମକୁ ଗୋଟାଏ କଥା ଆଜି ମନେ ପକାଇ ଦେବାପାଇଁ କହିଥିଲି । କ୍ଳବରେ ଆଜି ମିଟିଂ, ସକାଳ ନଅରୁ ଆରମ୍ଭ ହେବ ମନେ ରୁହେ ଯେପରି !

 

ମଧୁମିତା ମନଟା କେଜାଣି କାହିଁକି ଫିକା ପଡ଼ିଗଲା ।

 

ଫଟୋ ଆଲବମଟାକୁ ତଳୁ ଗୋଟେଇ ନେଉ ନେଉ ଖଣ୍ତିଏ ଫଟୋ ତଳେ ଗଳି ପଡ଼ିଲା ।

 

ନାଜଜିନ୍ ଫଟୋଟି ତଳୁ ଗୋଟେଇ ନେଇ ଦେଖିଲା । ଏକ ସୁପୁରୁଷ । ଆଖିର ଚାହାଣୀରେ ଅଶେଷ ଆଶା । ମୁହଁରେ ସ୍ମିତ ହସ ।

 

ଦିଦି, ୟାଙ୍କୁ ତ କେବେ ମୁଁ ଏଠାକୁ ଆସିବାର ଦେଖିନାହିଁ ?

 

ମଧୁମିତା ଫଟୋଟି ନାଜନିନ୍ ହାତରୁ ନେଇ ଥରେ ଦେଖିଲା । ତା’ପରେ ସ୍ମିତ ହସି କହିଲା, ଇଏ ତୋ ବର ପରା ! ଚିହ୍ନ ନାହୁଁ ?

 

ଧେତ୍ ! ନାଜନିନ୍ ଛଳ କୋପ କରି ସେଠାରୁ ଚାଲି ଯାଉଥିଲା ।

 

ଫୋନ୍‍ଟା ପୁଣି ବାଜି ଉଠିଲା । ଅଟକି ଗଲା ନାଜନିନ୍‍ର ପାଦ ଯୋଡ଼ିକ । ରିସିଭରଟା ସେ ବଢ଼ାଇ ଦେଲା ମଧୁମିତା ହାତକୁ ।

 

ହ୍ୟାଲୋ ? ହଁ ହଁ । ମୁଁ ମିତା । ବୁଝିଲି । ନା ଡାଡ଼ି ଉଠି ନାହାନ୍ତି । ଗତି ଅନୁକୁଳ । ଆପଣ ଏତେ ବ୍ୟସ୍ତ ହେଲେ ଚଳିବ କେମିତି ? ହଁ ମନେ ଅଛି । ଡାଡ଼ିଙ୍କି ନେଇ ଠିକ୍ ସମୟରେ ପହଞ୍ଚିବି । କିନ୍ତୁ ଗୋଟାଏ କଥା ସାର୍ । କିଛି ଦିନ ପାଇଁ ମୋର ଟିକିଏ ରେଷ୍ଟ ଦରକାର । ଦେହଟା ଖୁବ୍ ଭଲ ନାହିଁ । ନା ନା ଏଇଠି ରହିବି । କିନ୍ତୁ ଟିକିଏ ନିରୋଳାରେ । ବିଚାର କରିବେ । ହଁ ହଁ, ଆପଣ ସେଥିପାଇଁ ନିଶ୍ଚିନ୍ତ ରହି ପାରନ୍ତି । କ’ଣ କହିଲେ ? ନାଁ, କ୍ଳବର ମେମ୍ବର ସିପ୍ ନେବା କଥା କହିନାହିଁ । ସବୁ ଠିକ୍ ହେଇଯିବ । ରହିଲି ।

 

ନାଜନିନ୍ ରିସିଭରଟା ନେଉ ନେଉ କହିଲା, ଏଥର ଫୋନ୍‍ଟା ତଳକୁ ନେଇଯିବି ଦିଦି-?

 

ମଧୁମିତା ନାଜନିନ୍ ପ୍ରଶ୍ନର କିଛି ଉତ୍ତର ନ ଦେଇ, ଆଲବମଟିକୁ ଖେଳେଇବାରେ ଲାଗିଲା । ବହୁ ପରିଚିତ, ଅର୍ଦ୍ଧ ପରିଚିତ ଲୋକମାନଙ୍କର ପ୍ରତିଛବି । ଗୋଟିକ ପରେ ଗୋଟିଏ ଖେଳେଇ ଦେଖୁ ଦେଖୁ ଏକ ସମୟରେ ଆଲବମଟା ବନ୍ଦ କରି ଦୂରକୁ ଫିଙ୍ଗି ଦେଲା ମଧୁମିତା ।

 

ଆଖି ବୁଜି ଚିନ୍ତା କଲା କିଛି ସମୟ ।

 

ତା’ପରେ ବିଛଣାରୁ ଉଠି ପଡ଼ି, ନାଜ୍‍ନିନ୍‍ ଦୁଇବାହୁରେ ଜାବୁଡ଼ି ଧରି କହିଲା, ମୋର ଗୋଟିଏ କାମ କରି ପାରିବୁ ନାଜ୍ !

 

ନାଜନିନ୍ ଅବାକ୍ ହୋଇ ମଧୁମିତା ମୁହଁକୁ ଅନେଇଲା ।

 

ଆଚ୍ଛା, ତୁ ଏଇନେ ଯା, ପରେ ମୁଁ ତତେ କହିବି । ଆଠଟା ବାଜିଲାଣି । ନଅଟାରେ ମିଟିଂ ନା ? ମୋତେ ରେଡ଼ି ହେବାକୁ ହେବ ।

 

ମଧୁମିତା ଚଞ୍ଚଳ ହୋଇ ପଡ଼ିଲା । ତା’ର ସମସ୍ତ ଆଳସ୍ୟ, ସମସ୍ତ ଦୁଶ୍ଚିନ୍ତା ଯେପରି ମୁହୁର୍ତ୍ତକରେ କୁଆଡ଼େ ଦୂରେଇ ଗଲା ।

 

କିନ୍ତୁ ସେ କ’ଣ ପ୍ରକୃତରେ ଏତେ ନିଶ୍ଚିତ, ଏତେ ସହଜ, ଏତେ ସୁଖୀ ?

 

ସେସବୁ ଭାବିବାର ଅବସର ବର୍ତ୍ତମାନ ନାହିଁ । ଦୁଇହାତ ଉପରକୁ ଟେକି ଅଳସ ଭାଙ୍ଗି, ମଧୁମିତା ଆଜିର ପ୍ରସ୍ତୁତି ପାଇଁ ବାଥରୁମ ଆଡ଼େ ଆଗେଇ ଗଲା ।

 

ପାଣିର ଝର ଝର ତାନ ସହିତ ମଧୁମିତା କଣ୍ଠର ଗୁଣୁଗୁଣୁ ସ୍ୱନ ଶୁଣା ଯାଉଥିଲା । ଜୀବନର ସମସ୍ତ କ୍ଳେଶ ଯେପରି ତା’ର ଘୁଞ୍ଚି ଯାଇଥିଲା । ଦୁନିଆରେ ତାକୁ ବଞ୍ଚି ରହିବାପାଇଁ ହେଲେ ନିଜକୁ ଭୁଲିବାକୁ ହେବ, ଭୁଲିବାକୁ ହେବ ସେ ଗୋଟିଏ ନାରୀ । ଭୁଲିବାକୁ ହେବ ତା’ର କାମନା, ବାସନା ।

 

ମଧୁମିତା କେଜାଣି କାହିଁକି ବାଥ୍‍ରୁମ ଭିତରେ ହୋ ହୋ ହୋଇ ହସି ଉଠିଲା ।

 

କ୍ଳବରେ ଆଜି ମିଟିଂ । ତା’ପରେ ବହୁ ତରୁଣ ତରୁଣୀ ସେହି କ୍ଳବର ମେମ୍ବର । କିନ୍ତୁ ପରିଚାଳନା ବୋର୍ଡ଼ରେ ମଧୁମିତାକୁ ନିଆହୋଇଛି । ପରିଚାଳକ ମଣ୍ତଳୀର ଶପଥ ହେଉଛି କ୍ଳବକୁ ସୁଦୃଢ଼ କରିବା, ଶକ୍ତିଶାଳୀ କରିବା । ସେଥିପାଇଁ ନୀତି ଅନୀତିର ପ୍ରଶ୍ନ ନାହିଁ ।

 

ମଧୁମିତା ପରିଚାଳକ ମଣ୍ତଳୀର ଏକ ଉଜ୍ଜ୍ୱଳ ଜ୍ୟୋତିଷ୍କ । କ୍ଳବର ସେ ବହୁ ଆଶା ଭରସା । ସେ ନଥିଲେ କ୍ଳବ ହୁଏତ ଆଜି ସହରରେ ଏତେ ଖ୍ୟାତି ଅର୍ଜନ କରି ପାରି ନଥାନ୍ତା । ଅଭିଜାତ ଘରର ଏତେ ତରୁଣ ତରୁଣୀ କ୍ଳବର ମେମ୍ବର ହୋଇ ସହରର ଏକ ଉଚ୍ଚ ଶ୍ରେଣୀର କ୍ଳବରେ ହୁଏତ ପରିଣତ କରିପାରି ନଥାନ୍ତେ । କିନ୍ତୁ ଏଥିରେ ମଧୁମିତାର ଲାଭ କ’ଣ ହେଉଛି ?

 

ଖାଲି ମନସ୍ତାପ, ଖାଲି ଦୁର୍ଭାବନା, ଖାଲି ଅଭିନୟ ।

 

ଜୀବନଟା କ’ଣ ଗୋଟାଏ ଦୁଃସ୍ୱପ୍ନ !

 

ମଧୁମିତା ପାଣି ପାଇପର ଚାବି ବନ୍ଦ କଲା ।

 

ହାତରେ ସମୟ ଆଉ ଅଳ୍ପ । ପ୍ରସ୍ତୁତ ହେବାକୁ ହେବ । ଡାଡ଼ିଙ୍କୁ ପ୍ରସ୍ତୁତ କରେଇବାକୁ ହେବ । ଡାଡ଼ି ତାଙ୍କ କ୍ଳବର ଭାଇସ ପ୍ରସେଡ଼େଣ୍ଟ ।

 

ନାଜିନିନ୍ ବାହାରେ ଅପେକ୍ଷା କରିଥିଲା ।

 

ମଧୁମିତାକୁ ଓଦା ସରସର ଦେହରେ ବାହାରି ଆସିବାର ଦେଖି ନାଜିନିନ୍ ଟାୱେଲ୍ ଆଣି ପୋଛିପୋଛି ଦେଲା । ଲୁଗା ବଦଳେଇ ଦେଲା ନିଜ ହାତରେ । କେଳାଣି କାହିଁକି ନାଜିନିନ୍ ମଧୁମିତାକୁ ଅତି ଆପଣାର ପରି ଦେଖେ । ତା’ର ମନେହୁଏ ମଧୁମିତା ଯେପରି ତା’ ମା’ ପେଟର ଭଉଣୀ । ସେଥିପାଇଁ ମଧୁମିତା ମୁହଁରେ ଚିନ୍ତାର ରେଖା ଦେଖିଲେ ସେ ମୋଟେ ପାଖ ଛାଡ଼େ ନାହିଁ ।

 

ମଧୁମିତା ବି କେବେ ନାଜନିନ୍ ସହିତ ଚାକର ପରି ବ୍ୟବହାର କରେ ନାହିଁ । ବେଳେ ବେଳେ ନାଜ୍‍ନିନ୍‍ ପାଖରେ ବସାଇ ତା’ଜୀବନର ସୁଖ ଦୁଃଖର କଥା ଶୁଣେ । ନାଜନିନ୍ ବାହା ହେଇଛି । ତା’ର ଘର ଅଛି, ସଂସାର ଅଛି । ସ୍ୱାମୀ ଦୂର ବିଦେଶର ଚାକିରିଆ । ତାଙ୍କର ପରିବାର ଖୁବ ବଡ଼ । ସେଇଥିପାଇଁ ନାଜନିନ୍ ବାଧ୍ୟ ହୋଇ ଚାକିରୀ କରିଛି । ପ୍ରତି ସପ୍ତାହରେ ଥରେ ସେ ତା’ସ୍ୱାମୀ ପାଖରୁ ଚିଠି ପାଏ । ଉତ୍ତର ଦିଏ । ସ୍ୱାମୀ ତା’ର ନାଜ୍‍ନିନ୍‍ ଖୁବ ଭଲପାଏ । ଆଉ ବର୍ଷେ ଦୁଇ ବର୍ଷ ପରେ ତା’ ଚାକିରୀର ଉନ୍ନତ୍ତି ହେଲେ ନାଜ୍‍ନିନ୍‍ ସେ ପାଖକୁ ନେଇଯିବ । ସେମାନେ ସୁଖରେ ରହିବେ ।

 

ମଧୁମିତା ନାଜନିନ୍ ମୁହଁରୁ ଏହିପରି ଅନ୍ତରଙ୍ଗ କଥା ଶୁଣିଲା ବେଳେ ତା’ ମୁହଁଟା କିପରି ଫିକା ପଡ଼ିଯାଏ । ମନ ତା’ର ଛନ୍ଦ ହରାଏ । କିନ୍ତୁ କାହିଁକି ?

 

ନାଜନିନ୍ ହୁଏତ ମଧୁମିତାର ମନ କଥା ବୁଝେ । ସାନ୍ତ୍ୱନା ଦେଇ କହେ, ତମେ ଦୁଃଖ କରୁଛ ଦିଦି । ଛି, ତମେ ଯେତେବେଳେ ଘର ସଂସାର କରିବ, ସେତେବେଳେ ଆମ ଭଳି ଗରିବ ଗୁରୁବାଙ୍କ କଥା ତମର ଆଉ ମନେ ରହିବ ? ଜାଣ ଦିଦି, ସ୍ୱାମୀ ଠାରୁ ଦୂରରେ ରହି ଆମର କେତେ କଷ୍ଟ ହୁଏ ? ଭଗବାନ ତମପାଇଁ ସେ ବିରହ ବେଦନା ରଖି ନାହାନ୍ତି ।

 

ମଧୁମିତା ନାଜନିନ୍ ସରଳ ମୁହଁଟି ଆଡ଼େ ଚାହିଁ ହସି ଉଠେ । ତା’ର ଅନ୍ତର ଆଉ ମନ କେଉଁଠି ଟିକିଏ ହେଲେ କାଳିମା ନାହିଁ । ଅତି ସରଳ, ଅତି ନିର୍ବୋଧ ଏଇ ଝିଅଟା । ସେ କିପରି ବୁଝିବ ମଧୁମିତାକୁ !

 

କେଉଁ ଶାଢ଼ୀଟା ବାହାର କରିବି ଦିଦି ! ନାଜନିନ୍‍ର ପ୍ରଶ୍ନରେ ମଧୁମିତା ପ୍ରକୃତିସ୍ଥ ହେଲା-

 

ଆଜି ତୋ’ ଇଚ୍ଛାରେ ତୁ ମୋତେ ସଜେଇ ଦିଏ ନାଜ । ଅନେକ ଥର ମୁଁ ତୋତେ ବାଧା ଦେଇଛି । ଆଜି କିନ୍ତୁ ତୋତେ ସ୍ୱାଧୀନତା ଦେଉଛି ସେଥିପାଇଁ ।

 

ନାଜନିନ୍ ର ଉତ୍ସାହ ଯେପରି ଦୁଇଗୁଣ ବଢ଼ିଗଲା । ସେ ବାଛି ବାଛି ଶାଢ଼ୀ ବ୍ଳାଉଜ ବାହାର କରି ମଧୁମିତାକୁ ପିନ୍ଧାଇ ଦେଲା । ସଜେଇ ଦେଲା ଏକ ନୂତନ ପରିପାଟୀରେ । ଅଳ୍ପ ହସି କହିଲା, ଦିଦି, ଆଇନା ସାମନାରେ ଯାଇ ଦେଖତ ! ନିଜକୁ ଚିହ୍ନି ପାରୁଛ କି ନାହିଁ ।

 

ମଧୁମିତା ଆଇନା ସାମନାରେ ବସି ଯେପରି ବାଉଳା ହେଇଗଲା । କାହାର ପ୍ରତିବିମ୍ବ ମଧୁମିତା ଦେହରେ ? ତା’ର ବୟସ ଯେପରି ଆହୁରି ପାଞ୍ଚବର୍ଷ କମି ଯାଇଛି ।

 

ପଛକୁ ଚାହିଁ ଦେଖିଲା ନାଜନିନ୍ ଆଉ ସେ ଘରେ ନାହିଁ । ସେ ଚାଲି ଯାଇଛି ।

 

ମଧୁମିତା ଉଠିଲା । ବସି ବସି ଆଜି ଆଉ ରୂପଚର୍ଚ୍ଚା କରିବାର ବେଳ ତା’ର ନାହିଁ । ସମୟ ପାଖେଇ ଆସିଲାଣି । କର୍ତ୍ତବ୍ୟର ଅବହେଳା କେବେ ସେ କରେ ନାହିଁ ।

 

ଲିଲିପୁଟ କୁକୁର ଗୁଡ଼ାକ ଆସି ବେଢ଼ି ଯାଇଥିଲେ । ମଧୁମିତା ସବୁ ଗୁଡ଼ିକୁ ଗୋଡ଼ରେ ଆଡ଼େଇ ଦେଇ ତଳକୁ ଓହ୍ଳେଇ ଗଲା । ଡାଡ଼ିଙ୍କ ଘରେ ଖିଆପିଆ ଶେଷ କରି, ଡାଡ଼ିଙ୍କୁ ସଂଗରେ ନେଇ କ୍ଳବରେ ହାଜିର ହେବାକୁ ହେବ ।

 

କିନ୍ତୁ ଡାଡ଼ିଙ୍କ ଘରେ ଯେପରି କାହାର ପରିଚିତ କଣ୍ଠସ୍ୱର ।

 

ମଧୁମିତା କିନ୍ତୁ ଏତେଟା ଆଶା କରି ନ ଥିଲା । ସେ ବିଶ୍ୱାସ କରି ପାରିଲା ନାହିଁ ।

 

ଚନ୍ଦ୍ରକାଂତ ଏକ ଲୟରେ ଚାହିଁଥିଲା ମଧୁମିତାକୁ । ବସିବାକୁ ଅନୁରୋଧ କରିବାକୁ ବି ଭୁଲି ଯାଇଥିଲା ଚନ୍ଦ୍ରକାଂତ ।

 

କାଲି ମଧୁମିତା ଆଉ ଶଶୀଶେଖର ଚଉଧୁରୀ ଚନ୍ଦ୍ରକାଂତ ଘରୁ ଫେରି ଆସିବା ପରଠାରୁ ଚନ୍ଦ୍ରକାଂତ ମନରେ ଏକ ଭାବାନ୍ତର ସୃଷ୍ଟି ହୋଇଥିଲା । ଚନ୍ଦ୍ରକାଂତ ନିଜ ମନକୁ ଯେତେ ବୁଝେଇବାକୁ ଚାହିଁଥିଲା, ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କର ନାରୀ ବିଦ୍ୱେଷ ଉକ୍ତି ଗୁଡ଼ାକୁ ଯେତେଥର ମନେ ପକେଇବାକୁ ଚେଷ୍ଟା କରିଥିଲା, କିନ୍ତୁ ସବୁ ଯେପରି ମଧୁମିତା ପାଖରେ ମ୍ଳାନ ହୋଇଯାଇଥିଲା । ଏତେ ଦିନର ସାଧନା ତା’ର ସତେ ଯେପରି ବ୍ୟର୍ଥ ହୋଇଯାଇଥିଲା ।

 

ସମଗ୍ର ନାରୀ ଜାତି ବିରୁଦ୍ଧରେ ତା’ ମନରେ ଘୃଣା । ବିଦ୍ୱେଷ ଭରି ରହିପାରେ, କିନ୍ତୁ ମଧୁମିତା ! ସେ ଏକ ନିଷ୍କଳଙ୍କ, ମଧୁର ସ୍ୱପ୍ନ । ହୁଏତ ମୃତ୍ୟୁଞ୍ଜୟ ମଙ୍ଗରାଜ ନିଜେ ଯଦି ମଧୁମିତା ସଂସର୍ଗରେ ଆସି ଥାଆନ୍ତେ ତା’ହେଲେ ସେ ତାଙ୍କ୍ ମତ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥାଆନ୍ତେ । ଏତେ ସ୍ନେହ, ଏତେ ଯତ୍ନ, ଏତେ ଆନ୍ତରିକତା, ହୁଏତ ଏକମାତ୍ର ମଧୁମିତା ପକ୍ଷରେ ସମ୍ଭବ ।

 

ଶେଷରେ ଶଶୀଶେଖର ବାଧ୍ୟ ହୋଇ ସେମାନଙ୍କୁ ଧ୍ୟାନଭଙ୍ଗ କଲେ ।

 

ଚନ୍ଦ୍ରକାଂତ ଲଜ୍ଜିତ ହେଲା ପରି କହିଲା, କ୍ଷମା କରିବେ ମିତାଦେବୀ । ସକାଳୁ ସକାଳୁ ଡାଡ଼ିଙ୍କ ପାଖକୁ ଛୁଟି ଆସିବାକୁ ହେଲା । କାଲି ଆପଣମାନେ ଚାଲି ଆସିବା ପରେ, ମୁଁ ଯେପରି ଏକ ଆତ୍ମୀୟତାର ସନ୍ଧାନ ପାଇଲି ।

 

ମଧୁମିତା ଚନ୍ଦ୍ରକାଂତ ସାମନାରେ ଗୋଟିଏ ସୋଫା ଉପରେ ବସିଲା ।

 

ଶଶୀଶେଖର କହିଲେ, ତୁମେ ଦୁହେଁ ବସି ଗଳ୍ପ କରୁଥାଅ, ମୁଁ ନିତ୍ୟକର୍ମ ଶେଷ କରିନିଏ ।

 

ମଧୁମିତା ମୁହଁରେ ଟିକିଏ ହସ ଫୁଟାଇବାକୁ ଚେଷ୍ଟା କରି କହିଲା, ମୁଁ ଜାଣିଥିଲି, ଆପଣ ଆସିବେ ।

 

ମିଛକଥା, ଚନ୍ଦ୍ରକାଂତ ଗଳାରେ ଦୃଢ଼ତା ଫୁଟିଉଠିଲା । ଆପଣଙ୍କ ଫୋନ୍ ପାଇ ନ ଥିଲେ ମୁଁ ମୋଟେ ଆସି ନଥାନ୍ତି ।

 

ମୋ ଫୋନ ? ମଧୁମିତା କଣ୍ଠରେ ବିସ୍ମୟ ଫୁଟି ଉଠିଥିଲା ।

 

ହଁ, ଆପଣଙ୍କର । ଗଣେଶ କହିଲା, ଆପଣ ଫୋନ୍ କରି ମୋତେ ଖୋଜୁଥିଲେ ।

 

ମଧୁମିତା ହସିଲା । ଗଣେଶ ତା’ହେଲେ ମୋ କଣ୍ଠସ୍ୱର ଚିହ୍ନି ପାରିଥିଲା । କିନ୍ତୁ ମୁଁ ଦେଖୁଛି ଆପଣ ମୋଟେ ଭଲ ଲୋକ ନୁହଁନ୍ତି । ଆପଣଙ୍କ ସହିତ ମୋର ସମସ୍ତ ସଂପର୍କ ତୁଟେଇ ଦେବାକୁ ହେବ ।

 

ହଠାତ୍ ଚନ୍ଦ୍ରକାଂତ ମୁହଁ ମଉଳି ପଡ଼ିଲା । ସେ ଯେପରି ଅଶେଷ ଅପରାଧରେ ଅପରାଧୀ । କିନ୍ତୁ ଦୋଷଟା ଯେ କେଉଁଠି, ଠିକ୍ ତ ସେ ବୁଝି ପାରିଲା ନାହିଁ ।

 

ମଧୁମିତା ହସି ହସି କହିଲା, ମୁଁ କାଲି କହୁଥିଲି ନା, ଆପଣ ମୋତେ ମିତା ଡାକିବେ, ଆପଣ କହିବେ ନାହିଁ ।

 

ଓଃ...ଚନ୍ଦ୍ରକାଂତ ଖୁବ୍ ଯୋରରେ ହସି ଉଠିଲା । ଆଖିଦୁଇଟା ତା’ର ମଧୁମିତାର ଦେହ ମୁହଁରେ ଲୁଚକାଳି ଖେଳୁଥିଲେ ।

 

ଚନ୍ଦ୍ରକାଂତର ହସ ଥମିବାରୁ ମଧୁମିତା କହିଲା, ଆପଣ କିଛି ଶିଖି ନାହାନ୍ତି ଚନ୍ଦ୍ରବାବୁ । ଝିଅମାନଙ୍କ ସଂସର୍ଗରେ ଯେ କେବେ ଆସି ନାହାନ୍ତି, ଆପଣଙ୍କ ଆଚରଣରୁ ମୁଁ ବୁଝି ପାରୁଛି ।

 

କାହିଁକି ? ଆପଣଙ୍କର ଏପରି ମନେ ହେବାର କାରଣ ?

 

ମଧୁମିତା ହସି ହସି କହିଲା, ଝିଅମାନଙ୍କୁ ଲୁଚେଇ ଲୁଚେଇ ପୁଅମାନେ ଦେଖନ୍ତି । କିନ୍ତୁ ଆପଣ ମୋତେ ଯେପରି ଚାହିଁଛନ୍ତି, ଅନ୍ୟ କୌଣସି ଝିଅକୁ ସେହିପରି ଚାହିଁଲେ ସେ ହୁଏତ....

 

ଚନ୍ଦ୍ରକାଂତ ପୁଣି ଥରେ ଲଜ୍ଜିତ ହୋଇ ଆଖି ଦୁଇଟା ନୁଆଁଇ ନେଲା ।

 

ଏଥର ମଧୁମିତାର ହସିବାର ପାଳି । ସେ ହସି ହସି ବେଦମ ହୋଇ କହିଲା, ନା ଚନ୍ଦ୍ରବାବୁ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଧୀରେ ଧୀରେ ଆପଣଙ୍କୁ ମୁଁ ସବୁ ଶିଖାଇ ଦେବି । ଏବେ କହିଲେ ଚା’ ନାଁ କଫି ? ମୁଁ ଜାଣେ ଆପଣ କିଛି ଖାଇ ନଥିବେ ।

 

କିପରି ଜାଣିଲେ ?

 

ଝିଅମାନେ ପୁଅମାନଙ୍କର ମନର ଅନେକ କଥା ଜାଣନ୍ତି ଚନ୍ଦ୍ରବାବୁ । ଆପଣ ଦଣ୍ତ ବୈଠକ ଶେଷ କରି ଯେତେବେଳେ ଘରକୁ ଫେରିଥିବେ, ଗଣେଶ ଆପଣଙ୍କୁ ମୋ ଖବରଟା ଦେଇଥିବ; ତା’ପରେ ଆଉ ଖାଇବାକୁ ବେଳେ କେତେବେଳେ ?

 

ଚନ୍ଦ୍ରକାଂତ ଏକ ନୀରବ ଚାହାଣୀରେ ମଧୁମିତା ମୁହଁକୁ ଚାହିଁଥିଲା । ସତରେ ମଧୁମିତା ପରି ଝିଅ ହୁଏତ ପୃଥିବୀରେ ବହୁତ କମ୍ ଅଛନ୍ତି । ଆଉ ସେପରି ଝିଅର ସନ୍ଧାନ କେବଳ ଭାଗ୍ୟବାନମାନେ ହିଁ ପାଇଥାଆନ୍ତି ।

 

ମୃତ୍ୟୁଞ୍ଜୟ ମଙ୍ଗରାଜ ଯେତେବେଳେ ଜାଣି ପାରିବେ ଯେ ଚନ୍ଦ୍ରକାଂତ କଲିକତାରେ ଗୋଟିଏ ଝିଅର ସଂସର୍ଗରେ ଆସିଛି ଏବଂ ସେ ଝିଅଟି ତାକୁ ଭଲ ଲାଗିଛି, ସେ ନିଶ୍ଚୟ ଛୁଟି ଆସିବେ ସେଇଦିନ । କାରଣ ନାରୀ ତାଙ୍କ ଜୀବନରେ ପରମ ଶତ୍ରୁ । ଏପରିକି ମୃତ୍ୟୁଞ୍ଜୟ ମଙ୍ଗରାଜ ତାଙ୍କ ମା’ଙ୍କ ସମ୍ୱନ୍ଧରେ ଚନ୍ଦ୍ରକାଂତ ଆଗରେ ଯେଉଂ କାହାଣୀ କହିଲେ, ମଣିଷ କେତେ ନାରୀ ବିଦ୍ୱେଷୀ ହେଲେ ଏପରି କଥା କହିପାରେ; ଚନ୍ଦ୍ରକାଂତ ଭାବି ବି ଭାବି ପାରିନାହିଁ । କାଲି ସମଗ୍ର ରାତିଟା ତା’ର ଅନିଦ୍ରାରେ କଟିଛି । ଗୋଟାଏ ପାଖରେ ମଧୁମିତା, ଆଉ ଗୋଟାଏ ପାଖରେ ମୃତ୍ୟୁଞ୍ଜୟ ମଙ୍ଗରାଜ ।

 

କିନ୍ତୁ ମଧୁମିତା ସହିତ ଚନ୍ଦ୍ରକାଂତର ସମ୍ୱନ୍ଧ ସେପରି ତ କିଛି ଗୁଢ଼ ନୁହେଁ, ମଧୁମିତା ଯଦି ତାଙ୍କ କମ୍ପାନୀର ଜଣେ ପାର୍ଟି ହୋଇଥାଆନ୍ତା, ତେବେ ଚନ୍ଦ୍ରକାଂତ କ’ଣ ତା’ ସହିତ କଥା କୁହନ୍ତା ନାହିଁ ? ମୃତ୍ୟୁଞ୍ଜୟ ମଙ୍ଗରାଜ କ’ଣ ତାକୁ ଦେଖା ନ ଦେଇ ତଡ଼େଇ ଦେଇଥାଆନ୍ତେ ?

 

ଆରେ, କ’ଣ ଏତେ ଚିନ୍ତା କରୁଛ ୟଙ୍ଗମ୍ୟାନ୍ ! ମିତା ଗଲା କୁଆଡ଼େ ? ଶଶୀଶେଖର ଆସି ଚନ୍ଦ୍ରକାଂତର ଧ୍ୟାନ ଭଙ୍ଗ କଲେ ।

 

ସତେତ ! ‘ମିତା ଗଲା କୁଆଡ଼େ ? ଏଇକ୍ଷିଣ ତ ସାମ୍ନାରେ ବସି ପଚାରୁଥିଲ ଖାଇବା କଥା ।

 

ମଧୁମିତା ସହିତ ନାଜନିନ୍ ଘରେ ପ୍ରବେଶ କଲା । ହାତରେ ଜଳଖିଆ ଟ୍ରେ ।

 

ପ୍ଲେଟ୍ ପରେ ପ୍ଲେଟ୍ କାଢ଼ି ରଖିଲା ଟେବୁଲ ଉପରେ ।

 

ଚନ୍ଦ୍ରକାଂତ ଚାହିଁଥିଲା ମିତାର ଚଞ୍ଚଳ ହାତଦୁଇଟି ଆଡ଼େ ।

 

ଶଶୀଶେଖର ଚଉଧୁରୀ ଲୁଗାପଟା ବଦଳେଇ ଆସି ବସିଲେ ଚନ୍ଦ୍ରକାଂତ ପାଖରେ । ଚନ୍ଦ୍ରକାଂତ ଖାଇବା ପାଇଁ ଆପତ୍ତି କଲାନାହିଁ । ଶଶୀଶେଖର ନୀରବରେ ଖାଇବା ଶେଷ କଲେ ।

 

ମଧୁମିତା କହିଲା, ଆପଣ ରେନ୍‍ବୋ କ୍ଲବ୍ ନାଁ ଶୁଣିଛନ୍ତି ? ବୋଧହୁଏ ଶୁଣି ନଥିବେ । କଲିକତା ସହରର ଏକ ଅଭିଜାତ କ୍ଳବ । କେବଳ ଅଭିଜାତ ସମ୍ପ୍ରଦାୟମାନଙ୍କୁ ସେ କ୍ଳବର ମେମ୍ୱରସିପ୍ ଦିଆ ହୋଇଥାଏ । ଡାଡି ତା’ର ଭାଇସ୍ ପ୍ରସିଡ଼େଣ୍ଟ । ଆପଣଙ୍କୁ ଦିନେ ମୁଁ ନେଇଯିବି ସେ କ୍ଳବକୁ ।

 

ଚନ୍ଦ୍ରକାଂତ କଫି ପିଉଥିଲା ଆଉ ରହି ରହି ମଧୁମିତା ମୁହଁକୁ ଚାହିଁଥିଲା । କ୍ଳବ ସମ୍ୱନ୍ଧରେ ନିନ୍ଦା ପ୍ରଶଂସା ମନ୍ତବ୍ୟ କରିବାପାଇଁ ସେ ଏଠାକୁ ଆସି ନ ଥିଲା ।

 

ଶଶୀଶେଖର ହାତ ଘଡ଼ିକୁ ଚାହିଁ ଟିକିଏ ଚଞ୍ଚଳ ହୋଇଉଠିଥିଲେ । ମଧୁମିତା ତାହା ଲକ୍ଷ୍ୟ କଲେ ମଧ୍ୟ କିଛି ନ ଜାଣିଲ ପରି ନୀରବରେ ବସି ରହିଥିଲା ।

 

ଶେଷରେ ଶଶୀଶେଖର ଉଠି ଠିଆହେଲେ । କହିଲେ, ରେନ୍‍ବୋ କ୍ଳବରେ ଆଜି ଗୋଟାଏ ମିଟିଂ ଅଛି ନଅଟାବେଳେ । ସେଥିପାଇଁ ମୁଁ ଟିକିଏ ଚିନ୍ତିତ ୟଙ୍ଗମ୍ୟାନ୍ । ଆଶା କରୁଛି କିଛି ଭାବିବେ ନାହିଁ ।

 

ଚନ୍ଦ୍ରକାଂତ ଉଠି ଠିଆ ହୋଇପଡ଼ିଲା । ମଧୁମିତାର ଅଳସ ଚାହାଣୀ ସହିତ ଆଖି ମିଳେଇ କହିଲା, ଆପଣ ବୋଧହୁଏ ଡାଡ଼ିଙ୍କ ସହିତ ଯିବେ ମିତାଦେବୀ !

 

ମିତା ଟିକିଏ ଆଖି ନଚାଇ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ି ଉଠି ଠିଆ ହେଉ ହେଉ କହିଲା, ନଯାଇ ଉପାୟ ନାହିଁ ମିଷ୍ଟର ମଟ୍ଟନାୟକ । ଡାଡ଼ି ମୋତେ ଯେଉଁପରି ଭାବରେ ଜଡ଼େଇ ଧରିଛନ୍ତି, ଜାଣେନି କେଉଁଦିନ ମୋତେ ସେ ଅଣନିଶ୍ୱାସୀ କରି ଛାଡ଼ିବେ ।

 

ଶଶୀଶେଖର ଟିକିଏ ମ୍ଳାନ ହସି ହସି କହିଲେ, ଜାଣ ୟଙ୍ଗମ୍ୟାନ୍‍, ମୋର ଯଦି ତମ ଭଳିଆ ଗୋଟିଏ ପୁଅ ଥାଆନ୍ତା, ମିତା ମୁହଁରୁ ମୁଁ ବାରମ୍ୱାର ଏପରି ଅପମାନ ସୂଚକ କଥା ଶୁଣନ୍ତି ନାହିଁ । ସେ ବି କହିବାକୁ ଭରସା କରି ପାରନ୍ତା ନାହିଁ ।

 

ସେଇ ମୁହୁର୍ତ୍ତରେ ମଧୁମିତାର ମୁହଁ ରକ୍ତାଭ ହୋଇଉଠିଲା । ମୁହଁରେ ତା’ର ଫୁଟି ଉଠିଲା ଅଭିମାନର ଭାଷା । ସେ ପୁଣି ସୋଫା ଉପରେ ବସି ପଡ଼ି କହିଲା, ଆପଣ ଜାଣନ୍ତି ଚନ୍ଦ୍ରବାବୁ ! ଡାଡ଼ିଙ୍କ ପାଇଁ ଯେତେ ଯାହା କଲେ ବି ସେ ମୋ ଉପରେ ମୋଟେ ସନ୍ତୁଷ୍ଟ ନୁହନ୍ତି । ଖାଲି କଥା କଥାକେ କହୁଛନ୍ତି, ମୋର ଯଦି ତୋ’ ବୟସର ପୁଅଟିଏ ଥାଆନ୍ତା...ଆଚ୍ଛା କହିଲେ ଚନ୍ଦ୍ରବାବୁ, ଧରନ୍ତୁ ଆପଣ ଯଦି ଡାଡ଼ିଙ୍କର ପୁଅ ହୋଇ ଥାଆନ୍ତେ, ତେବେ କ’ଣ ସବୁବେଳେ ତାଙ୍କରି ପଛେ ପଛେ ଛାଇ ପରି ଲାଗି ରହି ଥାଆନ୍ତେ ! ମୋର ତ ପୁଣି ମନ ବୋଲି ଗୋଟିଏ ବସ୍ତୁ ଅଛି । ଆଜି ମୋର କ’ଣ ଇଚ୍ଛା ହେଉନାହିଁ ଏଇ ମୁହୁର୍ତ୍ତରେ ଆପଣଙ୍କ ସହିତ ଯାଇ ଟିକିଏ ବୁଲି ଆସିବା ପାଇଁ !

 

ଡାଡ଼ି କିନ୍ତୁ ମୋ ମନକୁ ମୋଟେ ବୁଝୁ ନାହାନ୍ତି । ମୋର ଯେ ଗୋଟିଏ ସ୍ୱତନ୍ତ୍ର ସତ୍ତା ଅଛି, ସେ କଥା ସେ ଟିକିଏ ହେଲେ ଅନୁଭବ କରୁନାହାନ୍ତି । ମଧୁମିତାର କଣ୍ଠ ଓଦା ହୋଇଆସିଲା-। ଚନ୍ଦ୍ରକାଂତ ଭୀଷଣ ଭାବରେ ଦୁଃଖ ପାଇଲା ମନେ ମନେ । କିନ୍ତୁ ବାପା ଝିଅଙ୍କ କଳିରେ ତା’ର କରିବାର କ’ଣ ଅଛି ?

 

ଶଶୀଶେଖର ମଧୁମିତା ପାଖକୁ ଆଗେଇ ଆସି ତା’ ହାତ ଧରି ଉଠାଇଲେ । କହିଲେ, ଡ଼େରି ହେଉଛି ମିତା । ଆଜିଟା ତୁ ମୋ ସହିତ ଆ । ଏହାପରେ ମୁଁ ଆଉ ତୋତେ ବିରକ୍ତ କରିବି ନାହିଁ । ଚନ୍ଦ୍ରକାଂତ ଆଡ଼େ ବୁଲି ଚାହିଁ କହିଲେ, ତୁମେ ଆଜି ଚାରିଟା ବେଳକୁ ଆସିବ ୟଙ୍ଗମ୍ୟାନ୍ । ତମର ଯେତେ କାମ ଥିଲେ ବି ମୋର ଏହି ବିଶେଷ ଅନୁରୋଧଟି ତୁମୁକୁ ରକ୍ଷା କରିବାକୁ ହେବ । କ’ଣ ଆସିବତ ? ମୋତେ କଥା ଦିଅ ୟଙ୍ଗମ୍ୟାନ୍ ।

 

ଚନ୍ଦ୍ରକାଂତ ଏପରି ଏକ କରୁଣ ପରିବେଶର ସମ୍ମୁଖୀନ କେବେ ହୁଅତ ହୋଇ ନ ଥିଲା-। ସେ ଜଡ଼ ପାଲଟି ଯାଇଥିଲା । ଶଶୀଶେଖରଙ୍କ କଥାରେ ଚମକି ଉଠିଲା ସ୍ୱରରେ କହିଲା, ହିଁ ମୁଁ ଆସିବି ସାର୍ । ଆପଣ କହୁଛନ୍ତି ଯେତେବେଳେ....

ଖାଲି ଆସିଲେ ହେବ ନାହିଁ ୟଙ୍ଗମ୍ୟାନ୍ । ତିନି ଚାରିଘଣ୍ଟା ସମୟ ନଷ୍ଟ କରିବା ପାଇଁ ପ୍ରସ୍ତୁତ ହୋଇ ଆସିଥିବ । ଏଇଠି ଖିଆପିଆ ପର୍ବ ଶେଷ କରି ଫେରିଯିବ ରାତି ଆଠଟା ନଅଟା ବେଳକୁ । ସତରେ ମିତା ପ୍ରତି ମୁଁ ଯଥେଷ୍ଟ ଅନ୍ୟାୟ କଲିଣି । ତା’ର ଯେ ଏକ ସ୍ୱତନ୍ତ୍ର ମନ ଅଛି, ମୋର ସେକଥା ବହୁ ଆଗରୁ ବୁଝିବା ଉଚିତ ଥିଲା ।

ଡାଡ଼ି । ମଧୁମିତା ଚିତ୍କାର କରି ଉଠିଲା ।

ଶଶୀଶେଖର ଚୁପ୍ ହୋଇଗଲେ ।

ଚନ୍ଦ୍ରକାଂତ ମୁହଁକୁ ମଧୁମିତା ଚାହିଁ ପାରୁ ନ ଥିଲା । ବୋଧହୁଏ ତା’ ଆଗରେ ତାଙ୍କ ପାରିବାରିକ ଜୀବନର ଏପରି ଏକ ଅଧ୍ୟାୟ ଉଦ୍‍ଘାଟନ ହୋଇ ଯିବାରୁ ମଧୁମିତା ଲଜ୍ଜିତ ହୋଇଥିଲା ।

ଶଶୀଶେଖର ଆଗେଇ ଯାଉଥିଲେ ।

ଚନ୍ଦ୍ରକାଂତ ମଧୁମିତା ପାଖକୁ ଯାଇ ଧୀର ଗଲାରେ କହିଲା, ଉଠ ମିତା ! ଡାଡ଼ିଙ୍କର ବୟସ ହୋଇଛି । ତମେ ତାଙ୍କର ଏକମାତ୍ର ଆଶା ଭରସା । ତାଙ୍କ ମନରେ ଏପରି ଦୁଃଖ ଦେବାଟା କ’ଣ ତମର ଉଚିତ ହୋଇଚି ? ବିଶେଷ କରି ମୋ ପରି ଏକ ଅନ୍ୟଲୋକ ସାମ୍ନାରେ ।

ମଧୁମିତା ଉଠି ଠିଆ ହେଲା । ସେ ଝାଉଁଳି ପଡ଼ୁଛି । ଆଖି କୋଣରେ ଲୁହ ଢଳଢଳ ହେଉଛି । କେଜାଣି କାହିଁକି ଚନ୍ଦ୍ରକାଂତ ମନେ ଭୀଷଣ ଆଘାତ ପାଇଲା ।

ସମସ୍ତେ ନୀରବରେ ଆଗେଇ ଯାଉଥିଲେ ।

ଲନ୍ ଭିତରେ ଦୁଇଟି ଗାଡ଼ି ଅପେକ୍ଷା କରିଥିଲା । ଗୋଟିଏ ଶଶୀଶେଖର ଚଉଧୁରୀଙ୍କର, ଅନ୍ୟଟି ଚନ୍ଦ୍ରକାଂତର ।

ମଧୁମିତା ଗାଡ଼ିରେ ଉଠିବା ପୂର୍ବରୁ ଚନ୍ଦ୍ରକାଂତ ଆଡ଼େ ଛଳ ଛଳ ଆଖିରେ ଚାହିଁ ପଚାରିଲା, ଆସିବେ ତ ? ମୁଁ କିନ୍ତୁ ଚାରିଟା ବେଳକୁ ଅପେକ୍ଷା କରିଥିବି ।

ଗାଡ଼ି ଚାଲିଗଲା ।

ଚନ୍ଦ୍ରକାଂତ ବି ନିଜ ଗାଡ଼ିରେ ଉଠି ବସିଲା । ତା’ର ଅଫିସ୍ ଯିବାକୁ ଆହୁରି ଘଣ୍ଟାଏ ସମୟ ଅଛି । କିନ୍ତୁ ଏଇକ୍ଷିଣା ସିଧା ଅଫିସକୁ ଚାଲିଗଲେ କ୍ଷତି କ’ଣ ! ମଧୁମିତା ଯାହା ଖୋଇଛି, ସେଥିରେ ତା’ର ଚାରିଟା ବେଳଯାଏ ଚଳିଯିବ । ଆଗରୁ ଟିକିଏ ଫେରିବାକୁ ହେବ ଅଫିସରୁ । ତେଣୁ କାମ ଗୁଡ଼ାକ ଶେଷ କରି ନେଇ ପାରିଲେ ଭଲ ହେବ ।

ଚନ୍ଦ୍ରକାଂତ ଗାଡ଼ିରେ ବସି ଆନମନା ହୋଇ ପଡ଼ିଥିଲା ।

ଅଭିମାନିନୀ ମିତା ! ଆଖି କୋଣରେ ତା’ର ଲୁହ ଦେଖି ଚନ୍ଦ୍ରକାଂତ ଆଖିରେ ବି ଲୁହ ଜକେଇ ଆସିଥିଲା । କିନ୍ତୁ କାହିଁକି ? ମିତା ସହିତ ତା’ର ସଂପର୍କଟା ତ ନିବିଡ଼ ନୁହେଁ ! ବରଂ ସେ ଆକର୍ଷିତ ହୋଇଛି ଶଶୀଶେଖରଙ୍କ ଆନ୍ତରିକତାରେ । କିନ୍ତୁ ମିତା ପାଇଁ ତା’ ପ୍ରାଣରେ ଏପରି ଏକ ଆଲୋଡ଼ନ ସୃଷ୍ଟି ହେଲା କାହିଁକି ?

ଚନ୍ଦ୍ରକାଂତ ଅଫିସ୍‍ରେ ପହଞ୍ଚଲା । କାମ ଜମିଛି ଅନେକ । ଆପଏଣ୍ଟମେଣ୍ଟ ଅଛି ଦୁଇ ଚାରିଜଣଙ୍କର । କମ୍ଫାନୀର ପ୍ରୋଡାକ୍ସନର ସୋଲ୍ ଏଜେନ୍‍ସୀ ପାଇଁ ବିଭିନ୍ନ ପ୍ରଦେଶରୁ ସେମାନେ ଆସୁଛନ୍ତି । ଚାରିଟା ପୂର୍ବରୁ ଚନ୍ଦ୍ରକାଂତ ସବୁ ଶେଷ କରିବାକୁ ହେବ ।

ଟେବୁଲ ଉପରେ ଜମା ହୋଇଛି ବହୁତ ଚିଠି । ଆଜି ଚନ୍ଦ୍ରକାଂତର ସେଗୁଡ଼ିକୁ ଖୋଲି ପଢ଼ିବାରେ ବିଶେଷ ଆଗ୍ରହ ନାହିଁ । ତଥାପି ଅଭ୍ୟାସ ଅନୁସାରେ ସବୁ ଚିଠି ଗୁଡ଼ିକ ଉପରେ ସେ ଆଖି ବୁଲାଇ ଗଲା ।

ହଁ, ଏଇଟି ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କର । ଚନ୍ଦ୍ରକାଂତ ନାଁ’ରେ ଆସିଛି ଚିଠିଟା । କେଜାଣି କାହିଁକି ଚନ୍ଦ୍ରକାଂତର ଆଜି ଚିଠିଟି ଖୋଲିବା, ପାଇଁ ମନ ଭିତରେ କିପରି ଏକ କମ୍ପନ ସୃଷ୍ଟି ହେଲା । ହାତଟା ଥର ଉଠିଲା ।

ଖାଲି ଆଦେଶ ଆଉ ଉପଦେଶ । ଶୁଣି ଶୁଣି ଚନ୍ଦ୍ରକାଂତ ଏତେବଡ଼ ହୋଇଛି । ଦିନ ତ ତାକୁ ଅସହ୍ୟ ବୋଧ ହୋଇନାହିଁ । ବରଂ ଜୀବନରେ ସେ ବଡ଼ ହେବାର ସୁଯୋଗ ପାଇଛି । ତା’ଚଲା, ପଥରେ ଯଦି ମୃତ୍ୟୁଞୟ ମଙ୍ଗରାଜଙ୍କ ସହିତ ଭେଟ ହୋଇ ନ ଥାନ୍ତା, ତା, ହେଲେ ଗତିପଥ ତା’ର କେଉଁମୁଖୀ ହୋଇଥାନ୍ତା କିଏ ଜାଣେ ?

ଅଭ୍ୟାସ ଅନୁସାରେ ଚନ୍ଦ୍ରକାଂତ ଚିଠିଟି ଖୋଲି ପକାଇଥିଲା । ମୃତ୍ୟୁଞ୍ୟୟ ମଙ୍ଗରାଜ ଲେଖିଛନ୍ତି;

କଲ୍ୟାଣୀୟେଷୁ,

କମ୍ପାନୀର ପ୍ରୋଗ୍ରେସ ରିପୋର୍ଟ ପାଇ ବିଶେଷ ଖୁସି ହେଲି । ମୁଁ ଜାଣିଥିଲି, ତୁମେ ପାରିବ । ମୁଁ ଜାଣିଥିଲି ବୋଲି ଶିକ୍ଷା ଦେଇଥିଲି ତୁମକୁ । ମୋ ଦୀକ୍ଷାରେ ଦୀକ୍ଷିତ କରିବା ପାଇଁ ତମ ପ୍ରତି ମୋତେ ଯେତେ ଶ୍ରମ କରିବାକୁ ହୋଇଛି, ଆଜି ମନେ ହେଉଛି ତାହା ଯେପରି ସାର୍ଥକ ହେଲା ।

କିନ୍ତୁ ତୁମକୁ ପାଖରୁ ଅନ୍ତର କରି ମୋ ମନରେ ଏ ପର୍ଯ୍ୟନ୍ତ ଦୃଢ଼ତା ଆସିନାହିଁ । କଲିକତା ଭଳି ବିରାଟ ଏକ କସ୍ମୋପଲିଟନ୍ ସିଟିରେ ତୁମେ ଯେ ମୋ ଦୀକ୍ଷାର ମାନ ବଜାୟ ରଖି ଚଳି ପାରିବ, ସେଥିପ୍ରତି ବେଳେବେଳେ ମୋର ସନ୍ଦେହ ହୁଏ । ମୋର ‘ମଟୋ’ ସେଇ ଗୋଟିଏ । ନାରୀ । ନାରୀର ସଂସର୍ଗ ତ୍ୟାଗ କରି ଚଳି ପାରିଲେ ଜୀବନରେ କେବେ ଦୁର୍ଦ୍ଦିନ ଆସିବ ନାହିଁ । ଚରିତ୍ରରେ କେବେ କଳଙ୍କ ଲାଗିବ ନାହିଁ । କେବଳ ନାରୀ ଜାତିଟା ପାଇଁ ଆଜି ପୃଥିବୀର ଏ ଦୁରାବସ୍ଥା ।

କଲିକତାରେ ସେଥିପାଇଁ ସବୁବେଳେ ତୁମକୁ ମାପିଚୁପି ଚଳିବାକୁ ହେବ । ସେଠାରେ ପ୍ରଲୋଭନ ଅନେକ । ସବୁଗୁଡ଼ିକ ଏଡ଼େଇ ନ ପାରିଲେ ତୁମେ ଦିନେ ନା ଦିନେ ଫାନ୍ଦରେ ପଡ଼ିଯିବ-। କିନ୍ତୁ ତୁମପ୍ରତି ମୋର ଯଥେଷ୍ଟ ଆସ୍ଥା ଅଛି, ବିଶ୍ୱାସ ଅଛି । ମୁଁ ଜାଣେ ତୁମେ ପଥହରା ହେବନାହିଁ-

ଚନ୍ଦ୍ରକାଂତର କେଜାଣି କାହିଁକି ସେଇ ଦୀର୍ଘ ଚିଠିଟିକୁ ପଢ଼ିବାର ଆଗ୍ରହ ମରି ଯାଇଥିଲା-। ଅନ୍ୟ ଦିନମାନଙ୍କ ପରି ଏକା ନିଃଶ୍ୱାସରେ ଚିଠିଟିକୁ ପଢ଼ି ପାରିଲା ନାହିଁ । ପୁଣି ମୋଡ଼ିମାଡ଼ି ଖାମ୍ ରେ ଭର୍ତ୍ତିକରି ରଖିଦେଲା । ପରବର୍ତ୍ତୀ ଅଂଶ ପରେ କେତେବେଳେ ପଢ଼ିଲେ ଚଳିବ ।

 

ଟେବୁଲ ଉପରେ ଫାଇଲ୍‍ଗୁଡ଼ାକ ଗଦା ହୋଇଛି । ତାକୁ ଯେପରି ସେଗୁଡ଼ା ଗୋଟିଏ ଗୋଟିଏ ଛୋଟ ଛୋଟ ପାହାଡ଼ ପରି ମନେ ହେଲା ।

 

ଚନ୍ଦ୍ରକାଂତ ବୁଝି ପାରିଲା ନାହିଁ କିଛି । କେବେ ତ ସେ କାମକୁ ଡ଼ରୁ ନ ଥିଲା ! ଆଜି କ’ଣ ତା’ ମନରେ ପ୍ରକୃତରେ କିଛି ପରିବର୍ତ୍ତନ ଆସିଛି ?

 

ଟେବୁଲ ଉପରର ଘଣ୍ଟିଟାକୁ ଚନ୍ଦ୍ରକାଂତ ଯୋର୍ ରେ ପିଟିବାକୁ ଲାଗିଲା ।

 

ବେହେରା ଛୁଟି ଆସିଲା ଭିତରକୁ ।

 

ଶ୍ରୀନିଭାସନ୍ ସାହେବ୍ କୋ ବୋଲାଓ ।

 

ବେହେରାଟି ବିନୀତ ସ୍ୱରରେ ଜଣାଇଲା, ଶ୍ରୀନିଭାସନ ସାହେବ ଆସି ନାହାନ୍ତି ।

 

ଚନ୍ଦ୍ରକାଂତ ଲଜ୍ଜିତ ହୋଇ ହାତ ଘଡ଼ିକୁ ଚାହିଁଲା । ମାତ୍ର ସାଢ଼େ ନଅଟା ବାଜିଛି । ବେହେରାକୁ କଫି ଆଣିବା ପାଇଁ ନିର୍ଦ୍ଦେଶ ଦେଇ ଗୋଟାଏ ଫାଇଲ୍ ଟାଣିନେଇ ଚିଠି ପଢ଼ିବାରେ ମନ ଦେଲା ।

 

ସେହି ଚିଠି ଭିତରେ ବି ଭାସି ଉଠିଲା ମୃତ୍ୟୁଞ୍ୟୟ ମଙ୍ଗରାଜଙ୍କ ମୁହଁଟା ।

 

ଯେଉଁଦିନ ଚନ୍ଦ୍ରକାଂତର ପ୍ରଥମଦିନ ତାଙ୍କ ସହିତ ଦେଖା ହୋଇଥିଲା, ସେଦିନ ଚନ୍ଦ୍ରକାଂତର ସ୍କୁଲ ଫାଇନାଲ ରିଜଲ୍ଟ ବାହାରିଥାଏ । କାହାକୁ ଆଗ ଶୁଭ ସଂବାଦଟା ଜଣାଇବ ! ମେସ୍ ରେ ବନ୍ଧୁମାନେ କେହି ନଥାନ୍ତି । ମ୍ୟାନେଜର ବି ସେଦିନ ଘରକୁ ଯାଇଥାଆନ୍ତି । ଚାକର ପୁଝାରୀଙ୍କ ଆଗରେ ସେ ଏତେବଡ଼ ଶୁଭ ସଂବାଦଟା ପ୍ରଥମେ ଦେବାକୁ ଇଚ୍ଛା କଲା ନାହିଁ ।

 

ତା’ହେଲେ ? ଏ ଦୁନିଆରେ ତା’ର ଆତ୍ମୀୟ ସ୍ୱଜନ କେହି କ’ଣ ଜଣେ ହୋଇନାହାନ୍ତି-? ଶେଷରେ ଠିକ୍ କଲା, ସେ ଯେଉଁଠି ଟିଉସନ୍ କରେ, ସେଇଠି ଯାଇ ତା’ ଛାତ୍ରଟିକୁ ଅନ୍ତତଃ ପ୍ରଥମେ ଖବରଟା ଶୁଣାଇବ ।

 

ଚନ୍ଦ୍ରକାଂତ ଅନ୍ୟମନସ୍କ ହୋଇଚାଲିଥିଲା ।

 

କିନ୍ତୁ କେଉଁ ମୁହୁର୍ତ୍ତରେ କିପରି ଯେ କ’ଣ ଘଟିଗଲା, କିଛି ସେ ବୁଝି ପାରିଲା ନାହିଁ । ଯେତେବେଳେ ସେ ନିଜ କଥା ଚିନ୍ତାକଲା ଭଳି ସଚେତନ ହେଲା, ଦେଖିଲା କେଉଁଠି, କାହାଘରେ, ଏକ ନରମ ବିଛଣା ଉପରେ ଶୋଇଛି । ମୁଣ୍ଡରେ କିପରି କଷ୍ଟ ଅନୁଭବ କରି ହାତ ବୁଲାଇ ଦେଖିଲା, ବ୍ୟାଣ୍ଡେଜ ବନ୍ଧା ହୋଇଛି । ଆଖି ଖୋଲି ଚାହିଁଲା । ସାମ୍ନାରେ ଜଣେ ବୟସ୍ଥ ଭଦ୍ରଲୋକ ବସି ଚୁରୁଟ୍ ଟାଣୁଛନ୍ତି ।

 

ଚନ୍ଦ୍ରକାଂତ କିଛି ବୁଝିପାରିଲା ନାହିଁ । କ’ଣ ହେଲା ତା’ର ? ମୁଣ୍ଡରେ ଆଘାତ ପାଇଲା କିପରି ?

 

ବୟସ୍କ ଭଦ୍ରଲୋକ ଜଣକ ଚନ୍ଦ୍ରକାଂତ ପାଖକୁ ଉଠି ଆସି କହିଲେ, ତୁମେ ରାସ୍ତାରେ ଚାଲିଲାବେଳେ ଗୋଟିଏ ରିକ୍ସା ସହିତ ଧକ୍କା ଖାଇ ଆସି ମୋ ମଟର ସାମ୍ନାରେ ପଡ଼ିଥିଲ, ବର୍ତ୍ତମାନ ମୋ ଘରେ । ଭଲ ଅଛ । କିଛି ଚିନ୍ତା କରନାହିଁ । ଭଲ ହୋଇଗଲେ ମୁଁ ତମୁକୁ ଘରକୁ ପଠାଇ ଦେବି ।

 

ମୁତ୍ୟୁଞ୍ଜୟ ମଙ୍ଗରାଜ ଚନ୍ଦ୍ରକାଂତ ଆଖିରେ ସେଦିନ ଦେବଦୂତ ପରି ମନେ ହୋଇଥିଲେ-। ଭବିଷ୍ୟତରେ ସେଇ ମଙ୍ଗରାଜ ଯେ ତା’ର ଭାଗ୍ୟ ନିୟନ୍ତା ହେବେ ସେ କଥା ଅବଶ୍ୟ ସେଦିନ ଚନ୍ଦ୍ରକାଂତ ଚିନ୍ତା କରିପାରି ନ ଥିଲା ।

 

ଟେବୁଲ ଉପରେ ଫୋନ୍‍ଟା କ୍ରିଂ କ୍ରିଂ ହୋଇ ବାଜି ଉଠିଲା ।

 

ହ୍ୟାଲୋ ! ଚନ୍ଦ୍ରକାଂତ କ୍ଷିପ୍ର ହସ୍ତରେ ରିସଭରଟା ଉଠାଇ ନେଲା ।

 

ଅପର ପାର୍ଶ୍ୱରୁ ଶଶୀଶେଖରଙ୍କ କଣ୍ଠସ୍ୱର ଶୁଣାଗଲା । ସେ ପଚାରୁଥିଲେ, ଚନ୍ଦ୍ରକାଂତ ତାଙ୍କ ପାଖରୁ ବିଦାୟ ନେଇ ନିରାପଦରେ ଯାଇ ଅଫିସରେ ପହଞ୍ଚି ସାରିଛି କି ନାହିଁ, ଏବଂ ଚନ୍ଦ୍ରକାଂତ ଆଗରେ ମଧୁମିତା ତାଙ୍କ ପାରିବାରିବ ଜୀବନର ଯେଉଁ ନଗ୍ନ ସତ୍ୟଟିକୁ ଉଦ୍ଘାଟନ କରି ବସିଥିଲା ସେଥିପାଇଁ ଯେପରି ସେ କିଛି ନ ଭାବେ । ଅବଶ୍ୟ ଚନ୍ଦ୍ରକାଂତକୁ ନିଜର ସନ୍ତାନ ଭାବରେ ପାଇବର ସୌଭାଗ୍ୟ ଶଶୀଶେଖରଙ୍କର ନାହିଁ, ତଥାପି ସେ ସେଇଆ ମନେ କରି ଯଦି ଟିକିଏ ଶାନ୍ତି ପାଆନ୍ତି, ସେଥିପାଇଁ ଚନ୍ଦ୍ରକାଂତର ଯେପରି କିଛି ମନେ ନ କରେ ।

 

ଶଶୀଶେଖର ଶେଷ କଥା ପଦକ କହିଲାବେଳକୁ କଣ୍ଠଟା ତାଙ୍କର ଥରି ଉଠିଲା ପରି ଚନ୍ଦ୍ରକାଂତର ମନେ ହୁଏ । ସେ କିଛି ଉତ୍ତର ଦେବକୁ ବୋଧହୁଏ ସେଇ ମୁହୂର୍ତ୍ତରେ ଭାଷା ଖୋଜି ପାଏ ନାହିଁ । କିନ୍ତୁ ପରମୁହୁର୍ତ୍ତରେ ଅପରପ୍ରାନ୍ତରୁ ଯାହାର କଣ୍ଠସ୍ୱର ଭାସିଆସେ ସେ ନିଶ୍ଚୟ ମଧୁମିତାର ।

 

ଚନ୍ଦ୍ରକାଂତ ଟିକିଏ ଚଞ୍ଚଳ ହୋଇପଡ଼େ । ମଧୁମିତା ପ୍ରଶ୍ନ କରେ, ଘରକୁ ଯାଇ ଗାଧୁଆପାଧୁଆ ଶେଷ କରି ଆସିଲ କି ନାହିଁ ? ଗଣେଶ କ’ଣ ଖାଇବାକୁ ଦେଲା । ଡାଡ଼ିଙ୍କୁ ମୁଁ ଆଜି ଖୁବ୍ ଜବଦ୍‍ କରିଛି । କ୍ଳବକୁ ଆସି ମୋଟେ ମନ ଲାଗୁନାହିଁ । ମୋର ଆଜି ଇଚ୍ଛା ଥିଲା ତମ ସହିତ ଘୁରି ବୁଲିବା ପାଇଁ । କ’ଣ କରୁଛ ବସି ବସି । ଚାଲି ଆସନା ଆମ କ୍ଳବକୁ । କ୍ଳବକୁ ଲାଗି ଗୋଟିଏ ସୁନ୍ଦର ବଗିଚା ଅଛି । ଭାରି ନିରୋଳା । ବସି ବସି ଗଳ୍ପ କରିବା । ଧେତ୍ ! ଡାଡ଼ିଙ୍କପାଇଁ ଜୀବନଟା ମୋର ନଷ୍ଟ ହୋଇଗଲା । ହେଇ ଡ଼ାକ ଛାଡ଼ିଲେଣି । ଆଚ୍ଛା ସତ କହିଲ, ମୋ ପରି ଗୋଟିଏ ତରୁଣୀ, ବିଶେଷତଃ ଯିଏ ଟିକିଏ ଆଲୋକ ପାଇଛି, ସେ ଏହିପରି ସୁନା ପିଞ୍ଜରାରେ ବନ୍ଦୀ ହୋଇ ରହିଲେ ତାକୁ ଭଲ ଲାଗିବ ?

 

ଯାଃ...ତମେ ବି ଡାଡ଼ିଙ୍କ ଆଡ଼ିଆ ହୋଇଛ ଦେଖୁଛି । ମୋର କୌଣସି ପ୍ରଶ୍ନର ଗୋଟିଏ ବି ଉତ୍ତର ଦେଉନାହିଁ । ଡାଡ଼ିଙ୍କ ସାମ୍ନାରେ ମୋତେ ଥରଟିଏ ବି ସପୋର୍ଟ କରୁନାହିଁ । କହିଲ ଏକେତ ମୁଁ ନାରୀ, ତା’ ପରେ ତମମାନଙ୍କ ମେଳରେ ରହି ବି ମୁଁ ଯଦି ଏତେ ନିଃସହାୟ ହୁଏ, ତା’ହେଲେ ଜୀବନର ମହକ ଯେ ସବୁ ନଷ୍ଟ ହୋଇଯିବ ।

 

ମୁଁ ଜାଣେ ତମଠାରୁ ବି ମୁଁ ମୋ ପାଇଁ କିଛି ସମର୍ଥନ ପାଇବି ନାହିଁ । ଆଃ...ଆସୁଛି ଡାଡ଼ି । ହଁ ଶୁଣନ୍ତୁ ଚନ୍ଦ୍ରବାବୁ, ଡାଡ଼ି ବ୍ୟସ୍ତ ହୋଇ ପଡ଼ିଲେଣି । ତେଣେ ମିଟିଂ ଆରମ୍ଭ ହେଉଛି । କ’ଣ ଆସୁଛ ତ ଚାରିଟାବେଳକୁ ? ନ ଆସିଲେ କିନ୍ତୁ ମୁଁ ନିଜେ ଯାଇ ପହଞ୍ଚି ଯିବି ।

 

ଚାରିଟା ବାଜିବାର ବହୁ ପୂର୍ବରୁ ଯାଇ ପହଞ୍ଚି ଯାଇଥିଲା ମଧୁମିତା ।

 

ଚନ୍ଦ୍ରକାଂତ ଯେତେବେଳେ ବେହେରା ହାତରୁ ମଧୁମିତା ନାମାଙ୍କିତ କାଗଜ ଖଣ୍ଡିକ ଦେଖିଲା, କେଜାଣି କାହିଁକି ସମଗ୍ର ଶରୀରରେ ତା’ର କିପରି ଏକ ବିଦ୍ୟୁତ୍ ପ୍ରବାହ ଖେଳିଗଲା । ମୁହଁରେ ଫୁଟି ଉଠିଲା ଆଶଙ୍କାର ଚିହ୍ନ ।

 

ମଧୁମିତା, ମଧୁମିତା ନିଜେ ଆସିଛି ତା’ ଅଫିସ୍‍କୁ । ଅଥଚ ଚନ୍ଦ୍ରକାଂତ କ’ଣ କରିବ ? ଯାହାକଥା ଆଜି ଦିନଯାକ ଭାବି ଭାବି ସେ ହାଲିଆ ହୋଇପଡ଼ିଛି, ଯାହା ସହିତ ମିଶି ସେ ଆଜି ବହୁ ମଧୁର ସ୍ୱପ୍ନ ଦେଖିଛି । ଅଥଚ, ଅଥଚ.....

 

ବେହେରା ଠିଆ ହୋଇଛି ଚନ୍ଦ୍ରକାଂତର ଆଦେଶ ପ୍ରତୀକ୍ଷାରେ ।

 

ଚନ୍ଦ୍ରକାଂତ ଉଠି ଠିଆ ହୋଇ ପୁଣି ବସିଲା । ଟେବୁଲ ଉପରର ଚିଠି ଗୁଡ଼ାକ ଖେଳେଇ ପକେଇଲା । ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କ ଚିଠି ଖଣ୍ଡକ ବାହାରି ଆସିଲା ସେହି ସ୍ତୁପ ଭିତରୁ । ସେଇଟିକୁ ସେ ପଢ଼ି ଶେଷ କରି ପାରିନାହିଁ ଆଜି ।

 

ମଙ୍ଗରାଜଙ୍କ ମୁହଁଟା ଭାସି ଉଠିଲା ଆଖି ଆଗରେ । ନାରୀ ହେଉଛି ପୁରୁଷର ପରମ ଶତ୍ରୁ । ବାଘ ଭାଲୁ ପରି ହିଂସ୍ର ଜନ୍ତୁମାନଙ୍କ ଠାରୁ ନାରୀ ଆହୁରୀ ଭୟଙ୍କର । ଜୀବନରେ ବଡ଼ ହେବାକୁ ହେଲେ...

 

ସାହେବ୍.....

 

ବେହେରାର ବିନୀତା କଣ୍ଠସ୍ୱର ଶୁଣି ଚନ୍ଦ୍ରକାଂତ କ୍ଷିପ୍ତ ହୋଇଉଠିଲା । ଚିତ୍କାର କରି କହିଲା, ଆରେ ତୁ ମୋ ମୁହଁକୁ ଚାହିଁଛୁ କ’ଣ ? ତାଙ୍କୁ ଡାକିବାକୁ ଯାଇନାହୁଁ ଏ ଯାଏ ?

ବେହେରାଟି ବାହାରି ଚାଲିଗଲା ।

 

କିନ୍ତୁ ଚନ୍ଦ୍ରକାଂତ ସ୍ଥିର ହୋଇ ବସି ପାରିଲାନାହିଁ । ନା ନା ତା’ ଜୀବନର ମହାନ୍ ବ୍ରତକୁ ସେ ଏତେ ସହଜରେ ନଷ୍ଟ କରି ଦେଇପାରିବ ନାହିଁ । ନାରୀ ତା’ ଜୀବନର ଚରମ ଶତ୍ରୁ ବା ପରମ ମିତ୍ର ହେଉ ନ ହେଉ; ତା’ ଅଫିସ ଘର ଭିତରକୁ, ନା ନା.....

 

ଚନ୍ଦ୍ରକାଂତ ଝଡ଼ବେଗରେ ଅଫିସ ରୁମ୍‍ରୁ ପଦାକୁ ବାହାରିଗଲା ।

 

ମଧୁମିତା ବେହେରା ସହିତ ଆଗେଇ ଆସୁଥିଲା ହଲ୍ ଭିତରେ ଚନ୍ଦ୍ରକାଂତର ଅଫିସ ଆଡ଼କୁ । ହଲ୍ ଭର୍ତ୍ତି କର୍ମଚାରୀମାନେ ଚାହିଁଥିଲେ ମଧୁମିତା ଆଡ଼କୁ । ଏକ ଅସ୍ପଷ୍ଟ ଗୁଞ୍ଜନ ବି ସୃଷ୍ଟି ହୋଇଯାଇଥିଲା ।

 

ହଠାତ୍ ଚନ୍ଦ୍ରକାଂତର ଆବିର୍ଭାବରେ ସବୁ ନୀରବ ହୋଇଗଲା । ମଝି ବାଟରେ ମଧୁମିତା ବି ଅଟକି ଗଲା ।

 

ଅଥଚ ଚନ୍ଦ୍ରକାଂତ...ମଧୁମିତାକୁ କ’ଣ ପଚାରିବାକୁ ଯାଇ କିଛି ନ ପଚାରି ପାରି ମୁକଙ୍କ ଭଳି ଠିଆ ହୋଇ ପଡ଼ିଲା ହଲ୍‍ଟା ମଝିରେ ।

 

ମଧୁମିତା ଚନ୍ଦ୍ରକାଂତର ଆଚରଣରେ ବିବ୍ରତ ନ ହୋଇ ସ୍ମିତ ହସି କହିଲା, ଅସମୟରେ ଆସି ବୋଧହୁଏ ଅସୁବିଧାରେ ପକାଇଲି ।

 

ଚନ୍ଦ୍ରକାଂତ ହଲ୍ ର ଚାରିଆଡ଼କୁ ଥରେ ଚାହିଁଲା । କେହି ତାଙ୍କ ଆଡ଼କୁ ଲକ୍ଷ୍ୟ କରିଛନ୍ତି କି ନାହିଁ । ତା’ପରେ ମଧୁମିତାକୁ କହିଲା, ଡାଡ଼ି ବୋଧେ ତଳେ ଅପେକ୍ଷା କରିଛନ୍ତି ?

 

ମଧୁମିତା ମୁହଁରୁ କୌଣସି ଉତ୍ତରରେ ପ୍ରତ୍ୟାଶା ନ କରି ଚନ୍ଦ୍ରକାଂତ ଦ୍ରୂତ ପଦରେ ଲିଫ୍‍ଟ ଆଡ଼କୁ ଆଗେଇ ଗଲା ।

 

ଏଥର ମଧୁମିତା ଚନ୍ଦ୍ରକାଂତର ଆଚରଣରେ ନ ହସି ରହି ପାରିଲା ନାହିଁ । ସେ ଯାଇ ଚନ୍ଦ୍ରକାଂତର କାନ ପାଖରେ ବଡ଼ ପାଟି କରି କହିଲା, ନା ନା ନା, ଡାଡ଼ି ତଳେ ନାହାନ୍ତି । ତାଙ୍କୁ ମୁଁ ଘରେ ଛାଡ଼ି ଦେଇଆସିଛି ।

 

ଏଥର ଚନ୍ଦ୍ରକାଂତ ଯେପରି ପ୍ରକୃତିସ୍ଥ ହେଲା । ଲିଫ୍‍ଟର ବୋତାମ ଗୋଟାଏ ହାତରେ ଟିପି ଧରି କହିଲା, ମୁଁ ଜାଣେ ଡାଡ଼ି ତମ ସହିତ ଆସି ନ ଥିବେ । ତଥାପି ମୋତେ ବାହାନା କରି ଏ ଯାଏ ଛୁଟି ଆସିବାକୁ ହେଲା । ହଲ୍ ଭିତରର କର୍ମଚାରୀମାନଙ୍କ ଆଗରେ ଠିଆ ହୋଇ ତମ ସହିତ କ’ଣ କଥାବାର୍ତ୍ତା କରିଥାନ୍ତି ?

ଓଃ, ମଧୁମିତା ହୋ ହୋ ହୋଇ ହସି ଉଠି ଥାଆନ୍ତା ହୁଅତ । କିନ୍ତୁ ଲିଫି୍‍ଟ ଆସି ପହଞ୍ଚି ଯିବାରୁ ସେ ନିଜକୁ ସମ୍ୱରଣ କରିନେଲା ।

ନୀରବରେ ଦୁଇଜଣ ତଳକୁ ଓହ୍ଲେଇଗଲେ ।

ଚନ୍ଦ୍ରକାଂତ ତଳେ ଯାଇ ଗାଡ଼ିର ଦରଜା ଖୋଲୁ ଖୋଲୁ କହିଲା, ତମେ ଶୀଘ୍ର ଆସି ଭଲ କରିଛ । ଟେବୁଲ ଉପରେ ଏତେ କାମ ଜମି ରହିଥିଲା ଯେ, କାମ ଭିତରେ ହଜିଯାଇ ମୁଁ ତମକଥା ଏକଦମ୍ ଭୁଲିଯାଇ ଥାଆନ୍ତି ।

ମଧୁମିତା ଚନ୍ଦ୍ରକାଂତ ପାଖକୁ ଲାଗି ବସିଲା ।

ଚନ୍ଦ୍ରକାଂତ ପଚାରିଲା, ଗ୍ରାଣ୍ଡ ନା ଗ୍ରେଟ୍ଇଷ୍ଟର୍ଣ୍ଣ ? କେଉଁଠିକି ଯିବା ।

ହଠାତ୍ ଗ୍ରାଣ୍ଡ, ଗ୍ରେଟ୍ଇଷ୍ଟର୍ଣ୍ଣ କାହିଁକି ?

ମୋତେ କିନ୍ତୁ ଭୀଷଣ ଭୋକ କଲାଣି । ଆଗ ପେଟ ନ ଭରିବା ଯାଏ ଆଉ କୁଆଡ଼େ ପାଦେ ବଢ଼ି ହେବନାହିଁ ।

ମଧୁମିତା କହିଲା, ଘରକୁ ଚାଲ ।

ଘରକୁ ଯାଇ ଲାଭ ?

ମଧୁମିତା ସ୍ମିତ ହସି କହିଲା, ହୋଟେଲ ରେଷ୍ଟୁରେଣ୍ଟ ସେଇମାନଙ୍କୁ ପୋଷାଏ ଯେଉଁମାନଙ୍କର ଘର ଦ୍ୱାର ନାହିଁ, ଆତ୍ମୀୟ ସ୍ୱଜନ ନାହାନ୍ତି ।

 

ଚନ୍ଦ୍ରକାଂତ ମଧୁମିତାର ସ୍ୱରରୁ ଯେପରି ଆଉ ଏକ ମଧୁସଙ୍ଗୀତର ଧ୍ୱନି ଶୁଣିଲା । ବିଶ୍ୱାସ କରି ପାରିଲା ନାହିଁ ହୁଏତ । ବୁଲି ଚାହିଁଲା ମଧୁମିତା ମୁହଁକୁ ।

 

କିନ୍ତୁ......

 

ସେ କିନ୍ତୁ ଫିନ୍ତୁ ମୁଁ କିଛି ଶୁଣିବି ନାହିଁ । ମୁଁ ଯାହା ଆଦେଶ କରୁଛି, ସେଇଆ ତମକୁ ପାଳନ କରିବାକୁ ହେବ ।

 

ଚନ୍ଦ୍ରକାଂତ କେଜାଣି କାହିଁକି ଆଉ କିଛି କହିବାକୁ ଭରସା କରିପାରିଲାନାହିଁ । ନୀରବରେ ଗାଡ଼ି ଚଳେଇଲା ।

 

ମଧୁମିତା ଏଥର ଅତି ସହଜ ସ୍ୱରରେ କହିଲା, ମତେ ଅଫିସରେ ଦେଖି ତମେ ଖୁବ୍ ଡ଼ରି ଯାଇଥିଲ, ନାଁ ?

 

ଏଁ,...ମୁଁ ଡ଼ରି ଯାଇଥିଲି । କିଏ କହିଲା ତୁମକୁ ? ନାଁ ତ, ମୁଁ ତମୁକୁ ଦେଖି ଡ଼ରି ଯାଆନ୍ତି କାହିଁକି ?

 

ମଧୁମିତା ହସିଲା । ସେ ଚନ୍ଦ୍ରକାଂତ ପାଖକୁ ଆଉ ଟିକିଏ ଲାଗି କରି ବସି କହିଲା, ତମର ହୁଏତ ଗୁଡ଼ାଏ ବୟସ ହୋଇଛି ଚନ୍ଦ୍ରବାବୁ, କିନ୍ତୁ ତମେ ଆଜିର ଦୁନିଆରେ ଏବେ ବି ଶିଶୁ ହୋଇ ରହିଯାଇଛ । ମୋ ଆଖିକୁ ଫାଙ୍କିଦେବା ଭଳି ଶକ୍ତି ତମର ହୋଇ ନାହିଁ ।

 

ଆରେ ନା ମିତା । କଥା କ’ଣ କି, ତମେ କେବେ ଆମ ଅଫିସକୁ ଯାଇନାହିଁ ତ । ଅଫିସର କର୍ମଚାରୀମାନଙ୍କ ଦୃଷ୍ଟିଭଙ୍ଗ ଅତି ସଂକୀର୍ଣ୍ଣ । ସେମାନେ ହୁଏତ ତମ ମୋ ସମ୍ୱନ୍ଧରେ ନାନା ପ୍ରକାର ମୁଖରୋଚକ କଥାମାନ ସୃଷ୍ଟି କରି ଆନନ୍ଦ ଅନୁଭବ କରିବେ । ସେଇଥିପାଇଁ ଅଫିସ ଭିତରେ ତମ ସହିତ କିଛି କଥାବାର୍ତ୍ତା କରିବା ପାଇଁ ମୁଁ ଇଚ୍ଛା କଲି ନାହିଁ ।

 

ମୁଁ ବୁଝିଛି ସବୁ, ମତେ ଆଉ ବୁଝେଇବାକୁ ହେବ ନାହିଁ କିଛି । ଆଚ୍ଛା କହିଲ, ନିରୋଳାରେ ତମେ ଆଜି ମୋ ସହିତ କେତେବେଳେଯାଏ ରହିପାରିବ ?

 

ମଧୁମିତା ପ୍ରଶ୍ନରେ ଚନ୍ଦ୍ରକାଂତ ଯେପରି ଆଉ ଏକ ନୂତନ ଦିଗର ସନ୍ଧାନ ପାଇଲା । ନିରୋଳାରେ, ତମ ସହିତ...ମାନେ ? ଆଖିରେ କେବଳ ପ୍ରଶ୍ନବାଚୀ ?

 

ମଧୁମିତା ହସି ହସି କହିଲା, ସତେରେ ତମୁକୁ ଦେଖିଲେ ଆଜି ମୋର ଦୟା ହେଉଛି । ତମେ ଯେ ଏକଦମ୍ ଶିଶୁ ସେ କଥା ମୋତେ ୟା ଆଗରୁ ଜଣା ନ ଥିଲା ।

 

କଥାର ପ୍ରସଙ୍ଗ ବଦଳାଇବାକୁ କି କ’ଣ କେଜାଣି, ସାମ୍ନା ପେଟ୍ରେଲ ପମ୍ପ ପାଖରେ ଗାଡ଼ିଟା ଅଟକେଇ ଚନ୍ଦ୍ରକାଂତ କହିଲା, କିଛି ପେଟ୍ରେଲ ନେବାକୁ ହେବ । ବୋଧହୁଏ ଶେଷ ହୋଇଆସିଲାଣି ।

 

ମଧୁମିତା କିଛି ଉତ୍ତର ନ ଦେଇ ନୀରବରେ ବସି ରହିଲା ।

 

ଚନ୍ଦ୍ରକାଂତ ପାଞ୍ଚଲିଟର ପେଟ୍ରୋଲର ବିଲ୍ ମେଣ୍ଟେଇ ପୁଣି ଯେତେବେଳେ ଗାଡ଼ିରେ ଷ୍ଟାର୍ଟ ଦେଲା, ମଧୁମିତା କହିଲା, ଟିକିଏ ଶୀଘ୍ର ଚାଲ । ଘରେ ପହଞ୍ଚି ପୁଣି ବାହାରିବାକୁ ହେବଟି !

 

କିନ୍ତୁ ଅଯଥାରେ ଘରକୁ ଯିବାକୁ ତମର କାହିଁକି ଯେ ଜିଦ୍ ମୁଁ କିଛି ବୁଝିପାରୁନାହିଁ । ଘରେ ତ ଖାଇବାକୁ କିଛି ନ ଥିଲା । ତା’ ଛଡ଼ା ତମ ଭଳି ଜଣେ ବିଶେଷ ଅତିଥିଙ୍କୁ ସଙ୍ଗରେ ନେଇ, କପେ କଫି, ଦି’ଖଣ୍ଡ ବିସ୍କୁଟ ଦେଇ ବିଦା କରିବାକୁ ଆଜି ମୋର ପ୍ରାଣ ଚାହିଁ ନାହିଁ ।

 

ମଧୁମିତା ଚନ୍ଦ୍ରାକାଂତ ଆଡ଼େ କଣେଇ ଚାହିଁ, ଅଳ୍ପ ଅଳ୍ପ ହସୁଥିଲା ।

 

ଲୋକଟା ସତେରେ ନିରୀହ !

 

ସେଦିନ ନିତାନ୍ତ ଅସମୟରେ ଘରେ ପହଞ୍ଚି ମଧ୍ୟ ଗଣେଶ ମୁହଁରେ କୌଣସି ପ୍ରକାର ଭାବାନ୍ତର ଲକ୍ଷ୍ୟ ନ କରି ଚନ୍ଦ୍ରକାଂତ ବିସ୍ମିତ ହୋଇଥିଲା ।

 

ମଧୁମିତା ଚନ୍ଦ୍ରକାଂତକୁ ଡ୍ରଇଂରୁମ୍‍ରେ ଛାଡ଼ି, ଗଣେଶକୁ ସଙ୍ଗରେ ନେଇ ଘର ଭିତରକୁ ପଶିଗଲା । ସେ ଯେପରି ଏ ଘରର ବହୁ ପରିଚିତା ।

 

ଚନ୍ଦ୍ରକାଂତ ମଧୁମିତାର ଯିବାପଥକୁ ନୀରବରେ ଚାହିଁରହିଥିଲା । ସେ ଭୁଲି ଯାଇଥିଲା ନିଜକୁ । ଭୁଲି ଯାଇଥିଲା ମଧୁମିତା ଆବିର୍ଭାବକୁ ।

 

କିନ୍ତୁ ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କ ଆଖି ଦୁଇଟା ?

 

ସଜାଗ ପ୍ରହରୀଙ୍କ ପରି ସଦାବେଳେ ଚନ୍ଦ୍ରାକାଂତର ଚାରିପାଖରେ ବୁଲୁଛି । ମଧୁମିତା ନାରୀ ଚରିତ୍ରର ଯେତେବଡ଼ ବ୍ୟତିକ୍ରମ ହେଲେ ବି ସେ ନାରୀ ।

 

କିନ୍ତୁ ମୃତ୍ୟୁଞ୍ୟୟ ମଙ୍ଗରାଜଙ୍କ ମନରେ ତୀବ୍ର ନାରୀ ବିଦ୍ୱେଷ କାହିଁକି ?

 

ଯାହା ଆଜି ପର୍ଯ୍ୟନ୍ତ ଚିନ୍ତା କରିବାର ଅବକାଶ ପାଇ ନ ଥିଲା ଚନ୍ଦ୍ରକାଂତ । ଆଜି କାହିଁକି ହଠାତ୍ ତା’ ମନ ଭିତରେ ସେହି ପ୍ରଶ୍ନଟି ବାରମ୍ୱାର ପ୍ରତିଧ୍ୱନିତ ହୋଇଉଠିଲା ! ଏ ସମ୍ୱନ୍ଧରେ ଅବଶ୍ୟ କେବେ କୌଣସି ପ୍ରଶ୍ନ କରି ନ ଥିଲା ଚନ୍ଦ୍ରକାଂତ । ଚିନ୍ତା କରି ନ ଥିଲା ବି ଦିନେ-। କାରଣ ନାରୀ ସମ୍ୱନ୍ଧରେ ତା’ର କୌଣସି କୌତୁହଳ ନ ଥିଲା କେବେ । ସକାଳୁ ବିଛଣାରୁ ଉଠି ପୁଣି ଅଧିକ ରାତିରେ ଶୋଇବାଯାଏ ସେ କେବଳ କାମର କଥା ଚିନ୍ତା କରି ଶିଖିଥିଲା ।

 

କିନ୍ତୁ…ମଧୁମିତା ଲୁଗାପଟା ଅଣ୍ଟାରେ ଭିଡ଼ି ଦେଇ ହାତରେ ଗୋଟିଏ ଟ୍ରେ ଧରି ଆଗେଇ ଆସୁଛି ।

 

ଆରେ, ଏସବୁ ଆସିଲା କେଉଁଠୁ ? ଗଣେଶକୁ ଏତେ ପ୍ରକାର ରାନ୍ଧି ଆସେ ?

 

ମଧୁମିତା କହିଲା, ତମର ଖାଇବା କଥା, କାହାକୁ କ’ଣ ଆସେ ନ ଆସେ ଏତେ ସବୁ ଚିନ୍ତା କରିବାକୁ ହେବ ନାହିଁ ।

 

ଗଣେଶ ହସି ହସି କହିଲା, ସବୁ ଦିଦି ରାନ୍ଧୁଛନ୍ତି । ଗୋଟାଏବେଳୁ ଆସି ରୋଷେଇ ଘରେ ପଶିଥିଲେ ।

 

ଚନ୍ଦ୍ରକାଂତ ଆଖିରେ ଏକ ଶୀତଳ ଚାହାଣୀ ଫୁଟିଉଠିଲା । ସେ ନିଜେ ନ କହିଲେ ବି ତା’ କଥା ଚିନ୍ତା କରିବା ପାଇଁ ଯେ ଜଣେ ଲୋକ ଅଛି, ଏ କଥା ଯେତେବେଳେ ସେ ଭାବିଲା କୃତଜ୍ଞାତାରେ ତା’ମନଟା ଭରିଗଲା ।

 

ସେଇ ମୁହୁର୍ତ୍ତରେ ମଧୁମିତା ତାକୁ କ’ଣ ଖାଇବାକୁ ଦେଲା, ସେ କେତେ ଖାଇଲା, ତା’ର କିଛି ମନେ ରହିଲା ନାହିଁ । ସେ କେବଳ ଅନୁଭବ କରୁଥିଲା ଏକ ସ୍ନେହମୟୀ ନାରୀର ତା’ ପ୍ରତି ଗଭୀର ଆନ୍ତରିକତାର କଥା ।

 

ଅଥଚ ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କ ନିର୍ଦ୍ଦେଶ ଅନୁସାରେ ଏହିପରି ଏକ ଅନ୍ତରଙ୍ଗକୁ ସେ ବାଘ ଭାଲୁ ଠାରୁ ଆହୁରି ଭୟଙ୍କର ମନେ କରିବା । କିନ୍ତୁ ମଧୁମିତା ଯଦି ତା’ ଭଉଣୀ ହୋଇଥାଆନ୍ତା, ତା’ହେଲେ ମୃତ୍ୟୁଞ୍ଜୟ ମଙ୍ଗରାଜ......

 

ମଧୁମିତା ଓ ଗଣେଶ ଏକା ସାଙ୍ଗରେ ହୋ ହୋ ହୋଇ ହସି ଉଠିବାରୁ ଚନ୍ଦ୍ରକାଂତ ଏକ ଅସହାୟ ଚାହାଣୀରେ ଦୁହିଁଙ୍କ ମୁହଁକୁ ଅନାଇଲା ।

 

ସେ ଲଜ୍ଜିତ ହେଲା, ଯେତେବେଳେ ବୁଝି ପାରିଲା ଗ୍ଲାସକଯାକ ପାଣି ସେ କଫି ପଟ୍‍ରେ ଭରି ଦେଇଛି ।

 

ମଧୁମିତା ହସି ହସି କହିଲା, କିଛି ପରବାଏ ନାହିଁ, ମୁଁ ସଂଗେ ସଂଗେ ଆଉ ଗୋଟାଏ ପଟ୍ କଫି କରି ଆଣୁଛି, କିନ୍ତୁ ତମର ଏତେ ଆନମନା ଭାବ ଭଲ ନୁହେଁ ତ !

 

ଠିକ୍ କହିଛ ମିତା । ଚନ୍ଦ୍ରକାଂତ ଉଠି ଠିଆ ହେଲା ।

 

ମଧୁମିତା ଟାଓ୍ୱେଲଟା ବଢ଼େଇ ଦେଇ ପଚାରିଲା, ଉଠିଲ ଯେ ?

 

ଚନ୍ଦ୍ରକାଂତ ହାତ ପୋଛୁ ପୋଛୁ କହିଲା, ନା, ମୁଁ କ’ଣ କହୁଥିଲି କି, ତମେ ମୋ ପାଇଁ ଏତେ ପରିଶ୍ରମ କରି ନ ଥିଲେ ଚଳି ଥାଆନ୍ତା ।

 

ମଧୁମିତା କହିଲା, ଏଇଗୁଡ଼ା ବଡ଼ ବାଜେ କଥା । ମୋତେ ଏପରି କଥା ମୋଟେ ଭଲ ଲାଗେ ନାହିଁ ।

 

କାହିଁକି, ମୋ ପାଇଁ ତମର ଏତେ କରିବାର କି ଯୁକ୍ତି ଅଛି ?

 

ଯୁକ୍ତି ତର୍କର ମୁଁ ଧାର ଧାରେନାହିଁ ଚନ୍ଦ୍ରବାବୁ । ମୋତେ ଯାହା ଭଲ ଲାଗେ ମୁଁ କରେ । ଅବଶ୍ୟ ତମେ ଯଦି ମୋତେ ଅଧିକାର ନ ଦିଅ, ସେଇଟା ଅଲଗା କଥା ।

 

ଅଧିକାର ମାନେ ? ଚନ୍ଦ୍ରକାଂତ ମୁହଁରେ ବିସ୍ମୟ ଫୁଟି ଉଠିଲା ।

 

ମଧୁମିତା ହସୁ ହସୁ କହିଲା, ଅଧିକାର ମାନେ ଅଧିକାର । ତମେ ପରେ ସେ ସବୁ କଥା ବୁଝି ପାରିବ । ଏଇନେ ଚାଲିବଟି, ଅନେକ କାମ ଅଛି ।

 

ଚନ୍ଦ୍ରକାଂତ ମଧୁମିତାର ମୁହଁକୁ ଚାହିଁ ନୀରବ ହେଲା । ତା’ର ସମସ୍ତ ପ୍ରଶ୍ନର ଉତ୍ତର ଯେପରି ହଜି ଯାଇଥିଲା ସେଇଠି । ଆଉ ସେ ନିଜେ ଯେପରି ଏକ ଅବୋଧ ଶିଶୁ ।

 

ଚନ୍ଦ୍ରକାଂତ ମଧୁମିତାର ହାତ ଧରି ବାହାରି ପଡ଼ିଲା ।

 

କୁଆଡ଼େ ଯିବେ ସେମାନେ ?

 

ମଧୁମିତା କହିଲା, ଗୋଟିଏ ଖୁବ୍ ନିରୋଳା ଜାଗାକୁ ଚାଲ । ଏ କୋଳାହଳ ଆଉ ମୋଟେ ଭଲ ଲାଗୁନାହିଁ ।

 

କୋଳାହଳ ଜଗତରୁ ମୁକ୍ତୁ କରି ମଧୁମିତାକୁ ଯେ କେଉଁଠିକି ନେବ ଚନ୍ଦ୍ରକାଂତ ହୁଏତ ଚିନ୍ତା କରି ପାରୁ ନ ଥିଲା । ଗାଡ଼ି ଚାଲିଥିଲା ରାସ୍ତା ଉପରେ । ମଧୁମିତା ବସିଥିଲା ଚନ୍ଦ୍ରକାଂତ ପାଖରେ । ଭାଷା ହଜି ଯାଇଥିଲା ଦୁହିଁଙ୍କ ମୁହଁରୁ ।

 

ଆଚ୍ଛା, ତମେ ଯେ ମୋ ସଙ୍ଗରେ ଏପରି ଘୁରି ବୁଲୁଛ ଏବଂ ସୁଯୋଗ ପାଇଲେ ଭବିଷ୍ୟତରେ ଆହୁରି ବୁଲିବ, ଏକଥା ତମ ଆତ୍ମୀୟ ସ୍ୱଜନମାନେ ନିଶ୍ଚୟ ଭଲ ଆଖିରେ ଦେଖିବେ ନାହିଁ । ମଧୁମିତା ଶାନ୍ତ କଣ୍ଠରେ ପଚାରିଲା ।

 

ଆତ୍ମୀୟ ସ୍ୱଜନ ? ଚନ୍ଦ୍ରକାଂତ ଚମକି ଉଠି ଥରେ ଅବଜ୍ଞାର ହସ ହସି ନୀରବ ହୋଇଗଲା ।

 

ମଧୁମିତା ଅଳ୍ପ ନୀରବତା ପରେ ପୁଣି କହିଲା, ଡାଡ଼ି କହୁଥିଲେ ତମେ କୁଆଡ଼େ ତାଙ୍କୁ ଖୁବ୍ ଭଲ ଲାଗିଛ । ତମ ସ୍ୱଭାବ କୁଆଡ଼େ ତାଙ୍କ ସହିତ ମିଶି ଯାଉଛି ।

 

ହେଇଥିବ । ମୋତେ ବି ଡାଡ଼ିଙ୍କୁ ଖୁବ୍ ଭଲ ଲାଗିଛି ।

 

ପୁଣି ନୀରବତା ।

 

କିଛି ସମୟ ପରେ ଚନ୍ଦ୍ରକାଂତ କହିଲା, ପୃଥିବୀରେ ଏତେ ଲୋକ ଥାଉ ଥାଉ ତମେ କାହିଁକି ମୋ ପାଖକୁ ଛୁଟି ଆସିଛ କହି ପାରିବ ?

 

ମଧୁମିତା ଚନ୍ଦ୍ରକାଂତ ମୁହଁକୁ ଏକ ଶାନ୍ତ ଚାହାଣୀରେ ଚାହିଁ ହସି ହସି ଗଡ଼ିଗଲା । ସତେରେ, ତମକୁ ଦେଖିଲେ, ତମ କଥା ଶୁଣିଲେ, ମୋ ଗୌତମ କଥା ମନେ ପଡ଼ିଯାଏ । ଦିନେ ଦିନେ ସେ ଆମ ଘରକୁ ଆସି ମୋତେ ନାନା ପ୍ରଶ୍ନରେ ବିବ୍ରତ କରିପକାଏ । ଯେପରି, ଏ ଫୁଲ କାହିଁକି ମୁଣ୍ଡରେ ଖୋଜିଛ ଦିଦି ? କୁକୁରଟା କଳା ନ ହୋଇ ଧଳା କାହିଁକି ହେଲା ? ଟିକିଏ ନୀରବ ରହି ପୁଣ କହିଲା, ଗୌତମର ବୟସ କେତେ ଜାଣ ? ଖୁବ୍ ବେଶୀ ହେଲେ ଛଅ ହେବ ।

 

ଚନ୍ଦ୍ରକାଂତ କହିଲା, ମୋ ଆଉ ଗୌତମ ଭିତରେ ତମେ ଯଦି ତଫାତ୍ ଖୋଜି ନ ପାଉଛ, ତମର କ’ଣ କ୍ଷତି ହେଉଛି ? ଯଦି ହେଉଥାଏ ତା’ ହେଲେ ମୁଁ ଆଉ ତମ ଘରକୁ ଯିବିନାହିଁ-

 

ମଧୁମିତା କହିଲା, ଜୀବନରେ ସବୁବେଳେ ଲାଭ କ୍ଷତିର ହିସାବ କରି ଚଳି ହୁଏନାହିଁ । ଜୀବନ ଏପରି ଏକ ସ୍ୱପ୍ନ, ଯାହାର କୌଣସି ଆକାର ନାହିଁ । ସେଇଥିପାଇଁ କେତେବେଳେ ଗୌତମ ପ୍ରଶ୍ନର ଉତ୍ତର ଦେଇ ନ ପାରି ଆନନ୍ଦ ମିଳେ ଆଉ କେତେବେଳେ ଚନ୍ଦ୍ରକାଂତ ପଛରେ ଧାଇଁବାକୁ ବି ଇଚ୍ଛା ହୁଏ । ତେଣୁ ଜୀବନ ପଟରେ ଯେତେବେଳେ ଯେଉଁ ଚିତ୍ର ପ୍ରତିଫଳତ ହୁଏ, ତା’ ଭିତରୁ କିଏ ସ୍ଥାୟୀ କିଏ ଯେ ଅସ୍ଥାୟୀ କହି ହୁଏନାହିଁ ।

 

ଚନ୍ଦ୍ରକାଂତ ଷ୍ଟିଅରିଂ ଉପରେ ହାତ ରଖି ମଧୁମିତା ଜୀବନର ଏକାନ୍ତ ଗୋପନ କଥା ଶୁଣୁଥିଲା । ମନେ ହେଉଥିଲା, ମଧୁମିତା ନିହାତି ସତ କଥା କହୁଛି । କାରଣ ଚନ୍ଦ୍ରକାଂତର ଜୀବନ ପଟରେ ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କ ବ୍ୟତୀତ ଆଉ ଯେ କାହାର ଚିତ୍ର ଓ୍ୱାଟର କଲରରେ ହେଲେ ବି ଅଙ୍କନ କରାଯାଇ ପାରେ, ଚନ୍ଦ୍ରକାଂତର ମଧୁମିତା ସହିତ ଦେଖା ହୋଇ ନ ଥିଲେ ହୁଏତ ଅନୁଭବ କରି ପାରି ନ ଥାନ୍ତା ।

 

ମଣିଷ ମଣିଷର ବଂଧୁ, ମଣିଷ ମଣିଷର ଆତ୍ମୀୟ । ଠିକ୍ ଏଇ ରୀତିରେ ତ ସଂସାର ଚକ ଗଡ଼ି ଆସୁଚି ଆବହମାନ କାଳରୁ । ତା’ନ ହୋଇଥିଲେ ଘର, ସଂସାର, ବସତି, ଏଗୁଡ଼ାର ଆବଶ୍ୟକ ନ ଥିଲା ମୋଟେ । ମଣିଷ ଜଙ୍ଗଲରେ ରହୁଥାନ୍ତା । ଝରଣାର ପାଣି ଆଉ ଜଙ୍ଗଲର ଫଳ ଖାଇ ଆଖି ବୁଜି ଶୋଇ ରହୁଥାନ୍ତା ଆରାମରେ । ଦିନ ପରେ ଦିନ, ରାତି ପରେ ରାତି କଟି ଯାଆନ୍ତା; ତା’ ହେଲେ ଏତେ ବଡ଼ ବଡ଼ ସହର, ବଜାଇ ଗଢ଼ି ଉଠି ଥାଆନ୍ତି କାହିଁକି ?

 

ମଧୁମିତା କହିଲା, ଏଇଠି ଗାଡ଼ି ଅଟକାଅ ।

 

ଚନ୍ଦ୍ରକାଂତ ଦେଖିଲା, ସେମାନେ ଆସି ଗଙ୍ଗାକୂଳେ ପହଞ୍ଚି ଯାଇଛନ୍ତି । ବହୁଥର ଏଇବାଟେ ସେ ଗାଡ଼ି ଛୁଟାଇ ଯିବା ଆସିବା କରିଛି, କିନ୍ତୁ କେବେ ତ ତାକୁ ଏଠାକାର କୌଣସି ବସ୍ତୁ ଆକର୍ଷଣ କରି ପାରିନାହିଁ !!

ଆଜି କିନ୍ତୁ ସେ ମଧୁମିତା ସହିତ ଗାଡ଼ିରୁ ଓହ୍ଲାଇ, ପାଦେ ପାଦେ ପାଦେ କରି ଆଗେଇଲାବେଳେ ତା’ର ମନେ ହେଉଛି, ଏ ଏକ ନୂତନ ରାଜ୍ୟ, ଏ ଏକ ଅପୂର୍ବ ଅନୁଭୂତି । ଗଙ୍ଗା ବକ୍ଷରେ ବଡ଼ ବଡ଼ ଜାହାଜ ଆଉ ସାନ ସାନ ନୌକା, ସେମାନଙ୍କର ସମସ୍ତଙ୍କର ସ୍ୱତନ୍ତ୍ର ଗତିବିଧି । ତରଙ୍ଗର ତାଳେରେ ସାନ ସାନ ନୌକାମାନେ ଯେପରି ପଡ଼ି ଉଠି ଧାଇଁଛନ୍ତି, ବଡ଼ ବଡ଼ ଜାହଜ ଗୁଡ଼ାକ ସେହିପରି ଛାତି ଦମ୍ଭକରି ଠିଆ ହୋଇଛନ୍ତି ।

ମଧୁମିତା ଘାସ ଉପରେ ବସିପଡ଼ିଲା । ଚନ୍ଦ୍ରକାଂତ ବି ବସିଲା ତା’ ପାଖରେ ।

ଆଜି ଯେପରି ଆକାଶର ତାରାମାନଙ୍କର ଗତିବିଧି ଏକ ସ୍ୱତନ୍ତ୍ର ରୂପ ଧାରଣ କରିଛି । ଆକାଶକୁ ଚାହିଁ ଚନ୍ଦ୍ରକାଂତ ଦେଖିଲା, କେହି ଯେମିତି ଗୋଟିଏ ଜାଗାରେ ସ୍ଥିର ହୋଇ ବସି ପାରୁନାହାନ୍ତି । ସମସ୍ତଙ୍କର ସ୍ଥିତି ଅଛି, ତା’ ସଂଗେ ଗତି ବି ଅଛି ।

କିନ୍ତୁ ଏ ପୃଥିବୀରେ ଏକା କ’ଣ ଚନ୍ଦ୍ରକାଂତ ବେଗତିକ ହୋଇରହିଯିବ ? ତା’ର ସ୍ଥିତି ସମ୍ୱନ୍ଧରେ ଯେପରି ସେ ଅଚେତନ, ଗତି ସମ୍ୱନ୍ଧରେ ବି ସେହିପରି......

ଦେଖୁଚ ? ମଧୁମିତା ଚନ୍ଦ୍ରକାଂତକୁ ହଲେଇ ଦେଇ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଙ୍ଗୁଳି ଦେଖାଇଲା ।

କ’ଣ ?

ଏଇ ଯେଉଁ ସ୍ରୋତ ବହି ଚାଲିଛି ।

ଏଥିରେ ବିଶେଷତ୍ୱ କ’ଣ ଅଛି ?

ମଧୁମିତା ଅଳ୍ପ ହସି କହିଲା, ଅଛି ଚନ୍ଦ୍ରବାବୁ, ଏହା ପୁଣି ବିପରୀତ ମୁଖୀ ହେବ ।

ସେଇଆ ତ ନିୟମ । ସୃଷ୍ଟିଠାରୁ ଆଜିଯାଏ ଚଳି ଆସୁଚି । ଚନ୍ଦ୍ରକାଂତ ଗମ୍ଭୀର କଣ୍ଠରେ କହିଲା ।

ମଧୁମିତା ହସି ହସି ଚନ୍ଦ୍ରକାଂତ ପିଠିରେ ଆଉଜିପଡ଼ି ଆକାଶକୁ ଚାହିଁ କହିଲା, ସେତିକି ମୁଁ ତମ ମୁହଁରୁ ଶୁଣିବାକୁ ଚାହେଁ ଚନ୍ଦ୍ରବାବୁ । ସୃଷ୍ଟିର ଯେ ଗୋଟାଏ ଧର୍ମ ଅଛି, ଆଉ ସେଇ ଧର୍ମକୁ ପାଳନ କରିବା ପାଇଁ ଆମେ ଜନ୍ମ ହେଇଛେ, ଏତିକି ଯଦି ତମେ ଅନୁଭବ କରିପାରେ ତା’ ହେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ।

 

ଯଦିଓ ମଧୁମିତାର ଏହି ସୃଷ୍ଟିତତ୍ତ୍ୱ ଚନ୍ଦ୍ରକାଂତକୁ ରହସ୍ୟମୟ ମନେ ହେଲା କିନ୍ତୁ ମଧୁମିତାର ସ୍ପର୍ଶ ଚନ୍ଦ୍ରକାଂତ ଦେହରେ କିପରି ଏକ ଅନୁଭୂତ ସୃଷ୍ଟି କରିଦେଲା ।

 

ଚନ୍ଦ୍ରକାଂତ ବୁଲି ପଡ଼ିଲା ମଧୁମିତା ଆଡ଼କୁ । ଚାହାଣୀରେ ଫୁଟି ଉଠିଲା କିପରି ଏକ ଆକୁଳ କାକୁତି । ତା’ର ଯେପରି ବିଶେଷ ଗୋଟାଏ କିଛି ପରିବର୍ତ୍ତନ ହୋଇଛି । ଚନ୍ଦ୍ରକାଂତ ବୁଝି ପାରିଲା ନାହିଁ କିଛି ।

 

ମଧୁମିତା କହିଲା, ଏପରି ଏକ ମଧୁର ଲଗ୍ନରେ, ଏତେ ନିରୋଳାରେ ତମେ ମୋତେ ଏତେ ନିକଟରେ ପାଇ ତମର କିଛି ମନେହୁଏ ନାହିଁ ?

 

ଚନ୍ଦ୍ରକାଂତ ମଧୁମିତା ମୁହଁକୁ ଅନେକ ସମୟ ନୀରବରେ ଅନେଇ ରହିଲା । ନା, ଏ’ତ ସେଦିନର ବା ଘଣ୍ଟାକ ଆଗରେ ସେହି ମିତା ନୁହେଁ । ଆଖି, ମୁହଁ, ଦେହ ସବୁଠି ଏକ ବିଶେଷ ପରିବର୍ତ୍ତନର ଚିହ୍ନ । ସ୍ୱରଟା ବି କିପରି ଓଦା ଓଦା ।

 

ଚନ୍ଦ୍ରକାଂତ ମଧୁମିତା ପ୍ରଶ୍ନର ଉତ୍ତର ଦେଇ କହିଲା, ହଁ ମନେହୁଏ ମିତା, କିନ୍ତୁ ଏହି ଅସୁସ୍ଥତା ଭିତରେ ତମେ ଆସି ନ ଥିଲେ ମଧ୍ୟ ଚଳି ଥାଆନ୍ତା । ଘରେ ବସି ବସି ତ ଗଳ୍ପ କରି ପାରି ଥାଆନ୍ତେ ।

 

ମଧୁମିତା ଚନ୍ଦ୍ରକାଂତ ମୁହଁକୁ ସ୍ଥିର ହୋଇ କିଛି ସମୟ ଅନାଇ ରହିଲା । ଚନ୍ଦ୍ରକାଂତକୁ ସେ ଗୌତମ ସଙ୍ଗରେ ତୁଳନା କରିଥିଲା କିଛି ସମୟ ପୂର୍ବରୁ । କିନ୍ତୁ ବର୍ତ୍ତମାନ ତା’ର ମନେ ହେଉଛି, ଚନ୍ଦ୍ରକାଂତ ଗୌତମଠାରୁ ବି ଅଧମ !

 

ଏପରି ଲୋକ କ’ଣ ଆଜିର ଏହି ପୃଥିବୀରେ ଅଛନ୍ତି ?

 

ମଧୁମିତା ଚନ୍ଦ୍ରକାଂତକୁ ନିଜ ଆଖି ଆଗରେ ଦେଖି ନ ଥିଲେ ବୋଧହୁଏ ବିଶ୍ୱାସ କରି ପାରି ନଥାନ୍ତା !

 

ଚନ୍ଦ୍ରକାଂତ ବୋଧହୁଏ ମଧୁମିତାର ଅପଲକ ଚାହାଣୀ ଆଡ଼େ କିଛି ସମୟ ଅନାଇ ରହି, ଧୀରେ ଧୀରେ କହିଲା, ଫେରିଯିବା ଚାଲ । ରାତିହେଲାଣି । ଗଙ୍ଗାକୂଳେ ଆହୁରି ଥଣ୍ଡା ଲାଗିପାରେ-

 

ମଧୁମିତାର ମନେ ହେଉଥିଲା ସେ ଚିତ୍କାର କରି କହିବ, ଚନ୍ଦ୍ରକାଂତ ତୁମେ ଏଇ ମୁହୁର୍ତ୍ତରେ ଗଙ୍ଗାରେ ଝାସଦିଅ । ତମ ଭଳି ଅନାଡ଼ି ଲୋକ ସହିତ ଛକାପଞ୍ଜାର ଖେଳ ଖେଳିବାକୁ ସୁଯୋଗ ଆସିବ କୁଆଡ଼ୁ ? କିନ୍ତୁ ବହୁ କଷ୍ଟରେ ନିଜକୁ ସେ ସମ୍ୱରଣ କରିନେଲା ।

 

ଚନ୍ଦ୍ରକାଂତ ଉଠି ଉଠି ଠିଆ ହୋଇଥିଲା । ସେ ମଧୁମିତାର ହାତ ଧରି ତଳୁ ଉଠାଉ ଉଠାଉ କହିଲା, ଡାଡ଼ି ହୁଏତ ତେଣେ ବିରକ୍ତ ହେଉଥିବେ । ଚାଲ ଫେରିଯିବା ।

 

ମଧୁମିତା କୌଣସି ଉତ୍ତର ଦେଲା ନାହିଁ ।

 

ଚନ୍ଦ୍ରକାଂତର ପଛେ ପଛେ ମୋହାବିଷ୍ଟିଙ୍କ ପରି ଟଳି ଟଳି ଯାଇ ଗାଡ଼ିରେ ଉଠିଲା ।

 

ସେଦିନ ରାତିରେ ମଧୁମିତା ଶୋଇ ପାରିଲା ନାହିଁ । ଯେତେ ଚେଷ୍ଟାକରି ବି ଆଖିକୁ ତା’ର ନିଦ ଆସିଲା ନାହିଁ ।

 

ଚନ୍ଦ୍ରକାଂତ ବୁଝିଲା ନାହିଁ ମଧୁମିତାର ମନ , ଜାଣିଲା ନାହିଁ, ମଧୁମିତାର କାମନା । ସେ ଭାବିଲା ମଧୁମିତାର ଦେହ ଖରାପ ହୋଇଛି, ଅସୁସ୍ଥ ଦେହ ନେଇ ସେ ଆସିଛି ଚନ୍ଦ୍ରକାଂତ ସହିତ । ପୁରୁଷ ହୋଇ, ତରୁଣ ହୋଇ, ଚନ୍ଦ୍ରକାଂତ ଏଡ଼େ ନିର୍ବୋଧ ! ମନଟା କରୁଣାରେ ଭରିଗଲା ମଧୁମିତାର ।

 

ଅଥଚ ସେହି ଚନ୍ଦ୍ରକାଂତକୁ.......

 

ନା ନା ନା । ବିଛଣା ଉପରେ ଛଟପଟ ହେଉଥିଲା ମଧୁମିତା । ଯେପରି ସମଗ୍ର ଶରୀରଟା ତା’ର ଭରି ଯାଇଥିଲା ଏକ ଜ୍ୱାଳାରେ । ଦେହ ସାରା ଝାଳ ଜମି ଆସିଥିଲା । ତଣ୍ଟିଟା ଶୁଖିଗଲା ପରି ମନେ ହେଉଥିଲା ।

 

ଉଠି ବସିଲା ମଧୁମିତା ।

 

ଲାଇଟ୍ ଜଳେଇଲା ଘରର ।

 

କିନ୍ତୁ ଗ୍ଲାସଟା ଯେ ଖାଲି ! କେତେବେଳେ ସେ ଏହା ଭିତରେ ପିଇ ଦେଇଛି ପାଣିତକ-। କେତେଟା ବାଜୁଛି ?

 

ନା, ଏତେ ରାତିରେ ସେ ଆଉ ନାଜ୍‍ନିନ୍‍କୁ ବିରକ୍ତ କରିବ ନାହିଁ । ହୁଏତ ସେ ତା’ର ସ୍ୱାମୀ କଥା ଭାବି, ସ୍ୱାମୀର ସ୍ପର୍ଶ ଅନୁଭୂତିରେ ବିହ୍ୱଳ ହୋଇ ଅଳ୍ପ ସମୟ ପୂର୍ବରୁ ଆଖି ବୁଜିଥିବ ।

 

ସତେ କେତେ ସୁଖୀ ନାଜନିନ୍ । କେତେ ସଂକ୍ଷିପ୍ତ ତା’ର ଜୀବନ । କେତେ ଅଳ୍ପରେ ସେ ସନ୍ତୁଷ୍ଟ ! ସ୍ୱାମୀର ପଦୋନ୍ନତି ହେଲେ ସେ ନାଜନିନ୍ ପାଖକୁ ନେଇଯିବ । ସେମାନେ ଆନନ୍ଦରେ ଜୀବନ କଟାଇବେ । ଛୋଟ ସଂସାର, ଦୁଇଟି ଜୀବନ । ସୁଖର, ଆନନ୍ଦର । ଆଃ...ନାଜନିନ୍ ପରି ସଂକ୍ଷିପ୍ତ ଜୀବନ ଯଦି ହୋଇଥାନ୍ତା ମଧୁମିତାର.....

 

ଆଉ ବସି ପାରିଲା ନାହିଁ ମଧୁମିତା । ସମସ୍ତ ଦେହଟା ତା’ର ଝାଳରେ ବୁଡ଼ିଗଲାଣି । ରାତ୍ରିର ସଂକ୍ଷିପ୍ତ ବାସତକ ବି ଆଉ ସେ ସହି ପାରୁନାହିଁ । ଆଜି ତା’ର କ’ଣ ହେଲା ।

 

ଗୀର୍ଜା ଘଡ଼ିରେ ଦୁଇଟା ବାଜିଲା ।

 

ଝରକା ଫାଙ୍କାରେ ଚାହିଁଲା ରାତ୍ରିର ନଗରୀକୁ । ମାୟାବିନୀ କଲିକତାର ଆଖିକୁ ଯେପରି ନିଦ ନାହିଁ । ଏତେ ରାତିରେ ବି ଗାଡ଼ି ଘୋଡ଼ାର ଶଦ୍ଦ ରହି ରହି ଭାସି ଆସୁଛି ରାଜପଥରୁ-!

 

କିଏ, କେଉଁମାନେ ଏଇ ରାତ୍ରିର ଅଭିଯାତ୍ରୀ ?

 

ମଧୁମିତା ! ମଧୁମିତା ! ଆଜି ସତେ ହେଲା କ’ଣ ମଧୁମିତାର !

 

ରାତ୍ରିର ଗମ୍ଭୀରତା ଭେଦ କରି ଯେତେବେଳେ ଗୋଟାଏ ଅଧେ ଗାଡ଼ି ଧାଇଁ ଯିବାର ଶଦ୍ଦ ହେଉଥିଲା, ମଧୁମିତାର ମନେ ହେଉଥିଲା ଗାଡ଼ିଟା ଯେପରି ତା’ରି ପଞ୍ଜରା ଉପର ଦେଇ ମାଡ଼ି ଯାଉଛି ।

 

କିନ୍ତୁ ସେଦିନ, ଯେଉଁଦିନ ମଧୁମିତା ନିଜେ ଅଭିସାରିକା ସାଜିଥିଲା !

 

ଆଃ, ରଂଗିନ୍ ସେ ଦିନଗୁଡ଼ାକ । ମଧୁମିତା ମନରେ କୌଣସି ଗ୍ଲାନି ନ ଥିଲା, କୌଣସି ଅନୁଶୋଚନା ନଥିଲା ।

 

ଅଶୋକ ସହିତ ତା’ର ପ୍ରଥମ ପରିଚୟ ହୋଇଥିଲା ରେସ୍‍କୋର୍ସରେ । ସେ ଏକ ପ୍ରବଳ ଉତ୍ତେଜନା ମୁହୂର୍ତ୍ତରେ ।

 

ଡାଡ଼ିଙ୍କ ସହିତ ମଧୁମିତା ସେଇଦିନ ପ୍ରଥମେ ଯାଇଥିଲା ରେସ୍‍କୋର୍ସକୁ ।

 

ଘୋଡ଼ା ଦଉଡ଼ିଲା ବେଳେ ଲୋକମାନେ ଯେ ଏପରି ଉତ୍ତେଜିତ ହୋଇ ପଡ଼ନ୍ତି, ସେ କଥା ଜାଣି ନ ଥିଲା ମଧୁମିତା । ସେହି ଉତ୍ତେଜନା ଆଉ ଚିତ୍କାର ଭିତରେ କିଏ ଜଣେ ଉପର ଗ୍ୟାଲେରୀରୁ ମଧୁମିତା ପିଠିରେ ଦୁଇବିଧା କଷି ଦେଇଥିଲା ।

 

ମଧୁମିତା ଆଖିରେ ଆତଙ୍କ ଫୁଟାଇ ବୁଲି ଚାହିଁ ଯାହାକୁ ଦେଖିଥିଲା, ସେ ଜଣେ ତରୁଣ-। ଆଖିରେ ତା’ର ଗୋଟାଏ କଳା ଚଷମା । ସେ ଉତ୍ତେଜିତ । ଘୋଡ଼ା ପାଖେଇ ଆସୁଛି । ହୁଏତ ଆଉ ମୁହୂର୍ତ୍ତକରେ ବାଜିମାତ୍ କରିବ । ହିତାହିତ ଞ୍ଜାନ ସେ ହରାଇ ବସିଛି । ମଧୁମିତା ଆଡ଼କୁ ଚାହିଁବାର ଅବକାଶ ତା’ର ଆସିଲା କେଉଁଠୁ ?

 

କିନ୍ତୁ...ମଧୁମିତା ଚିତ୍କାର କରି ଉଠିଲା ।

 

ତରୁଣଟି ଏଥର ଖୁବ୍ ଯୋର୍‍ରେ ମଧୁମିତା ପିଠିରେ ବିଧାବୃଷ୍ଟି କରି ଚାଲିଥିଲା ।

 

ଅସହାୟ ଆଖିରେ ଡାଡ଼ିଙ୍କ ଆଡ଼େ ଚାହିଁଲା । ଡାଡ଼ି ବି ଗ୍ୟାଲେରୀ ଉପରେ ଠିଆ ହୋଇ ଚିତ୍କାର କରି ହାତରେ ତାଳି ବଜାଇ ଚାଲିଛନ୍ତି ।

 

ଶେଷରେ ମଧୁମିତା ଠିଆ ହୋଇପଡ଼ିଲା ।

 

ଏଥର ଉପର ଗ୍ୟାଲେରୀର ସେହି ତରୁଣଟି ମଧୁମିତାକୁ ଦୁଇ ହାତରେ ଉଠାଇ ନେଇ ନାଚିବାକୁ ଆରମ୍ଭ କରିଦେଲା ।

 

ସେ ଜିତିଛି । ଘୋଡ଼ା ତା’ର ଉଇନ୍ କରିଛି ।

 

ଡାଡ଼ି ବି ନାଚୁଛନ୍ତି ।

 

ମଧୁମିତା ଏଥର ଚିତ୍କାର କରିଉଠିଲା ।

 

ହୁଏତ ହୋସ୍ ହେଲା ତରୁଣଟିର । ସେ ମଧୁମିତାକୁ ଛାଡ଼ିଦେଇ ଯେତେବେଳେ ଆଖିରୁ ଗଗ୍ଲସଟା କାଢ଼ି ଚାହିଁଲା, ଦେଖିଲା ମଧୁମିତା ଆଖିରେ ଲୁହ ।

 

ଅତ୍ୟନ୍ତ ବିନୟ ସହକାରେ ହାତଯୋଡ଼ି କ୍ଷମା ଚାହିଁଲା ମଧୁମିତାଠାରୁ ।

 

କିନ୍ତୁ ଡାଡ଼ି ଗଲେ କୁଆଡ଼େ ?

 

ମଧୁମିତାର କାତର ଚାହାଣୀ ଆଡ଼େ ଚାହିଁ ତରୁଣଟି ବୋଧହୁଏ ବୁଝି ପାରିଥିଲା, ମଧୁମିତାର ମନର କଥା । ସେ ପଚାରିଲା, କାହା ସଂଗରେ ଆସିଛନ୍ତି ଆପଣ ?

 

ଡାଡ଼ି....

 

ଓଃ...ଯୁବକଟି ହସି ଉଠିଲା ଯୋର୍‍ରେ । କହିଲା, ସେ ବୋଧହୁଏ କ୍ୟାସ କାଉଣ୍ଟରକୁ ଟଙ୍କା ଆଣିବା ପାଇଁ ଯାଇଛନ୍ତି । ମୁଁ ବି ଯାଉଛି । ଆପଣ ମୋ ସହିତ ଆସନ୍ତୁ । ମୁଁ ଆପଣଙ୍କୁ ଡାଡ଼ିଙ୍କ ପାଖରେ ପହଞ୍ଚାଇ ଦେବି ।

 

ମଧୁମିତାର ମନଟା ସେଦିନ ବିକଳ ହୋଇପଡ଼ିଥିଲା । ଲୋକଙ୍କ ଆଚରଣରେ ତା’ର ମନେ ହୋଇଥିଲା, ଜାଗାଟା ଯେପରି ଗୋଟାଏ ପାଗଳ ଖାନା । କିଏ ହସୁଛି, କିଏ ନାଚୁଛି; କିଏ ତାଳି ମାରୁଛି ପୁଣି କିଏ କାନ୍ଦୁଛି ।

 

ମଧୁମିତା ବିବ୍ରତ ହୋଇପଡ଼ିଥିଲା । ଡାଡ଼ିଙ୍କୁ ସାମ୍ନାରେ ନ ଦେଖି ଆହୁରି ଭାଙ୍ଗି ପଡ଼ିଥିଲା ସେ । ହୁଏତ ତରୁଣଟି ମୁହଁରୁ ସେ ଯଥେଷ୍ଟ ପ୍ରତିଶ୍ରୁତି ପାଉ ନ ଥିଲା । ଯିବ ନା ନାହିଁ ?

 

ଶେଷରେ ସେ ପାଦ ବଢ଼ାଇଲା ତରୁଣଟିର ପଛେ ପଛେ ।

 

କ୍ୟାସ କାଉଣ୍ଟର ପାଖରେ ଶଶୀଶେଖର ଠିଆହୋଇ ବିଡ଼ାଏ ନୋଟ୍ ଗଣୁଥିଲେ । ମଧୁମିତା ସାମ୍ନାରେ ତାଙ୍କୁ ଦେଖି ଚିତ୍କାର କରି ଉଠିଥିଲା, ଡାଡ଼ି !

 

ଶଶୀଶେଖର ସେଦିନ ନୋଟ୍ ବିଡ଼ା ଉପରୁ ଆଖି ଉଠାଇ ମଧୁମିତା ଆଡ଼େ ଚାହିଁ ନ ଥିଲେ ।

 

ତରୁଣଟି ଲକ୍ଷ୍ୟ କରିଥିଲା ଶଶୀଶେଖରଙ୍କ ଆଚରଣ ।

 

ଧୀରେ ଧୀରେ ମଧୁମିତାକୁ କହିଥିଲା, ସବୁ ଡାଡ଼ିମାନେ ସମାନ । ବୟସ ବଢ଼ିବା ସଂଗେ ସଂଗେ ସେମାନଙ୍କର ବାତ୍ସଲ୍ୟ ପ୍ରେମଟା କାଞ୍ଚନା ପ୍ରେମରେ ପରିଣତ ହୋଇଯାଏ ।

 

ମଧୁମିତା ଆଖିଟେକି ଚାହିଁଥିଲା ତରୁଣଟି ଆଡ଼େ ।

 

ଚାରିଆଖିର ମିଳନ ହୋଇଥିଲା ।

 

ତରୁଣଟି ଆଉଥରେ କ୍ଷମା ମାଗିଥିଲା ମଧୁମିତାଠାରୁ ।

 

ସେତେବେଳକୁ ଶଶୀଶେଖର ଆଗେଇ ଆସିଥିଲେ । ମଧୁମିତାକୁ ସେ ହୁଏତ ଆଶା କରି ନଥିଲେ ସେଠାରେ ।

 

ମଧୁମିତା ଆଖିରେ ଲୁହ ଦେଖି ଶଶୀଶେଖର ବିସ୍ମୟ ପ୍ରକାଶ କରିଥିଲେ ।

 

ତରୁଣଟି କିନ୍ତୁପେକ୍ଷା କରିଥିଲା ।

 

ସେ କହିଥିଲା ମଧୁମିତା ଆଖିର ଲୁହ ପାଇଁ ସେ ଦାୟୀ । ସେଥିପାଇଁ ଆଉଥରେ କ୍ଷମା ମାଗିଥିଲା ଶଶୀଶେଖରଙ୍କ ପାଖରେ ।

 

ଶଶୀଶେଖର ତରୁଣଟି ମୁହଁରୁ ସବୁକଥା ଶୁଣି ହସି ଉଠିଥିଲେ ହୋ ହୋ ହୋଇ । ତା’ପରେ କହିଥିଲେ, ଜାଣ ୟଙ୍ଗମ୍ୟାନ୍‍, ଏହିପରି ମୋ ଜୀବନରେ ବି ଗୋଟାଏ ଘଟଣା ଘଟିଥିଲା, ସେ ଆହୁରି ଇଣ୍ଟରେଷ୍ଟିଂ । ଆସ ରେଷ୍ଟୁରେଣ୍ଟରେ ବସି ମୁଁ ତମକୁ ସେ କାହାଣୀ ଶୁଣାଇବି ।

 

ଶଶୀଶେଖର ମଧୁମିତାର ହାତ ଧରି ରେଷ୍ଟୁରେଣ୍ଟ ଆଡ଼କୁ ଆଗେଇବାବେଳେ ତରୁଣଟି କହିଲା, ଆପଣ ଚାଲନ୍ତୁ । ମୁଁ ପେମେଣ୍ଟ ନେଇ ସଂଗେ ସଂଗେ ଆସୁଛି ।

 

ଶଶୀଶେଖର ପେମେଣ୍ଟକଥା ଶୁଣି ବୁଲି ଚାହିଁଲାବେଳକୁ ତରୁଣଟି ଅଦୃଶ୍ୟ ହୋଇଯାଇଥିଲା ।

 

କିନ୍ତୁ ରେଷ୍ଟୁରେଣ୍ଟରେ ଯାଇ ପହଞ୍ଚିଲା ଠିକ୍ ସମୟରେ । ଶଶୀଶେଖର ଖଣ୍ଡେ ଖାଲି ଚେଆର ଆଡ଼େ ଆଙ୍ଗୁଳି ଦେଖାଇ କହିଥିଲେ, ବସ ୟଙ୍ଗମ୍ୟାନ୍ । ତୁମେ କ’ଣ ‘ନନ୍ଦନ’ ଉପରେ ବାଜି ଧରିଥିଲ ?

 

ତରୁଣଟି ବିନୟ ଭଙ୍ଗୀରେ କହିଥିଲା, ଖାଲି ବାଜି ଧରି ନଥିଲି, ‘ନନ୍ଦନ’ ଟା ଆମ ଘୋଡ଼ା ।

 

ଶଶୀଶେଖରଙ୍କ ଆଖି ଦୁଇଟା ବିସ୍ଫାରିତ ହୋଇଉଠିଥିଲା । ସେ ସଂଗେ ସଂଗେ ପ୍ରଶ୍ନ କରିଥିଲେ, ଆପଣଙ୍କ ନାଁ କ’ଣ ଅଜୟ ମେହେଟା ।

 

ତରୁଣଟି ଅଳ୍ପ ହସି ସେହିପରି ବିନୟ ସହକାରେ କହିଥିଲା, ଅଜୟ ମେହେଟା ମୋ ବାପାଙ୍କ ନାମ । ମୋ ନାଁ ଅଶୋକ ମେହେଟା ।

 

ଶଶୀଶେଖର ଯେପରି ଆନନ୍ଦରେ ଗଦ୍ ଗଦ୍ ହୋଇ ଅଶୋକ ସହିତ ହାତ ମିଳେଇ କହିଥିଲେ, ତମ ସହିତ ମୋର ପରିଚୟ ହୋଇ ନିଜକୁ ମୁଁ ଆଜି ଧନ୍ୟ ମନେ କରୁଛି । ତୁମେ ଯେ ପିତାଙ୍କର ଉପଯୁକ୍ତ ସନ୍ତାନ ହୋଇ ପାରିବ, ଆଜି ତମର ପ୍ରଥମ ପରିଚୟରେ ମୁଁ ତାହା ଜାଣିପାରିଛି ।

 

ଶଶୀଶେଖର ଆହୁରି କ’ଣ କହିବାକୁ ଯାଉଥିଲେ । କିନ୍ତୁ ଅଶୋକ ବାଧା ଦେଇ କହିଲା, ଆପଣ ବରଂ ସେହି ଇଣ୍ଟରେଷ୍ଟିଂ କାହାଣୀଟି କୁହନ୍ତୁ ।

 

ବୟ ଅର୍ଡ଼ର ନେଇ ଚାଲିଗଲା ।

 

ଶଶୀଶେଖର ଅଶୋକ ମୁହଁକୁ ଅପଲକ ନୟନରେ କିଛି ସମୟ ଅନାଇ ରହି କହିଲେ, ଘଟଣାଟି ଘଟିଥିଲା ମାଡ଼୍ରାସରେ । ମୁଁ ସେତେବେଳକୁ ତିନିବାଜି ହାରି ସାରିଥାଏ । ଚତୁର୍ଥ ବାଜି ଯେଉଁ ଘୋଡ଼ା ଉପରେ ଲଗାଇଥାଏ, ତା’ ନା ଚନ୍ଦ୍ରଭାନୁ । ସେ ବାଜିରେ ସାତଟା ନା ଆଠଟା ଘୋଡ଼ା ଦଉଡ଼ୁ ଥାଆନ୍ତି ।

 

ରେସ୍ ଆରମ୍ଭ ହୋଇଗଲା । ଚନ୍ଦ୍ରଭାନୁ ସମସ୍ତଙ୍କ ଆଗେ ଆଗେ ଥାଏ । ହଠାତ୍ ମୁଁ ଦେଖିଲି, ସେଇ ବାଜିର ଚାରି ନମ୍ୱର ଘୋଡ଼ାଟା ଚନ୍ଦ୍ରଭାନୁକୁ ଟପିଯିବା ପାଇଁ ଅହରହ ଚେଷ୍ଟା କରୁଛି । ସେତେବଳେ ମୁଁ ଅସ୍ଥିର ହୋଇ ଉଠିଥିଲି । ସେତିକିବେଳେ ମୋ ହାତରେ କ’ଣ ଗୋଟାଏ ପଡ଼ିଲା କେଜାଣି, ମୋର ଯେପରି ମନେହେଲା, ସେଇଟା ଚାରି ନମ୍ୱର ଘୋଡ଼ାର ଲାଙ୍ଗୁଳ । ମୁଁ ପ୍ରାଣପଣେ ସେଇଟାକୁ ଟାଣିବାକୁ ଲାଗିଲି, ଯେପରି ଚାରି ନମ୍ୱର ଘୋଡ଼ାଟା ଚନ୍ଦ୍ରଭାନୁକୁ ଟପି ନ ଯାଇପାରେ ।

 

ରେସ୍‍କୋର୍ସର କୋଳାହଳ ଆଉ ଚିତ୍କାର ଭିତରେ ଚନ୍ଦ୍ରଭାନୁ ଯେତେବେଳେ ଉଇନ୍ କରିବ କରିବ ହେଉଛି, ମୁଁ ସେତେବଳେ ଚାରି ନମ୍ୱର ଘୋଡ଼ାର ଲାଙ୍ଗୁଳ ଆହୁରି ଜୋର୍‍ରେ ଭିଡ଼ିବାକୁ ଯାଇ ଏପରି ଏକ ବ୍ରହ୍ମ ଚାପୁଡ଼ା ଖାଇଲି ଯେ ସଂଗେ ସଂଗେ ସେଠାରେ ରକ୍ତ ବାନ୍ତି କରି ପକେଇଥିଲି ।

 

ଶଶୀଶେଖର କଥାଟା ସେଇଠି ଛିଣ୍ଡେଇ ଦେଇ ଅଶୋକ ଓ ମଧୁମିତା ଆଡ଼େ ଗମ୍ଭୀର ଭାବରେ ଚାହିଁ, ତା’ପରେ ସ୍ମିତ ହସି କହିଥିଲେ, ଚାପୁଡ଼ା କିଏ ମାରିଥିଲା ଜାଣ ? ଯେଉଁ ଭଦ୍ରମହିଳାଙ୍କ ବେଣୀଟିକୁ ମୁ ଚାରି ନମ୍ୱର ଘୋଡ଼ାର ଲାଙ୍ଗୁଳ ରୂପେ ବ୍ୟବହାର କରିଥିଲି, ତାଙ୍କର ସ୍ୱାମୀ ।

 

ସେଦିନ ଅଶୋକ ଆଉ ମଧୁମିତା ଏକା ସଂଗରେ ହୋ ହୋ ହୋଇ ହସି ଉଠିଥିଲେ ।

 

ମଧୁମିତା ସେହିପରି ହସୁ ହସୁ କହିଲା, ଜଣେ ଭଦ୍ରମହିଳାଙ୍କ ବେଣୀ ଆଉ ଘୋଡ଼ା ଲାଙ୍ଗୁଳ ଭିତରେ ତମେ କୌଣସି ତଫାତ୍ ଖୋଜି ପାଇଲ ନାହିଁ ଡାଡ଼ି ?

 

ଉତ୍ତେଜନା ମୁହୂର୍ତ୍ତରେ ମଣିଷର ମୋଟେ ଥାନ ଜ୍ଞାନ ରୁହେ ନାହିଁ । ଆପଣ କେବେ ସେପରି ଅବସ୍ଥାର ସମ୍ମୁଖୀନ ହେଲେ ବୁଝି ପାରିବେ । ଅଶୋକ କହିଲା ।

 

ମଧୁମିତା ପ୍ରତିବାଦ କରିବାକୁ ଯାଉଥିଲା କିନ୍ତୁ ବୟ ଖାଦ୍ୟ ସାମଗ୍ରୀ ଧରି ପହଞ୍ଚି ଯିବାରୁ ସେ ନୀରବ ହୋଇଗଲା ।

 

ସେଦିନ ଖିଆପିଆ ଶେଷ କରି ସେମାନେ ଫେରିଆସୁଥିଲେ । ଅଶୋକ ସେମାନଙ୍କୁ ବିଦାୟ ଦେବାକୁ ଯାଇ ଦେଖିଲା, ସେମାନେ ଟ୍ୟାକ୍ସି ପାଇଁ ପ୍ରତୀକ୍ଷା କରୁଛନ୍ତି । ସେ ତା’ ଡ୍ରାଇଭରକୁ କହିଥିଲା, ଶଶୀଶେଖର ଆଉ ମଧୁମିତାକୁ ଛାଡ଼ି ଦେଇ ଆସିବା ପାଇଁ ।

 

ଶଶୀଶେଖର ପ୍ରଶ୍ନ କରିଥିଲେ, ତୁମେ ଯିବ ନାହିଁ ୟଙ୍ଗମ୍ୟାନ୍ ?

 

ଅଶୋକ ହସି ହସି କହିଥିଲା, ଧନ୍ୟବାଦ । ମୋର ଏଣେ ଆହୁରି କାମ ଅଛି । ଆପଣମାନେ ମୋର ମନେ ରହିବେ । ବିଶେଷ କରି ମିସ୍ ଚଉଧୁରୀଙ୍କ କଥା ମୁଁ ଭୁଲି ପାରିବ ନାହିଁ-। ସେ ଯଦି ମିସ୍ ଚଉଧୁରୀ ନ ହୋଇ ଅନ୍ୟ କେହି ହୋଇ ଥାଆନ୍ତେ, ତା’ହେଲେ ମୋ ଗାଲଟା ଆଜି ଚଟି ପାହାରରେ ଲାଲ ହୋଇ ଯାଇଥାଆନ୍ତା ।

 

କିନ୍ତୁ ଅଶୋକର କଥା ଶୁଣି ମଧୁମିତାର ମୁହଁ ଲାଲ ହୋଇଯାଇଥିଲା ।

 

ଶଶୀଶେଖର ହସି ହସି କହିଲେ, ତମକୁ ନିମନ୍ତ୍ରଣ କରିବା ଭଳି ସାମର୍ଥ୍ୟ ମୋର ନାହିଁ-। ତଥାପି........

 

ଅଶୋକ କଥା କାଟି କହିଥିଲା, ଆପଣ ମୋର ପିତୃସ୍ଥାନୀୟ । ଦେଖିବେ କେଉଁ ଏକ ଅତର୍କିତ ମୁହୂର୍ତ୍ତରେ ମୁଁ ଯାଇ ଆପଣଙ୍କ ପାଦ ଧୂଳି ନେଇ ଆସିବି ।

 

ଶଶୀଶେଖର ସେଦିନ ବ୍ୟଥିତ କଣ୍ଠରେ କହିଥିଲେ, ସେପରି କୁହ ନାହିଁ ୟଙ୍ଗମ୍ୟାନ୍ । ତୁମକୁ ମୋ ଘରେ ଦେଖିଲେ ସାମୟିତ ଭାବରେ ମୁଁ ହୁଏତ ପୁତ୍ର ଶୋକ ଭୁଲି ଯାଇପାରିବି । ଶଶୀଶେଖର ପକେଟରୁ ରୁମାଲ କାଢ଼ି ଆଖି ପୋଛିଥିଲେ ।

 

ଗାଡ଼ି ଛାଡ଼ି ଦେଇଥିଲା । ଶଶୀଶେଖର ଆରାମରେ ଆଉଜି ବସି, ମଧୁମିତାର ଚିନ୍ତିତ ମୁଖମଣ୍ଡଳ ଆଡ଼େ ଚାହିଁ କହିଥିଲେ, ଅଶୋକ ହେଉଛି ଅଜୟ ମେହେଟ୍ଟାଙ୍କ ପୁଅ । ଅଜୟ ମେହେଟ୍ଟାଙ୍କ ନା ଶୁଣିଛୁ ? ଜଣେ ମିଲିଅନର ।

 

ମଧୁମିତା କିଛି ଉତ୍ତର ଦେଇ ନ ଥିଲା । ଶଶୀଶେଖରଙ୍କ ଆଡ଼ୁ ମୁହଁ ବୁଲାଇ ବାହାରକୁ ଚାହିଁଥିଲା ।

 

ଏଗୁଡ଼ାକ ସବୁ ତା’ର ପରିଚିତ ପଥ । କେତେଥର ସେ ଯାଇଚି ଆସିଚି ଏଇବାଟେ । କିଛି ନୂତନତ୍ୱ ନାହିଁ । କିନ୍ତୁ ଡାଡ଼ିଙ୍କ ଆଖିର ଚାହାଣୀରେ ଆଜି ଏପରି ପରିବର୍ତ୍ତନ କାହିଁକି ?

 

ଅଶୋକ ତା’ କଥା ରଖି, ଏକ ଅତର୍କିତ ମୁହୂର୍ତ୍ତରେ ଛୁଟି ଆସିଥିଲା ତାଙ୍କ ଘରକୁ ।

 

ସତେରେ କ’ଣ ଡାଡ଼ିଙ୍କ ପଦଧୂଳି ନେବା ପାଇଁ ?

 

ମଧୁମିତା ଛୁଟି ଆସିଥିଲା ଗାଡ଼ିର ହର୍ଣ୍ଣ ଶୁଣି । ଅଶୋକକୁ ଦେଖି ଥଟ୍ଟା କରି କହିଥିଲା, ପଦ ତ ନାହିଁ, ଧୂଳି ଅଛି । ଚଳିଯିବ ସେଥିରେ ?

 

ଅଶୋକ ବୋଧହୁଏ ପରିହାସଟାର ମର୍ମ ବୁଝି ପାରିଥିଲା । ସେ ବି ହସି ହସି କହିଥିଲା, ଚଳିଯିବ, ଯଦି ଆପଣ ତୋଳି ଆଣି ନିଜ ହାତରେ ବୋଳି ଦେଇ ପାରିବେ ମୋ କପାଳରେ ।

 

ମଧୁମିତା ଆଉ କିଛି ଉତ୍ତର ଦେଇ ନ ପାରି ହି ହି ହେଇ ହସି ଉଠିଥିଲା ଖାଲି ।

 

ଅଶୋକ ଆଶା କରିଥିଲା ମଧୁମିତା ଏହାପରେ ଡାକିବ ତାକୁ ବସିବା ପାଇଁ । ଅନ୍ତତଃ ସେତକ ଶିକ୍ଷା ପାଇଥିବ ସେ ବାରିଷ୍ଟର ଶଶୀଶେଖର ଚଉଧୁରୀଙ୍କଠରୁ ।

 

କିନ୍ତୁ...

 

ନା, ନିଜେ ସେ ଆଗେଇଲା ।

 

ମଧୁମିତା କହିଲା, ନ ଡାକିଲେ ବି ଆପଣମାନେ ଅନ୍ୟର ଘରେ ପଶିବା ପାଇଁ ସଂକୋଚବୋଧ କରନ୍ତି ନାହିଁ ?

 

ପ୍ରକୃତରେ ମଧୁମିତାର କଥା ପଦକରେ ଅଶୋକ ଆଘାତ ପାଇଲା ଖୁବ୍ । କିନ୍ତୁ ପାଦ ଯେତେବେଳେ ଆଗକୁ ବଢ଼ାଇଛି, ଆଉ ପଛକୁ ଫେରାଇ ପରାଜୟ ସ୍ୱୀକାର ସେ କରିବ ନାହିଁ ।

 

କହିଲା, ଫୁଲ କେବେ ଭଅଁରକୁ ଡ଼ାକେ ନାହିଁ । ଭଅଁରର ଫୁଲ ପାଖରେ କିଛି ସଂକୋଚ ନଥାଏ ।

 

ମଧୁମିତା ଅଶୋକ ପାଖରୁ ଏପରି ଏକ ଖୋଲଖୋଲି ଉତ୍ତର ମୋଟେ ଆଶା କରିନଥିଲା । ଲାଜରେ ଝାଳେଇ ଉଠିଲା ତା’ ମୁହଁ । ଛୁଟି ପଳେଇ ଯିବାକୁ ଇଚ୍ଛା ହେଉଥିଲା ତା’ର-। କିନ୍ତୁ କେଜାଣି କାହିଁକି ଗୋଡ଼ ଦୁଇଟା ତା’ର ଯେମିତି ପୋତି ହୋଇ ଯାଇଥିଲା ମାଟି ଭିତରେ ।

 

ତଥାପି ମଧୁମିତା ଉତ୍ତର ଦେବାକୁ ଚେଷ୍ଟା କରିଥିଲା । ସେ କହିଥିଲା ଓଃ, ଭାରିତ ଆସିଲେ ଭଅଁର, ଇମିତି ଡ଼େଣା କଟା ଭଅଁର କେତେ ଆସି ଘୂର୍‍ ଘୂର୍‍ କରୁଛନ୍ତି ମୋ ଚାରି ପାଖରେ ।

 

ଅଶୋକ ଆଉ କ’ଣ କହିଥାଆନ୍ତା ହୁଏତ । କିନ୍ତୁ ସେଇ ମୁହୂର୍ତ୍ତରେ ଗୋଟିଏ ଗାଡ଼ି ଆସି ହତା ଭିତରେ ପ୍ରବେଶ କରିବାରୁ, ଅଶୋକ ବୁଲି ଅନାଇଲା ।

 

ଶଶୀଶେଖର ଓହ୍ଲାଉଛନ୍ତି ଗାଡ଼ିରୁ ।

 

ଅଶୋକ ଛୁଟିଗଲା ସେଇଆଡ଼େ । ନଇଁପଡ଼ି ପାଦ ଛୁଇଁଲା ଶଶୀଶେଖରଙ୍କର । ମଧୁମିତା ସେତେବେଳେ ଲାଜରେ କି ଭୟରେ କେଜାଣି କାହିଁକି ଛୁଟି ପଳେଇଥିଲା ତା’ ଘର ଭିତରକୁ ।

 

ଯେତେବେଳେ ଡାଡ଼ିଙ୍କ ଠାରୁ ଡ଼କରା ପାଇ ମଧୁମିତା ପୁଣି ଆସିଥିଲା ଅଶୋକ ସାମ୍ନାକୁ, ସେତେବେଳେ ମଦୁମିତାର ଅନ୍ୟ ଏକ ରୂପ ।

 

ଛାତି ତା’ର ଦୁରୁଦୁରୁ କଂପୁଥିଲା ।

 

ଅଶୋକ କ’ଣ ସବୁ କଥା କହି ଦେଇଛି ଡାଡ଼ିଙ୍କ ଆଗରେ ? କିଏ ଜାଣେ ! ଯଦି ସେ ପରିହାସକୁ ସିରିଅସ୍ ଭାବିଥିବ ।

 

କିନ୍ତୁ ଡାଡ଼ିଙ୍କ ମୁହଁରେ ସେପରି କୌଣସି ଲକ୍ଷଣ ନ ଦେଖି ମଧୁମିତା ଆଶ୍ୱସ୍ତ ହୋଇଥିଲା ।

 

ସେ ନୀରବରେ ଯାଇ ବସିଥିଲା ଅଶୋକ ଆଡ଼କୁ ପଛ କରି ।

 

ଡାଡ଼ି ଥଟ୍ଟା କରି କହିଥିଲେ, ଆସୁ ନ ଆସୁଣୁ କଳି ଆରମ୍ଭ ହୋଇ ଯାଇଥିଲା ବୋଧହୁଏ ! ବୁଝିଲ ୟଙ୍ଗମ୍ୟାନ୍, ମିତାଟା ମୋର ଏବେ ବି ପିଲା ହୋଇ ରହିଗଲା । କହିଲ ଭଲା, ୟା ବୟସର ଝିଅ, ବାଡ଼ି ବଗିଚାରେ ପ୍ରଜାପତି ପଛରେ କେଉଁଠି ପାଗଳଙ୍କ ପରି ଧଉଁଛନ୍ତି ?

 

ଅଶୋକ କହିଲା, ଝିଅମାନଙ୍କ ସାଇକେଲୋଜି ସମ୍ୱନ୍ଧରେ ମୋତେ କିଛି ଜଣାନାହିଁ । ତେବେ ମିସ୍ ଚଉଧୁରୀ ବୋଧହୁଏ ଟିକିଏ ବ୍ୟତିକ୍ରମ ।

 

ମଧୁମିତା ବୁଲି ଅନେଇଲା ଅଶୋକ ଆଡ଼େ । ଆଖି ଦୁଇଟା ତା’ର ଜଳୁଥିଲା, କିନ୍ତୁ ନୀରବରେ ପୁଣି ମୁହଁ ଫେରାଇ ନେଲା ।

 

ଶଶୀଶେଖର କହିଲେ, ଯା ମା, ଅଶୋକ ପାଇଁ ତୁ ନିଜ ହାତରେ କଫି ତିଆରି କରି ଆଣିବୁ ।

 

ମଧୁମିତା ଯେପରି ଅପେକ୍ଷା କରିଥିଲା ଆଦେଶକୁ । ସେ ସେଠାରୁ ପଲାଇ ଯାଇ ପାରିଲେ ରକ୍ଷା ।

 

ପୁଣି ଯେତେବେଳେ ଡାକି ପଠାଇଲେ ଶଶୀଶେଖର, ସେ ଚାକରାଣୀ ହାତରେ କଫି ପଠାଇ ଦେଇ ଖବର ଦେଲା, ତା’ ମୁଣ୍ଡଟା ବିନ୍ଧୁଛି, ଏଇକ୍ଷଣି ଆସି ପାରିବ ନାହିଁ ।

 

ଅଶୋକ ବିଦାୟ ନେବା ପୂର୍ବରୁ ଶଶୀଶେଖରଙ୍କ ଠାରୁ ଅନୁମତି ନେଇଯାଇଥିଲା ମଧୁମିତାକୁ ଦେଖି ଆସିବାପାଇଁ ।

 

ମଧୁମିତା ଅଶୋକକୁ ଦୁଆର ମୁହଁରେ ଦେଖି ଭିତରକୁ ବି ଡାକିଲା ନାହିଁ ।

 

ଅଶୋକ କହିଲା, ଏଠାରେ ମୋର ପ୍ରବେଶ ଅଧିକାର ଅଛି ତ ?

 

ମଧୁମିତା କିଛି କହିଲା ନାହିଁ । ପୂର୍ବପରି ବହିଟାର ପୃଷ୍ଠା ଓଲେଟେଇବାରେ ଲାଗିଥିଲା-

 

ଅଶୋକ ଆହୁରି ମୁହୂର୍ତ୍ତେ ଠିଆ ହେଲା ନୀରବରେ । ତା’ପରେ ଧୀରେ ଧୀରେ ପାଦ ଫେରାଇଲା ପଛକୁ । ଏଥର ସେ ନିଶ୍ଚୟ ଫେରିଯିବ ।

 

ମଧୁମିତା ଆଉ ବୋଧେ ସ୍ଥିର ହୋଇ ବସି ପାରିଲା ନାହିଁ ।

 

ହାତ ପାଖରେ କ’ଣ କାହିଁ ? ପାଉଡ଼ର ଡବାଟାକୁ ଉଠାଇ ସଂଗେ ସଂଗେ ଫୋପାଡ଼ିଲା ଅଶୋକ ଉପରକୁ ।

 

ଅଶୋକ କାନ୍ଧରେ ଖୁବ୍ ଯୋର୍‍ରେ ଲାଗିଲା ଡବାଟା । ଖୋଲିଯାଇ ବୁଣି ହୋଇଗଲା ତା’ର ସମସ୍ତ ଦେହରେ ।

 

ଅଶୋକ ଅଟକିଲା । ବୁଲି ଚାହିଁଲା ଘର ଭିତରକୁ । ଦେଖିଲା, ମଧୁମିତା ବହି ତଳେ ମୁହଁ ଘୋଡ଼େଇ ବୋଧହୁଏ ପ୍ରାଣ ଖୋଲି ହସୁଛି ।

 

ନା, ଆଉ ଅନୁମତିର ଲୋଡ଼ା ନାହିଁ ତା’ର ।

 

ସେ ଛୁଟି ଆସି, ମଧୁମିତା ହାତରୁ ବହିଟା ଟାଣି ନେଇ କହିଲା, ଡବାଟା ଯଦି ମୁଣ୍ଡରେ ବାଜି ଥାଆନ୍ତା ?

 

ତା’ହେଲେ ବ୍ୟତିକ୍ରମ ଘଟି ଥାଆନ୍ତା ଗୋଟାଏ । ମଧୁମିତାର ସହଜ କଣ୍ଠସ୍ୱର ।

 

ମାନେ ?

 

ବ୍ୟତିକ୍ରମର ମାନେ ଜାଣିନାହାନ୍ତି ଆପଣ ? ଟିକକ ଆଗରୁ କହୁଥିଲେ ନା ମୁଁ କୁଆଡ଼େ ନାରୀ ଚରିତ୍ରର ଗୋଟାଏ ବ୍ୟତିକ୍ରମ ? ଲାଜ ଲାଗେନା ଗୁରୁଜନମାନଙ୍କ ଆଗରେ ଏପରି କହିବାକୁ ?

 

ଓଃ...ଏ କଥା ! ବୁଝିଲି । ଆପଣଙ୍କର ସାଇକଲୋଜି ଏଥର ମୁଁ ଫଲୋ କରିପାରିଛି । ଅ-ଭି-ମା-ନି-ନୀ !

 

ସେଇ ଦିନଠାରୁ ମାନ ଅଭିମାନର ପାଲା ଜମି ଉଠିଥିଲା ଦୁହିଁଙ୍କ ଭିତରେ । ମଧୁମିତାର ପ୍ରଗଳ୍‍ଭତାରେ ବନ୍ଦୀ ହୋଇ ପଡ଼ିଥିଲା ଅଶୋକ ।

 

ମଧୁମିତାକୁ ବି ଭାରି ଭଲ ଲାଗିଥିଲା ଅଶୋକକୁ ।

 

ଡାଡ଼ି କିଛି ଆପତ୍ତି କରି ନ ଥିଲେ । ବରଂ ଉତ୍ସାହ ଦେଉଥିଲେ ଦୁହିଁଙ୍କୁ । ଏକାନ୍ତରେ ଉପଦେଶ ଦେଉଥିଲେ ଅଶୋକକୁ, ଜୀବନଟା ଉପଭୋଗ ପାଇଁ । ଜଟିଳ ଜୀବନ ଯାତ୍ରାର ତତ୍ତ୍ୱ ଅନ୍ୱେଷଣ କରିବାକୁ ଗଲେ, ମଣିଷ ମନର ସମସ୍ତ ସମ୍ଭାବନା ମରିଯାଏ । ଜୀବନ କ୍ଲିଷ୍ଟ ହୋଇପଡ଼େ । ତେଣୁ ୟଙ୍ଗମ୍ୟାନ୍, ଅତି ହାଲ୍‍କା ଭାବରେ, ସହଜ ପଥରେ ଜୀବନକୁ ଉପଭୋଗ କରି ଶିଖ । ନ ହେଲେ ମୋ ପରି ବ୍ୟଥା ପାଇବ । ଜୀବନ ଭରି ଅନୁତାପ କରିବ ।

 

ଅଶୋକ ଶଶୀଶେଖରଙ୍କ ପାଖରେ ଯେତେବେଳେଯାଏ ବସେ, ମନ ଦେଇ ଶୁଣେ ତାଙ୍କ କଥା । ଏତେ ଆଗ୍ରହ, ଏତେ ଧୈର୍ଯ୍ୟ ଯେ ସେ କେଉଁଠୁ ପାଏ, ବେଳେ ବେଳେ ମଧୁମିତା ଚିନ୍ତା କରିପାରେନାହିଁ । କାରଣ ତା’ କ୍ଷେତ୍ରରେ ସେ ପରୀକ୍ଷା କରିଛି ଅଶୋକକୁ । ସବୁବେଳେ ସେ ଚଞ୍ଚଳ । କେଉଁଠି ଗୋଟାଏ ଜାଗାରେ ସ୍ଥିର ହୋଇ ରହିପାରେ ନାହିଁ । ଏପରିକି ସିନେମା ହାଉସ୍‍ରେ ସେ ବସିପାରେ ନାହିଁ ଛବି ଶେଷ ହେବାଯାଏ । କିନ୍ତୁ ଡାଡ଼ିଙ୍କ ସାମ୍ନାରେ ରାମଭକ୍ତ ହନୁମାନ ପରି କିପରି ଯେ ଘଣ୍ଟା ଘଣ୍ଟା କଟାଇପାରେ....ଆଶ୍ଚର୍ଯ୍ୟ !

 

ପ୍ରଥମେ ମଧୁମିତା ଯେଉଁଦିନ ଅଶୋକର ବହୁ ମୂଲ୍ୟବାନ ମଟର ଗାଡ଼ିରେ ବସି ଏକା ଏକା ତା’ ସହିତ ବାହାରି ଯାଇଥିଲା, ସେଦିନଟିର କଥା ଆଜି ବି ମନେ ଅଛି ମଧୁମିତାର । ଆଶା, ଆକାଂକ୍ଷା, ସଂକୋଚ, ସବୁ ମିଶି କିପରି ମୂକ କରି ଦେଇଥିଲେ ତାକୁ । ନାକରୁ ତା’ର ଖରଶ୍ୱାସ ବହୁଥିଲା । ଆଖି ଯୋଡ଼ାକରେ କେବଳ ଜଳ ଜଳ କରି ଚାହୁଁଥିଲା ବାହାରକୁ । ନ ହେଲେ ଅଶୋକର ପଦେ କଥା ବି ସେ ଶୁଣି ପାରୁନଥିଲା ଏତେ ପାଖରେ ଥାଇ ସୁଦ୍ଧା ।

 

ସେଦିନ ଅଶୋକ ନିଜେ ଗାଡ଼ି ଡ଼୍ରାଇଭ କରୁଥିଲା ।

 

ତା’ରି ପାଖକୁ ଲାଗି ବସିଥିଲା ମଧୁମିତା ।

 

କିନ୍ତୁ ଅଶୋକର ହସ ପରିହାସ କିଛି ତା’ କାନରେ ବାଜୁ ନଥିଲା । ଆଶ୍ଚର୍ଯ୍ୟ ! !

 

ସେଦିନ ସେମାନେ କେଉଁ ହୋଟେଲରେ ଯାଇ ଉଠିଥଲେ ତା’ର ମନେନାହିଁ । ରାତି ସେତେବେଳକୁ କେତେ ହେବ ସେ ଜାଣି ପାରିନଥିଲା । ତା’ କୁମାରୀ ଜୀବନର ସେ ଥିଲା ପ୍ରଥମ ରୋମାଞ୍ଚ ।

 

ଅଶୋକ ସହିତ ହୋଟେଲରେ ସେଦିନ ସେ ବହୁତ ବେଳଯାଏ ଥିଲା । ତାଙ୍କ ପରି ପଞ୍ଛା ପଞ୍ଛା ତରୁଣ ତରୁଣୀଙ୍କର ଭିଡ଼ ଜମିଥିଲା ସେଠାରେ । ସମସ୍ତେ ଯେପରି କି ଉନ୍ମାଦନାର ନିଶାରେ ଟୁଳୁ ଟୁଳୁ ହେଉଥିଲେ ।

 

ଅଶୋକ ସହିତ ମଧୁମିତା ସେମାନଙ୍କୁ ଦେଖିଥିଲା ।

 

ଏ ଏକ ଅନ୍ୟ ରାଜ୍ୟ ।

 

କିନ୍ତୁ ମଧୁମିତାର ମନରେ ଏକ ଭାବାନ୍ତର ସୃଷ୍ଟି ହୋଇଥିଲା କାହିଁକି ? ସମଗ୍ର ଦେହଟାରେ ତା’ର ହଠାତ୍ କିପରି ଏକ ପରିବର୍ତ୍ତନ ଅନୁଭବ କଲା ମଧୁମିତା । ମୁଣ୍ଡଟା କିପରି ଝାଇଁ ଝାଇଁ କରି ଉଠିଲା । ଆଖି ଆଗରେ ଯେପରି ନୃତ୍ୟ ଆରମ୍ଭ କରିଦେଲେ ଅଶୋକର ସହସ୍ରମୁଖ ।

 

କିନ୍ତୁ ଅଶୋକ ନୀରବରେ ବସି, ମଧୁମିତା ମୁହଁକୁ ଚାହିଁ ଗ୍ଲାସରେ ତରଳ ପାନୀୟ ଢ଼ାଳି ନିଃଶେଷ କରିବାରେ ଲାଗିଥିଲା, ଗ୍ଲାସ୍ ପରେ ଗ୍ଲାସ୍ ।

 

କିନ୍ତୁ ମଧୁମିତାର ହଠାତ୍ ହେଲା କ’ଣ ?

 

ସେ’ତ ଗୋଟିଏ ଗ୍ଲାସ ସରବତ୍ ଛଡ଼ା ଅନ୍ୟ କିଛି ପିଇନାହିଁ ?

 

ଅଶୋକ ବୋଧହୁଏ ମଧୁମିତାର ପରିବର୍ତ୍ତନ ଲକ୍ଷ୍ୟ କରୁଥିଲା, ଆଉ ହସୁଥିଲା ମନେ ମନେ ।

 

ଆଉ କେତୋଟି ମୁହୂର୍ତ୍ତ ମାତ୍ର । ତା’ପରେ ମଧୁମିତା ଆତ୍ମ ସମର୍ପଣ ନ କରି ରହି ପାରିବ ନାହିଁ ।

 

ସତେରେ ମଧୁମିତା ଆଉ ସ୍ଥିର ହୋଇ ରହି ପାରିନଥିଲା ।

 

ଟେବୁଲ ଉପରେ ମୁଣ୍ଡ ରଖି ଶୋଇ ପଡ଼ିବାର ଉପକ୍ରମ କରୁଥିଲା ।

 

ଅଶୋକ ମଧୁମିତାର ମୁଣ୍ଡରେ ହାତ ଥାପି କହିଥିଲା, ଦେହ କ’ଣ ଖରାପ ଲାଗୁଛି ?

 

ମଧୁମିତା ସେଦିନ ଅନୁଭବ କରିଥିଲା, କଥା କହିବାର ଶକ୍ତି ତା’ର ଲୋପ ପାଇଛି । ସେ କେବଳ ମୁଣ୍ଡ ହଲାଇ ସମ୍ମତ୍ତି ଜଣାଇଥିଲା ।

 

ଅଶୋକ ମଧୁମିତାର ହାତ ଧରି ସଂଗେ ସଂଗେ ଉଠାଇ ନେଇ ଥିଲା ଅନ୍ୟ ଏକ ରୁମ୍ କୁ । ଯେଉଁଠି ଆରାମରେ ଶୋଇ ଶୋଇ କ୍ଳାନ୍ତି ଦୂର କରିବାର ସବୁ ପ୍ରକାର ବ୍ୟବସ୍ଥା ଅଛି ।

 

ଡାନ୍‍ଲୋପିଲୋ ଗଦି ଉପରେ ନିଜର ଅବଶ ଦେହଟାକୁ ନଦି ଦେଇ, ମଧୁମିତା ଯେପରି ନିଶ୍ଚିନ୍ତ ହୋଇଥିଲା ।

 

କିନ୍ତୁ ହଠାତ୍ ତା’ର ହେଲା କ’ଣ ? ସେ ରହି ରହି ମନେ ପକାଇବାକୁ ଚେଷ୍ଟା କଲା, କିନ୍ତୁ ସବୁ ଯେପରି ତରଙ୍ଗାୟିତ ହୋଇ ନାଚି ଉଠିଲା ତା’ ଆଖି ଆଗରେ ।

 

ସେ ଅନୁଭବ କଲା, କାହାର ସ୍ପର୍ଶ । କିଏ ଯେପରି ତା’ କପୋଳଦେଶରେ ଶାନ୍ତିର ପ୍ରଲେପ ବୋଳି ଦେଉଛି ।

 

କିଏ ? ଭାରି ଭାରି ଆଖି ଯୋଡ଼ାକୁ ବହୁ କଷ୍ଟରେ ଖୋଲି ଚାହିଁଲା ମଧୁମିତା । ସାମ୍ନାରେ ଅଶୋକ ନା ? ତା’ର ହାତର କୋମଳ ସ୍ପର୍ଶ ତା’ କପାଳରେ ? ଆ...କେତେ ଭଲ ଅଶୋକ ।

 

ଅଶୋକର ହାତଟାକୁ ଦୁଇ ହାତରେ ଚିପି ଧରିଲା ମଧୁମିତା ।

 

ଅଶୋକ ବୁଝି ପାରିଲା, ମଧୁମିତା ଦେହରେ ପୂର୍ଣ୍ଣ ମାତ୍ରାରେ ପାନୀୟର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସରବତ୍ ମନେକରି ମଧୁମିତା ଯାହା ପାନ କରିଛି, ତା’ର ଜ୍ୱାଳା ଯେ କେଡ଼େ ତୀବ୍ର, ମଧୁମିତା ବୁଝିବାକୁ ଆଉ ଅବକାଶ ପାଇବନି । ଏକା ମଧୁମିତା କାହିଁକି, ଅଶୋକ ସଂଗରେ ଯେଉଁମାନେ ଆସିଛନ୍ତି ଏଠାକୁ, ସମସ୍ତେ ଆତ୍ମସତ୍ତା ହରାଇଛନ୍ତି, ସମସ୍ତେ ପରାଜୟ ସ୍ୱୀକାର କରିଛନ୍ତି ଅଶୋକ ପାଖରେ ।

 

ଅଶୋକର ଆନନ୍ଦ ସେତିକିରେ । ତରୁଣୀର ଗର୍ବୋନ୍ନତ ମୁଣ୍ଡକୁ ନୁଆଇଁ ପାରିଲେ ସେ ଭାରି ଖୁସି ହୁଏ ।

 

କିନ୍ତୁ ମଧୁମିତା ! କ’ଣ ହେଲା ତା’ର ? ଆଖି ବୁଜି ଶୋଇ ପଡ଼ିଲା ବୋଧହୁଏ । ପାନୀୟ ତେବେ କ’ଣ ହେଲା ମାତ୍ରାଧିକ ହୋଇଗଲା ?

Unknown

 

ଅଶୋକ ଚେଷ୍ଟା କଲା ଉଠାଇବାକୁ । ଡାକିଲା ଥରେ ଦି’ଥର ।

 

ନା ମଧୁମିତା ଶୋଇ ପଡ଼ିଛି । ଶୋଇ ପଡ଼ିଛି ସେ ଆରାମରେ । ଯେପରି ନିର୍ଭୟ ଆଶ୍ରୟ ମିଳିଛି ତାକୁ । କିନ୍ତୁ...ଘଡ଼ିରେ ଯେ ନଅଟା ବାଜିଲାଣି ! ତେଣେ ଶଶୀଶେଖର ଚଉଧୁରୀ ଅପେକ୍ଷା କରିଥିବେ । କ’ଣ ଭାବିବେ ସେ ଅଧିକ ରାତ୍ରିଯାଏ ସେମାନେ ନ ଫେରିଲେ ?

 

ବିବେକର ଦଂଶନରେ ଛଟପଟ ହେଲା ଅଶୋକ ।

 

ତା’ଛଡ଼ା ମଧୁମିତା ଯେ ଏପରି ନିଶ୍ଚିନ୍ତରେ ଶୋଇ ପଡ଼ିବ, ଅଶୋକ ମୋଟେ ଚିନ୍ତା କରି ପାରି ନ ଥିଲା । କାରଣ ମଧୁମିତାକୁ ପରାଜୟ ସ୍ୱୀକାର କରାଇବା ପାଇଁ ସେ ଟାଣି ଆଣିଥିଲା ଏଠାକୁ । ତା’ର ଉଦ୍ଧତ ମୁଣ୍ଡକୁ ସବୁଦିନ ପାଇଁ ତଳକୁ ନୁଆଁଇ ଦେବାପାଇଁ ଅଶୋକ ଏହି ପଥ ବାଛି ନେଇଥିଲା । କିନ୍ତୁ ଏ କ’ଣ ହେଲା ! ବର୍ତ୍ତମାନ ଅଶୋକ ଯେ ନିଜେ ପରାଜିତ ।

 

ମଧୁମିତା କଡ଼ ଲେଉଟାଇ ଶୋଇଲା ।

 

ରାତି କ୍ରମଶଃ ବଢ଼ୁଥିଲା ।

 

ଅଶୋକ ବିବ୍ରତ ହୋଇ ପଡ଼ିଥିଲା । କି କୈଫୟତ ସେ ଦେବ ଶଶୀଶେଖର ଚଉଧୁରୀଙ୍କୁ ?

ଏକ ସମୟରେ ମଧୁମିତା ଆଖି ଖୋଲିଲା ।

 

ସାମନାରେ ଅଶୋକ ଖଣ୍ଡିଏ ଚେଆର ଉପରେ ବସି ରହିଛି । ବୋଧହୁଏ ଆଖିରେ ତା’ର ତନ୍ଦ୍ରା ଘୋଟି ଆସିଛି ।

 

ମଧୁମିତା ଧୀରେ ଧୀରେ ଉଠିଲା । ବସିଲା ଶେଯ ଉପରେ ।

 

ଦେହସାରା କିପରି ତା’ର ଏକ ନୂତନ ଅନୁଭୂତି ।

 

କ’ଣ ହେଲା ତା’ର ? ଏତେ ଫୂର୍ତ୍ତି ! ଏତେ ହାଲ୍‍କା ତା’ର ଦେହ ମନ ! କିନ୍ତୁ ଅଶୋକ, ଦେହ ଖରାପ ହେଲା କି ତା’ର !

 

ଉଠି ଠିଆ ହେଲା ମଧୁମିତା । କିନ୍ତୁ ପାଦ ଉଠାଇ ଆଗକୁ ପକାଇବାର ଶକ୍ତି ଯେ ତା’ର ନାହିଁ । କ’ଣ ହେଲା ଆଜି ତା’ର ?

 

ସେଇଠି ବସି ମଧୁମିତା ଡାକିଲା ଅଶୋକକୁ ।

 

ଅଶୋକର ତନ୍ଦ୍ରା ତୁଟିଗଲା ନିମିଷକେ । ଛୁଟି ଆସିଲା ସେ ମଧୁମିତାର ଶେଯ ପାଖକୁ-

 

ତା’ର କପାଳର କୁଞ୍ଚିତ ରେଖା ଆଡ଼େ ଚାହିଁ ମଧୁମିତା ହସିଲା । କହିଲା, ମୋତେ ସଙ୍ଗରେ ଆଣି ଖୁବ୍ ଦୁଶ୍ଚିନ୍ତାରେ ପଡ଼ି ଯାଇଛ, ନା ?

 

ଏଥର ଅଶୋକ କଣ୍ଠରେ ମିନତି । ତମେ ଉଠ ମିତା । ରାତି ଅନେକ ହେଲାଣି । ଡାଡ଼ି ତେଣେ ଅପେକ୍ଷା କରିଥିବେ । କ’ଣ ଭାବିବେ ସେ ମୋତେ ?

 

ମଧୁମିତା ପୁଣି ହସିଲା । କହିଲା, ସେ କୈଫିୟତ ଦେବ ତମେ । ମୋର ସେଥିପାଇଁ କିଛି ଦାୟିତ୍ୱ ନାହିଁ ।

 

କିନ୍ତୁ ତମେ ଏବେ ଉଠ !

 

ମଧୁମିତାଠାରେ ଉଠିବାର କୌଣସି ଲକ୍ଷଣ ତ ଦେଖାଗଲା ନାହିଁ ବରଂ ସେ ପୁଣି ଥରେ ଶୋଇବାର ଉପକ୍ରମ କଲା ।

 

ଅଶୋକ ମଧୁମିତାର ହାତ ଧରି କହିଲା, ପ୍ଲିଜ୍, ଉଠ ମିତା । ଡାଡ଼ିଙ୍କ ପାଖରେ ମୋତେ ଆଉ ଛୋଟ କର ନାହିଁ ।

 

ମଧୁମିତା ଅଶୋକ ହାତରୁ ହାତ ଝିଙ୍କି ନେଇ ମୁହଁ ବୁଲେଇ ଶୋଇ ପଡ଼ିଲା । ଯେପରି ସେ ଏଠାରେ ଖୁବ୍ ନିଶ୍ଚିନ୍ତ ।

 

କିନ୍ତୁ ଅଶୋକ ପ୍ରକୃତରେ ପରାଜିତ ହୋଇଥିଲା । ସେ ଏତେଟା ଆଶା କରି ନ ଥିଲା । ମଧୁମିତାକୁ ଜବ୍ଦ କରିବା ପାଇଁ ଆଣି ନିଜେ ସେ ଜବଦ୍‍ ହୋଇଯାଇଥିଲା ।

 

ହୋଟେଲର କେଉଁ ଗୋଟାଏ ଘଡ଼ିରେ ବାରଟା ବାଜିବାର ଶଦ୍ଦ ହେଲା ।

 

ଅଶୋକ ଆଉ ସ୍ଥିର ରହିପାରିଲାନାହିଁ ।

 

ଖଟ ଉପରେ, ମଧୁମିତା ପାଖକୁ ଲାଗି ବସି, କପାଳରେ ତା’ର ହାତ ଥାପି ଧୀରେ ଧୀରେ ଡାକିଲା, ଉଠ ମିତା ! ଘଡ଼ିରେ ଯେ ବାରଟା ବାଜିଲାଣି ।

 

ବାଜୁ, ଆଜି ମୁଁ ଗୋଟାଏ ସମାଧାନ ଚାହେଁ । ମଧୁମିତାର କଣ୍ଠସ୍ୱର ଗମ୍ଭୀର ।

 

ସମାଧାନ, କି ସମାଧାନ ଚାହିଁ ତୁମେ ମିତା ?

 

ମଧୁମିତା ଉଠି ବସିଲା । କହିଲା, କେଉଁ ସାହସରେ, କ’ଣ ଭାବି ମୋତେ ଆଣି ହୋଟେଲର ଏଇ ନିର୍ଜନ ପ୍ରକୋଷ୍ଠରେ ବନ୍ଦୀ କରିଛ ? ଘର ଭିତରେ ତମେ ଆଉ ମୁଁ ।

 

ଏଥର ଅଶୋକର ସ୍ୱର କରୁଣ ହୋଇଉଠିଲା । ସେ କହିଲା, ତମେ ମତେ ଭୁଲ୍ ବୁଝ ନାହିଁ ମିତା ! ମୁଁ ତମକୁ ବନ୍ଦୀକରି ନାହିଁ । ତମେ ହଠାତ୍ ଅସୁସ୍ଥ ଅନୁଭବ କଲ । ସେଇଥିପାଇଁ......

 

ଚାଲ ଆଜି ଡାଡ଼ିଙ୍କ ଆଗରେ ସବୁ କଥା କହିବି । ସେ କିପରି ତମ ସମ୍ୱନ୍ଧରେ କିଛି ନ ବୁଝି, କିଛି ନ ଜାଣି ମୋତେ ତମ ସହିତ ଆସିବାକୁ ନିଶ୍ଚିନ୍ତରେ ଛାଡ଼ିଦେଲେ । ଆଉ ତମେ କିପରି ଡାଡ଼ିଙ୍କର ବିଶ୍ୱାସର ମୂଲ୍ୟ ଦେଲା । ଚାଲ, ଉଠ ।

 

ମଧୁମିତା ଏକ ରୁଦ୍ର ମୂର୍ତ୍ତି ଧରି ଉଠି ଠିଆ ହୋଇପଡ଼ିଲା ।

 

ଏଥର କିନ୍ତୁ ଅଶୋକ ମଧୁମିତାର ହାତ ଧରି ଟାଣି ଟାଣି ବସାଇଲା । ସେ ସାନ୍ତ୍ୱନା ଦେବା ସ୍ୱରରେ କହିଲା, କିନ୍ତୁ ମିତା ! ତମ ମୋ ଭିତରେ କ୍ରମଶଃ ଯେଉଁ ସମ୍ପର୍କ ଗଢ଼ି ଉଠୁଛି, ତା’ର ଭବିଷ୍ୟତ ସମ୍ୱନ୍ଧରେ ତମ ମନରେ କ’ଣ କୌଣସି ସ୍ୱପ୍ନ ଜାଗି ନାହିଁ ?

 

ସ୍ୱପ୍ନ ତ ଆଉ ବାସ୍ତବ ନୁହେଁ ଅଶୋକ । ମୁଁ ଭାରି ବାସ୍ତବବାଦୀ । ଡାଡ଼ି ମୋତେ ସେହିପରି ଗଢ଼ିଛନ୍ତି । ସେ କୁହନ୍ତି, ସ୍ୱପ୍ନ ଆଉ ବାସ୍ତବ ଭିତରେ ଆକାଶ ପାତାଳ ତଫାତ୍ । ମଧୁମିତାର ସ୍ୱରଟା ସେହିପରି ଗମ୍ଭୀର ।

 

ତୁମେ ମୋତେ ବିଶ୍ୱାସ କରି ପାରୁନାହିଁ ମିତା ? ଅଶୋକର କଣ୍ଠରେ ଆକୁଳ କାକୁତି ।

 

ମଧୁମିତା କିଛି ଉତ୍ତର ଦେଲା ନାହିଁ । ମୁହଁ ବୁଲେଇ ଠିଆ ହେଲା ଯାଇ ଝରକା ପାଖରେ ।

 

କିଛି ସମୟ ପରେ ଅଶୋକର ସ୍ପର୍ଶ ସେ ଅନୁଭବ କଲା । ବୁଲି ଅନେଇଲା ପଛକୁ ।

 

ଅଶୋକ ହାତରୁ ଅଙ୍ଗୁରୀୟଟି କାଢ଼ି ପିନ୍ଧାଇ ଦେଉଛି ମଧୁମିତା ଆଙ୍ଗୁଳିରେ । କହିଲା, ଏଇ ମୁହୂର୍ତ୍ତରେ ମୁଁ ତମ ମନର ସମସ୍ତ ଅବିଶ୍ୱାସର ଅବସାନ ଚାହେଁ ମିତା !

 

ମଧୁମିତା ଥରେ ଚାହିଁଲା ତା’ ହାତର ଅଙ୍ଗୁରୀୟଟି ଆଡ଼େ, ଆଉ ଥରେ ଚାହିଁଲା ଅଶୋକର ମୁହଁକୁ ।

 

ତା’ପରେ ଅଶୋକର ଗଳାରେ ଦୁଇ ହାତ ଛନ୍ଦି ଆନନ୍ଦ ଗଦ୍‍ଗଦ୍ ସ୍ୱରରେ କ’ଣ ଯେ କହିଲା, ଅଶୋକ କିଛି ବୁଝି ପାରିଲା ନାହିଁ । ସେ କେବଳ ମଧୁମିତାର ଭାରସାମ୍ୟ ରକ୍ଷା କରିବା ପାଇଁ ମଧୁମିତାକୁ ଜାବୁଡ଼ି ଧରିଥିଲା ଦୁଇ ହାତରେ ।

 

ଆହୁରି ଅନେକ ସମୟଯାଏ ସେଦିନ ଦୁହେ ଥିଲେ ହୋଟେଲର ସେହି ନିର୍ଜନ ପ୍ରକୋଷ୍ଠରେ ।

 

ଅଶୋକ ଯେତେଥର ଡାଡ଼ିଙ୍କ କଥା କହି ମଧୁମିତାକୁ ଘରକୁ ଫେରିବା ପାଇଁ କହିଥିଲା, ମଧୁମିତା କେବଳ ହସି ଉଠିଥିଲା ଥରକୁଥର । କହିଥିଲା, ଡାଡ଼ି ଶୋଇ ପଡ଼ିଥିବେ ଅଶୋକ । ତାଙ୍କ ପାଇଁ ତମେ ଚିନ୍ତାକର ନାହିଁ । କିନ୍ତୁ ଆଜିର ଏହି ପବିତ୍ର ରାତ୍ରିଟି ଆମ ଜୀବନରେ ଆଉ ହୁଏତ କେବେ ଆସିବ ନାହିଁ ।

 

ସେଦିନ ମଧୁମିତା ଯେତେବେଳେ ଘରକୁ ଫେରିଥିଲା, ଦୂରର ଗୀର୍ଜା ଘଡ଼ିରେ ରାତି ଦୁଇଟା ବାଜୁଥିଲା ।

 

ସେଦିନ ଆଉ ଆଜି ?

 

କେତେ ତଫାତ୍ ମଧୁମିତାର ଜୀବନରେ !

 

କିନ୍ତୁ ସେଦିନର ସେହି ରାତି ଆଜି ବି ନଇଁ ଆସେ କଲିକତା ବକ୍ଷରେ, ଗୀର୍ଜା ଘଡ଼ିରେ ଆଜି ବି ଦୁଇଟା ବାଜେ । ଆଉ ମଧୁମିତାର ଜୀବନ.... ?

 

ନା, ଅସହ୍ୟ । ଆଉ ସହି ହେଉ ନାହିଁ । ଶେଷରେ ତଣ୍ଟି ଶୁଖିଗଲା ପରି ଲାଗୁଛି । ପାଣି ନ ପିଇଲେ ଚଳିବ ନାହିଁ ।

 

ମଧୁମିତା ଫେରି ଆସିଲା ଝରକା ପାଖରୁ ।

 

ପାଖ ଘରେ ଶୋଇଛି ନାଜନିନ୍ । ତାକୁ ନ ଉଠାଇ ଆଉ ଉପାୟ ନାହିଁ ।

 

ମଧୁମିତା ଯାଇ ନାଜନିନ୍ର କବାଟରେ ଧକ୍କା ମାରିଲା ।

 

ଏଇ ମୁହୂର୍ତ୍ତରେ ପାଣି ନ ପିଇଲେ, ମଧୁମିତାର ହୁଏତ ଛାତି ଫାଟିଯିବ । ସେ ପାଗଳ ହୋଇଯିବ ।

 

ନାଜନିନ୍ ଆସି ମଧୁମିତାକୁ ଉଠାଇଲା ।

 

ରାତି ପାହି ଯାଇଛି ଅନେକବେଳୁ । ଘଡ଼ିରେ ଆଠଟା ବାଜିଲାଣି । ତଥାପି ମଧୁମିତାର ନିଦ ଭାଙ୍ଗି ନାହିଁ ଆଜି ।

 

ଫୋନ ଆସିଛି ମଧୁମିତାର ।

 

ନିଦ ମଳମଳ ଆଖିରେ ରିସଭରଟା କାନରେ ଦେଇ ଅପର ପାର୍ଶ୍ୱରୁ କାହାର କଣ୍ଠସ୍ୱର ଶୁଣି ଉଠି ବସିଲା ।

 

ଚନ୍ଦ୍ରକାଂତ ଫୋନ୍ କରିଥିଲା ।

 

ଏତେ ସକାଳୁ ସେ ଫୋନ୍ କରିଥିଲା ମଧୁମିତାର ଦେହର ଅବସ୍ଥା ଜାଣିବା ପାଇଁ । କାଲି ରାତିରେ ଅସୁସ୍ଥ ଶରୀର ନେଇ ଫେରିଥିଲା ମିତା । ସେଥିପାଇଁ ରାତିରେ ଭଲ କରି ନିଦ ହେଇ ନ ଥିଲା ଚନ୍ଦ୍ରକାଂତକୁ ।

 

ମଧୁମିତା ଅପର ପାର୍ଶ୍ୱରୁ ଏହି କଥା ଶୁଣି ହସି ହସି ଭାଙ୍ଗି ପଡ଼ିଥିଲା । ନିର୍ବୋଧ ଚନ୍ଦ୍ରକାଂତ । କେବେ ବୁଝିବ ନାରୀର ମନ ।

 

ମଧୁମିତା ଉତ୍ତର ଦେଇଥଲା, ସେ ଭଲ ଅଛି ଏବଂ ଅନ୍ୟାନ୍ୟ ଦିନ ଅପେକ୍ଷା ଆଜି ସେ ଅଧିକ ଖୁସି ଅଛି ।

 

ଚନ୍ଦ୍ରକାଂତ କାରଣ ପଚାରିଥିଲା ।

 

ମଧୁମିତା ହସି ହସି କହିଥିଲା, କାଲି ତମର ସାନିଧ୍ୟ ହିଁ ମୋତେ ପ୍ରେରଣା ଦେଇଛି, ଖୁସି କରିଛି, ସମ୍ମୋହିତ କରିଛି ।

 

ଚନ୍ଦ୍ରକାଂତର ମନଟା ପୂରି ଉଠୁଥିଲା ମଧୁମିତାର ଉତ୍ତରରେ । ଜୀବନରେ ହୁଏତ ଏଇ ପ୍ରଥମ ଅନ୍ତରଙ୍ଗତାର ସ୍ୱର । ସେ ଉତ୍ତର ଦେଇ ପାରି ନ ଥିଲା କିଛି ।

 

ମଧୁମିତା କହିଥିଲା, ଆଜି କିନ୍ତୁ ତମେ ଆସିବ ଆମ ଘରକୁ । ଚାରିଟାବେଳକୁ ମୁଁ ତମର ଅପେକ୍ଷା କରିଥିବି । ମିନିଟିଏ ଡ଼େରିହେଲେ ତମ ସହିତ ଆଉ ପାଟି ଫିଟେଇବି ନାହିଁ ଜାଣିଥାଅ ।

 

ଚନ୍ଦ୍ରକାଂତ ହୁଏତ ଆଶା କରୁଥିଲା ସେହିପରି କିଛି ଗୋଟାଏ ଅନୁରୋଧ । ଉତ୍ତରରେ କହିଲେ, ଯଦି ଆଗରୁ ପହଞ୍ଚେ, ତା’ହେଲେ ?

 

ମଧୁମିତା କହିଲା, ତା’ହେଲେ ? ତା’ ହେଲେ, କ’ଣ କରିବାକୁ ହେବ, ଏଇଆ ତ ? ରୁହ ରୁହ, ମୁଁ ଟିକିଏ ଡାଡ଼ିଙ୍କୁ ପଚାରି ଆସେ ।

 

ସେପାଖରୁ ଚନ୍ଦ୍ରକାଂତ ହସି ହସି ରିସଭରଟା ରଖିଦେଲା ।

 

ମଧୁମିତା ବି ହସି ହସି ରିସଭରଟା ନାଜନିନ୍ ହାତକୁ ବଢ଼ାଇ ଦେଲା ।

 

ନାଜନିନ୍ କହିଲା, ଆଜି ଦିନଟା ତମର ଭଲରେ କଟିବ ଦିଦି ।

 

ତୁ କିମିତି ଜାଣିଲୁ ?

 

ସକାଳୁଟା ହସ ଖୁସିରେ ଆରମ୍ଭ ହେଲାଣି ତ ! ସେଥିପାଇଁ କହୁଚି ।

 

ମଧୁମିତା ନାଜନିନ୍ ର ହସିଲା ମୁହଁ ଆଡ଼େ ଚାହିଁ ହଠାତ୍ ଗମ୍ଭୀର ହୋଇଗଲା ।

 

ନାଜନିନ୍ କହିଲା, ଦିଦି, ତମର ଏଇ ଘଡ଼ିକେ ଘୋଡ଼ା ଛୁଟା ଭାବ ମୋତେ ମୋଟେ ଭଲ ଲାଗେନାହିଁ । ଏଇକ୍ଷଣି ହସି ହସି ଭାସି ଯାଉଥିଲ, ଆଉ ଏଇକ୍ଷଣି ଏଡ଼େ ମୁହଁ.....

 

ମଧୁମିତା ସେହିପରି ଗମ୍ଭୀର ହୋଇ କହିଲା, ତୋ ଦୁନିଆଟି ଭାରି ଛୋଟ ନାଜ, ସେଇଥିପାଇଁ ତୋ ମନଟି ବି ଫରୁଆ ପରି । ସେତିକି ଭିତରେ ତୋର ହସ, କାନ୍ଦ, ସୁଖ ଦୁଃଖ । ସେଇଥିପାଇଁ କିଛି ତୋତେ ବାଧେ ନାହିଁ । କିଛି ତୁ ଜାଣିପାରୁନାହିଁ । ତୋର ସ୍ୱାମୀ, ତୋର ଦେବତା । ତା’ଠାରୁ ଦୂରକୁ ଆଉ ତୁ ଉଡ଼ି ପାରୁନାହିଁ । କିନ୍ତୁ ତୋ ଦିଦିର ମନ....

 

ମଧୁମିତା ଆଉ କଥା ଶେଷ କରି ପାରିଲା ନାହିଁ । ଗୋଟାଏ ଦୀର୍ଘଶ୍ୱାସ ତା’ ପଞ୍ଜରା ଦୋହଲାଇ ବାହାରି ଆସିଲା ।

 

ନାଜନିନ କହିଲା, ତମେ ତ ସ୍ୱାମୀ ସଂସାର ଧରି ମନ ଆନନ୍ଦରେ ରହି ପାରନ୍ତ ଦିଦି ! ତମେ ବଡ଼ଲୋକ । ବାପାଙ୍କର ଅଗାଧ ସମ୍ପତ୍ତି । ଆମ ଠାରୁ ଲକ୍ଷ ଲକ୍ଷ ଗୁଣରେ ତମେ ସୁଖୀ ହେଇପାରନ୍ତ ! ମୋ ଦିହ ଛୁଇଁ କହିଲ ? ମୁଁ ମିଛ କହୁଛି ?

 

ନାଜନିନ୍ ଦେଖିଲା ମଧୁମିତା ତା’ ଅଲକ୍ଷ୍ୟରେ ଆଖିରୁ ଲୁହ ପୋଛି ପକାଉଛି । ସେ ବୁଝି ପାରିଲା ନାହିଁ କିଛି, ତା’ର ସାହସ ହେଲା ନାହିଁ ବି ଆଉ କିଛି ପଚାରିବାକୁ । ମଧୁମିତା ମନରେ କେଉଁଠି ଯେ ଦୁଃଖ, କେଉଁଥିପାଇଁ ଯେ ତା’ ଆଖିରେ ଲୁହ, ସେକଥା ହୁଏତ ତା’ପରି ଏକ ମୂର୍ଖ ଝିଅ ବୁଝିପାରିବନାହିଁ । ସେ ମଧୁମିତାର କପାଳରେ ହାତ ବୁଲାଇବାକୁ ଲାଗିଲା ।

 

ମଧୁମିତା ଶାନ୍ତ ସ୍ୱରରେ ପଚାରିଲା, ତୁ ମୋତେ କାହିଁକି ଏତେ ଭଲପାଉ ନାଜ୍ !

 

ତୁମେ ଯେ ମୋର ଦିଦି । ନାଜନିନ୍ ସରଳ ସ୍ୱରରେ କହିଲା ।

 

ମଧୁମିତା ତା’ହାତକୁ ଚାପିଧରି କହିଲା, ମୁଁ ଯଦି ତୋ ମା’ ପେଟରେ ଭଉଣୀ ହୋଇ ପାରିଥାନ୍ତି ନାଜ୍, ତା’ହେଲେ ଆଜି ମୋର ଏତେ ଦୁଃଖ ନ ଥାନ୍ତା । ଛାଡ଼, ଯେଉଁଟା ସମ୍ଭବ ନୁହେଁ, ସେଇଟା ପାଇଁ ଚିନ୍ତା କରିବା ମଧ୍ୟ ଉଚିତ୍ ନୁହେଁ । ଆଚ୍ଛା, ଡାଡ଼ି କ’ଣ କରୁଛନ୍ତି ?

 

ସେ ଚା’ ପିଇସାରି କୁଆଡ଼େ ବାହାରି ଗଲେଣି ।

 

ମୋ କଥା କିଛି ପଚାରୁଥିଲେ କି ?

 

ନା, ଖାଲି କହିଗଲେ, ମିତା ଉଠିଲେ କହିଦେବୁ, ମୋର ଫେରିବାକୁ ଟିକିଏ ଡ଼େରି ହେବ ।

 

ମଧୁମିତା ଉଠୁ ଉଠୁ ପୁଣି ବିଛଣାରେ ଗଡ଼ି ପଡ଼ିଲା । କୋଳରେ ଗୋଟାଏ ତକିଆ ଜାକି, ଆଉ ଥରେ ମୁହଁ ମାଡ଼ି ଶୋଇବାକୁ ଚେଷ୍ଟାକରି ବୋଧହୁଏ ଶୋଇ ପାରିଲାନାହିଁ । ନାଜନିନ୍ ଆଡ଼େ ଚାହିଁ କହିଲା, ତୋ ସ୍ୱାମୀ ତତେ ଖୁବ୍ ଆଦର କରେ, ନାଁରେ ନାଜ୍ ?

 

ନାଜନିନ୍ ସ୍ୱାମୀ କଥା ଶୁଣି ଲାଜରେ ଝାଉଁଳି ପଡ଼ିଲା । ମୁହଁ ଖୋଲି କହି ପାରିଲା ନାହିଁ କିଛି ।

 

ମଧୁମିତା ନାଜନିନ୍ ର ଗୋଟାଏ ହାତ ଧରି, ଶେଯ ଉପରକୁ ଟାଣି ନେଇକହିଲା, ଆଚ୍ଛା ସତ କହିଲୁ ନାଜ୍, ଯେଉଁଦିନ ତୋ ବର ସହିତ ପ୍ରଥମ ରାତିରେ ତୋର ଭେଟ ହେଲା, ଆଉ ତୋ ବର ଯେତେବେଳେ ଉଢ଼ୁଣା ଟେକି ତୋ ମୁହଁଟିକୁ ହାତରେ ଧରି ସୋହାଗରେ ଡାକିଲା ନା ଆଜ୍, ସେତେବେଳେ ତୁ ମୁଦା ଆଖିକୁ ଧୀରେ ଧୀରେ ଖୋଲି ଲୁଚେଇ ଲୁଚେଇ ବରର ମୁହଁ ଦେଖୁ ଦେଖୁ ନିଶ୍ଚୟ ତା’ ଉପରକୁ ଢ଼ଳି ପଡ଼ିଥିଲୁ ! !

 

ଧେତ୍ ! ତମେ ଭାରି ଇୟେ ଦିଦି । ନିଜେ ବଳେ ଦେଖିବ ଯେ ! କେମିତି ଭିଣେଇ ବାବୁ ତମକୁ ଆଦର କରୁଛନ୍ତି ମୁଁ ଲୁଚି ଲୁଚି କବାଟ ଫାଙ୍କାରୁ ସବୁ ଦେଖିବି ।

 

ମଧୁମିତା ନାକରୁ ପୁଣି ଏକ ଦୀର୍ଘଶ୍ୱାସ ବାହାରିଆସିଲା ।

 

ଏଥର ସେ ବିଛଣା ଉପରେ ଉଠିବସି କହିଲା, ଅନେକ ବେଳ ହେଲାଣି ନାଜ୍ । ବାଥ୍‍ରୁମ୍ ସଜାଡ଼ି ଦିଅ ଯା । ଆଜି ଅନେକ କାମ ଅଛି ।

 

ନାଜନିନ୍ କିନ୍ତୁ ଉଠିଲା ନାହିଁ । ଅଳି କରି କହିଲା, ଆଚ୍ଛା ସତ କହିଲ ଦିଦି, ତମର କ’ଣ ବାହା ହେବାକୁ ଇଚ୍ଛା ହୁଏ ନାହିଁ ?

 

ମଧୁମିତା ରହସ୍ୟ କରିବା ପାଇଁ କହିଲା, ଆମମାନଙ୍କ ପରି ବଡ଼ଲୋକ ଘରେ ପାତ୍ରର ବଡ଼ ଅରାବ ନାଜ୍ । ତୁ ଗୋଟିଏ ମୋ ପାଇଁ ଠିକ୍ କରି ଦେଇପାରିବୁ ?

 

ନାଜନିନ୍ ମଧୁମିତାର କାନ ପାଖକୁ ମୁହଁ ନେଇ କହିଲା, ଚନ୍ଦ୍ରକାଂତ ବାବୁଙ୍କ ସାଙ୍ଗରେ ତୁମକୁ ଏକା ଖୁବ୍ ମାନନ୍ତା ଦିଦି ।

 

ହଠାତ୍ ମଧୁମିତାର ସର୍ବାଙ୍ଗରେ କିପରି ଏକ ଶିହରଣ ଖେଳିଗଲା । ସେ ତୀକ୍ଷ୍‍ଣ ଦୃଷ୍ଟିରେ ନାଜନିନ୍ ମୁହଁକୁ ଚାହିଁ କହିଲା, ଏତେ ବାବୁ ଥାଉ ଥାଉ ଚନ୍ଦ୍ରକାଂତ ବାବୁଙ୍କ ସହିତ ମୋତେ ହଠାତ୍ ମାନିଲା କାହିଁକି ?

 

ନାକିନିନ୍ କହିଲା, ସେ କଥା ମୁଁ କହି ପାରିବ ନାହିଁ ଦିଦ । ମୋତେ ଯାହା ଭଲ ଦିଶିଲା, ମୁଁ ସେଇଆ କହିଲି । ତମେ କହିଲି ଦିଦି, ତମ ପାଖକୁ ଯେତେ ବାବୁ ଆସନ୍ତି, ସେମାନଙ୍କ ଭିତରୁ ଚନ୍ଦ୍ରକାଂତ ବାବୁ ତମକୁ ନିଶ୍ଚେ ଭଲ ଲାଗିଥିବ ।

 

ମଧୁମିତା ଆଉ କିଛି ଉତ୍ତର ଦେଲାନାହିଁ ।

 

ଏଥର ସେ ଉଠି ଠିଆହେଲା । ନାଜନିନ୍ ଚିବୁକ ହଲାଇ ଦେଇ ହସି ହସି କହିଲା, ଚନ୍ଦ୍ରକାଂତ ବାବୁ ଆସିଲେ, ମୁଁ ତୋ କଥା ତାଙ୍କୁ କହିବି; ଦେଖେଁ ସେ କ’ଣ କହୁଛନ୍ତି ! !

 

ସତରେ ମଧୁମିତା ସେଦିନ ଏତେଟା ଆଶା କରି ପାରିନଥିଲା ।

 

ଠିକ୍ କଣ୍ଟାଏ କଣ୍ଟାଏ ସାଢ଼େ ତିନିଟାରେ ଚନ୍ଦ୍ରକାଂତ ଆସି ହାଜିର୍ ହୋଇଥିଲା ମଧୁମିତାର ଶୋଇବା ଘରେ ।

 

ମଧୁମିତା ପାଦ ଶଦ୍ଦ ଶୁଣି ବି ଉଠି ନଥିଲା । ସେ ମୋଟେ ଭାବି ପାରି ନ ଥିଲା ଚନ୍ଦ୍ରକାଂତ କଥା । ସେଇଥିପାଇଁ ଦେହର ଲୁଗାପଟା କିଛି ଠିକ୍ ନ ଥିଲା ମଧୁମିତାର ।

 

ଚନ୍ଦ୍ରକାଂତ ଅଟକି ଯାଇଥିଲା ଦୁଆର ମୁହଁରେ ।

 

ଆଗକୁ କି ପଛକୁ ପାଦ ପକାଇ ପାରୁ ନ ଥିଲା ।

 

ମଧୁମିତାର ଅସଂଯତ ବେଶବାସ । ପଛରେ ନାଜନିନ୍ ଠିଆ ହୋଇଛି ଖଣ୍ଡେ ଦୂରରେ-। ଏକ ଲୟରେ ଚାହିଁଛି ସେ ଚନ୍ଦ୍ରକାଂତକୁ ।

 

ଭାରି ଅଡ଼ୁଆରେ ପଡ଼ି ଯାଇଥିଲା ଚନ୍ଦ୍ରକାଂତ ।

 

ଶେଷରେ ସେ ଘର ଭିତରେ ପ୍ରବେଶ କରିଥିଲା । ଦୁଆର ମୁହଁରୁ ଡ଼ାକ ଛାଡ଼ିଥିଲା, ମିତା ! ମିତା ! ମୁଁ ଆସି ଯାଇଛି ମିତା !

 

ମଧୁମିତା ସ୍ୱପ୍ନ ଦେଖୁ ନାହିଁ ତ ଆଉ ! ଚନ୍ଦ୍ରକାଂତର ଡ଼ାକ ଶୁଣି ସେ ଉଠି ବସିଥିଲା । ଇସ୍, ଲାଜରେ ମୁହଁ ଲାଲ ପଡ଼ି ଯାଇଥିଲା ମିତାର । ଦେହରେ ଜାମା ନାହିଁ, ଲୁଗାର ଠିକ୍ ନାହିଁ । ଶାଢ଼ୀଟାକୁ ଦିହରେ ଗୁଡ଼େଇ ପକେଇ ସେ ଛୁଟି ପଳାଇଥିଲା ବାଥ୍‍ରୁମ୍ କୁ ।

 

ଚନ୍ଦ୍ରକାଂତର ମୁଣ୍ଡଟା ବି ନଇଁ ପଡ଼ିଥିଲା ଲାଜରେ ।

 

ସେ କ’ଣ ଏତେଟା ଆଶା କରିଥିଲା ?

 

ଚନ୍ଦ୍ରକାଂତ ବାଟଯାକ ଭାବି ଭାବି ଆସୁଥିଲା, ଆଜି ଯାଇ ଚମକାଇ ଦେବ ମିତାକୁ । ସମସ୍ତଙ୍କ ଅଲକ୍ଷ୍ୟରେ, ନିର୍ଦ୍ଧାରିତ ସମୟରେ ବହୁ ପୂର୍ବରୁ ପହଞ୍ଚି, ପାଦ ଚିପି ଚିପି ସେ ଯାଇ ପହଞ୍ଚିଯିବ ମିତା ରୁମ୍‍ରେ, ଆଖି ଦୁଇଟା ତା’ର ଚାପି ଧରିବ ଦୁଇ ହାତରେ; ମିତା ଯେତେବେଳେ ବହୁ କଷ୍ଟରେ ଚନ୍ଦ୍ରକାଂତର ହାତ ଦୁଇଟାରୁ ନିଜକୁ ମୁକ୍ତି କରିବ, ଆଖି ଆଗରେ ତାକୁ ଦେଖି ନିଶ୍ଚୟ ଆଶ୍ଚର୍ଯ୍ୟ ହେବ ।

 

କିନ୍ତୁ, ଘଟଣାଟା ଯେ ଭିନ୍ନ ଆକାର ଧାରଣ କଲା ।

 

ମିତା ଫେରି ଆସିଲେ ତା’ ଆଗରେ ସେ ମୁହଁ ଦେଖାଇବ କେମିତି । ବରଂ ସେ ଆସିବା ପୂର୍ବରୁ ଚନ୍ଦ୍ରକାଂତ ଏଠାରୁ ଚାଲିଯିବା ଭଲ ।

 

ହିଁ ତାହାହିଁ ଉଚିତ ।

 

ଚନ୍ଦ୍ରକାଂତ ଧୀରେ ଧୀରେ ପାଦ ଲେଉଟାଇଲା ପଛକୁ ।

 

କିନ୍ତୁ ଆଖି ଆଗରେ ତା’ର ଭାସି ଉଠିଲା ମିତାର ସେହି ଶଙ୍ଖ ଧବଳ ଦେହ । ଉନ୍ନତ ବକ୍ଷୋଜ ।

 

ନାରୀକୁ ଏତେ ନିକଟରେ କେବେ ଦେଖି ନ ଥିଲା ଚନ୍ଦ୍ରକାଂତ ।

 

ଲଜ୍ଜା ଆଉ ଉତ୍ତେଜନାରେ ଗୋଡ଼ ଦୁଇଟା ତା’ର ଏଣେ ତେଣେ ପଡ଼ୁଥିଲା ।

 

ତଳେ ହଠାତ୍ ଦେଖା ହୋଇଗଲା ଶଶୀଶେଖରଙ୍କ ସହିତ ।

 

ସେ ଚନ୍ଦ୍ରକାଂତର ବିହ୍ୱଳ ଗତିବିଧି ଆଡ଼େ ଲକ୍ଷ୍ୟ କରି କହି ଉଠିଲେ, ଆସ ଆସ ୟଙ୍ଗମ୍ୟାନ୍ । ମୁଁ ତମରି ପ୍ରତୀକ୍ଷା କରିଥିଲି । ମିତା କହୁଥିଲା, ତମେ ଆଜି ଆସିବ ।

 

ଚନ୍ଦ୍ରକାଂତ ସର୍ବାଙ୍ଗରୁ ଯେପରି ଏଇ ମୁହୂର୍ତ୍ତରେ ଗମ ଗମ୍ ହୋଇ ଝାଳ ବୋହି ପଡ଼ିବ ବୋଧହୁଏ । ସେ ଶଶୀଶେଖରଙ୍କ ପାଖରେ ଏପରି ଅତର୍କିତ ଭାବରେ ଧରା ପଡ଼ି ଯାଇ ଆହୁରି ଲଜ୍ଜିତ ହୋଇପଡ଼ିଥିଲା ।

 

ବାଧ୍ୟ ଶିଶୁଟି ପରି ଚନ୍ଦ୍ରକାଂତ ଶଶୀଶେଖରଙ୍କ ଲାଇବ୍ରେରୀରେ ପ୍ରବେଶ କଲା ।

 

ଶଶୀଶେଖର ଗୋଟିଏ ଚେଆର ଉପରେ ବସୁ ବସୁ ପଚାରିଲେ, ମିତା କ’ଣ ନାହିଁକି ଉପରେ ?

 

କି ଉତ୍ତର ଦେବ ଚନ୍ଦ୍ରକାଂତ ! କହିଲା, ସେ ବାଥ୍‍ରୁମ୍ ରେ ଅଛନ୍ତି । ସେଇଥିପାଇଁ.....

 

ଶଶୀଶେଖର କହିଲେ, ସେ ଆସିଯିବ ଏଇକ୍ଷିଣା । ଆଜି ଖରାବେଳଟାଯାକ ସେ ଖାଲି ଉତ୍ପାତ କରି କଟାଇଛି । ଚାକର ପୁଝାରୀ କାହାରିକୁ ଟିକିଏ ଶୁଆଇ ଦେଇନାହିଁ । ତମେ ଆସିବ ବୋଲି ତା’ର ଯେ କି ଆନନ୍ଦ, ସେ କଥା ତୁମେ ନିଜ ଆଖିରେ ନ ଦେଖିଲେ ବୁଝି ପାରିବ ନାହିଁ, ୟଙ୍ଗମ୍ୟାନ୍ ।

 

ଶଶୀଶେଖରଙ୍କ ମୁହଁରୁ ମଧୁମିତା ସମ୍ୱନ୍ଧରେ ଏପରି କଥା ଶୁଣିବା ପାଇଁ ମୋଟେ ଭଲ ଲାଗୁ ନ ଥିଲା ଚନ୍ଦ୍ରକାଂତକୁ । ସେ କିନ୍ତୁ କହି ଚାଲିଥିଲେ, କାଲି ମିତା ଆସି ତମର ବହୁତ ପ୍ରଂଶସା କରୁଥିଲା ୟଙ୍ଗମ୍ୟାନ୍ ! ସେ କହୁଥିଲା ତମ ଭଳି ଶାନ୍ତ ସଂଯତ ୟଙ୍ଗମ୍ୟାନ୍ୟ ସେ କ୍ୱଚିତ୍ ଦେଖିଛି ।

 

ହଠାତ୍ ନାଜିନିନ୍ ଭିତରକୁ ପଶି ଆସିବାରୁ ଶଶୀଶେଖର ନୀରବ ହେଲେ । ନାଜନିନ୍ ଚନ୍ଦ୍ରକାଂତ ଆଡ଼କୁ ଚାହିଁ କହିଲା, ଦିଦି ଡ଼ାକୁଛନ୍ତି ଆପଣଙ୍କୁ ।

 

ଚନ୍ଦ୍ରକାଂତ ଶଶୀଖେରଙ୍କ ମୁହଁକୁ ଚାହିଁଲା ।

 

ସେ ଉତ୍ସାହିତ ହେଲା ପରି କହିଲେ, ତୁମେ ଯାଅ ୟଙ୍ଗମ୍ୟାନ୍, ମିତା ତମ ପାଇଁ ଅପେକ୍ଷା କରିଛି । ମୁଁ ବି ଟିକିଏ ବାହାରକୁ ବାହାରିବି । ଫେରିଲେ ତମ ସହିତ ଅନେକ କଥା ଅଛି-। ଏକ ନୂତନ ବ୍ୟବସାୟର ପରିକଳ୍ପନା କରିଛି ମୁଁ । ସେ ସମ୍ୱନ୍ଧରେ ତମ ସହିତ ଟିକିଏ ଆଲୋଚନା କରିବାର ଇଚ୍ଛା ଅଛି ।

 

ଚନ୍ଦ୍ରକାଂତ ଏକା ଏକା ମଧୁମିତାର ସମ୍ମୁଖୀନ ହେବାପାଇଁ ବୋଧହୁଏ ସାହସ କରି ପାରୁନଥିଲା । ସେଇଥିପାଇଁ ସେ ଗୋଟାଏ ସୁଯୋଗ ପାଇ କହିଲା, ଆପଣ ବ୍ୟବସାୟ କଥା ଆଗ କୁହନ୍ତୁ, ମିତାଦେବୀଙ୍କ ପାଖକୁ ପରେ ଗଲେ ଚଳିବ ।

 

ଶଶୀଶେଖର ଚଉଧୁରୀ ହସି ଉଠିଲେ । କହିଲେ, ଆଗ ତମେ ମିତା ପାଖକୁ ଯାଅ । ସେ ବହୁତବେଳୁ ଅପେକ୍ଷା କରିଛି ତମକୁ ।

 

ଚନ୍ଦ୍ରକାଂତ ବାଧ୍ୟ ହୋଇ ଏଥର ଉପରକୁ ଉଠିଲା । ପାଦ ଯୋଡ଼ାକ ତା’ର ବାଗ ମାନୁ ନ ଥିଲେ । ମନ ଭିତରେ ଝଡ଼ ଉଠିଥିଲା । ମଧୁମିତା ଯଦି ଅପମାନିତ କରେ ! ଅଥବା ତା’ର ସେଇ ଅସଂଯତ ମୁହୂର୍ତ୍ତ ସମ୍ୱନ୍ଧରେ କୌଣସି ପ୍ରଶ୍ନ କରେ ?      

କିନ୍ତୁ ମଧୁମିତାକୁ ଦେଖି ମନେ ହେଲା, ଯେପରି କିଛି ହୋଇନାହିଁ, କିଛି ଘଟିନାହିଁ । ସବୁଦିନ ପରି ହସି ହସି ସ୍ୱାଗତ କଲା ଚନ୍ଦ୍ରକାଂତକୁ ।

 

ଚନ୍ଦ୍ରକାଂତ ତଥାପି ସଙ୍କୋଚ କଟେଇ ପାରୁ ନ ଥିଲା । ଚାହିଁ ପାରୁ ନଥିଲା ସିଧା ସଳଖ ଭାବରେ ।

 

ମଧୁମିତା ପଚାରିଲା, ସିଧା ଅଫିସରୁ ନିଶ୍ଚୟ ।

 

ହଁ । ସଂକ୍ଷେପ ଉତ୍ତର ।

 

ସେଇ ସକାଳ ନଅଟାରେ ଗଣେଶ ହାତରୁ ଯାହା ଖାଇ କରି ଯାଇଥିଲେ, ଅଫିସରେ କପେ ଦି’କପ୍ କଫି ଛଡ଼ା ଆଉ କିଛି ପେଟକୁ ଯାଇ ନ ଥିବ ।

 

ଚନ୍ଦ୍ରକାଂତ ଏଥର ଟିକିଏ ହସିବାକୁ ଚେଷ୍ଟା କରି କହିଲ, ଜୀବନର ଧାରା ଯାହା, ତାକୁ ତ ଆଉ ବଦଳେଇ ହେବ ନାହିଁ ।

 

ଭୁଲ୍ କଥା । ମଧୁମିତା ପ୍ରତିବାଦ କଲା । ଯେଉଁମାନଙ୍କ ଜୀବନରେ କେହି ପ୍ରତିବନ୍ଧକ ନ ଥାନ୍ତି, ସେଇମାନଙ୍କ ଜୀବନର ଗୋଟାଏ ‘ଧାରା’ ଥାଏ । ତମ ଜୀବନରେ କିନ୍ତୁ.....

 

ମଧୁମିତା କଥା ଶେଷ କରି ନ ପାରି ଚନ୍ଦ୍ରକାଂତ ମୁହଁକୁ ଚାହିଁଲା ।

 

ସେଠାରେ ଆଶା ଭରସା, ଉତ୍ସାହ, ଉଦ୍ଦୀପନା କିଛି ନାହିଁ ।

 

ମଧୁମିତା କହିଲା, ମୁଁ କ’ଣ ମିଛ କହିଲି ?

 

ଚନ୍ଦ୍ରକାଂତ କହିଲା, ସେ ସବୁ ତତ୍ତ୍ୱ କଥା କିଛି କୁହନାହିଁ ମିତା । ମୁଁ କିଛି ବୁଝି ପାରିବିନାହିଁ । ତା’ଛଡ଼ା ମନଟାକୁ ଭାରାକ୍ରାନ୍ତ କରିବାକୁ ମୁଁ ଏଠାକୁ ଆସିନାହିଁ ।

 

ମଧୁମିତା ଆଉ କୌଣସି ଉତ୍ତର ନ ଦେଇ ଉଠି ଠିଆହେଲା । ନାଜନିନ୍ କୁ ଡାକିଲା ସଂଗରେ । ଦୁହେଁ ବାହାରିଗଲେ ଘର ଭିତରୁ ।

 

ଚନ୍ଦ୍ରକାନ୍ତ ବୁଝି ପାରିଲା ମଧୁମିତା କେଉଁଠିକି ଯାଉଛି ଏବଂ କାହିଁକି ଯାଉଛି । ତା’ମନର କଥା, ପେଟରେ ଭୋକ ଆଜିଯାଏ ତ କେହି ବୁଝି ନ ଥିଲେ !

 

କିନ୍ତୁ ମୃତ୍ୟଞ୍ଜୟ ମଙ୍ଗରାଜ ! ସେ ଯେତେବେଳେ ଜାଣି ପାରିବେ ଚନ୍ଦ୍ରକାଂତ ମଧୁମିତା ସହିତ ମିଳାମିଶା କରୁଛି, ଖାଲି ମିଳାମିଶା ନୁହେଁ, ମଧୁମିତାର ପ୍ରେମରେ ପଡ଼ିଛି, ସେତେବେଳେ ସେ କ’ଣ ତାକୁ କ୍ଷମା କରି ପାରିବେ ?

 

କିନ୍ତୁ ମଧୁମିତାର ବା ଦୋଷ କ’ଣ ! ସେ ତ ଚିହ୍ନ ନାହିଁ ମୃତ୍ୟଞ୍ଜୟ ମଙ୍ଗରାଜଙ୍କୁ । ସେ ତ ଜାଣେନାହିଁ ଚନ୍ଦ୍ରକାଂତ ମନରେ କାହାର ଆଧିପତ୍ୟ ଅଧିକ ?

 

ଆଜିବି ଚିଠି ପାଇଚି ଚନ୍ଦ୍ରକାଂତ । ମୃତ୍ୟଞ୍ଜୟ ମଙ୍ଗରାଜ ଲେଖିଚନ୍ତି ସେଇ ପୁରୁଣା କଥା-। କଲିକତା ସହର ବଡ଼ ବିଚିତ୍ର । କେତେବଳେ କେଉଁ ଅତର୍କିତ ମୁହୂର୍ତ୍ତରେ ମଣିଷ ଯେ ପଥହରା ହୁଏ, କେହି କହିପାରିବନି । ବିଶେଷ କରି ନାରୀମାନେ ହେଉଛନ୍ତି ସେଠାକାର ରାହୁ । ଥରେ ଯଦି ଦୃଷ୍ଟି ପଡ଼ିଚି, କଳେ, ବଳେ, କଉଶଳେ ଗ୍ରାସ ନ କରି ଛାଡ଼ିବେ ନାହିଁ ।

 

ତେଣୁ ଆହୁରି ସାବଧାନରେ ଚଳିବା ପାଇଁ ଲେଖିଛନ୍ତି ମୃତ୍ୟୁଞ୍ଜୟ ମଙ୍ଗରାଜ ।

 

ମଧୁମିତା ବହୁ ଖାଦ୍ୟ ସାମଗ୍ରୀ ଗୋଟିଏ ଟ୍ରେ’ରେ ଧରି ଆସୁଥିଲା । ପଛେ ପଛେ ନାଜନିନ୍ ।

 

ଚନ୍ଦ୍ରକାଂତର ଆଖିର ଚାହାଣୀ ଆଉ ମନର ଭାବନା ଭିତରେ ଏକ ଦ୍ୱନ୍ଦ ଯୁଦ୍ଧ ଆରମ୍ଭ କରି ଦେଇଥିଲା ମଧୁମିତା । ସେ କିପରି ବିଶ୍ୱାସ କରିବ ନାରୀ ଏକ ରାହୁ, ଆଉ ଚନ୍ଦ୍ରକାନ୍ତ ଆଜି ରାହୁଗ୍ରସ୍ତ !

 

ଚନ୍ଦ୍ରକାଂତ ବିଶ୍ୱାସ କରି ପାରୁ ନ ଥିଲା ଆଖିକୁ । ଅନ୍ୟପାଇଁ ଜଣେ ଏତେ କରିପାରେ ! ଏତେ ଖଟି ପାରେ ! ! କ’ଣ ବା ମଧୁମିତାର ସ୍ୱାର୍ଥ ! କେବଳ ଆନ୍ତରିକତାକୁ ବାଦ୍ ଦେଲେ ଆଉ ତ କିଛି ଦେଖୁନାହିଁ ସେ ।

 

ମଧୁମିତା କହିଲା, ମୋ ମୁହଁକୁ ଏପରି ଚାହିଁ ରହିଚ କାହିଁକି ? ପେଟରେ ଭୋକ, ଅଥଚ ମୁହଁରେ ଲାଜ । ଆଜି କାଲିର ଏ ଯେ କେଉଁ ସଭ୍ୟତା ମୁଁ କିଛି ବୁଝିପାରୁନାହିଁ ।

 

ଚନ୍ଦ୍ରକାଂତ ଚଞ୍ଚଳ ହୋଇ ଉଠିଲା । ସତେ ତ ! ତାକୁ ଯେ ଭୋକ କରୁଛି, ମଧୁମିତା ସେ କଥା ମଧ୍ୟ ବୁଝି ସରିଲାଣି !

 

ସେ ତରବର ହୋଇ ଉଠି ଠିଆହେଲା ।

 

ମଧୁମିତା ହାତ ଠାରି କହିଦେଲା, ସେଇଟା ମୋ ବାଥ୍‍ରୁମ୍ । ହାତ ମୁହଁ ଧୋଇ ଆସ । ଆଉ ଡ଼େରି କରନାହିଁ ।

 

ଯୁଗ ଯୁଗର କେତେ ଇତିହାସର ଛିନ୍ନ ପୃଷ୍ଠା ପରି, ମଧୁମିତାକୁ ମନେ ହେଉଥିଲା ଚନ୍ଦ୍ରକାଂତର । ହୁଏତ ଜୀବନର ଅତୀତ ପୃଷ୍ଠାରେ କେବେ କେଉଁ ଅତର୍କିତ ମୁହୂର୍ତ୍ତରେ, ମୃତ୍ୟଞ୍ଜୟ ମଙ୍ଗରାଜଙ୍କ ଅନୁପସ୍ଥିତିରେ, ଚନ୍ଦ୍ରକାଂତରେ ମନ ପଟରେ ଫୁଟି ଥିଲା କେଉଁ ଏକ ଅପରିଚିତାର ଛବି । ସେ ଯେ ମଧୁମିତାର ନୁହେଁ, ଭିକ୍ଟୋରିଆ ଉଦ୍ୟାନର କଅଁଳ ଘାସ ଉପରେ ବସି ଅସ୍ୱୀକାର କରି ପାରୁ ନ ଥିଲା ଚନ୍ଦ୍ରକାଂତ ।

ସଂଜ ନଇଁ ଆସୁଥିଲା । ମଧୁମିତା ଶୋଇଥିଲା ଚନ୍ଦ୍ରକାଂତର କୋଳ ଉପରେ ମୁଣ୍ଡ ରଖି କଅଁଳ ଘାସ ଉପରେ । ଏକ ଲୟରେ ଚନ୍ଦ୍ରକାଂତ ଚାହିଁଥିଲା ମଧୁମିତାର ମୁହଁକୁ ।

ନାରୀ କ’ଣ ପୁରୁଷ ଜୀବନରେ ଏକାନ୍ତ ଅପରିହାର୍ଯ୍ୟ ବସ୍ତୁ ! !

ମଧୁମିତାର ମଧୁର ମୁଖ ଦର୍ପଣରୁ ଖୋଜିଥିଲା ସେ ଉତ୍ତର ।

ବେଳେବେଳେ ଆଖି ମେଲି ଚାହୁଁଥିଲା ମଧୁମିତା । ଚନ୍ଦ୍ରକାଂତର ଚାହାଣୀ ସ୍ଥିର । ହସୁଥିଲା ଅଳ୍ପ ଅଳ୍ପ । ଭଉଁରୀ ଖେଳି ଯାଉଥିଲା ଗାଲରେ । ଚନ୍ଦ୍ରକାଂତ ଧୀରେ ଧୀରେ ହାତ ବୁଲାଇ ଆଣୁଥିଲା । ମିତା ପୁଣି ଆଖି ବୁଜି ଖାଲି ଅନୁଭବ କରୁଥିଲା ଚନ୍ଦକାଂତ ଦେହରେ ଉତ୍ତାପ-

ମିତା !

ଉଁ ।

ତମେ, ତମେ ଭାରି ସୁନ୍ଦର ମିତା ।

ମଧୁମିତା ପୁଣି ଆଖି ଖୋଲି ଚାହିଁଲା । ସ୍ମିତ ହସର ଭଉଁରୀ ଖେଳାଇ ବାହୁ ଯୋଡ଼ାକ ଛନ୍ଦି ଦେଲା ଚନ୍ଦ୍ରକାଂତ ବେକରେ ।

ଏଃ, କ’ଣ କରୁଛ ! ଲୋକେ କ’ଣ ଭାବିବେ ?

ଲୋକେ ଯାହା ଭାବିବେ ତମେ କ’ଣ ତାହା ଭାବୁନାହଁ ?

ଛାଡ଼ ମିତା, ହାତ କାଢ଼, ଦେଖିଲଣି କେତୋଟି ଆଖି ଆମରି ଆଡ଼େ ଚାହିଁ ରହିଛି ?

ରହୁ, ଆଉ ଟିକକୁ ଅନ୍ଧାର ନଇଁ ଆସିବ । କେହି କିଛି ଦେଖି ପାରିବେ ନାହିଁ ।

ପୁଣି ନୀରବତା ।

ସେହି ନୀରବତା ଭିତରେ ଚନ୍ଦ୍ରକାଂତରେ ନିଜ ଦେହରେ କିପରି ଏକ ଆସ୍ୱାଭାବିକ ଉତ୍ତେଜନା ଅନୁଭବ କରୁଥିଲା । ସେଇଟା ଯେ କାହିଁକି ଓ କେଉଁଥିପାଇଁ, ତାହା ବୁଝି ପାରୁ ନ ଥିଲା ସେ ।

ମଧୁମିତା କହିଲା, ଶୁଣୁଛି ?

କ’ଣ ?

ଏଇ ମୁହୂର୍ତ୍ତରେ ମୋ’ର କ’ଣ ମନେ ହେଉଛି ଜାଣ ?

ଜାଣେ ।

କ’ଣ କହିଲ ?

ତମେ ଭାବୁଚ ଡାଡ଼ି ଯଦି ଏଇ ମୁହୂର୍ତ୍ତରେ ଏଠାରେ ଆସି ପହଞ୍ଚି ଯାଆନ୍ତି, ତେବେ ତମେ ଲାଜରେ ମୁହଁ ଦେଖାଇ ପାରିବନାହିଁ ।

 

ମଧୁମିତା ହଠାତ୍ ଉଠି ବସିଲା ଏବଂ ଚନ୍ଦ୍ରକାଂତକୁ ଏପରି ଆଖିରେ ଚାହିଁଲା ଯେ, ଚନ୍ଦ୍ରକାଂତ ତା’ର ଆକସ୍ମିକ ପରିବର୍ତ୍ତନର କାରଣ କିଛି ଖୋଜି ପାଇଲାନାହିଁ ।

 

ମଧୁମିତା କହିଲା, ଭଗବାନ ତୁମକୁ କାହିଁକି ପୁରୁଷ କରି ଗଢ଼ିଥିଲା ?

 

ଚନ୍ଦ୍ରକାଂତ ଆହୁରି ନରମି ଗଲା । ସେ ଯେ ଏଇ ମୁହୂର୍ତ୍ତରେ କିଛି ଅନ୍ୟାୟ ଆଚରଣ କରିବସିଛି, ଆଉ ତା’ର ଆଚରଣ ପାଇଁ ମଧୁମିତା ଆଘାତ ପାଇଛି; କିନ୍ତୁ ଅନ୍ୟାୟଟା କେଉଁଠି, କିପରି ହେଲା, ଚନ୍ଦ୍ରକାଂତ ବୁଝିପାରୁ ନ ଥିଲା । ମୁହଁରେ ତା’ର କିପରି ଏକ ଅସ୍ୱାଭାବିକ ଆତଙ୍କ ଫୁଟି ଉଠିଥିଲା । ସେ ଦୁର୍ବଳ ସ୍ୱରରେ କହିଲା, ଯିବା ଚାଲ ମିତା, ରାତି ଅନେକ ହେଲାଣି । ଡାଡ଼ି ତେଣେ ଅପେକ୍ଷା କରିଥିବେ ।

 

ମଧୁମିତା ଏଥର ନ ହସି ରହି ପାରିଲା ନାହିଁ । ଏତେ ବଡ଼ ଗୋଟାଏ କମ୍ପାନୀର ମ୍ୟାନେଜର, ଆଜି ସାମାନ୍ୟ ଜଣେ ଝିଅ ପାଖରେ ପରାଜୟ ସ୍ୱୀକାର କରିଛି । ସଂଧ୍ୟା ସାତଟାରେ ସେ ଅନେକ ରାତିର ଦୁଃସ୍ୱପ୍ନ ଦେଖୁଛି । ତାକୁ ଦୟା ନ କରି ମଧୁମିତା ଆଉ କଣ କରନ୍ତା ! !

 

ସେ ପୁଣି ପୂର୍ବପରି ଚନ୍ଦ୍ରକାଂତ କୋଳରେ ମୁଣ୍ଡ ରଖି ଶୋଇବାକୁ ଯାଉଥିଲା, କିନ୍ତୁ ଚନ୍ଦ୍ରକାଂତ ଆପତ୍ତି କଲା । କହିଲା, ଫେରିଯିବା ଚାଲ ମିତା । ମୋତେ ଆଜି କାହିଁକି ଭଲ ଲାଗୁନାହିଁ । ଦେହଟା କିପରି ଏକ ଉତ୍ତେଜନାରେ ପୂରି ଉଠୁଛି, ମୁଁ କିଛି ବୁଝି ପାରୁନାହିଁ ।

 

କ’ଣ ଯେ ତମେ ସତେ, ତମକୁ ଚିହ୍ନି ପାରିଲି ନାହିଁ । ସୁନ୍ଦର ସଂଧ୍ୟା, ଏଇ ମନୋରମ ଆକାଶ, ସେପାଖରେ ଫୁଟନ୍ତ ଫୁଲର ମଉଛବ,ଇସ୍ ତମ ଉପରେ ଇମିତି ରାଗ ହେଉଛି ନା......

 

ଚନ୍ଦ୍ରକାଂତ ମଧୁମିତାର ମୁହଁରେ ହାତ ବୁଲାଇ କହିଲା, ତମକୁ କଷ୍ଟ ହେଉନି ତ ମିତା ! ମୁଁ ଭାବୁଚି....

 

ତମେ କିଛି ଭାବନି, ମୋ ପାଇଁ ମୋଟେ ଭାବନି । ନିଜ କଥା ଭାବ, ନିଜ ମନକୁ ପ୍ରସ୍ତୁତ କର । ତମଠାରେ ମୋର କେତେ ଆଶା ଭରସା ଜାଣ ? ତମଭଳି ଜଣେ ମଣିଷର ଆଶ୍ରା ପାଇଲେ ମୁଁ ବଞ୍ଚି ଯାଆନ୍ତି, ହଁ ବଞ୍ଚି ଯାଆନ୍ତି । ତମେ କ’ଣ ମୋ ପାଇଁ ଏତିକି ତ୍ୟାଗ କରି ପାରିବ ନାହିଁ ?

 

ମଧୁମିତା ଆବେଗରେ ପୁଣି ଚନ୍ଦ୍ରକାଂତ ଗଲାରେ ହାତ ଛନ୍ଦିଲା ।

 

ମିତା !

 

ଉଁ ।

 

ତମେ ମତେ ବିଶ୍ୱାସ କରି ପାରୁନାହିଁ ?

 

ବିଶ୍ୱାସ ! ନାଁ ବିଶ୍ୱାସ ମୁଁ କରି ପାରୁନାହିଁ । କାରଣ ମୋ ସମ୍ୱନ୍ଧରେ ସବୁକଥା ଶୁଣିଲେ ତମେ ମୋତେ ଦୂରକୁ ଠେଲି ଦେବ ।

 

ସେପରି କାହିଁକି ଭାବୁଛ ମିତା ! ତମେ ମୋ ଠାରୁ କ’ଣ ଚାହଁ, ସବୁ ଖୋଲି କରି କୁହ । ମୋ ଜୀବନରେ ଯେଉଁ ରୁଦ୍ଧ ଦ୍ୱାରଟିରେ କରାଘାତ କରି ତମେ ନୂତନ ଏକ ପଥର ସନ୍ଧାନ ଦେଇଛ, ସେ ପଥ ଯେ ମଣିଷ ଜୀବନରେ ଏକାନ୍ତ ଅପରିହାର୍ଯ୍ୟ, ତାହା ମୁଁ ଅନୁଭବ କରୁଛି । କିନ୍ତୁ ସେଇ ନୂତନ ପଥର ସହଯାତ୍ରୀ ହେବାପାଇଁ ତମେ କ’ଣ ଆଗେଇ ଆସିବ ପାରିବ ?

 

ମଧୁମିତା ପ୍ରାଣଟା ଯେପରି ନୂତନ ଏକ ଆଲୋକରେ ଝଲସି ଉଠିଲା । ସେ ଦୁଇ ହାତରେ ଚନ୍ଦ୍ରକାଂତର ଗଲଟାକୁ ଆହୁରି ଯୋର୍ ରେ ଭିଡ଼ି ଧରି, ମନେ ହେଉଥିଲା ଯେପରି ଚନ୍ଦ୍ରକାଂତ ସଂଗରେ ମିଶି ଯାଇ ପାରିଲେ ବଞ୍ଚି ଯାଆନ୍ତା ।

 

ଚନ୍ଦ୍ରକାଂତ କିନ୍ତୁ ମଧୁମିତା ପରି ଆତ୍ମହରା ହୋଇ ପାରିନଥିଲା । ସେ ମଧୁମିତାକୁ ସଚେତନ କରେଇ କହିଲ, ଏଥର ଫେରିଯିବା ଚାଲ । ଆସିଲା ବେଳେ ଡାଡ଼ି କହିଥିଲେ ନା, ଆଜି ଆଠଟାବେଳକୁ ତୁମେ ତାଙ୍କ ସହିତ କ୍ଳବକୁ ଯିବ । ଆଗାମୀ ସପ୍ତାହରେ ଇଲେକ୍ସନ । ଡାଡ଼ିଙ୍କର ଏଥର ପ୍ରେସିଡ଼େଣ୍ଟ ହେବାର ଚାନ୍‍ସ ଅଛି । ସେଥିପାଇଁ ଟିକିଏ ଖଟିବାକୁ ହେବ ତମୁକୁ । କର୍ତ୍ତବ୍ୟରେ ଅବହେଳା କରନାହିଁ ମିତା । ଡାଡ଼ି ବିରକ୍ତ ହେବେ ।

 

ବହୁ ଅନିଚ୍ଛା ସତ୍ତ୍ୱେ ମଧୁମିତା ଉଠି ଠିଆହେଲା । ସେ ଯେପରି ଆଜି ଅନ୍ୟ ଏକ ମଣିଷ । ଡାଡ଼ି, କ୍ଳବ, ବନ୍ଧୁପରିଜନ, କେହି ଆଜି ତା’ ପାଖରେ କୌଣସି ଆକର୍ଷଣ ନୁହଁନ୍ତି । ସେ ତା’ନିଜ ଭିତରେ ନିଜକୁ ଲୀନ କରି ଫରୁଆ ପରି ଛୋଟ ଏକ ପରିବେଶ ଭିତରେ ବଞ୍ଚି ରହିବାକୁ ଚାହେଁ ଆଉ ସେହି ବଞ୍ଚିରହିବାର ସାଥୀଟିକୁ ସେ ଯଦି ତା’ ଭିତରେ ବଞ୍ଚେଇ ରଖିପାରେ, ସେଇଠି ସେ ସ୍ୱର୍ଗ ରଚନା କରିପାରିବ ।

 

କିନ୍ତୁ.....

 

ମଧୁମିତା ଆଖିରେ ଲୁହ ଦେଖି ଚନ୍ଦ୍ରକାଂତ ଚଞ୍ଚଳ ହୋଇପଡ଼ିଲା । ତେବେ କ’ଣ ମଧୁମିତା ବ୍ୟଥା ପାଇଲା ତା’ ପ୍ରସ୍ତାବରେ ? କିଛି ନ ଜାଣି, ନ ଶୁଣି, ମଧୁମିତାର ମନ ନ ବୁଝି ଏପରି ଏକ ପ୍ରସ୍ତାବ କରିବା ଠିକ୍ ହୋଇଚି ଚନ୍ଦ୍ରକାଂତର । ବର୍ତ୍ତମାନ ତା’ର କର୍ତ୍ତବ୍ୟ କ’ଣ ? ସେ ମଧୁମିତା ପାଖରୁ କ୍ଷମା ମାଗି ନେବ । ନାନା, ମଧୁମିତା ତା’ଜୀବନର ରୁଦ୍ଧ ଦ୍ୱାର ଉନ୍ମୋଚନ କରିଚି ବୋଲି ସେଇ ଯେ ତା’ର ସହଯାତ୍ରୀ ହେବ ଏହା କିପରି କଥା !

 

ସତକୁ ସତ ଚନ୍ଦ୍ରକାଂତ କ୍ଷମା ମାଗିଲା ମଧୁମିତା ପାଖରେ । ସେ ଅନ୍ୟାୟ କରିଚି, ଅବିଚାର କରିଚ । ପକେଟରୁ ରୁମାଲ କାଢ଼ି ଲୁହ ପୋଛିଦେଲା ମଧୁମିତା ଆଖିରୁ । ଆଉ କେବେ କୌଣସିଦିନ ଏପରି ଅନ୍ୟାୟ ପ୍ରସ୍ତାବ କରିବ ନାହିଁ ସେ ମଧୁମିତା ପାଖରେ ।

 

ଚନ୍ଦ୍ରକାଂତ ମୁହଁରୁ ଏପରି କଥା ଶୁଣି ଆହୁରି ଯୋର୍ ରେ କାନ୍ଦିବାକୁ ଇଚ୍ଛା ହେଉଥିଲା ମଧୁମିତାର । କିନ୍ତୁ ନିଜକୁ ସେ ସମ୍ୱରଣ କରିନେଲା । ଏଡ଼େ ସରଳ, ଏଡ଼େ ନିର୍ବୋଧ ଏଇ ଲୋକଟା । କିପରି ବଞ୍ଚି ରହିବ ଏ ଦୁନିଆରେ ?

 

ନା, ନା ମଧୁମିତା ପାରିବ ନାହିଁ, ଏପରି ଗୋଟିଏ ଲୋକ ସହିତ ଲୁଚକାଳି ଖେଳି । ବରଂ ସେ ଚନ୍ଦ୍ରକାଂତକୁ ନେଇ ଘର ତୋଳି ପାରିଲେ ଖୁସି ହୁଅନ୍ତା । ବଞ୍ଚି ଯାଇ ପାରନ୍ତା ବହୁ ଦୁଶ୍ଚିନ୍ତା ଦୁର୍ଭାବନା ଭିତରୁ ।

 

କିନ୍ତୁ ଡାଡ଼ି, କ୍ଳବ । ଏମାନେ କ’ଣ ତାକୁ ଏତେ ସହଜରେ ମୁକ୍ତି ଦେବେ ? ତା’ସ୍ୱପ୍ନର ସଂସାର ରଚନା କରିବାକୁ ଅନୁମତି ଦେବେ ?

 

ମଧୁମିତା ଆଖି ମଳି ଚାହିଁଲା ଚନ୍ଦ୍ରକାଂତ ମୁହଁକୁ ।

 

ବହୁ ଦୁଶ୍ଚିନ୍ତାର ସମାରୋହ ସେଠାରେ ।

 

ହସି ଉଠିଲା ମଧୁମିତା । ହାତ ଧରି ଉଠାଇଲା ଚନ୍ଦ୍ରକାଂତକୁ । ଏତେ ଦିନକେ ପାଇଛି ସେ ଗୋଟିଏ ମନର ମଣିଷ । ଚେଷ୍ଟା କରିବ ଥରେ ସେ । ଦେଖାଯିବ ତେଣିକି ଭାଗ୍ୟରେ ଯାହାଥିବ ।

 

ଚନ୍ଦ୍ରକାଂତ ଗାଡ଼ି ଚଳାଉ ଚଳାଉ କହିଲା, ମୁଁ ଆଜି ତମ ମନରେ ଖୁବ୍ କଷ୍ଟ ଦେଇଚି ମିତା । ତମେ କାନ୍ଦିବ, ମୁଁ ଜାଣି ନ ଥିଲି ।

 

ମଧୁମିତା ନୀରବରେ ବାହାରକୁ ଚାହିଁ ବସିଥିଲା ।

 

ଚନ୍ଦ୍ରକାଂତ ପୁଣି କହିଲା, ଡାଡ଼ି ଜାଣିଲେ ମୋତେ କ’ଣ ଯେ ଭାବିବେ ? ତମ ମୁହଁ ଏବେ ବି ଫୁଲି ଫୁଲି ରହିଚି । ମୋର ଖୁବ୍ ଅନ୍ୟାୟ ହୋଇଚି ମିତା, ମୋତେ କ୍ଷମା କର ।

 

ମଧୁମିତା ହସିଲା ଟିକିଏ । ସ୍ୱରଟାକୁ ସ୍ୱଭାବିକ କରିବାକୁ ଚେଷ୍ଟା କରି କହିଲା, ତମେ ଅଯଥାରେ ଗୁଡ଼ାଏ ଏଣୁତେଣୁ ଚିନ୍ତା କରୁଛ । ବରଂ ମୋତେ କ୍ଷମା କର । ମୁଁ ତମ ମନରେ ବହୁ ସମ୍ଭାବନା ଜଗେଇ, ଶେଷରେ ବାଟ ଭାଙ୍ଗି ଚାଲି ଯାଉଛି ।

 

ନା ମିତା, ଏଇଟା ତମର ଅଭିମାନର କଥା ।

 

ମଧୁମିତା ଏଥର କଣ୍ଠରେ ଦୃଢ଼ତା ଫୁଟାଇ କହିଲା, ସତେ କହିଲ କ’ଣ ଚାହିଁ ତୁମେ ? ମୋ ଠାରୁ ତୁମେ କ’ଣ ଆଶା କରୁଛ ?

 

ମୁଁ ? ଚନ୍ଦ୍ରକାଂତ ଟିକିଏ ନୀରବ ରହି ଧୀରେ ଧୀରେ କହିଲା, ସତ କହିବାକୁ ଗଲେ ତମଠାରୁ ମୁଁ କ’ଣ ଆଶା କରୁଛି ମୁଁ ଜାଣେ ନାହିଁ, ତମ ପାଇଁ ମୋ ମନରେ ଏତେ ସ୍ୱପ୍ନ କାହିଁକି ତା’ ବି ମୁଁ ବୁଝି ପାରୁନାହିଁ । କିନ୍ତୁ ଯେଉଁଟା ନିଷ୍ଠୁର ସତ୍ୟ, ସେଇଟା ହେଉଛି ତମକୁ ମୋତେ କାହିଁକି ଅତ୍ୟନ୍ତ ଭଲ ଲାଗୁଛି, ତମ ପାଖେ ପାଖେ ସବୁବେଳେ ରହିବାକୁ ଇଚ୍ଛା ହେଉଛି ।

 

ତା’ହେଲେ ବାଧା କେଉଁଠି ? ମଧୁମିତା ପଚାରିଲା ।

 

ମୁଁ ତ ବାଧା ବନ୍ଧନ କଥା ଚିନ୍ତା କରୁନାହିଁ ମିତା, ମୁଁ ଚିନ୍ତା କରୁଚି ତମ କଥା । ମୋତେ ତମକୁ ଭଲ ଲାଗୁଚି ବୋଲି ତମକୁ ଯେ ମୋତେ ଭଲ ଲାଗିବ ସେପରି ତ କୌଣସି ନିୟମ ନାହିଁ !

 

ତା’ ସତ ଯେ, ମୁଁ ମାନିଲି । କିନ୍ତୁ ମୁଁ ଯଦି କହେ ମୋତେ ବି ତମକୁ ଭଲ ଲାଗୁଚି !

 

ସତ କହୁଚ ମିତା ! ଚନ୍ଦ୍ରକାଂତ ଆନନ୍ଦରେ ଚିତ୍କାର କରି ଉଠିଲା । ସେ ପ୍ରଥମ ଥର ପାଇଁ ମିତାକୁ ବାଁ ହାତରେ ଟାଣି ନେଲା ନିଜ ଆଡ଼କୁ । ଚନ୍ଦ୍ରକାଂତ ଜୀବନରେ ଏପରି ଦୁଃସାହସିକ ରୋମାଞ୍ଚ ଏହି ପ୍ରଥମ ।

 

ମଧୁମିତା ବୁଝିଲା ଚନ୍ଦ୍ରକାଂତର ମନ । ତା’ କାନ ପାଖରେ ମୁହଁ ରଖି ଧୀରେ ଧୀରେ କହିଲା, ଏତେ ଚଞ୍ଚଳ ଘରକୁ ନ ଫେରିଲେ ଚଳନ୍ତା ନାହିଁ ?

 

ତା’ହେଲେ କୁଆଡ଼େ ଯିବା ?

 

ବିଶାଳ ଏଇ ମୁକ୍ତ ଆକାଶ ତଳେ ତମେ ଆଉ ମୁଁ ! ଏମିତି ଘୂରି ବୁଲନ୍ତେ ଜୀବନ ସାରା-। କିଛି ପ୍ରତିବନ୍ଧକ ନ ଥାନ୍ତା, କୌଣସି ଦ୍ୱନ୍ଦ ନ ଥାନ୍ତା, ଆମେ ଚାଲି ଥାଆନ୍ତେ ଆଉ ଚାଲି ଚାଲି ଲୀନ ହୋଇ ଯାଆନ୍ତେ ଅନନ୍ତ କାଳ ସହିତ । ତମେ ଆଉ ମୁଁ, ଏମିତି ପାଖା ପାଖି ବସି ରହି-

 

ଚନ୍ଦ୍ରକାଂତର ସମଗ୍ର ଦେହରେ ଏକ ଶିହରଣ ସୃଷ୍ଟି ହୋଇ ଯାଇଥିଲା । ସେ ଆହୁରି ପାଖକୁ ଟାଣିଲେନା ମିତାକୁ । ହାତ ତା’ର ଥରୁଥିଲା, ଗୋଡ଼ ତା’ର କମ୍ପୁ ଥିଲା । ଶେଷରେ ସେ ଗାଡ଼ିଟାକୁ ଠିଆ କରାଇ ଦେଲା ରାଜ ପଥ ଉପରେ । ମଧୁମିତା କାନ ପାଖକୁ ମୁହଁ ନେଇ କହିଲା, ସତ କହୁଚ ମିତା ! ସବୁ ଛାଡ଼ି ମୋ’ ହାତ ଧରି ଅନନ୍ତ ପଥରେ ଆଗେଇ ଯାଇ ପାରିବ ?

 

ମଧୁମିତା ଉତ୍ତରେ ଚନ୍ଦ୍ରକାଂତର କୋଳ ଉପରେ ମୁଣ୍ଡ ରଖି ଶୋଇ ପଡ଼ିଲା ।

 

କେତେ ରାତି ହେବ ଏଇକ୍ଷିଣା ?

 

ମୋଟେ ନଅଟା, ମଧୁମିତା କହିଲା । ତମେ ଯେ ଏତେ ବ୍ୟସ୍ତ କାହିଁକି ହୁଅ ସବୁବେଳେ ମୁଁ ମୋଟେ ବୁଝିପାରେ ନାହିଁ । ନାଚ ଆରମ୍ଭ ହେବାକୁ ଆହୁରି ଅଧଘଣ୍ଟା ବାକି ଅଛି, ଅଥଚ ତମେ ଯିବା ପାଇଁ ବୋଧହୁଏ ପ୍ରସ୍ତୁତ ହେଲାଣି ।

 

ଅନେକ କାମ ବାକି ପଡ଼ି ଯାଇଚି ମିତା । ବସ୍ ଲେଖିଛନ୍ତି, ଏହା ଭିତରେ ସେ ଥରେ କଲିକତା ଅଫିସ ପରିଦର୍ଶନରେ ଆସି ପାରନ୍ତି । କେତେବେଳେ ଯେ ସେ ହଠାତ୍ ଆସି ପହଞ୍ଚି ଯିବେ କହି ହେବନି ।

 

ଆସନ୍ତୁ ! ତମେ ଏତେ ଡ଼ରୁଚ କାହିଁକି ? ଅସୁବିଧା ହେଲେ ମୋତେ କହିବ । ମୁଁ ତାଙ୍କୁ କୈଫୟତ୍ ଦେବି ।

 

ତମେ ମୃତ୍ୟଞ୍ଜୟ ମଙ୍ଗରାଜଙ୍କୁ କୈଫିୟତ ଦେବ ? ଚନ୍ଦ୍ରକାଂତ ଏତେ ଜୋର୍‍ରେ ଚିତ୍କାର କରି ଉଠିଲା ଯେ, ପାଖ ଲୋକେ ଗୋଟାଏ କିଛି ବିସ୍ଫୋରଣ ହେଲା ଭାବି ଚମକି ଉଠିଲେ-। କିନ୍ତୁ ଚନ୍ଦ୍ରକାଂତ ମୁହଁରେ ମଧୁମିତା କିପରି ଏକ ଆତଙ୍କର ଛାୟା ଦେଖିଲା । ଚନ୍ଦ୍ରକାଂତ ଉଠି ଠିଆ ହେଲା । ମଧୁମିତା ଯେତେଥର ଟାଣି ବସାଇବାକୁ ଚେଷ୍ଟା କଲା, ଚନ୍ଦ୍ରକାଂତ କିନ୍ତୁ ଆଉ ସ୍ଥିର ହୋଇ ବସି ପାରିଲାନାହିଁ ।

 

ଆରେ, ହଠାତ୍ ତମର ହେଲା କ’ଣ ? ଏପରି ଚଞ୍ଚଳ ହୋଇ ଉଠିଲକାହିଁକି ?

 

ଚନ୍ଦ୍ରକାଂତ କେଜାଣି କାହିଁକି ଆଉ ସେଠାରେ ବସି ରହି ନାଚ ଦେଖିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରସ୍ତୁତ ନ ଥିଲା । ମଧୁମିତା ଉଠି ଠିଆ ହେଲା । ସେଦିନର ସେହି ଭିକ୍ଟୋରିଆର ମଧୁର ସଂଧ୍ୟାଟି ଠାରୁ ଚନ୍ଦ୍ରକାଂତକୁ କେବେ ସେ ଏତେ ଉଦ୍ବିଗ୍ନ ହେବାର ଦେଖି ନ ଥିଲା । ସେଇଦିନ ଠାରୁ ପ୍ରତିଦିନ ଅଫିସ ପରେ ସେ ଛୁଟି ଆସୁଥିଲା ମଧୁମିତା ପାଖକୁ । ଆଜିକାଲି ମଧୁମିତାର ହାତ ତିଆରି ଖାଦ୍ୟ ଛଡ଼ା ବଜାରର କିଛି ଖାଦ୍ୟ ପଦାର୍ଥ ଭଲ ଲାଗୁ ନ ଥିଲା ତାକୁ ।

 

ଆଜି ମଧୁମିତାର ବିଶେଷ ଆଗ୍ରହ ଭାଙ୍ଗି ନ ପାରି ସେମାନେ ଆସିଥିଲେ ଏଇ ହୋଟେଲକୁ । କିନ୍ତୁ ହଠାତ୍ ଚନ୍ଦ୍ରକାଂତର ଏପରି ପରିବର୍ତ୍ତନରେ ବିଚଳିତ ହୋଇ ପଡ଼ିଥିଲା ମଧୁମିତା ।

 

ଯେଉଁଥିପାଇଁ ସେମାନେ ଆସିଥିଲେ, ଯେଉଁ ନର୍ତ୍ତକୀର ସୁନାମ ଶୁଣି ମଧୁମିତା ଛୁଟି ଆସିଥିଲା ଏଠାକୁ, ତା’ର ନୃତ୍ୟ ପ୍ରଦର୍ଶନର ବହୁ ପୂର୍ବରୁ ସେମାନେ ଯଦି ଫେରିଯାଆନ୍ତି, ତା’ହେଲେ ଏତେ ପଇସା ଖର୍ଚ୍ଚ କରି ଏଠାକୁ ଆସିଥିଲେ କାହିଁକି ?

 

ଚନ୍ଦ୍ରକାଂତ ମଧୁମିତାର ନୃତ୍ୟ ଦେଖିବାର ଆଗ୍ରହ ଭାଙ୍ଗି ନ ପାରି କହିଲା, ବରଂ ତୁମେ ଥାଅ ମିତା, ନୃତ୍ୟ ଶେଷରେ ମୁଁ ଆସି ପୁଣି ତମକୁ ସଙ୍ଗରେ ନେଇଯିବି । ଛାଡ଼ି ଦେଇ ଆସିବି ଘରେ । ମୋର କିନ୍ତୁ ଗୋଟାଏ ଜରୁରୀ କାମ କଥା ମନେ ପଡ଼ିଗଲା । ମୋତେ ସେଇଟା କରିବାକୁ ହିଁ ହେବ ।

 

ଶେଷରେ ମଧୁମିତା ଚନ୍ଦ୍ରକାଂତ କଥାରେ ରାଜି ହୋଇଗଲା ।

 

ମଧୁମିତା ହୋଟେଲରେ ରହିଗଲା ନାଚ ଦେଖିବା ପାଇଁ । ଚନ୍ଦ୍ରକାଂତ ଚାଲିଗଲା ଜରୁରୀ କାମ ଶେଷ କରି ଆସିବା ପାଇଁ ।

 

କିନ୍ତୁ ଯେତେବେଳେ ନୃତ୍ୟ ଆରମ୍ଭ ହୋଇଗଲା, ନର୍ତ୍ତକୀ ସହିତ ଯେଉଁ ଜଣକ ଗୋଟାଏ ଜୋକରର ପୋଷାକ ପିନ୍ଧି ରଙ୍ଗମଞ୍ଚରେ ଆର୍ବିଭାବ ହେଲା, ସେ ଜଣକ କିଏ ? ମନେହେଲା ଯେପରି ମଧୁମିତାର ସେ ଖୁବ୍ ପରିଚିତ ।

 

ହଁ ଦେବନାଥ ତ ! ହୋଟେଲର ମ୍ୟାନେଜର ଆନାଉନ୍ସ କଲେ ନର୍ତ୍ତକୀ ସହିତ ଦେବନାଥର ନାମ ।

 

ମଧୁମିତା କିନ୍ତୁ ବିଶ୍ୱାସ କରି ପାରୁ ନ ଥିଲା । ଦେବନାଥ କ’ଣ ଦୁଇଟା ବର୍ଷ ଭିତରେ ଏତେ ତଳକୁ ଓହ୍ଲେଇ ଆସିଛି ? ଗରିଆହାଟର ଦୁଇ ଦୁଇଟା କୋଠାର ମାଲିକ, ବଡ଼ ବଜାରର ଏତେ ବଡ଼ ଲୁଗା ବ୍ୟବସାୟୀ, ଶେଷରେ ସେ ଆସି ଜୀବିକା ନିର୍ବାହ କରିବା ପାଇଁ ଗାଲରେ କାଳି ବୋଳି ରଙ୍ଗମଞ୍ଚରେ ଜୋକର ସାଜିଲା ?

 

ନା, ମଧୁମିତା ଚନ୍ଦ୍ରକାଂତ ସହିତ ଫେରି ଯାଇଥିଲେ ଭଲ ହୋଇଥାଆନ୍ତା । ସେ ଏକେବାରେ ଭୁଲି ଯାଇଥିଲା ଦେବନାଥର କଥା । ସ୍ୱପ୍ନରେ ବି କେବେ ଭାସି ଉଠି ନ ଥିଲା ଦେବନାଥର ମୁହଁ, କିନ୍ତୁ ଆଜି ଦୁଇ ଅଢ଼େଇ ବର୍ଷ ପରେ, ହଠାତ୍...

 

ମଧୁମିତାର ମନେହେଲା ଦେବନାଥ ଯେପରି ରଙ୍ଗମଞ୍ଚ ଉପରୁ ତା’ର ଆଡ଼କୁ ଏକ ଦୃଷ୍ଟିରେ ଅନାଇ ରହିଚି । ମଧୁମିତାର ମନେ ହେଲା, ଧୀରେ ଦେବନାଥର ଆଖି ଦୁଇଟା ବିସ୍ଫାରିତ ହୋଇ ଉଠୁଚି ।

 

ମଧୁମିତା ଚଞ୍ଚଳ ହୋଇଉଠିଲା । ରଙ୍ଗମଞ୍ଚର ନୃତ୍ୟରତା ନର୍ତ୍ତକୀ ଆଡ଼େ ସେ ଚାହିଁ ପାରୁନଥିଲା । ଦେବନାଥ ଆଉ ଦେବନାଥ ।

 

ଦେବନାଥ ତା’ଜୀବନର ଆଉ ଏକ ଅଧ୍ୟାୟ ।

 

ମଧୁମିତା ସ୍ଥିର ହୋଇ ବସି ରହି ପାରିଲା ନାହିଁ । ଛୁଟି ପଳାଇଲା ସେଠାରୁ । ସିଧା ବାର୍‍କୁ ଯାଇ ଗୋଟିଏ କୋଣରେ ବସିବା ଚୁପ୍‍ଚାପ୍ ।

 

ବୟକୁ କହିଲା ଗ୍ଲାସ ଭରି ପାନୀୟ ଆଣିବା ପାଇଁ ।

 

ଦେବନାଥ ! ଦେବନାଥ ! !

 

ଦେବନାଥ ସହିତ ତା’ର ପ୍ରଥମ ପରିଚୟ ହୋଇଥିଲା ପ୍ରବଳ ଏକ ଉତ୍ତେଜନା ଭିତରେ-

 

ବେଳ ସେତେବେଳକୁ କେତେଟା ହେବ । ଏଇ ତିନିଟା କି ଚାରିଟା । ମଧୁମିତା ଡାଡ଼ିଙ୍କ ସହିତ ବୁଲି ଯାଇଥିଲା ଇଡ଼େନଗାର୍ଡେନ୍‍କୁ । ସେଦିନ ଭାରି ଇଚ୍ଛା ହେଲା ତା’ର ନୌକା ବିହାର କରିବା ପାଇଁ । ଡାଡ଼ି ବି ରାଜି ହୋଇଗଲେ । ସେମାନେ ଗୋଟାଏ ନୌକା ଭଡ଼ା ନେଲେ ଘଣ୍ଟାକ ପାଇଁ ।

 

ମଧୁମିତା ଆଉ ଡାଡ଼ି ।

 

ଦୁଇଜଣଯାକ ଉଠି ବସିଲେ ନୌକାରେ । କିନ୍ତୁ ନୌକା ଚଳେଇବ କିଏ ? ମଧୁମିତା ନୌକାର ଆହୁଲା ପକାଇବାକୁ ଚେଷ୍ଟା କରି ବ୍ୟର୍ଥ ହେଲା । ଡାଡ଼ି ତ କୌଣସି ଉତ୍ସାହ ପ୍ରକାଶ କଲେ ନାହିଁ । କ’ଣ ଆଉ କରନ୍ତେ ସେମାନେ ? ଶେଷରେ ନୌକାରୁ ଓହ୍ଲେଇ ଆସିବା ଛଡ଼ା ଉପାୟ ନ ଥିଲା ।

 

ସେମାନଙ୍କର ଏଇ ବିକଳ ଅବସ୍ଥା କୂଳରେ ଠିଆ ହୋଇ ଲକ୍ଷ୍ୟ କରୁଥିଲା ଜଣେ ତରୁଣ-। ମଧୁମିତାର ଆକୁଳ ଆଖି ଦୁଇଟି ତା’ ପ୍ରାଣରେ କିପରି ଏକ କରୁଣା ସଞ୍ଚାର କରିଥିଲା । ନୌକା କୂଳରେ ଲଗାଇ ସେମାନେ ଓହ୍ଲେଇ ଆସିବାବେଳେ ତରୁଣଟି ଶଶୀଶେଖର ଚଉଧୁରୀଙ୍କ ପାଖକୁ ଆଗେଇ ଯାଇ କହିଲା, ଆପଣ ଯଦି ଅନୁମତି ଦିଅନ୍ତେ, ତା’ହେଲେ ମୁଁ ନୌକା ଚାଳନାର ଦାୟିତ୍ୱ ନିଅନ୍ତି । ଲେକ୍ ନୌକା ଚାଳନା ପ୍ରତିଯୋଗିତାରେ ମୁଁ ଏବର୍ଷ ପ୍ରଥମ ସ୍ଥାନ ଅଧିକାର କରିଛି ।

 

ଶଶୀଶେଖର କୂଳକୁ ଓହ୍ଲେଇ ଆସିଥିଲେ ବି ମଧୁମିତା ସେତେବେଳଯାଏ ନୌକାରେ ବସି ବୋଧହୁଏ ଆଉ ଥରେ ଶେଷ ଚେଷ୍ଟା କରିବା ପାଇଁ ପ୍ରସ୍ତୁତ ହେଉଥିଲା । ସେ ଅପରିଚିତ ଏହି ତରୁଣଟି କଥା ଶୁଣି ମୁହଁଟେକି ଚାହିଁଲା ଥରେ, ଡାଡ଼ି ବି ଚାହିଁଥିଲେ ମଧୁମିତା ମୁହଁକୁ ।

 

ତା’ପରେ ତରୁଣଟିକୁ କହିଲେ, ତମର ଏହି ଅଯାଚିତ ଦୟାର କଥା ଆମର ବହୁ ଦିନଯାଏ ମନେ ରହିବ ୟଙ୍ଗମ୍ୟାନ୍ ।

 

ଶଶୀଶେଖର ସେହି ତରୁଣଟିର ହାତ ଧରି ପୁଣି ନୌକା ଉପରକୁ ଉଠି ପଡ଼ିଲେ ।

 

ମଧୁମିତା ମୁହଁରେ ଆଶାର ଆଲୋକ ଜଳି ଉଠିଲା ।

 

ତରୁଣର ଶକ୍ତ ମୁଠାର ଆହୁଲାରେ ନୌକା ଛୁଟିଲା ତୀରେ ବେଗରେ । ସେଦିନ ଅନ୍ୟ ଯେଉଁମାନେ ନୌକା ବିହାର କରୁଥିଲେ ଇଡ଼େନ୍‍ରେ, ସମସ୍ତଙ୍କ ଠାରୁ ଦ୍ରୁତତର ଭାବରେ ଛୁଟି ଚାଲିଥିଲା ମଧୁମିତାଙ୍କ ନୌକା । କି ଆନନ୍ଦ, କି ଉତ୍ତଜନା ସେଦିନ ମଧୁମିତା ପ୍ରାଣରେ ।

 

ଶଶୀଶେଖର ସେହି ଫାଙ୍କାରେ ତରୁଣଟିର ପରିଚୟ ପଚାରି ଥିଲେ ।

 

ତରୁଣଟି ଉତ୍ତର ଦେଇଥିଲେ, ମୋ ନାଁ ଦେବନାଥ ରାୟ । ତାଙ୍କର ଗରିଆହଟାରେ ଦୁଇଟା ବିରାଟ କୋଠା ଅଛି । ବଡ଼ବଜାରରେ ବାପାଙ୍କର ଲୁଗା ବ୍ୟବସାୟ ଅଛି । ଦେବନାଥ ବି, କମ୍, ପଢ଼େ ସିଟିରେ । ବାପା ବର୍ତ୍ତମାନ ଅବସର ନେବାକୁ ଚାହାନ୍ତି । ଦେବନାଥ ପରୀକ୍ଷାଟା ଦେଇ ସାରି ବ୍ୟବସାୟକୁ ଓହ୍ଲେଇ ପଡ଼ିବ ସ୍ଥିର କରିଛି ।

 

ସେଦିନ ବହୁ ଆନନ୍ଦ ଓ ଉତ୍ତେଜନା ଭିତର ଦେଇ ନୌକା ବିହାର ଶେଷ ହୋଇଥିଲା । ମଧୁମିତାକୁ ଭାରି ଭଲ ଲାଗିଥିଲା ଦେବନାଥର ସ୍ପୋର୍ଟସ୍‍ମ୍ୟାନ୍ ସ୍ପିରିଟ୍ ।

 

ବିଦାୟ ବେଳେ ଦେବନାଥ କହିଥିଲା, ଇଡ଼େନରେ ରେ ନୌକା ବିହାରର ପରିସର ଅତି ସଂକୀର୍ଣ୍ଣ । ସେଇଥିପାଇଁ ମୋଟେ ଉତ୍ସାହ ମିଳେ ନାହିଁ । ପ୍ରକୃତରେ ଉତ୍ତେଜନା ଥାଏ ଲେକ୍ ରେ । ଆପଣ ଯଦି କେବେ ଇଚ୍ଛା କରନ୍ତି ମୋତେ ଖବର ଦେବେ । ମୁଁ ଲେକ୍ କ୍ଳବର ମେମ୍ୱର । ଦେଖିବେ ସେଠାରେ ନୌକା ପ୍ରତିଯୋଗିତାରେ କେତେ ଉତ୍ତେଜନା !

 

ମଧୁମିତା କିଛି କହିବା ଆଗରୁ ଶଶୀଶେଖରଙ୍କ ଉତ୍ସାହ ଦୁଇଗୁଣ ବଢ଼ି ଯାଇଥିଲା । ସେ କହିଲେ, ମିତା ନିଶ୍ଚୟ ଯିବ ୟଙ୍ଗମ୍ୟାନ୍ । ତମେ ଆସି ତାକୁ ଦିନେ ନେଇଯିବ ସଙ୍ଗରେ । ଧା ଦଉଡ଼ି, ନାଚ କୁଦ କରିବା ପାଇଁ ତା’ର ଯେପରି ଜନ୍ମ ହେଇଛି । ସେ ନିଶ୍ଚିନ୍ତରେ ମୋଟେ ବସିପାରେ ନାହିଁ ମୁହୂର୍ତ୍ତଟାଏ ବି ।

 

ଦେବନାଥ ଚାହିଁଲା ମଧୁମିତାର ମୁହଁକୁ ।

 

କୃତଜ୍ଞତାରେ ଯେପରି ନଇଁ ପଡ଼ିଥିଲା ମଧୁମିତାର ଚାହାଣୀ ।

 

ଦେବନାଥ ପଚାରିଲା, ଆଗାମୀ ରବିବାର ଆପଣଙ୍କର ସମୟ ହେବ ମିତା ଦେବୀ ?

 

ଏଥର ବି ଉତ୍ତର ଦେଲେ ଶଶୀଶେଖର । ହଁ ହଁ ୟଙ୍ଗମ୍ୟାନ୍ । ତା’ର ସମୟ ନ ହେଲେ ବି ମୁଁ ସମୟ କରିଦେବି । ତମେ ରବିବାର ଦିନ ଆସ ଆମ ଘରକୁ । ସେଦିନ ନିମନ୍ତ୍ରଣ ରହିଲା ଆମ ସେଠାରେ । ତମେ ଜାଣନି ୟଙ୍ଗମ୍ୟାନ୍, ମିତାକୁ କିନ୍ତୁ ସୁନ୍ଦର ରାନ୍ଧି ଆସେ । ତା’ ହାତର ରନ୍ଧା ଦିନେ ଖାଇଲେ, ତମକୁ ବାରମ୍ୱାର ଛୁଟିବାକୁ ହେବ ଆମ ଘରକୁ ।

 

ଡାଡ଼ିଙ୍କ ପ୍ରଶଂସାରେ ମଧୁମିତାର ମୁଣ୍ଡ ନଇଁ ପଡ଼ିଥିଲା ଆହୁରି । ତଳେଇ ତଳେଇ ସେ ଚାହୁଁଥିଲା ଦେବନାଥ ମୁହଁକୁ । ଦେବନାଥ ମୁହଁରେ ପ୍ରସନ୍ନ ହାସ୍ୟରେଖା ମଧୁମିତା ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିଥିଲା ।

 

ଦେବନାଥ ଶଶୀଶେଖରଙ୍କ ସହିତ କରମର୍ଦ୍ଦନ କରିଥିଲା ଆସି । କହିଥିଲା, ତା’ହେଲେ ଏଇ କଥା ରହିଲା । ଆପଣ ରବିବାର ଦିନ ପ୍ରସ୍ତୁତ ହୋଇଥିଲେ ମିତା ଦେବୀ ।

 

ମଧୁମିତା ଆଡ଼କୁ ହାତ ବଢ଼ଇଲା ଦେବନାଥ । ବୋଧହୁଏ କରମର୍ଦ୍ଦନ ଆଶାରେ ।

 

କିନ୍ତୁ ମଧୁମିତାର ବିନମ୍ର ନମସ୍କାର ଦେବନାଥକୁ ଲଜ୍ଜାରେ ପକାଇ ଦେଲା ।

 

ରବିବାର ଦିନ ଠିକ୍ ବାରଟାବେଳକୁ ଦେବନାଥର ଗାଡ଼ି ଆସି ଶଶୀଶେଖରଙ୍କ ଦୁଆରେ ଭିଡ଼ିଥିଲା ।

 

ଶଶୀଶେଖର ଦେବନାଥ ସହିତ କରମର୍ଦ୍ଦନ କରି କହିଥିଲେ, ମୁଁ ତୁମକୁ ଅପେକ୍ଷା କରି ବସି ରହିଛି ୟଙ୍ଗମ୍ୟାନ୍ । ତୁମକୁ ଆହୁରି ଆଗରୁ ଆଶା କରୁଥିଲି । କାରଣ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅଭ୍ୟାସଟା ବଡ଼ ଖରାପ ହେଇଯାଉଚି । ନୀରବରେ ପାଟି ବୁଜି ବସି ରହିଲେ, ଅତୀତର ଦିନଗୁଡ଼ାକ ଭିଡ଼ ଜମାଉଚନ୍ତି ଆସି ଆଖି ଆଗରେ । ସେଇଥିପାଇଁ ସବୁବେଳେ ବ୍ୟସ୍ତ ରହିବାକୁ ମୋର ଇଚ୍ଛା ।

 

ଦେବନାଥ କହିଲା, ସେ କଥା ଜାଣିଥିଲେ ମୁଁ ଦଶଟାରୁ ଆସି ଆପଣଙ୍କୁ ବିରକ୍ତ କରି ପାରି ଥାଆନ୍ତି । ମନେ ରହିଲା । ଏଣିକି ସମୟ ପାଇଲେ ଧାଇଁ ଆସିବି ।

 

ଶଶୀଶେଖର ଦେବନାଥ ଚାହାଣୀର ଅର୍ଥ ବୁଝି ପାରି କହିଲେ, ମିତା ଆଜି ଭାରି ବ୍ୟସ୍ତ-। ସକାଳ ଛଅଟାରୁ ଉଠି ସେ କାମ ଆରମ୍ଭ କରି ଦେଇଛି । କେହି ଜଣେ ଅତିଥି ଘରକୁ ଆସିଲେ, ସେ ଆଉ ସ୍ଥିର ଦେଇଛି । ବସିପାରେ ନାହିଁ । ତେବେ ମୁଁ ତାକୁ ଡାକି ପଠାଉଚି ।

 

ଦେବନାଥ ଶଶୀଶେଖରଙ୍କୁ କହିଲା, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମିତା ଦେବୀଙ୍କ ପାଇଁ ମୁଁ ମୋଟେ ଚିନ୍ତୁତ ନୁହେଁ । ତାଙ୍କ କାମ ଶେଷ ହେଲେ ସେ ବଳେ ଆସିବେ ।

 

ତଥାପି...ଆରେ ତମେ ବସ ୟଙ୍ଗମ୍ୟାନ୍ । ଠିଆ ହୋଇ ରହିଲ ଯେ !

 

ହଁ ମୁଁ ବସୁଛି । କିନ୍ତୁ ଆପଣଙ୍କର ଏହି ଲାଇବ୍ରେରୀ ରୁମ୍‍ଟି ଭିତରେ ପଶିଲେ କାହାର ବସିବାକୁ ଇଚ୍ଛା ହେବ କହିଲେ ? ଏତେ ଲୋଭନୀୟ ପୁସ୍ତକ । ଏତେ ଅମୂଲ୍ୟ ତୈଳ ଚିତ୍ର । ଚାରିଆଡ଼କୁ ଯେ ଆପେ ଆପେ ଆଖି ଛୁଟିଯାଏ ।

 

ଶଶୀଶେଖର ଗୋଟିଏ ଦୀର୍ଘଶ୍ୱାସ ତ୍ୟାଗ କଲେ । ଯେପରି ସେ ଖୁବ୍ ମର୍ମାହତ । ଦେବନାଥର କଥା ତାଙ୍କ ପ୍ରାଣରେ ସଂଘାତ ସୃଷ୍ଟି କରିଛି ।

ଦେବନାଥ ଆଗେଇ ଗଲା । ସଦା ହାସ୍ୟମୟ ମୁଖ ଉପରେ ହଠାତ୍ କଳାମେଘର ଆର୍ବିଭାବ ଦେଖି ଦେବନାଥ କାରଣ ପଚାରିଲା ।

ସେ କିଛି ନୁହେଁ ୟଙ୍ଗମ୍ୟାନ୍ । ଓଲ୍ଡ଼ ଏଜ୍‍ରେ ମଣିଷକୁ ବହୁ ଦୁର୍ଭାବନା ଆଘାତ ଦିଏ । ଅପରାଧଟା ତମର ନୁହେଁ । ଏଥର ତମ ଜୀବନର ଦୁଇଟି ଗୋଟିଏ ଇଣ୍ଟରେଷ୍ଟିଂ ଘଟଣା କୁହ ୟଙ୍ଗମ୍ୟାନ୍, ମୁଁ ଟିକିଏ ସାନ୍ତ୍ୱନା ପାଏ । ମୁହୂର୍ତ୍ତକ ପାଇଁ ମୋର ୟଙ୍ଗ୍ ଏଜ୍‍କୁ ଛୁଟିଯାଏ ।

ଦେବନାଥ କିନ୍ତୁ ଶଶୀଶେଖରଙ୍କ ମନର ଆଘାତକୁ ଆବିଷ୍କାର କରିବା ପାଇଁ ଚଞ୍ଚଳ ହୋଇଉଠିଥିଲା । ସେ ତ କହିଥିଲା ଏଇ ଲାଇବ୍ରେରୀର ପୁସ୍ତକ ଆଉ ତୈଳଚିତ୍ରର କଥା । ଏଥିରେ ଶଶୀଶେଖରଙ୍କର ଆଘାତ ପାଇବାର ଥିଲା କ’ଣ ?

ଶଶୀଶେଖର ଆର୍ଦ୍ର କଣ୍ଠରେ କହିଥିଲେ, ମୋର ବ୍ୟଥା ଏଇ ଲାଇବ୍ରେରୀ ପାଇଁ ନୁହେଁ କିମ୍ବା ତୈଳ ପାଇଁ ନୁହେଁ । ମୋର ବ୍ୟଥା ଯେଉଁଠି ତମେ ବୁଝି ପାରିବ ନାହିଁ ୟଙ୍ଗମ୍ୟାନ୍‍ । ତମର ବୟସ ବଢ଼ିଲେ ତମେ ବାପା ହେବାର ସୌଭାଗ୍ୟ ଅର୍ଜନ କଲେ, ସେତେବେଳେ ଯାଇ ବୁଝିବ ମୋ କଥା । କିନ୍ତୁ ଭଗବାନଙ୍କ ପାଖରେ ମୁଁ ସତତ ପ୍ରାର୍ଥନା କରୁଚି, ସେ ଯେପରି ମୋ ଶତ୍ରୁକୁ ବି ମୋ ପରି ଦୁଃଖ ନ ଦିଅନ୍ତୁ ।

ଶଶୀଶେଖର ରୁମାଲ୍‍ରେ ଆଖି ପୋଛିଲେ ।

ଦେବନାଥର ଇଚ୍ଛା ନ ଥିଲା ଆଉ ଶଶୀଶେଖରଙ୍କ ଅତୀତକୁ ଘାଣ୍ଟି ଚକଟି ତାଙ୍କ ମନର ସ୍ମୃତି କୋଷରେ ଆଘାତ କରିବା ପାଇଁ । କିନ୍ତୁ ଶଶୀଶେଖର ନିଜେ ଆରମ୍ଭ କରି ଦେଇଥିଲେ, ଜାଣ ୟଙ୍ଗମ୍ୟାନ୍‍ ! ଏଇ ଯେ ଏତେବଡ଼ ବିରାଟ ଲାଇବ୍ରେରୀ ଦେଖୁଛ, ମୋ ଆଇନ ବ୍ୟବସାୟରେ ଏତେ ସବୁ ପୁସ୍ତକର କୌଣସି ଆବଶ୍ୟକତା ନ ଥିଲା । ଏଥିରେ ବହୁ ସଂଖ୍ୟକ ବହି ଆଜିଯାଏ କେହି ସ୍ପର୍ଶ ବି କରି ନାହାନ୍ତି । କିନ୍ତୁ ତଥାପି ଏହିପରି ଏକ ବିଶାଳ ଲାଇବ୍ରେରୀ କରିବା ପାଇଁ ମୁଁ ବାଧ୍ୟ ହୋଇଥିଲି । ଅବଶ୍ୟ ଏହା ପଛରେ ଜଣକର ପ୍ରେରଣା ଥିଲା । ଆଉ ଏଇ ଲାଇବ୍ରେରୀ ଗଠନ ମୂଳରେ ମଧ୍ୟ ଗୋଟାଏ ଉଦ୍ଦେଶ୍ୟ ଥିଲା ।

ମାନିନୀ, ମାନି, ମିସେସ୍ ଚଉଧୁରୀ ମାନେ ମୋର ସ୍ତ୍ରୀ । ଯାହାଙ୍କ ସମ୍ବନ୍ଧରେ ତମେ କିଛି ଜାଣନାହିଁ ୟଙ୍ଗମ୍ୟାନ୍‍ । ସେ ଆଜି ଏ ଇହ ଜଗତରେ ନାହାନ୍ତି । ତାଙ୍କ ଆତ୍ମାର ସଦଗତି ପାଇଁ ମୁଁ ଏବେ ମଧ୍ୟ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଚି । ତାଙ୍କପରି ମହିୟସୀମାନେ ଏହି ଜଗତକୁ ଯଦି ବହୁ ସଂଖ୍ୟାରେ ଆସନ୍ତେ, ତେବେ ପୃଥିବୀରୁ ଦୁଃଖ, ଶୋକ ସବୁ ଘୁଞ୍ଚି ଯାଆନ୍ତା ।

ଶଶୀଶେଖର ଟିକିଏ ନୀରବ ହେଲେ । ଆଖି ଦୁଇଟା ତାଙ୍କର ଛଳ ଛଳ ହୋଇଆସିଲା-। ସେ ପୁଣି ଗୋଟାଏ ଦୀର୍ଘଶ୍ୱାସ ତ୍ୟାଗ କରି କହିଲେ, ଏହି ବିଶାଳ ଲାଇବ୍ରେରୀ ଗଠନ ମୂଳରେ ଥିଲା ତାଙ୍କର ପ୍ରେରଣା । କିନ୍ତୁ ଯାହା ପାଇଁ ସେ ଏଇ ବିରାଟ ଲାଇବ୍ରେରୀ ପରିକଳ୍ପନା କରିଥିଲେ, ସେ ବି ଆଜି ନାହିଁ । ସେ ଥିଲେ ତା’ର ବୟସ ଆଜି ତମ ସହିତ ସମାନ ହୋଇଥାଆନ୍ତି ୟଙ୍ଗମ୍ୟାନ୍‍-। ସେ ଚାଲିଗଲା, ପଛେ ପଛେ ଡାକି ନେଇଗଲା । ତା’ର ମା’କୁ । ଆଉ ମୁଁ ରହିଗଲି ମିତାକୁ ଧରି-। ବୋଧହୁଏ ମିତାର ଦାୟିତ୍ୱ ବହନ କରିବା ପାଇଁ । ମା’ ପୁଅ ଦୁହେଁ ମୋତେ ଦୟା କରି ଛାଡ଼ି ଦେଇଗଲେ ଏଇ ସଂସାରରେ । ବହୁ ଦୁଃଖ, ବହୁ ଦୁର୍ଭାବନା ପରେ ବି ମୋତେ ବଞ୍ଚି ରିହବାକୁ ହେଲା, କେବଳ ଏଇ ମିତା ପାଇଁ ।

ଶଶୀଶେଖର ନୀରବ ହେଲେ ।

ଦେବନାଥ ବୁଝି ପାରିଲା ଶଶୀଶେଖରଙ୍କ ବ୍ୟଥା । ସେ ଯେ ପୁତ୍ରଶୋକ ଆଜିଯାଏ ଭୁଲି ପାରିନାହାନ୍ତି ଆଡ଼ ଯଖ ପରି ଏଇ ଲାଇବ୍ରେରୀଟିକୁ ଆବୋରି ପଡ଼ି ରହିଛନ୍ତି, ବହୁ ଦୀର୍ଘଶ୍ୱାସ ଯେ ଶଶୀଶେଖରଙ୍କ ଅନ୍ତରଆତ୍ମାକୁ ଆଘାତ ପରେ ଆଘାତ ହାଣି ଚାଲିଚି, ଦେବନାଥ ତାହା ବୁଝିପାରିଲା ସିନା, କିନ୍ତୁ ସାନ୍ତ୍ୱନା ଦେବାକୁ ଭାଷା ଖୋଜି ପାଇ ନ ଥିଲା । ପୁତ୍ର ଶୋକରେ ବିଭୋର ଏହି ବୟସ ପିତୃ ସ୍ଥାନୀୟ ଲୋକଟିକୁ ସାନ୍ତ୍ୱନା ଦେବାକୁ ତା’ର ଶକ୍ତି କାହିଁ ?

ତଥାପି ଦେବନାଥ କଥା ଛଳରେ କହିଲା, ମୁଁ ବି, କମ୍ ଦେଇ ସାରିଲେ ଲ’ କଣ୍ଟିନିୁ କରିବି । ଆପଣଙ୍କର ଏଇ ବିଶାଳ ଲାଇବ୍ରେରୀ ଯେଉଁ ଉଦ୍ଦେଶ୍ୟରେ ଗଠନ କରା ହୋଇଥିଲା, ଯେଉଁ ମହିୟସୀ ଏକ ମହତ୍ ଉଦ୍ଦେଶ୍ୟ ନେଇ ଆପଣଙ୍କୁ ପ୍ରେରଣା ଯୋଗାଇଥିଲେ, ଅନ୍ତତଃ ତାଙ୍କର ଆତ୍ମା ମୋତେ ବଡ଼ ହେବାକୁ ଆଶୀର୍ବାଦ କରିବ । ଆଉ ସହଜରେ ଆପଣ ତ ଅଛନ୍ତି ।

 

ଶଶୀଶେଖରଙ୍କ ଆଖି ଦୁଇଟି ଉଜ୍ଜ୍ୱଳ ହୋଇଉଠିଲା । ସେ ଚେଆରରୁ ଉଠ ପଡ଼ି ଦେବନାଥକୁ ନିଜ କୋଳକୁ ଟାଣିନେଇ ଆନନ୍ଦ ଗଦ ଗଦ ସ୍ୱରରେ କହିଲେ, ତମେ ପାରିବ, ପାରିବ ୟଙ୍ଗମ୍ୟାନ୍‍ ? ମୋ ମାନିର ଆଶା ପୂର୍ଣ୍ଣ କରିପାରିବ ?

 

ଦେବନାଥ ନଇଁପଡ଼ିଲା ଶଶୀଶେଖରଙ୍କ ପାଦଧୂଳି ନେବାପାଇଁ ।

 

ହଠାତ୍ ପଛ ଆଡ଼ୁ ଏକ ହାସ୍ୟର କାକଳିରେ ବୁଲି ଅନେଇଲା ଦେବନାଥ, ମଧୁମିତା ଠିଆ ହୋଇହସୁଚି ।

 

କହିଲା, କ’ଣ ଏଇଖଣି ଆସିବା ହେଲା ଆପଣଙ୍କର ? ବଡ଼ ଟାଇମ୍ ଜ୍ଞାନର ଅଭାବ ତ ମନେ ହେଉଛି ମହାଶୟଙ୍କର ।

 

ମଧୁମିତାର କହିବା ଭଙ୍ଗୀ ଆଉ କଣ୍ଠର ସ୍ୱରରେ ଏପରି ଏକ ବ୍ୟଙ୍ଗ ଲୁଚି ରହିଥିଲା ଯେ, ଏକା ସଙ୍ଗରେ ସମସ୍ତେ ହସି ପଳେଇଲେ ।

 

ଶଶୀଶେଖର କହିଲେ, ଦେବନାଥ ଆସିଲାଣି ଅନେକ ବେଳୁ । ତ ବ୍ୟସ୍ତଥିବୁ ବୋଲି ମୁଁ ଖବର ଦେଇ ନ ଥିଲି । ନେଇ ଯା ଉପରକୁ । ମୁଁ ଆଜି ଗାଧେଇ ନାହିଁ ଏତେବେଳଯାଏ । ଗାଧେଇ ସାରି ତମକୁ ଖବର ଦେବି ।

 

ମଧୁମିତା ଦେବନାଥକୁ ସାକ୍ଷୀ କରି କହିଲା, ଶୁଣନ୍ତୁ ଆପଣ । ଡାଡ଼ି ମୋର କିଛି କଥା ଶୁଣୁ ନାହାନ୍ତି । ମୁଁ ସକାଳ ଆଠଟାରୁ ତାଙ୍କ ବାଥରୁମରେ ଗରମ ପାଣି ଦେଇଯାଇଛି, ଆସି କେଇଟା ବାଜିଲାଣି କହିଲେ ? ଇମିତି ଅନିୟମ କଲେ ସ୍ୱାସ୍ଥ୍ୟ ଭଲ ରହିବ ?

 

ଦେବନାଥ ଶଶୀଶେଖରଙ୍କ ପକ୍ଷ ସମର୍ଥନ କରିକହିଲା, ବୟସ ହୋଇଗଲେ ବୋଧହୁଏ ଲୋକମାନେ ଟିକିଏ ଅନ୍ୟମନସ୍କ ହୋଇ ପଡ଼ନ୍ତି । ସମାୟାସମୟ ଜ୍ଞାନ କିଛି ରୁହେ ନାହିଁ ।

 

ମଧୁମିତା ପ୍ରତ୍ୟୁତ୍ତରରେ ଦେବନାଥ ଆଡ଼େ ଏପରି ଏକ ଚାହାଣୀରେ ଚାହିଁଲା, ଯାହାର ଅର୍ଥ ଶଶୀଶେଖର ବୁଝି ପାରି ହୋ ହୋ ହୋଇ ହସି ଉଠିଲେ । କହିଲେ, ତମର ମିତା ପକ୍ଷ ସମର୍ଥନ କରିବା ଉଚିତ ଥିଲା ୟଙ୍ଗମ୍ୟାନ୍‍ । ଏ ବୁଢ଼ା ଆଡ଼ିଆ ହୋଇ ତମେ କିନ୍ତୁ ଗୋଟିଏ କୋମଳ ଆନ୍ତରିକତା ହରାଉଛ ।

 

ଡାଡ଼ି ! ମଧୁମିତା ଏତେ ଯୋର୍‍ରେ ଚିତ୍କାର କରି ଉଠିଲା ଯେ, ଦେବନାଥ ହଠାତ୍ କ’ଣ ଘଟିଗଲା ଭାବି ଚମକି ଉଠିଲା ।

 

ଶଶୀଶେଖର କହିଲେ, ଆଚ୍ଛା ଆଚ୍ଛା, ମୁଁ ମୋ କଥା ଉଇଥଡ଼୍ର କରିନେଲି । ତୁ ଦେବନାଥକୁ ଉପରକୁ ନେଇ ଯା ।

 

ଆଉ କ’ଣ ଗରମ ପାଣି ପଠାଇବି ତମ ପାଇଁ ?

 

ନା, ଆବଶ୍ୟକ ନାହିଁ ।

 

ଶଶୀଶେଖର ଉଠି ଚାଲିଗଲେ ବାଥରୁମ୍‍ ଆଡ଼କୁ ।

 

ଦେବନାଥ ନୀରବରେ ବସିଥିଲା ଚେଆର ଉପରେ, ଧ୍ୟାନମଗ୍ନ ପରି ।

 

କ’ଣ ଧ୍ୟାନ ଭଙ୍ଗ ହେବ ମୁନିବରଙ୍କର ? ମଧୁମିତାର ପରିହାସରେ ଦେବନାଥ ବୁଲି ଅନେଇଲା ମଧୁମିତା ଆଡ଼େ ।

 

ସୁସ୍ୱାଗତମ୍ । ମଧୁମିତା ହାତର ଭଙ୍ଗୀ ଏପରି ଏକ କରି ଉପରକୁ ଯିବା ପାଇଁ ପଥ ଦେଖାଇଲା, ଯାହା ଏଡ଼େଇବାର ନୁହେଁ ।

 

ଦେବନାଥ ଉଠି ଠିଆ ହେଲା । କହିଲା, ସତେରେ ଆପଣଙ୍କୁ ଦେଖିଲେ ଯେ କୌଣସି ମୁନିବରଙ୍କର ଧ୍ୟାନ ଭଂଗ ହୋଇଯିବ ।

 

ଏକଥା ଆପଣଙ୍କ ଆଗରୁ ଅନେକ କହିଛନ୍ତି । ତେଣୁ ନୂଆ କିଛି ଶୁଣାଇଥିଲେ ଖୁସି ହେଇଥାଆନ୍ତେ । ମଧୁମିତା ହସି ହସି କହିଲା ।

 

ହୁଁ, ତା’ହେଲେ ମୋ ଆଗରୁ ଅନେକଙ୍କର ପାଦଧୂଳି ପଡ଼ିଚି ଏଇ ଆଶ୍ରମରେ ?

 

ମଧୁମିତା ଦବିଲା ନାହିଁ ! ସେହିପରି ହସର ଢେଉ ଛୁଟାଇ କହିଲା; ପାଦଧୂଳି ପଡ଼ିଚି ଅନେକଙ୍କର କିନ୍ତୁ ଉପରକୁ ଯିବାକୁ ଅନୁମିତି ଆପଣ ପାଇଲେ ପ୍ରଥମେ ।

 

ସତେ ? ହଠାତ୍ ମୋ ଉପରେ ଏତେ ପ୍ରସନ୍ନ କାହିଁକି ?

 

ସେ ଉତ୍ତର ଡାଡ଼ିଙ୍କ ଠାରୁ ପାଇ ପାରିବେ ।

 

ଆଉ ଆପଣ ?

 

ମୁଁ ତ ଆଗରୁ ସ୍ୱାଗତ ଜଣାଇଚି ।

 

ବାଟରେ କଣ୍ଟା ଝଟା କିଛି ନାହିଁ ତ ?

 

ଝୁଣ୍ଟିବା ତ ମଣିଷର ଧର୍ମ୍ମ । ନହୁ-ନୁହାଣ ନ ହେଲେ ଜୀବନର ପୂର୍ଣ୍ଣତା ଆସେ ନାହିଁ ଯେ !

 

ଆଚ୍ଛା ! ଅଳ୍ପ ବୟସରୁ ତ ଅନେକ କଥା ଶିଖି ଗଲାଣି ।

 

ଆପଣ ବି ଶିଖିଯିବେ ମୋ ସଂଗରେ ମିଶିଲେ ।

 

ଦେବନାଥ ଅବାକ ହୋଇଯାଇଥିଲା ମଧୁମିତାର କଥା ଶୁଣି । ଏତେ ଅଳ୍ପ ବୟସରୁ ମଧୁମିତା ଏତେ କଥା ଶିଖିଲା କିପରି ? ଏତେ ଫ୍ରି ! ଏତେ ଚପଳ ! ! ସେ ତ ଚାହୁଁଥିଲା ଏହିପରି ଗୋଟିଏ ଲେଡ଼ି ଫ୍ରେଣ୍ତ । ତା’ ସ୍ପୋର୍ଟସମ୍ୟାନ ସ୍ପିରିଟ୍ ସହିତ ତାଳ ମିଳେଇ ଯିଏ ଚାଲି ପାରିବ । ବର୍ତ୍ତମାନ ତା’ର ମନେ ହେଉଛି; ସେ ଏକମାତ୍ର ମଧୁମିତା ।

 

ଦେବନାଥ ହାତ ବଢାଇଲା ମଧୁମିତା ଆଡ଼କୁ । ଉଦ୍ଦେଶ୍ୟ କର ମର୍ଦ୍ଦନ କରି ତା’ର ବନ୍ଧୁତା ସ୍ୱୀକାର କରିବ ।

 

ମଧୁମିତାର ଆଜି ଆଉ ସଂକୋଚ ନାହିଁ । ସେ କର ମର୍ଦ୍ଦନ କଲା ଦେବନାଥ ସହିତ ।

 

ସେଦିନ ଖିଆପିଆ ଶେଷ ହେବାକୁ ପ୍ରାୟ ଦୁଇଟା ବାଜି ଯାଇଥିଲା ।

 

ଏହା ପୂର୍ବରୁ ଏତେ ସୁସ୍ୱାଦୁ ଖାଦ୍ୟ କେବେ କେଉଁଠି ଖାଇ ନ ଥିଲା ଦେବନାଥ । ଶଶୀଶେଖରଙ୍କ ଆଗରେ ମଧୁମିତାର ପ୍ରଶଂସା କଲା ବହୁତ ।

 

ଶଶୀଶେଖର କହିଲେ, ମିତାର ଏଇଟା ମାତୃଦତ୍ତ ଗୁଣ । ଘରକୁ କେହି ଅତିଥି ଆସିଲେ, ସେ ନିଜ ହାତରେ ସମସ୍ତ ଖାଦ୍ୟ ପ୍ରସ୍ତୁତ କରୁଥିଲେ । ଟିକିଏ ହେଲେ ବିରକ୍ତି ବା ଆଳସ୍ୟ ନ ଥିଲା ତାଙ୍କର । ମିତା ଠିକ୍ ସେଇ ଗୁଣଟି ଛଡ଼ାଇ ଆଣିଛି ମା’ ଠାରୁ ।

 

ଅବଶ୍ୟ ଏ ସମସ୍ତ କଥା ହେଉଥିଲା ମିତାର ଅନୁପସ୍ଥିତିରେ । ସେ କେବେ ନିଜର ପ୍ରଶଂସା ସହ୍ୟ କରିପାରେ ନାହିଁ । ଶଶୀଶେଖର ସେ କଥା ଜାଣନ୍ତି । ମିତାର ଆବିର୍ଭାବରେ ସେ ନୀରବ ହୋଇଗଲେ ।

 

ମଧୁମିତା କହିଲା, ଲେକ୍‍କୁ ତମେ ଆମ ସଙ୍ଗରେ ଯିବନାହିଁ ଡାଡ଼ି ?

 

ନାଁ, ମୋର ସେ ନୌକା ବିହାରରେ ଆନନ୍ଦ ନାହିଁ । ବରଂ ଦ୍ରୂତ ଗତିରେ ନୌକା ଛୁଟିଲେ ମୋର ମନେହୁଏ ଯେପରି ହୃତପିଣ୍ତଟା ଧୀରେ ଧୀରେ ବନ୍ଦ ହୋଇ ଆସୁଚି ।

 

ଦେବନାଥ କହିଲା, କିନ୍ତୁ ଯେଉଁଦିନ ପ୍ରତିଯୋଗିତା ହେବ, ସେଦିନ ଆପଣ ନିଶ୍ଚୟ ଯିବେ । ମୁଁ ପ୍ରେରଣା ପାଇବି ।

 

ଶଶୀଶେଖର କଣ୍ଠରେ ଉତ୍ସାହ ଫୁଟାଇ କହିଲେ, ସେଦିନ ମୁଁ ନିଶ୍ଚୟ ଯିବି ୟଙ୍ଗମ୍ୟାନ୍‍ । ଆଜି କିନ୍ତୁ ମୋତେ ଛୁଟି ଦେବାକୁ ହେବ । ମୋର ଜଣେ ମହକିଲ ସହିତ ଆପାଏଣ୍ଟମେଣ୍ଟ ଅଛି ପାଞ୍ଚଟାବେଳେ ।

 

ତଥାସ୍ତୁ । ମଧୁମିତା ଏପରି ଏକ ଭଙ୍ଗୀ କରି କହିଲା ଯେ, ସମସ୍ତେ ଏକା ସଙ୍ଗରେ ହସି ଉଠିଲେ ।

 

ଦେବନାଥ ପାଖରେ ଗାଡ଼ିରେ ବସି ସେଦିନ ତା’ ଦେହରେ କୌଣସି ଅନୁଭୂତି ଜାଗି ନ ଥିଲା । ବରଂ ଦେବନାଥ ରହି ରହି ମଧୁମିତା ଆଡ଼େ ଚାହୁଁଥିଲା । ଚାହାଣୀରେ କିପରି ଏକ ବିହ୍ୱଳତା ଫୁଟି ଉଠୁଥିଲା ।

 

ସେଦିନ କିନ୍ତୁ ଲେକରେ ନୌକା ବିହାର କଲାବେଳେ ମଧୁମିତା ପ୍ରବଳ ଉତ୍ତେଜିତ ହୋଇଉଠିଥିଲା । ସେ ଏକ ଅସ୍ୱାଭାବିକ ଉତ୍ତେଜନା । ନୌକା ତ ନୁହେଁ, ତାକୁ ରେସିଂ ବୋଟ କୁହାଯାଇପାରେ । ଗଠନ ପ୍ରଣାଳୀ ଭିନ୍ନ ପ୍ରକାର । ଆହୁଲା ଭିଡ଼ିଲେ ତୀର ଭଳି ଭିଡ଼ିଯାଏ ।

 

ମଧୁମିତା ଯେଉଁ ବୋଟରେ ଉଠିଥିଲା, ସେଥିରେ ଥିଲେ ଦେବନାଥ, ତା’ର ଏକ ବନ୍ଧୁ ଓ ବାନ୍ଧବୀ ଆଉ ମଧୁମିତା । ସେମାନେ ସମସ୍ତେ ଆହୁଲା ଧରିଥିଲେ । ମଧୁମିତା ବି ପ୍ରଥମେ ପ୍ରଥମେ ମଧୁମିତା ଆହୁଲା ଠିକ୍ ଟାଣି ପାରୁ ନ ଥିଲା । କିନ୍ତୁ ଯେତେବେଳେ ତାଙ୍କ ପାଖରେ ଆଉ ଗୋଟିଏ ପ୍ରତିଯୋଗୀ ବୋଟ ଦେଖାଦେଲା, ସମସ୍ତଙ୍କର ଉତ୍ସାହ ବଢ଼ିଗଲା ଦୁଇଗୁଣ । କିନ୍ତୁ ମଧୁମିତାର ଉତ୍ସାହ ସେଦିନ ବଢ଼ି ଯାଇଥିଲା ଶହେ ଗୁଣକୁ ।

 

କେଉଁଠୁ ପାଇଲା ସେ ଏତେ ବଳ, ଏତେ ଉତ୍ସାହ ! ଦେବନାଥ ଆଉ ତା’ର ବନ୍ଧୁ ଅବାକ୍ ହୋଇ ଯାଇତିଲେ । ପ୍ରତିଯୋଗୀଙ୍କୁ ବହୁ ପଛରେ ପକେଇ ଦେଇ ସେମାନେ ବାରମ୍ବାର ଆଗେଇ ଯାଉଥିଲେ । ସେଦିନ ସ୍ୱର୍ଗ ଜୟ କରିଥିଲେ ମଧୁମିତା । ଏତେ ଆନନ୍ଦ ଆଉ କେବେ କେଉଁଠୁ ପାଇଥିଲା ବୋଲି ମନେ ପଡ଼େ ନାହିଁ ତା’ର ।

 

ନୌକା ବିହାର ଶେଷ ହୋଇଥିଲା ପ୍ରାୟ ସାଢ଼େ ଛଅଟାରେ । କିନ୍ତୁ ପ୍ରବଳ ଉତ୍ତେଜନା ପରେ ଯେ ଏତେ କ୍ଳାନ୍ତି ଆସି ଗ୍ରାସ କରିପାରେ, ମଧୁମିତା ମୋଟେ ଚିନ୍ତା କରି ପାରି ନ ଥିଲା ।

 

ନୌକା ବିହାର ପରେ ସେମାନେ କ୍ଳବକୁ ଯାଇଥିଲେ । ସାମାନ୍ୟ ଜଳଯୋଗ ପରେ ଦେବନାଥ ହାତ ଘଡ଼ିକୁ ଚାହିଁ, ଯେତେବେଳେ ଉଠିବାକୁ କହିଲା, ମଧୁମିତା ଉଠିବାକୁ ଚେଷ୍ଟା କରି ଉଠି ପାରିଲାନାହିଁ । ତା’ର ମନେହେଲା ଯେପରି ଗୋଡ଼ ଦୁଇଟା କିଏ ମାଟିରେ ପୋତି ପକାଇଛି ।

 

ସେ କିଛି ବୁଝି ପାରିଲା ନାହିଁ । ଆକୁଳ ଆଖିରେ ଚାହିଁଲା ଦେବନାଥ ମୁହଁକୁ !

 

ଦେବନାଥ କହିଲା, ପ୍ରଥମେ ପ୍ରଥମେ ସେହିପରି ହୋଇଥାଏ । ଆପଣ ଖାଲି ଆଜି ନୁହେଁ, ଦୁଇ ତିନିଦିନ ବିଛଣାରୁ ଉଠି ପାରିବେନାହିଁ । ତା’ପରେ ଧୀରେ ଧୀରେ ସବୁ ଠିକ୍ ହୋଇଯିବ । କିନ୍ତୁ ଅଭ୍ୟାସ ରଖିବାକୁ ହେବ ।

 

ଦେବନାଥ ମଧୁମିତାର ହାତ ଧରି ଚେଆରରୁ ଉଠାଇଲା ।

 

ନା ସେ ଚାଲି ପାରୁନାହିଁ । ସମଗ୍ର ଦେହଟା କିପରି ଅବଶ ହୋଇଆସୁଛି ।

 

ଦେବନାଥ କହିଲା, ଭୟର କିଛି କାରଣ ନାହିଁ । ଉତ୍ତେଜନା ଭିତରେ ଦୁଇଘଣ୍ଟା ଆହୁଲା ଭିଡ଼ିବା କିଛି କମ୍ ପରିଶ୍ରମର କାମ ନୁହେଁ ।

 

ମଧୁମିତା ଦେବନାଥ କାନ୍ଧରେ ଭରା ଦେଇ ଛୋଟେଇ ଛୋଟେଇ ଆଗେଇ ଯାଉଥିଲା-

 

ଭାରି ଲାଜ ମାଡ଼ୁଥିଲା ତାକୁ । କିନ୍ତୁ ଅନ୍ୟ ଉପାୟ ନଥିଲା ।

 

ସେଦିନ ଶଶୀଶେଖର ମଧୁମିତାର ଅବସ୍ଥା ଦେଖି ହସି ହସି ଗଡ଼ି ଯାଇଥିଲେ । କହିଥିଲେ, ଏତେ ଦିନକେ ଜବଦ୍‍ ହେଇଚି ମିତା । ତମେ ଠିକ୍ କରିଛ ୟଙ୍ଗମ୍ୟାନ୍‍ ।

 

ମଧୁମିତାର ମୁହଁର ଅବସ୍ଥା ସେଦିନ ଦେଖିଲାଭଳି ହୋଇଥିଲା । ସେ ଲାଇବ୍ରେରୀର ଗୋଟିଏ ଆରାମ ଚେଆର ଉପରେ ଶୋଇପଡ଼ି କହିଥିଲା, ଏକା ମାଘକେ ଶୀତ ଯାଏନି ଡାଡ଼ି । ମୁଁ ବି ତମକୁ ଦେଖିନେବି ।

 

ଶଶୀଶେଖର ବୋଧହୁଏ ଆନନ୍ଦରେ ନାଚି ଉଠିଥିଲେ । କହିଥିଲେ, ସେତେବେଳେ ଦେଖାଯିବ । କିନ୍ତୁ ଆଜି ତ ନିଜେ ଜବଦ୍‍ ହେଇଚୁ ।

 

ଦେବନାଥ ବାପଝିଅଙ୍କର ଏଇ ସ୍ୱର୍ଗୀୟ ଆନ୍ତରିକତାରେ ମୁଗ୍ଧ ହୋଇଯାଇଥିଲା । କିନ୍ତୁ ସେ ଅଧିକ ବ୍ୟଥିତ ହୋଇଥିଲା ମଧୁମିତାର ମୁହଁକୁ ଚାହିଁ । ପ୍ରକୃତରେ ଯନ୍ତ୍ରଣାରେ ହୁଏତ ତା’ର ସମସ୍ତ ଦେହ ଜର୍ଜରିତ ହୋଇ ଉଠିଚି ।

 

ବିଦାୟ ନେବା ପୂର୍ବରୁ ମଧୁମିତା ଦେବନାଥକୁ ପାଖକୁ ଡାକି କହିଲା, କାଲି କିନ୍ତୁ ଆସିବେ ଆପଣ । ମୁଁ ପୁଣି ଯିବି ଆପଣଙ୍କ ସହିତ ।

 

ଦେବନାଥ କହିଲା, କାଲି ହୁଏତ ଆପଣ ଆଉ ଆହୁଲା ଟାଣି ପାରିବେନାହିଁ । ଦୁଇ ତିନିଦିନ ନ ଯିବାଯାଏ ଆପଣ ସୁସ୍ଥ ହୋଇଉଠିବା ସମ୍ଭବ ହେବନାହିଁ ।

 

ମଧୁମିତା ଯୋଗ ଗଳାରେ କହିଥିଲା, ପାରିବା ନ ପାରିବା ମୁଁ ବୁଝିବି । କାଲି କିନ୍ତୁ ନିଶ୍ଚିତ ଆପଣ ଆସିବେ ।

 

ଦେବନାଥ ନିଶ୍ଚିତ ପ୍ରତିଶ୍ରୁତି ଦେଇ ସେଦିନ ବିଦାୟ ନେଇଥିଲେ ମଧୁମିତା ପାଖରୁ । ପାଦ ଧୂଳି ନେଇଥିଲା ଶଶୀଶେଖରଙ୍କଠାରୁ ।

 

ଦେବନାଥ ବିଦାୟ ନେଇ ଚାଲିଯିବା ପରେ ଶଶୀଶେଖର ମଧୁମିତା ଆଡ଼େ ଚାହିଁ ହସିଥିଲେ ଥରେ, ଅର୍ଥପୂର୍ଣ୍ଣ ହସ ।

 

ଆରଦିନ ଚାରିଟାବେଳେ ଦେବନାଥ ଆସି ପହଞ୍ଚିଥିଲା । ଭାବିଥିଲା ମଧୁମିତା ହୁଏତ ସେଦିନ ତା’ ସହିତ ଯାଇ ପାରିବନାହିଁ ଲେକ୍‍କୁ କିନ୍ତୁ ପୂର୍ବରୁ ମଧୁମିତା ପ୍ରସ୍ତୁତ ହୋଇ ବସିଥିଲା ଦେବନାଥର ପଥଚାହିଁ ।

 

ଆଶ୍ଚର୍ଯ୍ୟ ହୋଇଥିଲା ଦେବନାଥ ।

 

ହସିଥିଲା ମଧୁମିତା ଖାଲି ।

 

ଶଶୀଶେଖର କହିଲେ, ମିତା ତମକୁ ପରାସ୍ତ କରିଛି ୟଙ୍ଗମ୍ୟାନ୍‍ । ତୁମେ କ’ଣ ଭାବି ପାରିଥିଲ ସେ ଆଜି ସୁସ୍ଥ ହୋଇ ତମ ସହିତ ପୁଣି ଯୋଗ ଦେଇପାରିବ ?

 

ଅଦ୍ଭୁତ ପ୍ରାଣ ଧାରଣର ଶକ୍ତି ମିତାର । ତମେ ହୁଏତ ଦିନେ ଆବିଷ୍କାର କରିବ ମିତା ତମ ସମସ୍ତଙ୍କ ଭିତରେ ଏକ ସ୍ୱତନ୍ତ୍ର ଶକ୍ତି । ତମ ସମସ୍ତଙ୍କୁ ପରାସ୍ତ କରି ପ୍ରତିଯୋଗିତା ସେ ପ୍ରଥମ ସ୍ଥାନ ଅଧିକାର କରି ବସିଛି ।

 

କିନ୍ତୁ ବହୁ ଚେଷ୍ଟା କରି ବି ନୌକା ପ୍ରତିଯୋଗିତାରେ ପ୍ରଥମ ହୋଇ ପାରି ନ ଥିଲା ମଧୁମିତା । ଦେବନାଥ ପାଖରେ ତାକୁ ନତି ସ୍ୱୀକାର କରିବାକୁ ହୋଇଥିଲା । ଦେବନାଥ ପ୍ରଥମ ଆଉ ମଧୁମିତା ଦ୍ୱିତୀୟ ସ୍ଥାନ ଅଧିକାର କରି ଯେଉଁଦିନ ବିପୁଳ ଭାବରେ ସମ୍ବର୍ଦ୍ଧିତ ହୋଇଥିଲେ ଲେକ୍ କ୍ଳବରେ, ସେଦିନ ଭାରି ଦୁର୍ବଳ ହୋଇ ପଡ଼ିଥିଲା ମଧୁମିତା ।

 

ଏତେ ଆନନ୍ଦ ଉତ୍ତେଜନା ଭିତରେ ସେ ଯେପରି ନିଜକୁ ହଜାଇ ଦେଇଥିଲା କେଉଁଠି ।

 

ଡାଡ଼ି ସେଦିନ ପ୍ରସ୍ତାବ କରିଥିଲେ, ମଧୁମିତା ଦେବନାଥକୁ ରେନ୍‍ବୋ କ୍ଳବକୁ ନେଇ ଯାଇ ମେମ୍ବର କରିଦେବ । ସେଦିନର ସେଇ ଶୁଭଦିନଟିରେ ଡାଡ଼ିଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ଦେବନାଥ ସମ୍ମତ ହୋଇଥିଲା ।

 

କିନ୍ତୁ ମଧୁମିତାର ହଠାତ୍ ହେଲା କ’ଣ ? ମୁଣ୍ତରେ ସେ ଯନ୍ତ୍ରଣା ଅନୁଭବ କରିଥିଲା । ତା’ପରେ ଧୀରେ ଧୀରେ ଆଖି ବୁଜି ଟେବୁଲ ଉପରେ ମୁଣ୍ତନଦି ଦେଇଥିଲା ।

 

ସେଦିନ କିନ୍ତୁ ରେନ୍‍ବୋ କ୍ଳବକୁ ଯାଇ ମେମ୍ବର ହେବାର ସୌଭାଗ୍ୟରୁ ବଞ୍ଚିତ ହୋଇଥିଲା ଦେବନାଥ । ଡାଡ଼ି ହୁଏତ ଟିକିଏ କଷ୍ଟ ପାଇଥିଲେ । କିନ୍ତୁ କେଜାଣି କାହିଁକି ମଧୁମିତା ମୁହଁରେ ତୃପ୍ତିର ହସ ଫୁଟି ଉଠିଥିଲା ।

 

ଆରଦିନ ଦେବନାଥ ଆଉ ଆସି ପାରି ନ ଥିଲା କୌଣସି ଏକ ବିଶେଷ କାରଣରୁ । ମଧୁମିତା ଶୋଇ ପାରି ନ ଥିଲା ରାତି ସାରା । କଣ୍ଟକ ଶଯ୍ୟାରେ ଶୋଇଲା ପରି ମନେ ହୋଇଥିଲା ତାକୁ । ଦେବନାଥ ତେବେ କ’ଣ କଥା ରଖିବ ନାହିଁ । ନିର୍ଭର ପ୍ରତିଶ୍ରୁତି ଦେଇଛି ସେ ମିତାକୁ । ଯେମିତି ହେଉ, ଯେତେ ତ୍ୟାଗ କରିବାକୁ ପଡ଼ୁ ପଛେ ମିତାକୁ ସେ ନିଜର କରିବ ।

 

କିନ୍ତୁ ତା’ ପରଦିନ ଯେତେବେଳେ ଆସିଲା ଦେବନାଥ, ଶଶୀଶେଖର ତାକୁ ସହଜରେ ଆଉ ଉପରକୁ ଛାଡ଼ିଲେ ନାହିଁ । ମଝି ଶିଡ଼ିରୁ ଡାକି ଆଣି ପାଖରେ ବସାଇଲେ । କହିଲେ, ଜାଣ ୟଙ୍ଗମ୍ୟାନ୍‍, ମିତା ତମ ଉପରେ ଭାଷଣ ରାଗିଛି । ତମେ କାଲି ଆସିଲ ନାହିଁ । କ୍ଳବକୁ ନ ଯାଇ ସେ ତମ ପାଇଁ ଅପେକ୍ଷା କଲା । କିନ୍ତୁ ନାରୀ ଜାତିଟା ସବୁଦିନ ଅବୁଝା, କାହାରି ଭଲ ମନ୍ଦ, ସୁଖ ସୁବିଧା ବୁଝିବା ପାଇଁ ସେମାନେ ମୋଟେ ପ୍ରସ୍ତୁତ ନୁହଁନ୍ତି ।

 

ଦେବନାଥ ନୀରବରେ ଶଶୀଶେଖରଙ୍କ କଥା ଶୁଣି ଯାଉଥିଲା ।

 

ଶଶୀଶେଖର ପୁଣି କହିଲେ, ଆଜି ତମେ ଆସି ଭଲ କରିଛ ୟଙ୍ଗମ୍ୟାନ୍‍ । ଆଜି ଆମେ କ୍ଳବକୁ ଯିବାପାଇଁ ପ୍ରସ୍ତୁତ ହୋଇ ରହିଚୁ । ମିତା ଆସିଲେ ଚାଲିଯିବା ସମସ୍ତେ । ତମେ ମେମ୍ବର ହୋଇ ନ ଥିବାରୁ ତା’ ମନ ଭଲ ନାହିଁ । ରେନ୍‍ବୋ କ୍ଳବର ଆଭିଜାତ୍ୟ ପାଇଁ ମିତାର ଭାରି ଗର୍ବ । ତମେ ମେମ୍ବର ହେବାକୁ ପ୍ରସ୍ତୁତ ହୋଇ ଆସିଛି ତ ୟଙ୍ଗମ୍ୟାନ୍‍ ?

 

ଦେବନାଥ କହିଲା, ମୁଁ ତ ଅନେକ ଦିନରୁ ପ୍ରସ୍ତୁତ ହୋଇରହିଛି । ମାସକୁ ମାତ୍ର ଶେହେଟଙ୍କା ଚାନ୍ଦା । ଆପଣ କ’ଣ ଭାବୁଛନ୍ତି....

 

ନାନା ୟଙ୍ଗମ୍ୟାନ୍‍ । ତମେ ଦେଇ ପାରିବ ନାହିଁ, ସେ କଥା ମୁଁ ମୋଟେ ଭାବୁନାହିଁ । ମୁଁ କେବଳ ଭାବୁଛି ମିତା କଥା । ତମକୁ ସେ ସେଠାରେ ମେମ୍ବର କରି ପାରିଲେ ସବୁଠାରୁ ବେଶି ଖୁସି ହେବ । ତା’ର ଗୋଟାଏ ଧାରଣା କଲିକତାର ଅଭିଜାତ ସଂପ୍ରଦାୟ କେବଳ ସେଇମାନେ, ଯେଉଁମାନେ ରେନ୍‍ବୋ କ୍ଳବର ମେମ୍ବର ।

 

ଦେବନାଥ ହସି ଉଠିଲା ଏଥର । କହିଲା, ମୁଁ ମିତାଦେବୀଙ୍କର ସେ ଇଚ୍ଛା ଅପୂର୍ଣ୍ଣ ରଖିବି ନାହିଁ । ତାଙ୍କ ଦେହ ଭଲ ଅଛି ତ ?

 

ଶଶୀଶେଖର କହିଲେ, ତମେ ଉପରକୁ ଯାଅ ୟଙ୍ଗମ୍ୟାନ୍‍ । ମଧୁମିତାକୁ ସଂଗରେ ଡାକି ଆଣିବ । ସେ ହୁଏତ ଅଭିମାନ କରି ବସି ରହିଛି ।

 

ଦେବନାଥ ଯାଇ ଦେଖିଲା, ମଧୁମିତା ଶୋଇ ଶୋଇ କାହା ସହିତ ଫୋନ୍‍ରେ କଥା ହେଉଛି । ଦେବନାଥ ଘରେ ପଶିବାକ୍ଷଣି ରିସିଭରଟା ରଖିଦେଲା ସେ । ସାମନାରେ ଦେବନାଥକୁ ଦେଖି ତା’ ମୁହଁରେ ଆନନ୍ଦ ବଦଳରେ ଆତଙ୍କ ଫୁଟି ଉଠିଥିଲା ।

 

ଦେବନାଥ ଯାଇ ବସିଥିଲା ମଧୁମିତାର ଶେଯ ଉପରେ । କପାଳରେ ହାତ ବୁଲେଇ ଦେଇ କହିଥିଲା, କାଲିଠାରୁ ମୁଣ୍ତଟା କ’ଣ ଭଲ ହେଉନି ତମର ?

 

ମଧୁମିତା କିଛି ଉତ୍ତର ଦେଇ ନ ଥିଲା । ମୁହଁ ବୁଲେଇ ଶୋଇଥିଲା ଅନ୍ୟ ଆଡ଼େ ।

 

ଦେବନାଥ ଭିଡ଼ି ଆଣିଥିଲା ମିତାକୁ ନିଜ ଆଡ଼କୁ । କହିଥିଲା, ମୋ ପ୍ରଶ୍ନର କ’ଣ ଉତ୍ତର ଦେବନି ମିତା !

 

ମଧୁମିତା ଆଖିରୁ ଲୁହ ଝରି ପଡ଼ିଥିଲା । ସେ ଦେବନାଥ କୋଳ ଉପରେ ମୁଣ୍ତ ପିଟି କହିଥିଲା, କାଲି କାହିଁକି ଆସିଲନି ତମେ । ଆଜି ତମେ ଫେରିଯାଅ, ତମେ ଫେରିଯାଅ ଦେବନାଥ-

 

ଦେବନାଥ ଆଶ୍ଚର୍ଯ୍ୟ ହୋଇଥିଲା । ସେ ମିତା ଆଖିରୁ ଲୁହ ପୋଛି ଦେଇ କହିଥିଲା, ତମେ ଆଉ କାନ୍ଦନି ମିତା । ଉଠ । ଡାଡ଼ି ତଳେ ଅପେକ୍ଷା କରିଛନ୍ତି । ତମ କ୍ଳବକୁ ଯିବା । ଆଭିଜାତ ସଂପ୍ରଦାୟରେ ନାମ ଲେଖାଇବାକୁ ମୁଁ ପ୍ରସ୍ତୁତ ହୋଇଆସିଛି ।

 

ଦେବନାଥ କହି ସାରି ହସି ପକାଇଲା ।

 

ମଧୁମିତା କିନ୍ତୁ ପ୍ରଚଣ୍ତ ସକ୍‍ ପାଇଲା ପରି ଉଠି ବସିଲା ବିଛଣା ଉପରେ । ନୀରବରେ ଅନେକ ବେଳଯାଏ ଚାହିଁଲା ଦେବନାଥ ମୁହଁକୁ । ଆହୁରି କିଛି ସମୟ ପରେ ହସିଲା ଟିକିଏ । ଧୀରେ ଧୀରେ ଦେବନାଥର ହାତ ଦୁଇଟାକୁ ନେଇ ନିଜ ଛାତି ଉପରେ ଜାକି ଧରି କରୁଣ ସ୍ୱରରେ କହିଲା, ସତେ ତମେ ଆମ କ୍ଳବରେ ମେମ୍ବର ହେବାକୁ ପ୍ରସ୍ତୁତ ହୋଇ ଆସିଚ ଦେବନାଥ ! ସତ କହୁଚ ?

 

ଦେବନାଥ ସେଦିନ ମଧୁମିତାକୁ ନିଜର ଛାତି ଉପରକୁ ଜାକି ଆଣି ଆଦର କରି ଆନ୍ତରିକତାର ସ୍ୱରରେ କହିଥିଲା, ତଥାପି ତମର ବିଶ୍ୱାସ ହେଉନି ମିତା ! ଡାଡ଼ିଙ୍କୁ ଯେ ତେଣେ କଥା ଦେଇ ଆସିଲି । ସେ ପ୍ରସ୍ତୁତ ହୋଇ ବସି ରହିଛନ୍ତି । ଆମେ ତଳେ ପହଞ୍ଚିବା ମାତ୍ରେ ବାହାରି ଯିବା ।

 

ନା’ ମଧୁମିତା ମୁହଁରେ ବ୍ୟର୍ଥତାର ଛାଇ ନଇଁ ଆସିଲା । ବହୁ କଷ୍ଟରେ ସେ ନିଜକୁ ସଂଯତ କରି କହିଲା, ତା’ହେଲେ ମୁଁ ପ୍ରସ୍ତୁତ ହୋଇ ଆସେ ଦେବନାଥ । ତମେ ଟିକିଏ ଅପେକ୍ଷା କର ।

 

ମଧୁମିତା ମଦ୍ୟପଙ୍କ ପରି ଟଳିଟଳି ଯାଇ ବାଥ୍‍ରୁମରେ ପଶିଥିଲା ।

 

କାହାର ଦୋଷ ? କିଏ ଦୋଷୀ ?

 

ମଧୁମିତା ତୃତୀୟ ରଙ୍ଗୀନ ଗ୍ଳାସଟା ଉପରକୁ ଟେକି ଧରି ତା’ ଭିତରୁ କ’ଣ ଯେପରି ଦେଖିବାକୁ ଚେଷ୍ଟା କରୁଥିଲା ।

 

ହଁ ହଁ, ଏଇ ଦେବନାଥ । ଆଜି ରଙ୍ଗମଞ୍ଚରେ ଜୋକର ଭୂମିକାରେ ଅଭିନୟ କରି ଜୀବନ ନିର୍ବାହ କରୁଛି ।

 

କିନ୍ତୁ ତା’ର ଏହି ଅବସ୍ଥା ପାଇଁ ପ୍ରକୃତରେ କିଏ ଦାୟୀ ? ମଧୁମିତା ! ଦେବନାଥ ! ଡାଡ଼ି-! ରେନ୍‍ବୋ କ୍ଳବ ?

 

ହୋ ହୋ ହୋଇ ହସି ଉଠିଲା ମଧୁମିତା । ବାର୍‍ର ଅନ୍ୟାନ୍ୟନମାନେ ଚାହିଁଲେ ତା’ଆଡ଼େ ।

 

ମଧୁମିତା ହସୁଚି । ହସି ହସି ବେଦମ୍ ହୋଇ ପଡ଼ିବ ସତେକି । ସେ ହୁଏତ ତା’ର ଆତ୍ମସତ୍ତା ହରାଇଛି । ସେ ହୁଏତ ଭୁଲି ଯାଇଛି ସ୍ଥାନ, କାଳ, ପାତ୍ର ।

 

ଭିଡ଼ି ଜମି ଯାଉଥିଲା ମଧୁମିତାର ଟେବୁଲ ଚାରିପାଖରେ ।

 

କିନ୍ତୁ ହଠାତ୍ ସେଠାରେ ଉପସ୍ଥିତ ହେଲା ଚନ୍ଦ୍ରକାଂତ । ସେ ମଧୁମିତାର ଏପରି ଅବସ୍ଥା ଦେଖି ଅବାକ୍ ହୋଇ ଯାଇଥିଲା । ସେ ଯେ ତା’ ଅନୁପସ୍ଥିତିରେ ଏପରି ଏକ ଅଘଟଣ ଘଟେଇ ବସିବ, ଚନ୍ଦ୍ରକାଂତ ମୋଟେ ଚିନ୍ତା କରି ପାରି ନଥିଲା ।

 

ସେ ମଧୁମିତାର ହାତ ଧରି ଓହ୍ଳେଇ ନେଇଗଲା ତଳକୁ । ଗାଡ଼ିରେ ବସାଇଲା ନେଇ । ତା’ପରେ ? ତା’ପରେ କୁଆଡ଼େ ତା’ର ଗତିପଥ ?

 

ମଧୁମିତାର ଅବସ୍ଥା ଯାହା ତାକୁ ଏଇକ୍ଷଣା ଘରେ ପହୁଞ୍ଚାଇ ପାରିବନାହିଁ । ଶଶୀଶେଖର ନିଶ୍ଚୟ ଶୋଇ ନ ଥିବେ । ମଧୁମିତାକୁ ଏପରି ଉନ୍ମତ ଅବସ୍ଥାରେ ଦେଖିଲେ ତା’ପ୍ରତି ତାଙ୍କର ଧାରଣା କ’ଣ ହେବ ?

 

ନିଜ ଘରକୁ ବି ନେବା ସମ୍ଭବ ନୁହେଁ । କାଲି ସକାଳୁ ଯଦି ମୃତ୍ୟୁଞ୍ଜୟ ମଙ୍ଗରାଜ ଆସି ପହଞ୍ଚନ୍ତି, ସେ ହୁଏତ ସିଧା ଆସିବେ ଚନ୍ଦ୍ରକାଂତ ଘରକୁ । ମଧୁମିତା ଯଦି ଦେଖନ୍ତି ତା’ ସହିତ ! !

 

ଆଉ ତେଣିକି ଭାବି ପାରୁ ନ ଥିଲା ଚନ୍ଦ୍ରକାଂତ । ଗାଡ଼ି କିନ୍ତୁ ଆଗେଇ ଚାଲିଥିଲା । ମଧୁମିତା ଦୁଇ ହାତକୁ ଚନ୍ଦ୍ରକାଂତର ଗଳାରେ ଛନ୍ଦି କହୁଥିଲା, ଦେବନାଥକୁ ଚିହ୍ନିଚ ଚନ୍ଦ୍ରକାଂତ ? ତାକୁ ମୁଁ ଆଜି ରଙ୍ଗମଞ୍ଚରେ ଦେଖିଲି । ତମେ କିନ୍ତୁ ରଙ୍ଗମଞ୍ଚକୁ ଓହ୍ଳେଇବ ନାହିଁ ଚନ୍ଦ୍ରାକଂତ । ଯଦି କେବେ ତମକୁ ରଙ୍ଗମଞ୍ଚରେ ଦେଖେ ତା’ହେଲେ ଆତ୍ମହତ୍ୟା କରିବି ।

 

ଚନ୍ଦ୍ରାକଂତ କିଛି ବୁଝୁ ନ ଥିଲା । ବୁଝିବା ଅବସ୍ଥାରେ ସେ ନ ଥିଲା । ସେ ଭାବୁଥିଲା ବର୍ତ୍ତମାନ ଅବସ୍ଥାରେ ତା’ର କର୍ତ୍ତବ୍ୟ କ’ଣ ?

 

ମଧୁମିତା କିନ୍ତୁ କହି ଚାଲିଥିଲା, ଜାଣ ଚନ୍ଦ୍ରକାଂତ । ତମକୁ ନେଇ ମୋ ମନରେ କେତେ ସ୍ୱପ୍ନ ! ତମେ ଆଉ ମୁଁ, ଏକତ୍ର ବାସ କରିବା ଆମେ । ସଂସାର ଗଢ଼ିବା । ଛୋଟ ଗୋଟିଏ ସ୍ୱପ୍ନର ସଂସାର । ସେଠି ତମ ଆଉ ମୋ ଛଡ଼ା କାହାରି ଅସ୍ତିତ୍ୱ ନଥିବ । ବାଧା ଦେବାକୁ କେହି ନ ଥିବେ ଆମକୁ । ପାରିବନି ଚନ୍ଦ୍ରକାଂତ ? ତମେ ପାରିବନି ମୋର କାମନା ପୂରଣ କରି ?

 

ଚନ୍ଦ୍ରକାଂତ କିନ୍ତୁ ବହୁ ଭାବନା ଦୁର୍ଭାବନା ଭିତରେ ଗାଡ଼ି ଚଳେଇ ଚାଲିଥିଲା । ଏକ ସମୟରେ ଦେଖିଲା, ଗାଡ଼ିଟା ତା’ର ଆସି ଭବାନୀପୁରର ମଧୁମିତାଙ୍କ ଦୁଆରେ ଠିଆ ହୋଇଯାଇଚି ।

 

ଶଶୀଶେଖର କ’ଣ ଶୋଇ ସାରିଥିବେ ?

 

ମଧୁମିତା କିନ୍ତୁ ଚନ୍ଦ୍ରକାଂତର ସବୁ ଦୁର୍ଭାବନା ଦୂରକୁ ଠେଲି ଦେଇ ଗାଡ଼ିରୁ ଓହ୍ଳେଇ ପଡ଼ିଲା । ମଧୁମିତାକୁ ସେ ଯେତେଟା ଅସଂଯତ ଭାବିଥିଲା, ବର୍ତ୍ତମାନ ତା’ର ମନେ ହେଲା ସେତେଟା ନୁହେ । ଗାଡ଼ିରୁ ଓହ୍ଳେଇ ମଧୁମିତା କହିଲା, ତମେ ଘରକୁ ଫେରିଯାଅ ଚନ୍ଦ୍ରକାଂତ । ରାତି ଅନେକ ହେଲାଣି । କାଲି ଠିକ୍ ସମୟରେ ଆସିବ ।

 

କିନ୍ତୁ ଚନ୍ଦ୍ରାକାଂତ ଦେଖିଲା, ମଧୁମିତା ଚାଲିବାବେଳେ ତା’ ଗୋଡ଼ ଏଣେତେଣେ ଟଳୁଚି । ବାଧ୍ୟ ହୋଇ ଗାଡ଼ିରୁ ଓହ୍ଳେଇଲା ସେ-

 

ମଧୁମିତା ହସି ହସି କହିଲା, ଏତେ ଦରଦ ତ ନ ଥିଲା ଆଗରୁ ।

 

ଚନ୍ଦ୍ରକାଂତ କିଛି ଉତ୍ତର ଦେଲା ନାହିଁ । ତା’ର ଭୟଥିଲା ଶଶୀଶେଖର କାଳେ ଚେଇଁଥିବେ । ସେ ଯଦି ଉଠି ଆସନ୍ତି ବାହାରକୁ, ତେବେ ମୁହଁ ଦେଖେଇ ପାରିବ ନାହିଁ ସେ ।

 

କିନ୍ତୁ ଦୁର୍ଭାବନା କଟିଗଲା ତା’ର । ନିରାପଦରେ ଚନ୍ଦ୍ରାକଂତ ମଧୁମିତାକୁ ପହୁଞ୍ଚାଇ ଦେଲା ତା’ଘରେ ।

 

ନାଜନିନ୍ ଅପେକ୍ଷା କରିଥିଲା । ଦୁହିଁଙ୍କୁ ଏକା ସଂଗରେ ଦେଖି ମନେ ମନେ ଖୁସି ହେଇଥିଲା ସେ ।

 

ଚନ୍ଦ୍ରକାଂତ ଚାଲି ଯାଉଥିଲା ତା’ପରେ ।

 

ମଧୁମିତା କିନ୍ତୁ ଛାଡ଼ିଲା ନାହିଁ । ହାତ ଧରି ଟାଣି ନେଇ ବିଛଣା ଉପରେ ବସାଇଲା । କହିଲା, ଏତେ ରାତିରେ ତମେ ଅଖିଆ ଯିବ ! କ’ଣ ଖାଇବ ଯାଇ ଘରେ ?

 

ଚନ୍ଦ୍ରକାଂତ କହିଲା, ଗଣେଶ ରୋଷେଇ କରି ମୋତେ ଅପେକ୍ଷା କରିଥିବ । ତମେ ବ୍ୟସ୍ତ ହୁଅନି ମୋଟେ ।

 

କିନ୍ତୁ ମଧୁମିତାର ଏକା ଜିଦ୍ । ନାଜନିନ୍ କୁ ଡାକି ଖାଇବା ପଦାର୍ଥ ଆଣିବାକୁ କହିଲା ସେ । ତା’ପାଇଁ ଯାହାଥିବ ଦୁହେଁ ବାଣ୍ଟି କୁଣ୍ଟି ଖାଇବେ ।

 

ତାହାହିଁ ହେଲା । ମଧୁମିତା ସେଦିନ ନିଜ ହାତରେ ଖୁଆଇ ଦେଲା ଚନ୍ଦ୍ରକାଂତକୁ । ଅନିଚ୍ଛା ସତ୍ତ୍ୱ ଚନ୍ଦ୍ରକାଂତ ଖାଇଲା ମଧୁମିତା ହାତରୁ । ନାଜନିନ୍ ଦୂରରୁ ଠିଆହୋଇ ଦେଖୁଥିଲା ସବୁ-। ହୁଏତ ମନେ ମନେ ଖୁସି ହେଉଥିଲା ସେ । ଏତେ ଦିନକେ ମଧୁମିତାର ଶୁଭ ବୁଦ୍ଧି ଉଦୟ ହୋଇଛି । ଚନ୍ଦ୍ରକାଂତ ସହିତ ସଂସାର ଯୋଡ଼ି ପାରିଲେ ଦୁହେଁ ଖୁସି ହୁଅନ୍ତେ ।

 

ରାତି ବଢ଼ୁଥିଲା । ଚନ୍ଦ୍ରକାଂତ ଯିବାପାଁଇ ଚଞ୍ଚଳ ହୋଇ ଉଠୁଥିଲା । କିନ୍ତୁ ମଧୁମିତା ! ସେ ବୋଧହୁଏ ଛାଡ଼ିବାକୁ ଚାହୁଂ ନ ଥିଲା ଚନ୍ଦ୍ରକାଂତକୁ ।

 

ନାଜନିନ୍ ଆସିଲା ବାସନ ଗୋଟେଇ ନେବାକୁ ।

 

ମଧୁମିତା ପଚାରିଲା, ଡାଡ଼ି କ’ଣ କରୁଛନ୍ତି ?

 

ସେ ଶୋଇଲେଣି ଅନେକ ବେଳୁ । ଘଣ୍ଟାଏ ଖଣ୍ତେ ଆଗରୁ ପଚାରୁଥିଲେ ତମ କଥା ।

 

ଆଉ କିଛି ?

 

ନା ।

 

ଚନ୍ଦ୍ରକାଂତ ଏଥର ଶ୍ୱସ୍ତିର ନିଃଶ୍ୱାସଟିଏ ପକାଇଲା ।

 

ଯା’ ହେଉ ଏ ଯାତ୍ରାରୁ ସେ ବଞ୍ଚିଯାଇଛି । ଡାଡ଼ି ଆଜି ବୁଝି ପାରିବେ ନାହିଁ କିଛି । କାଲି କଥା କାଲି ଦେଖାଯିବ ।

 

ଆଉ ସମୟ ନଷ୍ଟ କରି ଲାଭ ନାହିଁ ।

 

ଚନ୍ଦ୍ରକାଂତ ଉଠି ଠିଆ ହେଲା ।

 

ମଧୁମିତା କହିଲା, କାଲି କିନ୍ତୁ ଠିକ୍ ସମୟରେ ଆସିବ ତମେ ମୁଁ ଅପେକ୍ଷା କରିଥିବି ।

 

ରେନ୍‍ବୋ କ୍ଳବର ଇଲେକସ୍‍ନରେ ଜିତିଗଲେ ଶଶୀଶେଖର । ପ୍ରେସିଡ଼େଣ୍ଟ ପାଇଁ ନିର୍ବାଚିତ ହେଲେ ସେ । ସେଥିପାଇଁ ମଧୁମିତାକୁ ଖଟିବାକୁ ହୋଇଥିଲା ବହୁତ । ଇଲେକସନର ଦୁଇ ତିନିଦିନ ପୂର୍ବରୁ ସେ ଭୀଷଣ ବ୍ୟସ୍ତ ରହି ଯାଇଥିଲା । ଯାହା ଫଳରେ ଚନ୍ଦ୍ରକାଂତ ସହିତ ଦେଖା ହୋଇ ପାରି ନ ଥିଲା ମୋଟେ । ଫୋନ୍ ରେ ଥରେ ଦୁଇଥର କଥାବାର୍ତ୍ତା ହୋଇଥିଲା ଯାହା-

 

ଚନ୍ଦ୍ରକାଂତ କିନ୍ତୁ ଭୀଷଣ ଭାବରେ ବ୍ୟସ୍ତ ହୋଇ ପଡ଼ିଥିଲା । କାମ ଦାମର ଫାଙ୍କରେ ରହି ରହି ମଧୁମିତାର ମୁହଁ ଭାସି ଉଠୁଥିଲା ତା’ ଆଖି ଆଗରେ । ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କର ସମସ୍ତ ଶିକ୍ଷା, ସମସ୍ତ ଦୀକ୍ଷା ଚନ୍ଦ୍ରକାଂତ ପାଖରେ ବ୍ୟର୍ଥ ମନେ ହେଉଥିଲା । ଏତେ ଦିନଯାଏ ଯାହା ଶିଖିଥିଲା, ଯାହା ବୁଝିଥିଲା ତାହା ନିରର୍ଥକ । ଖାଲି ଗୋଟାଏ ବନ୍ଧନର ଆବରଣରେ ମନଟାକୁ ତା’ର ଭରି ରଖି ଦିଆ ହୋଇଥିଲା ଯାହା ।

 

ଶଶୀଶେଖରଙ୍କୁ ସ୍ୱାଗତ ଜଣାଇବା ପାଇଁ ଚନ୍ଦ୍ରକାଂତ ଯେତେବେଳେ ଯାଇ ପହଞ୍ଚିଲା, ସେଦିନ ତାକୁ କୋଳକୁ ଟାଣି ନେଇ ତା’ କପୋଳ ଚୁମ୍ବନ କରିଥିଲେ ସେ ।

 

ଏତେ ଆନନ୍ଦ କଳରୋଳ ଭିତରେ ଚନ୍ଦ୍ରକାଂତ ସେଠାରେ ମଧୁମିତାକୁ ନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ।

 

ଶଶୀଶେଖର କହିଥିଲେ ଏ କେତେଦିନର ଅବିଶ୍ରାନ୍ତ ପରିଶ୍ରମ ପରେ ମିତା ଭୀଷଣ ଥକି ପଡ଼ିଚି । ସେଇଥିପାଇଁ ବିଶ୍ରାମ କରୁଚି ସେ । ମୁଁ ତାକୁ ତଳକୁ ଓହ୍ଳେଇବା ପାଇଁ ମନା କରି ଦେଇଚି ।

 

ଚନ୍ଦ୍ରକାଂତ ଛୁଟି ଯାଇଥିଲା ଉପରକୁ । ଦେଖିଥିଲା ମଧୁମିତାକୁ । ବିଛଣାରେ ମୁହଁ ମାଡ଼ି ଶୋଇଛି ।

 

ଡାକିଥିଲା ତା’ ଦେହରେ ହାତମାରି । ଉଠିଲା ମଧୁମିତା ।

 

କିନ୍ତୁ ଏ କି ପରିବର୍ତ୍ତନ ତା’ର ! ମୁହଁଟି ଫୁଲି ଫୁଲି ଉଠିଚି କାହିଁକି ? ଶୋଇ ଶୋଇ କାନ୍ଦୁଥିଲା ସେ ବୋଧହୁଏ !

 

ଚନ୍ଦ୍ରକାଂତ କହିଲା, ଏତେ ଆନନ୍ଦ କଳରୋଳ ଭିତରେ ତମର ସବୁଠାରୁ ବେଶି ଖୁସି ହେବାର କଥା ମିତା ! ଅଥଚ ତମେ ଶୋଇ ଶୋଇ କାନ୍ଦୁଚ, ଆଶ୍ଚର୍ଯ୍ୟ ତ !

 

ମଧୁମିତା ଚନ୍ଦ୍ରକାଂତ ଛାତି ଭିତରେ ମୁହଁ ଗୁଂଜି ଆହୁରି ଯୋର୍ ରେ କାନ୍ଦିବାକୁ ଆରମ୍ଭ କରି ଦେଇଥିଲା । କାନ୍ଦୁ କାନ୍ଦୁ କହିଲା, ମୁଁ ପାରିଲି ନାହିଁ ଚନ୍ଦ୍ରକାଂତ, ହୁଏତ ଜୀବନ ଯୁଦ୍ଧରେ ମୋତେ ପରାଜୟ ସ୍ୱୀକାର କରିବାକୁ ହେବ ।

 

ଚନ୍ଦ୍ରକାଂତ ବୁଝି ପାରୁ ନଥିଲା ମଧୁମିତାର କଥା । ସେ ଅବାକ୍ ବିସ୍ମୟରେ ଚାହିଁଥିଲା । ତା’ ମୁହଁକୁ । କ’ଣ କହୁଚି ମିତା ! ଡାଡ଼ି ଜିତିଛନ୍ତି । ତାଙ୍କୁ ଜିତେଇବା ପାଇଁ ମଧୁମିତା ଅକ୍ଳାନ୍ତ ଉଦ୍ୟମ କରିଥିଲା । ଏ ଜୟ ମଧୁମିତାର ଜୟ । ତେଣୁ ତା’ର ସବୁଠାରୁ ବେଶି ଖୁସି ହେବାର କଥା-। ଅଥଚ...

 

ମଧୁମିତା କହିଲା, ତମେ ଗୋଟିଏ କଥା କରି ପାରିବ ଚନ୍ଦ୍ରକାଂତ ?

 

କ’ଣ କରିବି କୁହ !

 

ମଧୁମିତା ଅନେକ ସମୟ ଅନାଇ ରହିଲ ଚନ୍ଦ୍ରକାଂତ ମୁହଁକୁ । ତା’ପରେ ଧୀରେ ଧୀରେ କହିଲା, ନା, ତମେ ପାରିବ ନାହିଁ ।

 

କ’ଣ କୁହ ମିତା ! ମୋତେ କ’ଣ ବିଶ୍ୱାସ କରିପାରୁ ନାହିଁ ତମେ !

 

ନା, ଥାଉ । ଆଉ ଦିନେ କହିବି । ଆଜି ଆମର ଏହି ଆନନ୍ଦ ଦିନରେ ଆପଣଙ୍କୁ ଏପରି ଏକ ନିଷ୍ଠୁର କଥା ଶୁଣେଇବା ଉଚିତ ହେବନାହିଁ । ଡାଡ଼ିଙ୍କ ସହିତ ତମର ଦେଖା ହୋଇନାହିଁ ?

 

ହୋଇଥିଲା ।

 

ସେ କିଛି କହି ନାହାନ୍ତି ?

 

କୋଉକଥା !

 

ତମେ ବସ ଚନ୍ଦ୍ରକାଂତ । ଅନେକ ଦିନ ହେବ ମୁଁ ତମ କଥା ବୁଝିବାକୁ ଅବସର ପାଇ ନାହିଁ । ମୁଁ ତମ ପାଇଁ ଟିକିଏ ଖାଇବାର ବ୍ୟବସ୍ଥା କରେ ।

 

ନା ନା ମିତା । ତମେ ବସ । ମୁଁ ଆଜି କିଛି ଚାହେଁ ନାହିଁ । କେବଳ ଜାଣିବାକୁ ଚାହେଁ ତମ ମନରେ ଆଜି ଏପରି ଅଶାନ୍ତ ଝଡ଼ ଉଠିଚି କାହିଁକି ? ଅନେକ ସମୟରେ ତମର ଚାଲି ଚଳନି, ଆଚାର ବ୍ୟବହାର ମୋତେ ଖୁବ୍ ଅବାକ୍ କରିଦିଏ । ମୁଁ ତମକୁ ବୁଝି ବି ବୁଝି ପାରେନାହିଁ ।

 

ମଧୁମିତା ହସିବାକୁ ଚେଷ୍ଟା କଲା ଟିକିଏ । କହିଲା, ସେସବୁ ତମର ନ ବୁଝିବା ହିଁ ଭଲ-। ଯେଉଁଦିନ ତମେ ମତେ ବୁଝିବାକୁ ଚେଷ୍ଟା କରିବ, ମୋର ସ୍ୱରୂପ ତମେ ଦେଖି ପାରିବ; ସେଦିନ ଆଉ ମୁହୂର୍ତ୍ତେ ମୋ ପାଖରେ ଠିଆ ହୋଇ ପାରିବ ନାହିଁ ।

 

ଛି ମିତା । ଏସବୁ କଣ କହୁଚ ତମେ ? ତମ ଭଳି ଝିଅମାନେ ଦେଶର ଗୌରବ । ଜାତିର ମେରୁଦଣ୍ତ । କିନ୍ତୁ ହଠାତ୍ ତମର ହେଲା କ’ଣ ? ଡାଡ଼ି କଣ ଅସୁନ୍ତୁଷ୍ଟ ହେଇଛନ୍ତି ! ତମେ ବୋଧହୁଏ ଡାଡ଼ିଙ୍କୁ ତମ ମୋ ସମ୍ବନ୍ଧଟା ଜଣାଇବାକୁ ଯାଇ ଅପଦସ୍ଥ ହୋଇଛ ?

 

ମଧୁମିତା କିପରି ଏକ ତୀବ୍ର ଚାହାଣୀରେ ଅନାଇଲା ଚନ୍ଦ୍ରକାଂତ ମୁହଁକୁ । ହଇରେ ହତଭାଗା ଚନ୍ଦ୍ରକାଂତ ! ଏବେ ବି ତୁ ମଣିଷ ହେଲୁନାହିଁ । ବୁଝି ପାରିଲୁ ନାହିଁ ମଧୁମିତା ଆଉ ଶଶୀଶେଖରଙ୍କୁ ! ବୁଝି ପାରିଲୁ ନାହିଁ ଦିନୁ ଦିନ ଚୋରା ବାଲି ଭିତରେ କିପରି ତୋ ପାଦ ଦବି ଦବି ଯାଉଛି ! ନିର୍ବୋଧ ଚନ୍ଦ୍ରକାଂତ !

 

ମଧୁମିତାର ଅବାକ୍ ଚାହାଣୀର ଅର୍ଥ କିଛି ବୁଝି ପାରୁ ନ ଥିଲା ଚନ୍ଦ୍ରକାଂତ ।

 

ମଧୁମିତା କହିଲା, ତମେ ତମ ଦେଶକୁ ପେରିଯାଅ ଚନ୍ଦ୍ରକାଂତ । ଏ ସହର ତମ ପାଇଁ ନୁହେଁ ।

 

ଚନ୍ଦ୍ରକାଂତ ଆହୁରି ଅବାକ୍ ହେଲା । ସତରେ ଆଜି ବିଶେଷ ଧରଣର ଗୋଟାଏ କିଛି ଘଟିଯାଇଛି ମଧୁମିତା ଜୀବନରେ । ଯା’ ଫଳରେ ସେ ହୁଏତ ତା’ର ଆତ୍ମସତ୍ତା ହରାଇଛି ।

 

ନାଜନିନ୍ ଆସି ବାଧା ଦେଲା କଥା ମଝିରେ । ମଧୁମିତାକୁ କହିଲା, ଡାଡ଼ି ଡ଼ାକୁଛନ୍ତି । ଟିକିଏ ଶୁଣି ଆସିବ ।

 

ମଧୁମିତାର ମୁହଁଟା ବିରକ୍ତିରେ ଭରି ଉଠିଲା । କିନ୍ତୁ କିଛି ପ୍ରତିବାଦ କଲା ନାହିଁ ସେ । ଉଠି ଠିଆ ହେଲା ଏବଂ ସଂଗେ ସଂଗେ ଚାଲିଗଲା ଡାଡ଼ିଙ୍କ ଘରକୁ । ନାଜନିନ୍ ଠିଆ ହେଇ ରହିଲା ସେଇଠି, ଚନ୍ଦ୍ରକାଂତ ମୁହଁଆଡ଼େ ଚାହିଁ ।

 

ଚନ୍ଦ୍ରକାଂତ ପଚାରିଲା, କିଛି କହିବ ମୋତେ ?

 

ନାଜନିନ୍ ପାଦେ ପାଦେ କରି ଆଗେଇ ଗଲା ଚନ୍ଦ୍ରକାଂତ ପାଖକୁ । କ’ଣ କହିବ ବା କଥାଟା କେଉଁଠୁ ଆରମ୍ଭ କରିବ, ଠିକ୍ କରି ପାରୁ ନଥିଲା ନାଜନିନ୍ । କିନ୍ତୁ ଚନ୍ଦ୍ରକାଂତ ସହିତ ହୁଏତ ଏହିଭଳି ଏକ ନିରୋଳା ମୁହୂର୍ତ୍ତ ପାଇବ ନାହିଁ ସେ । କହିଲା, ଦିଦିଙ୍କୁ ଆପଣ ବିବାହ କରନ୍ତୁ ଚନ୍ଦ୍ରବାବୁ । ଦିଦିଙ୍କର ବହୁତ ଦୁଃଖ ।

 

ଚନ୍ଦ୍ରକାଂତ ନାଜନିନ୍ ମୁହଁରୁ ଏପରି ଏକ ପ୍ରସ୍ତାବ ଶୁଣିବା ପାଇଁ ହୁଏତ ପ୍ରସ୍ତୁତ ହୋଇ ନଥିଲା । ସେ କହିଲା, ତମ ଦିଦିଙ୍କର ପୁଣି ଦୁଃଖ କ’ଣ ? ସେ ତ ମଜାରେ ଅଛନ୍ତି ।

 

ନାଜନିନ୍ ଆହୁରି ଟିକିଏ ପାଖକୁ ଲାଗିଯାଇ କହିଲା, ନା ଆପଣ ଜାଣି ନାହାନ୍ତି । ଆପଣ ଖାଲି ଦିଦିର ବାହାରଟା ଦେଖିଚନ୍ତି । ଭିତରଟା କେବେ ଦେଖିବାକୁ ଚେଷ୍ଟା କରିନାହାନ୍ତି । ଦିଦି ଆପଣଙ୍କୁ କେତେ ଭଲପାଏ ! ଆପଣଙ୍କ ଫଟୋକୁ ଛାତିରେ ଚାପି ଧରି କାନ୍ଦି କାନ୍ଦି ରାତି କଟାଏ । ମୁଁ ସବୁ ଦେଖେ । ଦିଦିକୁ ଦିନେ ପଚାରିଥିଲି ବି । ସେ କହିଲା, ଆପଣଙ୍କ ପରି ଦେବତା ତୁଲ୍ୟ ଲୋକଙ୍କ ପାଁଇ ସେ ଅଯୋଗ୍ୟ । ବାମନ ହୋଇ ଚାନ୍ଦକୁ ହାତ ବଢ଼ାଇବା ଉଚିତ ନୁହେଁ ।

 

ଚନ୍ଦ୍ରକାଂତ ମଧୁମିତାର ମନ ଗହନର ଗୋପନ କଥା ଶୁଣିବା ପରେ, ତା’ପ୍ରାଣରେ କିପରି ଏକ ସ୍ୱର୍ଗୀୟ ପୁଲକରେ ଭରିଗଲା । ତା’ର ଇଚ୍ଛା ହେଉଥିଲା ସେ ମଧୁମିତା ମନର ଆହୁରି ଅନେକ କଥା ଶୁଣନ୍ତା, ଅନେକ କଥା ଜାଣନ୍ତା । ତା’ହେଲେ ମଧୁଚନ୍ଦ୍ରିକାର ରାତ୍ରିରେ ସେ ତାକୁ ଅବାକ୍ କରି ତା’ର କାନେ କାନେ କୁହନ୍ତା, ମୋତେ ତମ ମନ ବୁଝିବାକୁ ବାକି ନାହିଁ ମିତା । ତମେ ତ ବିବାହ ପୂର୍ବରୁ ମୋର ଫଟୋଟାକୁ ଛାତି ତଳେ ଜାକି ଧରି ରାତି ରାତି ଅଶ୍ରୁ ଜଳରେ ନୟନ ପଖାଳୁଥିଲ ?

 

ମଧୁମିତା ମୁହଁଟି ଲାଜରେ ରକ୍ତିମ ହୋଇଉଠିବ । ସେ ହାତ ଠେଲି ଦେଇ ନିଜକୁ ଚନ୍ଦ୍ରକାଂତ ଠାରୁ ମୁକ୍ତ କରିବାକୁ ଚେଷ୍ଟା କରୁ କରୁ ଛଳ କୋପ କରି କହିବ, ଧେତ୍ ! ଭାରିତ ତମେ-! ପୃଥିବୀରେ ଯେପରି ତମ ଛଡ଼ା ଆଉ କେହି ଲୋକ ନ ଥିଲେ !

 

ନାଜନିନ୍ ଚନ୍ଦ୍ରକାଂତ ର ଅନ୍ୟ ମନସ୍କତାର ସୁଯୋଗ ନେଇ କହିଲା, ଡାଡ଼ି ବୋଧହୁଏ ଚାହାନ୍ତି ନାହିଁ ଦିଦି ବାହା ହେଇ ଅନ୍ୟ ଘରକୁ ଚାଲି ଯାଆନ୍ତୁ । କିନ୍ତୁ ଦିଦିଙ୍କର ଇଚ୍ଛା ନାହିଁ ଡାଡ଼ିଙ୍କ ପାଖରେ ପଡ଼ି ରହିବା ପାଇଁ ।

 

ଚନ୍ଦ୍ରକାଂତ ତା’ଭାବନାର ଖିଅ ହଜାଇ ନାଜନିନ୍ ମୁହଁକୁ ଚାହିଁଲା । କ’ଣ କହୁଛ ଏ ପାଗଳୀଙ୍କ ପରି ? ନିଜର ବାପା ପାଖରେ ରହିବାକୁ ଚାହେଁ ନାହିଁ ମିତା !

 

ନାଜନିନ୍ କୁ କାରଣ ପଚାରିବା ପୂର୍ବରୁ ମଧୁମିତା ଆସି ଘରେ ପହଞ୍ଚିଥିଲା । ସେ ନାଜନିନ୍ କୁ ସେଠାରେ ଦେଖି ତା’ ଉପରେ ବିରକ୍ତ ହୋଇ କହିଲା, ଏତେବେଳେ ଯାଏ ତୁ ଏଇଠି ଠିଆ ହେଇଛୁ ନାଜ୍ ! ଜାଣୁ ତ ବାବୁ କେତେଦିନ ହେବ ଆମ ଘରେ ଖାଇ ନାହାନ୍ତି ? ଚେହେରା ଦେଖି ବୁଝି ପାରୁନାହୁଁ କିଛି ?

 

ନାଜନିନ୍ ପ୍ରତିବାଦ କଲା ନାହିଁ ମୋଟେ । ଯେମିତି ଧୀରେ ଧୀରେ ପ୍ରବେଶ କରିଥିଲା ସେ, ସେହିପରି ପ୍ରସ୍ଥାନ କଲା ସେଠାରୁ ।

 

ଚନ୍ଦ୍ରାକଂତ କିନ୍ତୁ ଲକ୍ଷ୍ୟ କଲା ମଧୁମିତାର ଦେହ ମନରେ ଗୋଟାଏ ପରିବର୍ତ୍ତନ । କ୍ଷଣକ ଆଗର ବିରହିଣୀ ରାଧା ସେ ଆଉ ନୁହେଁ । ହସି ହସି କହିଲା, ମୋ ମୁହଁକୁ କ’ଣ ଆଜି ପ୍ରଥମ ଦେଖୁଚ ତମେ ?

 

ଚନ୍ଦ୍ରକାଂତ କହିଲା, ପ୍ରଥମ ନ ହେଲେ ବି ନିତି ନିତି ନୂତନ କେତେ ଛବି ଫୁଟେ ତମ ମୁହଁରେ ମିତା । ମୁଁ ଚେଷ୍ଟା କରେ ବୁଝିବାକୁ । କେତେବେଳେ ପାରେ ପୁଣି କେତେବେଳେ ପାରେ ନାହିଁ । ବହୁ ଜଟିଳ ତତ୍ତ୍ୱର ସମାରୋହ ହୁଏ ସେଠି । ଆଜି କିନ୍ତୁ ମେଘମୁକ୍ତ ଆକାଶରେ ମୁଁ ଦେଖୁଛି ନୂତନ ସୂର୍ଯ୍ୟୋଦୟର ଛବି । ଅବଶ୍ୟ ଆଶାର । କିନ୍ତୁ ଦିନକୁ ଦିନ ତମେ ମୋ ଆଗରେ ରହସ୍ୟ ହୋଇ ଉଠୁଚ ମିତା !

 

ମଧୁମିତା । ସେହିପରି ହସୁ ହସୁ କହିଲା, ତମେ ନିର୍ବୋଧ ଚନ୍ଦ୍ରକାଂତ, ସେଇଥିପାଇଁ ମୋତେ ବୁଝି ପାରୁନାହିଁ କିଛି । ମୋ ଛଡ଼ା ତମ ମନ ଦର୍ପଣରେ ଆଉ କୌଣସି କୁମାରୀର ମୁଖ ଛବି ନାହିଁ । ତେଣୁ ତମେ ବିଶ୍ଳେଷଣ କରି ପାରୁ ନାହଁ ମୋତେ । ପାରିବ ନାହିଁବି କେବେ । ଆଜି ସେ ସବୁ ତତ୍ତ୍ୱ କଥା ଭିତରକୁ ନ ପଶିବାହିଁ ଭଲ । ଆଚ୍ଛା କହିଲ, ଗାଡ଼ି ତମର ଆସିଲାଣି ଗ୍ୟାରେଜରୁ ?

 

ଆସିଛି, ସଂଗରେ ଆଣିଛି ମଧ୍ୟ । କିନ୍ତୁ ହଠାତ୍ ଗାଡ଼ିରେ କ’ଣ ଆବଶ୍ୟକ ପଡ଼ିଲା ତମର ?

 

ଅଛି । ଡାଡ଼ି ଆଜି ଏକ ଉତ୍ସବର ଆୟୋଜନ କରିଛନ୍ତି କ୍ଳବରେ । ସେଥିପାଇଁ ବିଶିଷ୍ଟ ସଭ୍ୟମାନଙ୍କୁ ନିମନ୍ତ୍ରଣ କରାହୋଇଛି । ସେମାନଙ୍କୁ ଆଣିବା ପାଇଁ ଗାଡ଼ିର ଆବଶ୍ୟକ ହେବ । ଡାଡ଼ି ସେ କଥା କହିବା ପାଇଁ ଡାକିଥିଲେ ମୋତେ । କେଜାଣି କାହିଁକି ସେ ଆଜି ସିଧା ସଳଖ କହି ପାରିଲେନି ତମକୁ । ତମେ ଟିକିଏ ସହଯୋଗ କରି ପାରିବ ଆମ ସହିତ ?

 

ଚନ୍ଦ୍ରକାଂତ ଓଲଟି ପ୍ରଶ୍ନ କଲା, ତମର କ’ଣ ମନେ ହୁଏ ?

 

ମଧୁମିତା ହସିଲା ଖାଲି । ଦିଆଲ ଘଡ଼ିଟା ଆଡ଼େ ଚାହିଁ କହିଲା, ସମୟ ପାଖେଇ ଆସୁଛି । ମୁଁ ଟିକିଏ କାମ ଦାମ ସାରିଦିଏ । ହଁ ଆଉ ଗୋଟାଏ କଥା ଭୁଲି ଯାଉଚି । ଡାଡ଼ି କହିଚନ୍ତି, କ୍ଳବର ପ୍ରେସିଡ଼େଣ୍ଟ ହିସାବରେ ପ୍ରଥମ ଅନୁଷ୍ଠାନ ଆଜି ତାଙ୍କର । ସେ ଚାହାନ୍ତି ପ୍ରଥମେ ମେମ୍ବର ଖାତାରେ ତମ ନାମ ଲେଖାହଉ ।

 

ଚନ୍ଦ୍ରକାଂତ କହିଲା, ମୁଁ ତାଙ୍କ ଇଚ୍ଛା ପୂର୍ଣ୍ଣ କରିବି ମିତା । କିନ୍ତୁ ଡାଡ଼ି କ’ଣ ଆମ ଇଚ୍ଛା ପୂର୍ଣ୍ଣ କରିବେ ନାହିଁ ?

 

ଚନ୍ଦ୍ରକାଂତ ଲକ୍ଷ୍ୟ କଲା, ମଧୁମିତା ହଠାତ୍ କିପରି ଚଞ୍ଚଳ ହୋଇଉଠିଲା । ମୁହଁରେ ତା’ର ଦେଖାଦେଲା କିପରି ଏକ ପରିବର୍ତ୍ତନ । କଣ୍ଠ ସ୍ୱରରେ କଠିନତା ଫୁଟାଇ କହିଲା, ଡାଡ଼ି ଯେ କ’ଣ ଚାହାନ୍ତି ମୁଁ କିଛି ବୁଝିପାରେ ନାହିଁ । ତେବେ ବର୍ତ୍ତମାନ ସମୟ ହୋଇନାହିଁ । ସମୟ ହେଲେ ମୁଁ ତମକୁ କହିବି । ତମେ ଡାଡ଼ିଙ୍କ ପାଖରେ ପ୍ରସ୍ତାବ କରିବ ।

 

ସେ ଯଦି ରାଜି ନ ହୁଅନ୍ତି ? ଚନ୍ଦ୍ରକାଂତ ସ୍ୱରରେ ସାମାନ୍ୟ ଉତ୍ତେଜନା ଫୁଟି ଉଠିଥିଲା ।

 

ମଧୁମିତା ଅବସାନ ଘଟାଇଲା ଉତ୍ତେଜନାର । ସେ ଶାନ୍ତି ସ୍ୱରରେ, କଣ୍ଠରେ ଦୃଢ଼ତା ଫୁଟାଇ କହିଲା, ସେତେବେଳେ ଅନ୍ୟ ପଥ ଚିନ୍ତା କରିବା ଚନ୍ଦ୍ରକାଂତ । ଆଜହୁଁ ଦୁଶ୍ଚିନ୍ତା କରି ଲାଭ ନାହିଁ ।

 

ମଧୁମିତା ଚାଲିଯାଇଥିଲା ତା’ପରେ ।

 

ବହୁ ଆନନ୍ଦ ଓ ଉତ୍ତେଜନା ଭିତରେ ଦେଇ ସେଦିନ ରେନ୍‍ବୋ କ୍ଳବରେ ଉତ୍ସବ ପର୍ବ ଚାଲିଥିଲା । ଅସଂଖ୍ୟ ତରୁଣୀ ମାନଙ୍କ ମେଳରେ ମଧୁମିତା ଚନ୍ଦ୍ରାକାଂତକୁ ଧରି ସମସ୍ତଙ୍କ ସହିତ ପରିଚିୟ କରାଇ ଦେଉଥିଲା । ଆମ କ୍ଳବର ନୂତନ ସଦସ୍ୟ ।

 

ନମସ୍କାର, ପ୍ରତି ନମସ୍କାର; କେଉଁଠି ଟିକିଏ ସ୍ମିତ ହାସ୍ୟ ଆଉବା କେଉଁଠି ପଦେ କୁଶଳ ସମାଚାର । ତା’ ଛଡ଼ା ଯେପରି ସମସ୍ତେ ବ୍ୟସ୍ତ ନିଜନିଜ ବାନ୍ଧବୀମାନଙ୍କ ସହ କଳରୋଳରେ ମାତି ଉଠିଛନ୍ତି ସଭିଏଁ । କାହାକୁ ଫେରି ଚାହିଁବାକୁ ସମୟ ନାହିଁ ।

 

ଚନ୍ଦ୍ରକାଂତ ବୁଲି ବୁଲି ଦେଖୁଥିଲା ରେନ୍‍ବୋ କ୍ଳବର ପ୍ରତିଟି କୋଠରୀ । ବିଳାସର ଚରମ ପୀଠ ଏଇଟା । ଯେଉଁମାନେ ଏହି କ୍ଳବର ମେମ୍ବର ସମସ୍ତେ ଯେପରି ଭିନ୍ନ ଜଗତର ଅଧିବାସୀ । ଚନ୍ଦ୍ରକାଂତକୁ ଅନ୍ତତଃ ମନେ ହୋଇଥିଲା ସେହିପରି । ସେମାନଙ୍କର ରୀତି ନୀତି, ସେମାନଙ୍କର ଆଚରଣ ଗଭୀର ମନୋଯୋଗ ସହକାରେ ଲକ୍ଷ୍ୟ କରୁଥିଲା ଚନ୍ଦ୍ରକାଂତ । ଏ ଏକ ନୂତନ ପୃଥିବୀ । ଅପସରା ଭୁବନ କଥା କେବେ ପଢ଼ିଥିଲା ଚନ୍ଦ୍ରକାଂତ, କିନ୍ତୁ ଆଜି ତା’ର ମନେ ହେଉଥିଲା, ସେ ଯେପରି ନିଜେ ଆଜି ଅପସରା ଭୁବନରେ ପ୍ରବେଶ କରିଛି ।

 

ଦେହରେ ତା’ର ରୋମାଞ୍ଚ ସୃଷ୍ଟି ହୋଇଥିଲା । ପ୍ରାଣରେ ଉନ୍ମାଦନା ।

 

ମଧୁମିତା । ବୁଝି ପାରିଥିଲା ଚନ୍ଦ୍ରକାଂତର ମନକଥା ।

 

ସେ ଚନ୍ଦ୍ରକାଂତକୁ ତା’ ସହିତ ଟାଣି ନେଇଥିଲା ଗୋଟିଏ ନିରୋଳା କକ୍ଷ ଭିତରକୁ ।

 

ଛୋଟ ସେହି ସଜ୍ଜିତ କକ୍ଷଟି ଭିତରେ ପଶି ଚନ୍ଦ୍ରକାଂତ ଚାରି ଆଡ଼କୁ ଚାହିଁ ସମ୍ମୋହିତ ହୋଇ ପଡ଼ିଥିଲା । ଘରଟିର ସବୁଆଡ଼େ ଏତେ ଯୌନ ଉତ୍ତେଜନାକାରୀ ଫଟୋ ମାନ ଟଙ୍ଗା ହୋଇଥିଲା, ଯେଉଁ ଗୁଡ଼ାକ ଆଡ଼େ ଚନ୍ଦ୍ରକାଂତ ସ୍ତବ୍ଧ ହେଇ ଅନାଇ ରହିଥିଲା ।

 

ମଧୁମିତା ଧୀରେ ଧୀରେ ଘରର ଆଲୋକ ଲିଭାଇ ଦେଇଥିଲା । ବଦଳରେ ଘରସାରା ଖେଳି ଯାଇଥିଲା ନୀଳ ଆଲୋକର ବନ୍ୟା । ଚନ୍ଦ୍ରକାଂତ ମଧୁମିତା ଆଡ଼େ ଆକୁଳ ଆଖିରେ ଚାହିଁ ଯେପରି କ’ଣ କହିବ କହିବ କହିବ ହୋଇ ପାରୁ ନଥିଲା ।

 

ମଧୁମିତା ହାତ ଧରି ବସାଇଥିଲା ଚନ୍ଦ୍ରକାଂତ କୁ । କାନ ପାଖକୁ ମୁହଁ ନେଇ କହିଥିଲା, ଜାଗାଟା ତୁମକୁ କିମିତି ଲାଗୁଛି ଚନ୍ଦ୍ରକାଂତ ?

 

ଚନ୍ଦ୍ରକାଂତ ଅଭିଭୂତ ହୋଇ ଯାଇଥିଲା ।

 

ସେ ତା’ର ବାକ୍‍ଶକ୍ତି ହରାଇ ବସିଥିଲା ।

 

ମଧୁମିତା କହିଲା, ଜୀବନଟା ଆମର ସବୁବେଲେ ଜଞ୍ଜାଳମୟ । ମନଗୁଡ଼ା ଆମର ସବୁଦିନେ ବ୍ୟାଧିଗ୍ରସ୍ତ । ଆଉ ଆମେ ଏତେ ବ୍ୟସ୍ତ ମଣିଷ ଯେ, ବ୍ୟସ୍ତତା ଭିତରେ ବୁଡ଼ି ରହି ସୁନ୍ଦର ଜୀବନ ଧର୍ମ୍ମ ଭୁଲି ଯାଆନ୍ତି । ଯେଉଁଟା ଜୀବନ ପକ୍ଷରେ ଏକାନ୍ତ ଅପରିହାର୍ଯ୍ୟ, ସେଇଟାକୁ କେବଳ ମନେପକାଇ ଦେବାପାଇଁ ଏହି ରେନ୍‍ବୋ କ୍ଳବର ସୃଷ୍ଟି । କେଉଁ ମନିଷୀ କେବେ ଏହାର ସର୍ଜନା କରି ଯାଇଥିଲେ କେଜାଣି, ଆଜି କିନ୍ତୁ ବ୍ୟସ୍ତ ମଣିଷକୁ ଜୀବନ ଧର୍ମ ସମ୍ବନ୍ଧରେ ସଚେତନ କରାଇ ଦେବା ପାଇଁ ଏହି କ୍ଳବଟି ମୁଣ୍ତଟେକି ରହିଛି ।

 

ଚନ୍ଦ୍ରକାଂତ ମଧୁମିତା ମୁହଁକୁ ଏକ ଧ୍ୟାନରେ ଚାହିଁଥିଲା । କହିଲା, ଡାଡ଼ି ଯଦି ଆମକୁ ଏଇଠି ଏପରି ଅବସ୍ଥାରେ ଦେଖନ୍ତି କ’ଣ ଭାବିବେ ମିତା ?

 

ମଧୁମିତା ଚନ୍ଦ୍ରକାଂତ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ଧୀରେ ଧୀରେ ବ୍ଳାଉଜଟା ଖୋଲିଲା ଦେହରୁ । କହିଲା, ଅସହ୍ୟ ଗରମ ହେଉଛି । ମୁଁ ଏ ଗରମ ସହି ପାରୁନାହିଁ ଚନ୍ଦ୍ରକାଂତ । ତମେ କିଛି ଅନୁଭବ କରି ପାରୁନାହଁ ?

 

ଚନ୍ଦ୍ରକାଂତ କିନ୍ତୁ ଚାହିଁଥିଲା ମଧୁମିତାର ଦେହ ଆଡ଼େ । ତା’ର ମନେ ହେଉଥିଲା ମଧୁମିତା ଶଙ୍ଖ ଧବଳ ଦେହର ସମସ୍ତ ଅଂଶ ଯଦି ଉଲଙ୍ଗ କରି ସେ ତାକୁ ଦେଖାନ୍ତା ସାର୍ଥକ ହୁଅନ୍ତା ତା’ର ତରୁଣ ପ୍ରାଣ ।

 

ମଧୁମିତା ବୁଲି ଚାହିଁଲା ଚନ୍ଦ୍ରକାଂତ ଆଡ଼େ । ତା’ ଅନୁମାନ ସତ୍ୟ । ସେ ଭୋକିଲା ଆଖିରେ ଚାହିଁଚି ତା’ରି ଆଡ଼େ । ମୁହଁରେ ଟିକିଏ ସ୍ମିତ ହାସ୍ୟ ଖେଳାଇ ଚନ୍ଦ୍ରକାଂତକୁ କହିଲା, ଲାଇଟ୍ଟା ଅଫ୍ କରିଦିଅ । ଏ ଆଲୋକ ବି ମୁଁ ସହ୍ୟ କରି ପାରୁ ନାହିଁ ।

 

ଚନ୍ଦ୍ରକାଂତ ଯନ୍ତ୍ରଚାଳିତ ପରି ମଧୁମିତାର ଆଦେଶ ପାଳନ କଲା ।

 

ଅନ୍ଧକାର ଭିତରେ ମଧୁମିତା କହିଲା, ଆଉ ଟିକିଏ ପାଖକୁ ଲାଗି ଆସ ଚନ୍ଦ୍ରକାଂତ । ମୋତେ ଖୁବ ଅଶ୍ୱସ୍ତିବୋଧ ହେଉଛି ।

 

ଚନ୍ଦ୍ରକାଂତ ଲାଗି ଆସିଲା ମଧୁମିତା ପାଖକୁ ।

 

ମଧୁମିତା ଚନ୍ଦ୍ରକାଂତ ହାତକୁ ବଢ଼ାଇ ଦେଲା ତା’ର ବ୍ଳାଉଜ ଆଉ ବ୍ରେସିଆର । କହିଲା, ଏଗୁଡ଼ା ସମ୍ଭାଳ ତମେ । କିଛି ମୁଁ ଆଜି ଦେହରେ ରଖି ପାରୁନାହିଁ ।

 

ମଧୁମିତା ସେଇ ଗାଢ଼ ଅନ୍ଧକାର ଭିତରେ ବିବସ୍ତ୍ର ହୋଇ ଶୋଇ ଯାଇଥିଲା ଚନ୍ଦ୍ରକାଂତ ଉପରେ ମୁଣ୍ତ ରଖି । ଜଳାରେ ତା’ର ହାତ ଛନ୍ଦି ମୁହଁଟା ମୁହଁ ପାଖକୁ ଟାଣି କାନ ପାଖରେ ଚୁପି ଚୁପି କହିଲା, ଜୀବନଟା ଉପଭୋଗ ପାଇଁ ଚନ୍ଦ୍ରକାଂତ । ତମେ କିନ୍ତୁ ଯନ୍ତ୍ରଣାରେ ସବୁବେଳେ କାତର-। ବର୍ତ୍ତମାନ ଜୀବନର ଜୟଗାନ କରି ନ ପାରିଲେ, ଆଉ ତମେ କରିବ କେବେ ?

 

ମଧୁମିତା ଚନ୍ଦ୍ରକାଂତ କୁ ଭିଡ଼ି ନେଉଥିଲା ଧୀରେ ।

 

ନିମିଷକ ପାଇଁ ଘର ଭିତରେ ଏକ ବିଦ୍ୟୁତ ପ୍ରବାହ ଖେଳିଯାଇ ହଠାତ୍ ବନ୍ଦ ହୋଇଗଲା । ଚନ୍ଦ୍ରକାନ୍ତ ସ୍ତବ୍‍ଧ ହୋଇ ଯାଇଥିଲା ଏକବାରେ । ମଧୁମିତାର ନଗ୍ନ ଦେହରେ ଗନ୍ଧରେ ସେ ବୋଧହୁଏ ଉନ୍ମତ୍ତ ହୋଇଉଠୁଥିଲା ।

 

ମଧୁମିତା ଆହୁରି ନିବିଡ଼ଭାବରେ ଭିଡ଼ି ଧରୁଥିଲା ଚନ୍ଦ୍ରକାଂତକୁ । ଚନ୍ଦ୍ରକାଂତର ସମଗ୍ର ଶରୀରଟା ଏକ ବଣ୍ୟ ଉତ୍ତେଜନାରେ ଭରି ଯାଇଥିଲା ।

 

ପୁଣି ଆଉଥରେ ଜଳି ଉଠିଲା ବିଦ୍ୟୁତ ପ୍ରବାହ । ସେହିପରି, ନିମିଷକ ପାଇଁ । ପୁଣି ଅନ୍ଧକାର ବିରାଜକଲା ପ୍ରକୋଷ୍ଠରେ ।

 

ମଧୁମିତା ଗଳାରେ ହାତ ଛନ୍ଦିଲା ଚନ୍ଦ୍ରକାଂତର ।

 

ଏଥର କିନ୍ତୁ ସ୍ଥିର ହୋଇ ବସି ପାରିଲା ନାହିଁ ଚନ୍ଦ୍ରକାଂତ । ମୁହଁ ରଖିଲା ମଧୁମିତାର ମୁହଁ ଉପରେ । ସେ ଉନ୍ମତ୍ତ, ସେ ବଣ୍ୟ, ସେ ହିଂସ୍ର ।

 

କେଉଁ ଶହ ଶହ ମାଇଲ ଦୂରରେ ପଡ଼ି ରହିଲେ ମୃତ୍ୟୁଞ୍ଜୟ ମଙ୍ଗରାଜ । କେଉଁ ନିର୍ଜ୍ଜନ ଗୃହ କନ୍ଦରରେ ପ୍ରତିଧ୍ୱନିତ ହୋଇ ସ୍ତବ୍ଧ ହୋଇଗଲା ତାଙ୍କର ଉପଦେଶ । ବର୍ଷ ବର୍ଷର ସାଧନା ତାଙ୍କର ବ୍ୟର୍ଥ ହେଲା । ଚନ୍ଦ୍ରକାଂତର ନିମିଷକ ପାଇଁ ଏଇ ମୂହୁର୍ତ୍ତରେ ମନେ ପଡ଼ିଲା ନାହିଁ ମୃତ୍ୟୁଞ୍ଜୟ ମଙ୍ଗରାଜଙ୍କୁ । ଯିଏ ତାକୁ ନରକରୁ ତୋଳି ଆଣି ସ୍ୱର୍ଗର ପଥ ଦେଖାଇଛନ୍ତି । ସଂସାରରେ ମଣିଷ ପରି ଜଣେ ହୋଇ ବଞ୍ଚି ରହିବାର ସୁଯୋଗ ଦେଇଛନ୍ତି ।

 

ନା ନା ସବୁ ମିଥ୍ୟା, ସବୁ ଛଳନା, ସବୁ ପ୍ରବଞ୍ଛନା ।

 

ଏକମାତ୍ର ସତ୍ୟ ଯାହା, ସେ ହେଉଛି ମଧୁମିତା ।

 

ମଧୁମିତା ଭୀଷଣ କ୍ଳାନ୍ତ ହୋଇ ପଡ଼ିଥିଲା ସେଦିନ । ବହୁତ ଆଗରୁ ନିଦ ଭାଙ୍ଗି ଥିଲେ ମଧ୍ୟ ବିଛଣାରୁ ଉଠି ପାରୁ ନଥିଲା ସେ । ବେଡ଼୍ ଟି ଥଣ୍ତା ହୋଇ ଯାଇଥିଲା ଟେବୁଲ ଉପରେ । ନାଜନିନ୍ ଡାକି ଯାଇଥିଲା ଅନେକ ଥର । କିନ୍ତୁ ମଧୁମିତାର ଇଚ୍ଛା ହେଉ ନଥିଲା ଉଠିବାକୁ । ତନ୍ଦ୍ରାଚ୍ଛନ ହୋଇ ପଡ଼ିରହିଥିଲା ସେ । ଚଳଚିତ୍ର ପରି ଆଖି ଆଗରେ ତା’ର ଅତୀତର ଗୋଟି ଗୋଟି ଘଟଣା ଭାସି ଉଠି ଲୁଚି ଯାଉଥିଲା ।

 

କିଏ ମଧୁମିତା ! କ’ଣ ତା’ର ପରିଚୟ ! ! ବ୍ୟାରିଷ୍ଟର ଶଶୀଶେଖର ଚଉଧୁରୀଙ୍କ କନ୍ୟା ମଧୁମିତା କେଜାଣି କାହିଁକି ଭାଙ୍ଗି ପଡ଼ିଥିଲା ଜୀବନ ଯୁଦ୍ଧରେ । ପରାସ୍ତ ସୈନିକ ପରି ଶୋଇ ଶୋଇ ସେ ସତେକି ଆଗେଇ ଯାଉଥିଲା ମୃତ୍ୟୁ ପଥକୁ । କାଲି ଯାହା ଜୀବନରେ ସ୍ୱପ୍ନର ଶତ ପାରିଜାତ ଫୁଟି ଉଠିଥିଲା, ଆଜି ସେ ଚିନ୍ତା କରି ପାରୁ ନଥିଲା ନିଜର ସ୍ଥିତି ସମ୍ବନ୍ଧରେ ।

 

ଚନ୍ଦ୍ରକାଂତ ! ବିଚରା, ନିରୀହ ଚନ୍ଦ୍ରକାଂତ । ସଂସାର ଅନଭିଜ୍ଞ ଚନ୍ଦ୍ରକାଂତ । କ’ଣ ହେବ ତା’ର ପରିଣତି ! ଆଜି ବା କାଲି ଯେତେବେଳେ ସେ ଜାଣିବ ମଧୁମିତା ଛଳନା, ମଧୁମିତା ମିଥ୍ୟା, ସେତେବେଳେ କ’ଣ ହେବ ତା’ର ମନର ଅବସ୍ଥା ! କିଏ ତାକୁ ସାନ୍ତ୍ୱନା ଦେବ ? କିଏ ତାକୁ ରକ୍ଷା କରିବ ଜୀବନ ଯନ୍ତ୍ରଣାରୁ ! !

 

ନାଜନିନ୍ ପୁଣି ଆସି ଡାକିଲା । ଦିଦି ଉଠ । ବେଳ ଆନେକ ହେଲାଣି । ଡାଡ଼ି ଦୁଇଥର ଡାକି ପଠେଇଲେଣି ।

 

ମଧୁମିତା କର ଲେଉଟାଇଲା । ନାଜନିନ୍ର ତାକୁ ଉଠାଇବାରେ କେବେ ତ ଏତେ ଆଗ୍ରହ ନ ଥାଏ । ପୃଥିବୀ ପ୍ରଳୟ ହୋଇଗଲେ ବି ନାଜନିନ୍ କେବେ ବିରକ୍ତ କରେନାହିଁ ମଧୁମିତା କୁ । କିନ୍ତୁ ହଠାତ୍......

 

ମଧୁମିତା ନାଜନିନ୍ ର ହସିଲା ମୁହଁକୁ ଚାହିଁ ବୁଝିପାରୁଲା କାରଣଟା । ଆହୁରି ଦେଖିଲା ନାଜନିନ୍ ହାତଟା ବାରମ୍ବାର ବ୍ଳାଉଜ ଭିତରେ ପଶି ପୁଣି ବାହାରି ଆସୁଛି । ସେ ହସି ହସି ଡାକିଲା ନାଜନିନ୍ କୁ ବସାଇଲା ଶେଯ ଉପରେ । ହଠାତ୍ ବ୍ଳାଉଜ ତଳେ ତାର ହାତ ପୁରାଇ ଟାଣି ଆଣିଲା କାଗଜ କଣ୍ତେ । ନାଜନିନ୍ ର ସ୍ୱାମୀ ଚିଠି ଦେଇଛି । ନାଜନିନ୍ ଚିଠି ପାଇଲେ ନ ପଢ଼ାଇବା ଯାଏ ସ୍ଥିର ହୋଇ ରହି ପାରେନାହିଁ । ଆଜିକାଲି ମଧୁମିତା ତା’ର ସବୁ ଚିଠି ପଢ଼ିଦିଏ ଆଉ ଉତ୍ତର ଲେଖିଦିଏ ।

 

ଚିଠିଟି ସଂକ୍ଷିପ୍ତ । କେତୋଟି ଧାଡ଼ି ମାତ୍ର । ମଧୁମିତା ପଢ଼ିସାରି ନାଜନିନ୍ କୁ କୋଳରେ ଚାପି ଧରି ତା’ ମୁହଁରେ ଚୁମ୍ବନ ଦେବାକୁ ଲାଗିଲା ।

 

ନାଜନିନ୍ ବିବ୍ରତ ହୋଇ ପଡ଼ିଲ ପ୍ରଥମେ । କେତେ ତ ମଧୁମିତା ତା’ ସହିତ ଏପରି ଆଚରଣ କରେନାହିଁ । ଆଜି ତା’ର ହଠାତ୍ ହେଲା କ’ଣ ?

 

ମଧୁମିତା ନାଜନିନ୍ କୁ ନିଜର ସନ୍ତାନ ପରି କୋଳରେ ଚାପିଧରି କହିଲା, ତୋର ଦୁଃଖର ଦିନ ଶେଷ ହୋଇ ଯାଇଛି ନାଜ୍ । ତୋ’ ବର ଲେଖିଛି ତୋତେ ଆସି ନେଇଯିବ । ତା’ର ଚାକିରୀରେ ଉନ୍ନତି ହୋଇଚି, ସେ କ୍ୱାଟର୍ ପାଇଚି । ତୋର ଆଉ ଦୁଃଖ ନାହିଁ ନାଜ୍ । ତୋ ବର ଆସିବ । ତୋତେ ସଂଗରେ ନେଇଯିବ । ଦୁହେଁ ମିଶି ସଂସାର କରିବ । ଆଉ କେତେ ମାସ ପରେ ତମ ସଂସାରକୁ ଉଜ୍ଜ୍ୱଳ କରି ଆସିବ ଏକ ଛୋଟ ଶିଶୁ ।

 

ନାଜନିନ୍ କିନ୍ତୁ ମଧୁମିତାର କଥା ବୋଧହୁଏ ଆଉ ଶୁଣି ପାରୁ ନ ଥିଲା । ତା’ ସ୍ୱାମୀ ଆସିବ, ତାକୁ ସଂଗରେ ନେଇଯିବ, ସେତକ ଶୁଣି ସାରିବା ପରେ ମଧୁମିତାର ମନ ହଜି ଯାଇଥିଲା ଗୋଟିଏ ବଳିଷ୍ଠ ଛାତି ତଳେ । ଯେଉଁ ଛାତି ତଳ ରାତିର ସ୍ପର୍ଶ ଅନୁଭବ କରି ନାଜନିନ୍ ପଥ ଚାହିଁ ବସି ରହିଛି ଆଜିଯାଏ ।

 

ମଧୁମିତା ନାଜନିନ୍ କୁ ହଲାଇ ଦେଇ କହିଲା, ସତେରୁ ତୁ ଚାଲିଯିବୁ ନାଜ୍ ? ତୋ ଦିଦି ପାଇଁ କ’ଣ ତୋ ପ୍ରାଣର ଟିକିଏ ହେଲେ ଅନୁକମ୍ପା ଜାଗିବ ନାହିଁ ?

 

ନାଜନିନ୍ ମଧୁମିତାର ଅନ୍ତରର ବ୍ୟଥା ହୁଏତ ବୁଝିବା ଭଳି ଅବସ୍ଥାରେ ନ ଥିଲା । ସେ ଭଗବାନଙ୍କ ଉଦ୍ଦେଶ୍ୟରେ ଦୁଇହାତ ଯୋଡ଼ି ପ୍ରଣାମ କରି କହିଲା, ଭଗବାନ ତମର ମଙ୍ଗଳ କରନ୍ତୁ ଦିଦି । ତମେ ସୁଖରେ ରୁହ । ଏ ଗରିବ ଗୁରୁବା ଗୁଡ଼ାଙ୍କ କଥା ଖାଲି ଟିକିଏ ମନେ ରଖିଥିବ ।

 

ନାଜନିନ୍ ଚିଠିଟାକୁ ମଧୁମିତା ହାତରୁ ଟାଣି ନେଇ ଦେଖିଲା ଟିକିଏ, ତା’ପରେ ମୁହଁରେ ଲଗାଇ ଚୁମ୍ବନ ଦେଲା ଦି’ଥର, ପୁଣି ଛାତି ତଳେ ଜାକି ଦେଉ ଦେଉ ପଚାରିଲା, କୋଉଦିନ ସେ ଆସିବେ ଦିଦି ? ଆଜି ନୁହେଁ ତ ?

 

ମଧୁମିତା ନାଜନିନ୍ ମନର ଆଗ୍ରହ ଭାଙ୍ଗି ପାରିଲା ନାହିଁ । ଚିଠିରେ ଆସିବାର କୌଣସି ନିର୍ଦ୍ଦିଷ୍ଟ ଦିନ କଥା ଲେଖା ନ ଥିଲେ ବି ସେ କହିଲା, ବର ତୋର ଏଇ ଦିନେ ଦୁଇଦିନ ଭିତରେ ଆସିଯିବ ଲୋ ! ତୁ ବ୍ୟସ୍ତ ହୁଅନାଇଁ ।

 

ନାଜନିନ୍ ନଇଁପଡ଼ି ମଧୁମିତା ପାଦ ଧୂଳି ନେଇ ମୁଣ୍ତରେ ବୋଳିଲା । କହିଲା, ତମ ତୁଣ୍ତ ସୁତୁଣ୍ତ ହେଉ ଦିଦି ।

 

ମଧୁମିତା ଦେଖିଲା ନାଜନିନ୍ ର ଦେହ ମୁହଁରେ ଅପୂର୍ବ ଏକ ପରିବର୍ତ୍ତନର ଢ଼େଉ ଛୁଟିଛି । ସେ ଚଞ୍ଚଳ ହୋଇ ଉଠିଛି, ଉତ୍ତାଳ ହୋଇ ପଡ଼ିଛି ।

 

ମନର ମଣିଷ ପାଖକୁ, ନିର୍ଭୟ ଆଶ୍ରୟକୁ ଫେରି ଯିବାକୁ କାହାକୁ ସୁଖ ଲାଗେ ନାହିଁ ?

 

ଆଉ ସେ ? ଗୋଟାଏ ଦୀର୍ଘ ଶ୍ୱାସ ପଞ୍ଜରା ଥରାଇ ବାହାରି ଆସିଲା ତା’ର । ସେ ପୁଣି ଥରେ ଶୋଇବାକୁ ଚେଷ୍ଟା କଲା । କିନ୍ତୁ ଶିଡ଼ିରେ କାହାର ଭାରି ପାଦ ଶବ୍ଦ ଶୁଣି ବୁଲି ଅନେଇଲା ପଛକୁ । ଆରେ, ଡାଡ଼ି ଯେ ! କେବେ ତ ସେ ଆସନ୍ତି ନାହିଁ ଉପରକୁ । ଆଜି ହଠାତ୍ ସଶରୀରେ ଡାଡ଼ିଙ୍କର ଆବିର୍ଭାବ କାହିଁକି ?

 

ମଧୁମିତା କେଶବାସ ସଜାଡ଼ି ବିଛଣା ଉପରେ ବସିଲା ଶଶୀଶେଖର ପ୍ରସନ୍ନ ହସି ହସି ଭିତରକୁ ପଶୁ ପଶୁ କହିଲେ, ସକାଳୁ ଆସିଲି ତୋତେ ବିରକ୍ତ କରିବାପାଇଁ ମିତା । କାରଣ ଚନ୍ଦ୍ରକାଂତକୁ ମୁଁ ବର୍ତ୍ତମାନ ଫୋନ କରିଥିଲି । ସେ କହିଚି ଅଫିସ ଗଲାବେଳେ ଏଇ ବାଟ ହେଇ ଯିବ । ସେଥିପାଇଁ ତୋତେ ପ୍ରସ୍ତୁତ ହୋଇ ରହିବାକୁ ହେବ ।

 

ମଧୁମିତା ନୀରବରେ ଶଶୀଶେଖରଙ୍କ କଥା ଶୁଣୁଥିଲା । ସେ ହାତରେ ଧରିଥିବା ଗୋଟିଏ ବନ୍ଦ ଖାମ୍ ମଧୁମିତା ଆଡ଼କୁ ବଢ଼ାଇ ଦେଇ କହିଲେ, ଫଟୋ ଗୁଡ଼ିକ ବେଶ୍ ସକ୍‍ସେସ୍‍ଫୁଲ ହେଇଚି । ମୋର ବିଶ୍ୱାସ ଏତେ ବାଟଯାଏ କଥା ଯିବନାହିଁ । ଚନ୍ଦ୍ରକାଂତଟା ଭାରି ସରଳ ଏତେ ପିଲାଟାଏ ତ ! ତୋ’ ପ୍ରତି ତା’ର ଅଗାଧ ବିଶ୍ୱାସ । ତୁ ଯାହା କହିବୁ ସେ ତାହା କରିବାକୁ ଅସ୍ୱୀକାର କରିବ ନାହିଁ ।

 

ମଧୁମିତା ଶଶୀଶେଖରଙ୍କ ହାତରୁ ବନ୍ଦ ଖାମଟି ନେଇ ନୀରବରେ ଖୋଲିଲା । ତହିଁରେ ପାଞ୍ଚ ଖଣ୍ତି ଫଟୋଗ୍ରାଫ । ସେଗୁଡ଼ିକ ସବୁ ଚନ୍ଦ୍ରକାଂତ ଆଉ ମଧୁମିତାର । ଉତ୍ସବ ଦିନ ରାତ୍ରିରେ କ୍ଳବର ଏକ ସ୍ୱତନ୍ତ୍ର କକ୍ଷରେ ମଧୁମିତା ଓ ଚନ୍ଦ୍ରକାଂତ ର ବିଶେଷ ମୁହୂର୍ତ୍ତର ଫଟୋଗ୍ରାଫ । ମଧୁମିତା ଖଣ୍ଡି ଖଣ୍ତି କରି ଦେଖିଲା ପ୍ରତ୍ୟେକଟି । ସବୁ ଗୁଡ଼ିକ ନିଖୁଣ । କିନ୍ତୁ ତା’ ମନରେ କୌଣସି ଉତ୍ତେଜନା ନ ଥିଲା, ପ୍ରାଣରେ କୌଣସି ଚାଞ୍ଚଲ୍ୟ ନ ଥିଲା ।

 

ଶଶୀଶେଖର ନୀରବରେ ଲକ୍ଷ୍ୟ କରିଥିଲେ । ଫଟୋଗୁଡ଼ିକୁ ମଧୁମିତା ଖାମ୍‍ରେ ଭରିବା ବେଳକୁ ସେ ପୁଣି ଧୀରେ ଧୀରେ କହିଲେ, ସବୁଠାରୁ ଆମ କ୍ଳବରେ ତୋର ସୁଖ୍ୟାତି ବେଶି, ତା’ର କାରଣ ତୋର ଦାୟିତ୍ୱ ଗୁଡ଼ିକୁ ତୁ ଖୁବ ଆନ୍ତରିତାର ସହ ପାଳନ କରିଥାଉ । କିନ୍ତୁ ମୁଁ ଆଶା କରୁଛି, ମୁଁ ପ୍ରେସିଡ଼େଣ୍ଟ ହେବା ପରେ ତୋର ଦାୟିତ୍ୱ ଅଧିକ ବଢ଼ିଗଲା । ତୋ ସୁଖ୍ୟାତି ଆଉ ମୋ ସୁଖ୍ୟାତି ଦୁହେଁ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହୋଇ ପଡ଼ିଲେ ।

 

ମଧୁମିତା ତଥାପି ନୀରବରେ ଶୁଣୁଥିଲା ।

 

ଶଶୀଶେଖର କହିଲେ, ଆଉ ସମୟ ନାହିଁ ମିତା । ଏଥର ପ୍ରସ୍ତୁତ ହେବାକୁ ପଡ଼ିବ । ଚନ୍ଦ୍ରକାଂତ କଥା ଜାଣିଚୁ ତ ! ସେ ହୁଏତ ଏଇ ମୂହୁର୍ତ୍ତରେ ଆସି ପହ୍ଞ୍ଚି ଯାଇପାରେ ।

 

ମଧୁମିତା ଆଳସ୍ୟ ମିଶା ସ୍ୱରରେ କହିଲା, ମୋତେ ତା’ ହେଲେ କ’ଣ କରିବାକୁ ହେବ ଏଇନେ ? ଫଟୋ ଗୁଡ଼ିକୁ କ’ଣ ତାଙ୍କୁ ଦେଇଦେବି ?

 

ଶଶୀଶେଖର ହସି ହସି ଗଡ଼ିଗଲେ । କହିଲେ, ଦିନକୁ ଦିନ ପିଲା ହେଇ ଯାଆନି ମିତା-। ପଥ ମୁଁ ବାଛି ରଖିଛି । ତୁ ଆଗେଇବା ମାତ୍ରେ କୃତିତ୍ୱ ଅର୍ଜନ କରିବୁ ।

 

ମଧୁମିତା ଚାହିଁଲା ଶଶୀଶେଖରଙ୍କ ମୁହଁକୁ । ସେ ଚାହାଣୀରେ ଆକୁଳତା ଭରି ରହୁଥିଲା । ତଥାପି ସେ ସ୍ୱରକୁ ଯଥା ସମ୍ଭବ ସଂଯତ କରିବାକୁ ଚେଷ୍ଟା କରି କହିଲା, ତମେ ଶୀଘ୍ର ତମର ବକ୍ତବ୍ୟ ଶେଷ କର ଡାଡ଼ି ! ମୋତେ କ’ଣ କରିବାକୁ ହେବ କୁହ ।

 

ଶଶୀଶେଖର କହିଲେ. ଚନ୍ଦ୍ରକାଂତ ମୋତେ ଆସି ଦେଖିବ ମୁଁ ଖୁବ ଚିନ୍ତିତ ଏବଂ ବ୍ୟଥିତ । କାରଣ ପଚାରି ମୋ ଠାରୁ କୌଣସି ସଦୁତ୍ତର ନ ପାଇ ତୋ ପାଖକୁ ନିଶ୍ଚୟ ଛୁଟି ଆସିବ-। ତୋତେ ନିଶ୍ଚୟ କାରଣ ପଚାରିବ । ତା’ପରେ ତୁ ଏଣୁତେଣୁ ବାଁରେଇ ଯେତେବେଳେ ଅସଲ କାରଣ ଆରମ୍ଭ କରିବୁ, ସେତେବେଳେ କହିବୁ, ଆମର ଘରଦ୍ୱାର, ସମ୍ପତ୍ତି ବାଡ଼ି, ସବୁ ନିଲାମରେ ଉଠିଛି, ଲକ୍ଷେଟଙ୍କାକୁ । ଡାଡ଼ି ମା’ର ଗହଣା ଗାଣ୍ଠି ବିକ୍ରୟ କରି ପ୍ରାୟ ପଚାଶ ହଜାର ଟଙ୍କା ସଂଗ୍ରହ କରିଛନ୍ତି । ଦୁଇଦିନ ଭିତରେ ଆଉ ପଚାଶ ହଜାର ଟଙ୍କା ସଂଗ୍ରହ କରି ନ ପାରିଲେ, ଆମର ସତ୍ତା ଲୋପ ହୋଇଯିବ । ସେଇଥି ପାଇଁ ଡାଡ଼ିଙ୍କ ମନ ମିଜାଜ ଠିକ୍ ନାହିଁ । କାଲିଠାରୁ ତାଙ୍କର ବହୁ ଆତ୍ମୀୟ ସ୍ୱଜନଙ୍କ ନିକଟକୁ ଫୋନ୍ କରି କରି ସେ ବ୍ୟର୍ଥ ହୋଇସାରିଲେଣି । କିନ୍ତୁ ତାଙ୍କୁ ସାହାର୍ଯ୍ୟ କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି ।

 

ମଧୁମିତା ବୋଧହୁଏ ଆଗକୁ ଆଉ କାଛି ଶୁଣିବାକୁ ଚାହୁଁ ନ ଥିଲା । ସେ ଉଠି ଠିଆ ହୋଇ ପଡ଼ିଲା ଏବଂ ସଂଗେ ସଂଗେ ଦ୍ରୂତ ଗତିରେ ଯାଇ ବାଥ୍ ରୁମ ଦରଜାଟା ଖୁବ୍ ଯୋରରେ ବନ୍ଦ କରିଦେଲା ।

 

ଶଶୀଶେଖର ବୋଧହୁଏ ମଧୁମିତାଠାରୁ ଏପରି ବ୍ୟବହାର ଆଶା କରି ନ ଥିଲେ । ସେ ଉଠି ଠିଆ ହୋଇ ପଡ଼ିଲା । ହାତଟା ତାଙ୍କର ମୁଷ୍ଠିବଦ୍ଧ ହୋଇ ଉଠିଲା । କପାଳରେ ଚିନ୍ତାର ରେଖା ଫୁଟି ଉଠିଲା । ସେ ଘରଟାରେ ଏ ମୁଣ୍ତରୁ ସେ ମୁଣ୍ତଯାଏ ଦୁଇଚାରିଥର ପଦଚାରଣ କରି ବାଥ୍‍ରୁମ ଯାଏ ଆଗେଇ ଗଲେ । ମୁଷ୍ଠିବଦ୍ଧ ହାତଟା ତାଙ୍କର ଦରଜାରେ କରାଘାତ କରିବାକୁ ସଂଯତ ହେଲା-। ଶଶୀଶେଖର ନିଜକୁ ସଂଯତ କରି, ଗଳାକୁ ସ୍ୱାଭାବିକ ରଖିବାକୁ ଚେଷ୍ଟା କରି କହିଲେ, ମୁଁ ତତେ ଲାଇବ୍ରେରୀରେ ଅପେକ୍ଷା କରୁଚି ମିତା । ତୁ କାମ ଶେଷ କରି ଦଶ ମିନିଟ ଭିତରେ ମୋତେ ଦେଖା କରିବୁ ।

 

ଶଶୀଶେଖର ଶୁଣିଲେ, ବାଥରୁମ ଭିତରର ସବୁ ପାଇପଗୁଡ଼ାକ ବୋଧହୁଏ ଏକା ସଂଗରେ ଜଳ ନିଷ୍କାସନ କରିବାରେ ଲାଗି ଯାଇଛନ୍ତି ।

 

ସେ ଦ୍ରୂତ ପଦ ଚାଲି ତଳକୁ ଓହ୍ଳେଇ ଗଲେ ।

 

ମଧୁମିତା ଠିକ୍ ଦଶମିନିଟ୍ ପରେ ଯାଇ ପହଞ୍ଚିଲା ଲାଇବ୍ରେରୀ ରୁମରେ । ଶଶୀଶେଖର ଟେଲିଫୋନ ରେ କଥା ହେଉଥିଲେ କାହା ସହିତ । ଇଙ୍ଗିତରେ ମଧୁମିତାକୁ ସାମନା ଚେଆରରେ ବସିବାକୁ କହି ଟେଲିଫୋନରେ କହିଲେ, ହଁ ହଁ, ପାଞ୍ଚଟା ବେଳକୁ ଆସିଲେ ଚଳିବ । ତା’ପରେ ରିସିଭରଟା ରଖିଦେଇ ମଧୁମିତାକୁ କହିଲେ, ମୁଁ ଜାଣେ ତୁ ଠିକ୍ ଆସିବୁ । ଚନ୍ଦ୍ରକାଂତ ବର୍ତ୍ତମାନ ଫୋନ୍ କରିଥିଲା । ସେ କହିଲା, ଅଫିସ୍ ପରେ ଏଇବାଟେ ଫେରିବ । ଭଲ ହେଇଚି । ଆମକୁ ପ୍ରଚୁର ସମୟ ମିଳିଗଲା । ଏହା ଭିତରେ ତୁ ନିଜକୁ ପ୍ରସ୍ତୁତ କରିନିଏ ।

 

ମଧୁମିତା ଶାନ୍ତ ସ୍ୱରରେ କହିଲା, ନିଜକୁ ମୁଁ ପ୍ରସ୍ତୁତ କରି ଆସିଛି ।

 

ଗୁଡ଼୍ । ସେଇଆତ ଦରକାର ।

 

କିନ୍ତୁ.......

 

ପୁଣି କିନ୍ତୁ କ’ଣ ମିତା । ଆମେ ପୃଥିବୀକୁ ଆସିଛନ୍ତି କାମ କରିବା ପାଇଁ, ଆମକୁ ସବୁଠାରୁ ବଡ଼ କଥା ହେଲା କର୍ତ୍ତବ୍ୟ ପାଳନ ।

 

ଚନ୍ଦ୍ରକାଂତ କୁ କିନ୍ତୁ ମୁଁ ମିଛକଥା କହି ପାରିବି ନାହିଁ । ମୋତେ କ୍ଷମା କର ଡାଡ଼ି । ମୁଁ ପାରିବି ନାହିଁ ।

 

ଶଶୀଶେଖର ତୀକ୍ଷଣ ଦୃଷ୍ଟିରେ ଚାହିଁଲେ ମଧୁମିତା ମୁହଁକୁ । ସେହିଭଳି ଶାନ୍ତ ସ୍ୱରରେ କହିଲେ, ମୁଁ ଜାଣେ, ଚନ୍ଦ୍ରକାଂତ ତତେ ଭୀଷଣ ଭଲ ଲାଗିଛି । ତା’ ଛଡ଼ା ନାରୀମାନଙ୍କର ହୃଦୟ ଯଥେଷ୍ଟ କୋମଳ । ସେ ଯାହାକୁ ଭଲପାଆନ୍ତି, ସହଜରେ ତା’ ସହିତ କୌଣସି ଅସଦ୍ ଆଚରଣ କରିବାକୁ ଚାହାନ୍ତି ନାହିଁ । କିନ୍ତୁ ଏ କ୍ଷେତ୍ରରେ ଆମର ଏହି କେସ୍‍ଟି ସ୍ୱତନ୍ତ୍ର । କାହାରିକୁ ଅନ୍ତର ଭରି ଭଲ ପାଇବା ଆମର ଧର୍ମ୍ମ ନୁହେଁ । ସେ କଥା ତତୁ ଜାଣିଚୁ ମିତା ।

 

କିନ୍ତୁ ଡାଡ଼ି । ମୁଁ ଯଦି ତମ ନିଜର ଝିଅ ହୋଇ ଥାଆନ୍ତି, ତେମେ କ’ଣ ମୋ ପ୍ରତି ଏପରି ଅବିଚାର କରି ଥାଆନ୍ତ ?

 

ଶଶୀଶେଖର ମୁହୂର୍ତ୍ତେ ନୀରବ ରହି ପୁଣି କହିଲେ, ତୁ ଯେ ମୋର ନିଜର ଝିଅ ନୋହୁ, ଆଜି ହଠାତ୍ ତୋ ମନରେ ଏ ଦ୍ୱନ୍ଦ ସୃଷ୍ଟି ହେଲା କାହିଁକି ? କର୍ତ୍ତବ୍ୟ ପାଳନ କରିବାରେ ମୋ ପାଖରେ କୌଣସି ପାତର ଅନ୍ତର ନୀତି ନାହିଁ ।

 

ନା ଡାଡ଼ି । ଚନ୍ଦ୍ରକାଂତ କେସ୍‍ରେ ମୋତେ ତମକୁ ଭିନ୍ନ ଦୃଷ୍ଟିରେ ଦେଖିବାକୁ ହେବ । ବରଂ ମୁଁ କ୍ଳବ ପାଇଁ ଆଉ ପାଞ୍ଚଟା ମେମ୍ବର ସଂଗ୍ରହ କରାଇ ଦେବି, କିନ୍ତୁ ଚନ୍ଦ୍ରକାଂତ ....

 

ଶଶୀଶେଖର ଏଥର ଚିତ୍କାର କରି ଉଠିଲେ । କହିଲେ, ମୁଁ କ୍ଳବର ପ୍ରେସିଡ଼େଣ୍ଟ । ତେଣୁ କ୍ଳବର ଭଲ ମନ୍ଦ ସମ୍ବନ୍ଧରେ ତୀକ୍ଷ୍‍ଣ ଦୃଷ୍ଟି ରଖିବା ଏବଂ କ୍ଳବର ନିୟମ କାନୁନ୍ ମାନି ଯେପରି ସମସ୍ତେ ଚଳନ୍ତି ସେଥିପ୍ରତି ଧ୍ୟାନ ଦେବା ମୋର ପ୍ରଥମ କର୍ତ୍ତବ୍ୟ । କ୍ଷଣିକ ଉତ୍ତେଜନରା ବଶବର୍ତ୍ତୀ ହୋଇ ବା କାହାରି ଆକୁଳ ନିବେଦନରେ ଭୁଲି ମୁଁ କର୍ତ୍ତବ୍ୟରେ ଅବହେଳା କରି ପାରିବି ନାହିଁ ମିତା-। ତେଣୁ ତୋତେ ମୋର ଆଦେଶ ପାଳନ କରିବାକୁ ହିଁ ହେବ ।

 

ମଧୁମିତାର ଆଖି ଦୁଇଟା ଧୀରେ ଧୀରେ ଜଳମଗ୍ନ୍ ହୋଇ ଆସୁଥିଲା । ସେ କହିଲା, ମୁଁ ଆଜିଯାଏ ତମର ପ୍ରତିଟି ଆଦେଶ ହସି ହସି ପାଳନ କରି ଆସିଛି ଡାଡ଼ି । କୌଣସି ଦିନ କାହାରି, ଭଲ ମନ୍ଦ ପ୍ରତି ଟିକିଏ ବି ଚାହିଁ ନାହିଁ । କିନ୍ତୁ ଆଜି ମୋ ପ୍ରତି ତମକୁ ସୁବିଚାର କିରବାକୁ ହେବ ଡାଡ଼ି । ମାନବିକତାର ସାମାନ୍ୟତମ କରୁଣା ଆଜି ତମଠାରୁ ଭିକ୍ଷା କରୁଛି ।

 

ଏଥର ଶଶୀଶେଖର ହସି ଉଠିଲେ ହୋ ହୋ ହୋଇ । କହିଲେ, ବୟସ ତୋ’ଠାରୁ ମୋର ତିନିଗୁଣ ଅଧିକ ହେବ । ତେଣୁ ଦୁନିଆଁ ସମ୍ୱନ୍ଧରେ ମୋର ଯଥେଷ୍ଟ ଜ୍ଞାନ ଅଛି । ମାନବିକତା ସମ୍ୱନ୍ଧରେ ବି ତୋ’ ଠାରୁ ମୁଁ ଅଧିକ ବୁଝେ । ମଣିଷ ମନର ପ୍ରତିଟି ସୂକ୍ଷ୍ମ ଚିନ୍ତା ଭାବନା ସହିତ ମୋର ପରିଚୟ ଅଛି । ସବୁ କ୍ଷଣସ୍ଥାୟୀ ମିତା, ସବୁ ବୁଦ୍‍ବୁଦ୍‍ ପରି । କେଉଁ ମୁହୁର୍ତ୍ତରେ ମଣିଷ ମନରେ ଫୁଟି ଉଠି କିପରି ଯେ ଅତର୍ଜିତ ଭାବରେ ଲୀନ ହୋଇଯାଏ, ମଣିଷ ତା’ର ହିସାବ ରଖିପାରେ ନାହିଁ । ତେଣୁ ଆଜି ତୋ ମନ ଯାହା ପ୍ରତି ଅଧିକ ସଂବେଦନଶୀଳ ହୋଇଉଠିଛି, କାଲି ଦେଖିବୁ ତାହାରି ପ୍ରତି ତୋ ମନ ହିଂସ୍ର ହୋଇଉଠିବ । ତେଣୁ ଏଇସବୁ ଭାବନାର କୌଣସି ସ୍ଥାୟୀ ରୂପ ନାହିଁ । ମୁଁ ଆଶା କରୁଛି ଏହାପରେ ତୁ ତୋ କର୍ତ୍ତବ୍ୟ ପାଳନରେ ଅବହେଳା କରିବୁ ନାହିଁ ।

 

କିନ୍ତୁ ଡାଡ଼ି, ତମେ ଭୁଲି ଯାଉଛ କାହିଁକି ଯେ, ନାରୀ ଆଉ ପୁରୁଷ ଭଗବାନଙ୍କର ଦୁଇଟି ସ୍ୱତନ୍ତ୍ର ସୃଷ୍ଟି । ତେଣୁ ନାରୀ ମନ ଆଉ ପୁରୁଷ ମନ ଭିତରେ ଦୁଇ ସ୍ୱତନ୍ତ୍ର ସତ୍ତା ରହିଛି ।

 

ମୁଁ ସବୁ ବୁଝିଚି ମିତା । ମାନବବାଦ, ଈଶ୍ୱରବାଦର ବହୁ ଉର୍ଦ୍ଧ୍ୱରେ ଆମର କର୍ତ୍ତବ୍ୟବାଦ-। ଆମକୁ ସବୁ ଭୁଲି ଯିବାକୁ ହେବ । ଆମର ସ୍ଥିତି, ଅବସ୍ଥିତି ସମ୍ୱନ୍ଧରେ ବି ଆମେ ଅଚେତନ ରହିବା । ଆମେ ନିଜର ସ୍ୱାର୍ଥ ସମ୍ୱନ୍ଧରେ ଚିନ୍ତା କରି ପାରିବା ନାହିଁ ମିତା । ସେ ଅଧିକାର ଆମର ନାହିଁ । ତେଣୁ ପ୍ରତିଷ୍ଠାନର ସ୍ୱାର୍ଥ ପାଇଁ ସାମାନ୍ୟତମ ସୁଯୋଗ ବି ଆମେ ନଷ୍ଟ କରି ପାରିବା ନାହିଁ ।

 

ଡାଡ଼ି : ସବୁ ପରେ ବି ମୁଁ ମଣିଷ । ପ୍ରତିଷ୍ଠାନର ସ୍ୱାର୍ଥ ପାଇଁ ଅତୀତରେ ମୁଁ କ’ଣ ନ କରିଛି କହିଲ । ଅଶୋକ କଥା ମନେ ପଡ଼େ ତମର ? ରେସ୍‍କୋର୍ସରୁ ତାକୁ ଟାଣି ଆଣିଥିଲି ମୁଁ । ତା’ ସହିତ ଆନ୍ତରିକତା ଜମାଇ, ତାକୁ ସବୁ ଦେବାର ଭରସା ଦେଇ, ନିଜର କରିଥିଲି ମୁଁ । କିନ୍ତୁ ଶେଷ ଯାଏ କର୍ତ୍ତବ୍ୟ ପାଳନରେ ସାମାନ୍ୟତମ ଅବହେଳା କରିଥିଲି କି ?

 

ଅଶୋକ ଶେଷ ପର୍ଯ୍ୟନ୍ତ ସର୍ବସ୍ୱାନ୍ତ ହୋଇ ଦେଶାନ୍ତରୀ ହୋଇଗଲା । ତା’ ପାଇଁ ମୋ ପ୍ରାଣରେ ଟିକିଏ ହେଲେ କରୁଣା ଜାଗି ନ ଥିଲା । କାରଣ ମୁଁ ଜାଣିଥିଲି ଅଶୋକ ମୋର କେହି ନୁହେଁ, ମୁଁ ଯାହା କରୁଛି କେବଳ ମୋର କର୍ତ୍ତବ୍ୟ କରୁଛି ।

 

ତା’ପରେ ପ୍ରତିଷ୍ଠାନର ସ୍ୱାର୍ଥ ଦୃଷ୍ଟିରୁ ମୁଁ ଧରିଥିଲି ଦେବନାଥକୁ । ତା’ ପାଖରେ ବି ମୋତେ ମୋର ଦେହ ମନ ସମସ୍ତ ବିକ୍ରୟ କରିବାକୁ ହୋଇଥିଲା । ପାଦେ ପାଦେ କରି ମାପି ଚୁପି ମୁଁ କର୍ତ୍ତବ୍ୟ ପାଳନ କରିଥିଲି । ତା’ର ଦୁଇ ଦୁଇଟା କୋଠା, ବଡ଼ବଜାରରେ ବିରାଟ ଲୁଗା ବ୍ୟବସାୟ, ସବୁ ସେ ହରାଇ ଆଜି ତା’ର ଅବସ୍ଥା କ’ଣ ହେଇଚି ଜାଣ ତମେ ? ସେ ଆଜି ପେଟ ପୋଷିବା ପାଇଁ, ମୁହଁରେ ଚୁନ କାଳି ବୋଳି ରଙ୍ଗମଞ୍ଚରେ ଜୋକର ସାଜୁଛି । ତଥାପି ତ ମୁଁ ମୋର କର୍ତ୍ତବ୍ୟରେ ଅବହେଳା କରି ନ ଥିଲି । ତମେ କ’ଣ ଭାବିଛ ସେମାନଙ୍କ ସହିତ ଦୀର୍ଘ ଦିନର ମିଳାମିଶା ଭିତରେ ସେମାନଙ୍କ ପ୍ରତି ମୋର କୌଣସି ଆନ୍ତରିକତା ଜନ୍ମି ନ ଥିଲା ? କେଉଁ କେଉଁ ମୁହୂର୍ତ୍ତରେ ମୁଁ କ’ଣ ସେମାନଙ୍କୁ ଧରି ଘର ସଂସାର କରିବାକୁ ଇଚ୍ଛା ପ୍ରକାଶ କରୁ ନ ଥିଲି ?

 

କିନ୍ତୁ ଏସବୁ ପରେ ମୋର ମନେ ଥିଲା ଆମର କ୍ଳବ କଥା । କ୍ଳବ ପ୍ରତି ମୋର କର୍ତ୍ତବ୍ୟ କଥା । ସେତେବେଳେ ତ ମୁଁ ପ୍ରତିବାଦ କରି ନ ଥିଲି ଆଦେଶ ପାଳନରେ ?

 

ବିଶେଷ କରି ପ୍ରାଣତୋଷ ହାଜର କଥା ଚିନ୍ତା କଲ । କେତେ ଆଶା ଥିଲା ତା’ ମନରେ-। କେତେ ସ୍ୱପ୍ନ ରଚନା କରିଥିଲା ସେ ମୋତେ କେନ୍ଦ୍ରକରି । ଯେଉଁଦିନ ଏସ୍‍ପ୍ଲାନେଡ଼ରୁ ତାକୁ ଧରି ଆଣି ତମ ପାଖରେ ହାଜର କରାଇଥିଲି, ତମେ ତ ତା’ ଚେହେରାର ପ୍ରଶଂସାରେ ଶତ ମୁଖ ହୋଇ ଉଠିଥିଲ ! ରକ୍ତ ଯେମିତି ଥୋପି ପଡ଼ୁଥିଲା ତା’ ମୁହଁରୁ । କି ଅପୂର୍ବ ସ୍ୱାସ୍ଥ୍ୟ ! ତମେ ତ ପୁଣି ଉଚ୍ଚ କଣ୍ଠରେ ତା’ର ପୁରୁଷତ୍ୱକୁ ପ୍ରଶଂସା କରିଥିଲ । ଆଉ ମୁଁ ତ ନାରୀ ସେତେବେଳେ ମୋ ମନର ଅବସ୍ଥା କଥା ତମୁକୁ ଅଜଣା ନ ଥିଲା ।

 

ଆହୁରି ଖୁସି ହେଇଥିଲ, ଯେତେବେଳେ ତମେ ଜାଣିଲ ଯେ ପ୍ରାଣତୋଷ ହାଜରା ବିଶାଳ ସମ୍ପତ୍ତିର ଅଧିକାରୀ । ସେ ଏକମାତ୍ର କୁଳ ନନ୍ଦନ । ବାପ ମା’ କେହି ନାହାନ୍ତି ତା’ କାର୍ଯ୍ୟରେ ପ୍ରତିବାଦ କରିବା ପାଇଁ ।

 

ତା’ପରେ ତମେ କରିଥିଲ କ’ଣ ? ମୋତେ ପ୍ରାଣତୋଷ ପଛରେ ଛୁଟାଇ ଦେଇଥିଲ । ମୋର କାନେ କାନେ ଶିକ୍ଷା ଦେଇଥିଲ ଏପରି ସୁଯୋଗ ଜୀବନରେ କ୍ୱଚିତ ଆସିଥାଏ । ହାତ ଛଡ଼ା କରିବାର ନୁହେଁ ।

 

ମୁଁ ମୋର କର୍ତ୍ତବ୍ୟ ଆରମ୍ଭ କରିଦେଇଥିଲି । ସବୁ ପ୍ରକାର ସମ୍ଭାବନା ପ୍ରାଣତୋଷ ମନରେ ଜଗାଇ, ମୋ ପ୍ରତି ତାକୁ ଆକର୍ଷିତ କରିଥିଲି । ସେ କିନ୍ତୁ ଏକା ଜିଦ୍ ଧରି ବସିଥିଲା, ପ୍ରଥମେ ବୈଦିକ ମତରେ ତା’ ସହିତ ବିବାହ କରିବାକୁ ହେବ, ତା’ପରେ ଅନ୍ୟ କଥା ।

 

ତମେ ହଁ ଭରିଥିଲ । ପ୍ରାଣତୋଷ ସହିତ ମୋର ବିବାହ ହୋଇଥିଲା । ମୁଁ ବଧୂ ସାଜିଥିଲି । ପ୍ରାଣତୋଷର ଘର ସଜେଇଥିଲି । ମୋ ନାରୀ ମନ ସାର୍ଥକ ହୋଇଥିଲା । ମୁଁ ପ୍ରାଣତୋଷକୁ ସ୍ୱାମୀ ଭାବରେ ପାଇ ପରମ ସନ୍ତୋଷର ଜୀବନ ଯାପନର ପଥ ତ ବାଛି ନେଇ ପାରି ଥାଆନ୍ତି !!

 

କିନ୍ତୁ ମୋର କର୍ତ୍ତବ୍ୟବୋଧ ମୋ ପ୍ରାଣରେ ଅହରହ କାର୍ଯ୍ୟ କରୁଥିଲା ।

 

ପ୍ରାଣତୋଷର ସମସ୍ତ ପ୍ରକାର ଆନ୍ତରିକତା ସତ୍ତ୍ୱେ ମୁଁ କରିଥିଲି କ’ଣ ? କରିଥିଲି କାହା ପାଇଁ ?

 

ତମେ ସବୁ ଜାଣିଚ ଡାଡ଼ି । ତମର ନିର୍ଦ୍ଦେଶରେ ପ୍ରାଣତୋଷକୁ ମୁଁ ସ୍ଲୋ ପଏଜନ କରିଥିଲି । ନିଜର ସ୍ୱାମୀକୁ ନିଜ ହାତରେ ହତ୍ୟା କରି ନିଜ ସୀମାନ୍ତର ସିନ୍ଦୁର ନିଜେ ମୁଁ ପୋଛି ପକାଇଥିଲି । ତମର ତ ସବୁ ମନେ ଅଛି ଡାଡ଼ି । ମୁଁ କୌଣସି ପ୍ରତିବାଦ କରିଥିଲି ସେତେବେଳେ-? କର୍ତ୍ତବ୍ୟରେ ଅବହେଳା କରିଥିଲି ତିଳେହେଲେ ?

 

କିନ୍ତୁ ଆଜି ! ନା ନା ଡାଡ଼ି । ଆଜି ମୋତେ ଆଉ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ଶିକ୍ଷା ଦିଅନାହିଁ ତମେ । ମୋତେ ବଞ୍ଚିବାକୁ ଦିଅ । ମୁଁ ବଞ୍ଚି ରହିଲେ ତମର, ତମ କ୍ଳବର ଅଶେଷ କଲ୍ୟାଣ ସାଧନ କରିପାରିବି ।

ମଧୁମିତା କାନ୍ଦି କାନ୍ଦି ଟେବୁଲ ଉପରେ ମୁଣ୍ତ ପିଟୁଥିଲା ।

ଶଶୀଶେଖର ଗମ୍ଭୀର ଭାବରେ ତା’ ଆଡ଼େ ଅନାଇ ରହିଥିଲେ ।

ଏକ ସମୟରେ ମଧୁମିତା ମୁଣ୍ତରେ ହାତ ବୁଲାଇ ଅବିଚଳିତ କଣ୍ଠରେ ଧୀରେ ଧୀରେ କହିଲେ, ମୁଁ ତୋ’ର ମନର ବେଦନା ବୁଝୁଛି ମିତା । ମୁଁ ଜାଣୁଛି ତୋର ଆଜି ଭାବନ୍ତର କାହିଁକି ! ତୋ’ ମନରେ ଆଜି ଘର ବାନ୍ଧିବାର ଯେଉଁ ପ୍ରବୃତ୍ତି ଜାଗିଛି, ସେ ଗୋଟାଏ ବୟସରେ ସବୁ ଝିଅଙ୍କ ମନରେ ଜାଗିଥାଏ । ସେଥିପାଇଁ ମୁଁ ତୋ’ର ଦୋଷ ଦେଉନାହିଁ । କିନ୍ତୁତୁ ଜାଣୁ ତ ମିତା ! ମୁଁ ତ ଆଉ ଏକଛତ୍ର ଅଧିକାରୀ ନୁହେଁ । ଆମର କମିଟି ଅଛି, କମିଟିର ନିୟମ ଅଛି; ନିୟମ ପାଳନ କରିବା ପାଇଁ ଆମେ ସମସ୍ତେ ଶପଥ ନେଇଛନ୍ତି । ଆଉ ମଧ୍ୟ ତୁ ଜାଣିଛୁ ନିୟମ ପାଳନ ନ କଲେ, କର୍ତ୍ତବ୍ୟରେ ଅବହେଳା କଲେ, କି ନିଷ୍ଠୁର ଶାସ୍ତି ଭୋଗ କରିବାକୁ ପଡ଼ିଥାଏ ।

ମଧୁମିତା ସେହିପରି କାନ୍ଦି କାନ୍ଦି କହିଲା, ମୋ ପ୍ରତି ବରଂ ସେହୁ ନିଷ୍ଠୁର ଶାସ୍ତି ବିଧାନର ବ୍ୟବସ୍ଥା କର ଡାଡ଼ି । ମୁଁ କିନ୍ତୁ ଆଉ ପାରୁ ନାହିଁ । ଯେତେବେଳେ ମୁଁ ଚିନ୍ତା କରୁଛି ମୋର ଗତ ଦିନର କଥା । ମୋର ମନେ ହେଉଛି କେତେ ଗୁଡ଼ାଏ ଆକୁଳ ଆଖି ମୋରି ଚାରିଆଡ଼େ ବୁଲୁଛନ୍ତି । ସମସ୍ତେ ଯେପରି ମୋତେ କୈଫିୟତ ମାଗୁଛନ୍ତି, ଆମର ଏପରି ସର୍ବନାଶ କାହିଁକି କଲୁ ମିତା । ଆଶା ଦେଇ, ଭରସା ଦେଇ, ଶେଷରେ.....ଶେଷରେ....ନା ଡାଡ଼ି, ମୁଁ ଆଉ ପାରୁନାହିଁ । ତମେ କ’ଣ ଇଚ୍ଛା କର ମୁଁ ସବୁଦିନେ ଏହିପରି ଉପନାୟିକା ହୋଇରହିଯିବି ! ସତ କହିଲ ଡାଡ଼ି, ତମେ ତମ ନିଜର ଝିଅ ପ୍ରତି କ’ଣ ଏହିପରି ଅବିଚାର କରି ପାରନ୍ତ !

ମୁହୂର୍ତ୍ତକ ପାଇଁ ବୋଧହୁଏ ଶଶୀଶେଖର ଆତ୍ମ ବିଭୋର ହୋଇଉଠିଥିଲେ । ତା’ପରେ ସେ ପ୍ରକୃତିସ୍ଥ ହୋଇ କହିଲେ, ମୁଁ ବୁଝୁଛି ମିତା । ସବୁ ବୁଝି ବି ମୋର କରିବାର କିଛି ନାହିଁ । ତୁ ତ ଜାଣୁ, ଆମର ଏହି ସମ୍ବନ୍ଧ କେବଳ ଅଭନୟ ମାତ୍ର । ତୁ କେଉଁଠୁ ଆସିଛୁ, ମୁଁ କେଉଁଠୁ ଆସିଛି, ଆମେ ଜାଣନ୍ତି ନାହିଁ । କାହାରି ପରିଚୟ ଜାଣିବା ପାଇଁ ମଧ୍ୟ ଆମେ କୌଣସି ଦିନ ଆଗ୍ରହ ପ୍ରକାଶ କରି ନାହାନ୍ତି । ଏ ଘର, ଏ ସଂସାର ସବୁ ମିଥ୍ୟା । ସବୁ ଅନ୍ୟର । ଆମେ କେବଳ ଗୋଟିଏ ଗୋଟିଏ ଭୂମିକାରେ ଅଭିନୟ କରି ଚାଲିଛନ୍ତି । ଅବଶ୍ୟ ତୋ’ଆଉ ମୋ ଭିତରେ ଯେଉଁ ଅନ୍ତର୍ନିହିତ ସମ୍ବନ୍ଧଟି ଲୁଚି ରହିଛି, ତା’ର ସତ୍ୟତା ଅନେକ ସମୟରେ ମୁଁ ଅନୁଭବ କରେ । ସେଇଟ ବୋଧହୁଏ ଆମେ ଦୀର୍ଘ ଦିନ ଧରି ଗୋଟିଏ ଜାଗାରେ ରହିଥିବାରୁ । ଯା’ ହେଉ ସେ ସବୁ କଥା ଆଜି ଆଲୋଚନା କରିବାର ବେଳ ନୁହେଁ, କିଛି ଲାଭ ବି ନାହିଁ । ଆଜିର ତୋର ଯାହା କର୍ତ୍ତବ୍ୟ ସେଇଟା ହେଉଛି ଚନ୍ଦ୍ରକାଂତ ଠାରୁ ପଚାଶ ହଜାର ଟଙ୍କା ସଂଗ୍ରହ କରିବା । ତାହା ଯେ କୌଣସି ଉପାୟରେ ହେଉ ।

କହିସାରି ଶଶୀଶେଖର ଉଠି ଠିଆ ହୋଇ ପଡ଼ିଲେ ।

ମଧୁମିତା ବୋଧହୁଏ ଏହା ଭିତରେ ନିଜକୁ ପ୍ରସ୍ତୁତ କରି ନେଇଥିଲା । ସେ ମଧ୍ୟ କଣ୍ଠରେ ଦୃଢ଼ତା ଫୁଟାଇ କହିଲା, ମୁଁ ପାରିବି ନାହିଁ ।

ଶଶୀଶେଖର ମଧୁମିତାର କଣ୍ଠସ୍ୱର ଶୁଣି ଚମକି ଉଠିଲେ । ଦୀର୍ଘ ଏଇ ସାତ ଆଠବର୍ଷ ଭିତରେ କେବେ ତ ସେ ମଧୁମିତାର ଏପରି ସ୍ୱର ଶୁଣି ନ ଥିଲେ ! ତାଙ୍କର ସମସ୍ତ ଦେହର ରକ୍ତ ପ୍ରବାହ କିପରି ଦ୍ରୂତ ହୋଇଉଠିଲା । ସେ ଏକ ହିଂସ୍ର ଚାହାଣୀରେ ମଧୁମିତା ମୁହଁକୁ ଚାହିଁ ଟେବୁଲରେ ବିଧା ମାରି କହିଲେ, ତତେ ଯେମିତି ହେଉ ପାରିବାକୁ ହେବ ।

ମଧୁମିତା ସେହିପରି ଉତ୍ତେଜିତ କଣ୍ଠରେ କହିଲା, ମୁଁ କହୁଛି, ମୁଁ ପାରିବି ନାହିଁ । ମୁଁ ଯାହା ପାରିବି ନାହିଁ, ତା’ଉପରେ ଆଉ କୌଣସି ବାଧ୍ୟବାଧକତା ଚଳିବ ନାହିଁ । ବିଶେଷ କରି ଚନ୍ଦ୍ରକାଂତ ପରି ଏକ ଶାନ୍ତ ନିରୀହ ମଣିଷ । ଯିଏ ଶିଶୁଠାରୁ ବି ଆହୁରି ନିର୍ବୋଧ । ତାକୁ ମୁଁ ପ୍ରତାରିତ କରିପାରିବ ନାହିଁ ।

ତୁ ଭୁଲି ଯାଉଚୁ ମିତା । ତୁ ଭୁଲି ଯାଉଚୁ କାହା ସହିତ କଥାବାର୍ତ୍ତା କରୁଚୁ ।ମୁଁ ଏଇ ମୁହୂର୍ତ୍ତରେ ତୋର ଡାଡ଼ି ନୁହେଁ କିମ୍ବା ଶଶୀଶେଖର ଚଉଧୁରୀ ନୁହେଁ । ମୁଁ ରେନ୍‍ବୋ କ୍ଳବର ପ୍ରେସିଡ଼େଣ୍ଟ କହୁଚି । ତୋତେ ମୋର ଆଦେଶ ପାଳନ କରିବାକୁ ହେବ ।

ମଧୁମିତା ବୋଧହୁଏ ଉତ୍ୟକ୍ତ ହୋଇଉଠିଥିଲା । ସେ ଠିଆ ହୋଇ ପଡ଼ି ସ୍ୱରରେ ଆହୁରି କାଠିନ୍ୟ ଫୁଟାଇବାକୁ ଚେଷ୍ଟା କରି କହିଲା, ତମେ ଯିଏ ହୁଅନା କାହିଁକି, ମଧୁମିତାକୁ ଆଜି ତା ପ୍ରତିଜ୍ଞାରୁ ଟଳାଇ ପାରିବ ନାହିଁ । ଏଇ ନିଅ ତମର ଫଟୋଗ୍ରାଫ, ଏଇ ରହିଲା ତମ ଉପରେ ଘରର ଚାବି, ମୁଁ...ମୁଁ.... ମଧୁମିତା ଖାମ୍‍ଟାକୁ ଏତେ ଯୋର୍‍ରେ ଫୋଫାଡ଼ି ଦେଲାଯେ, ତା’ ଭିତରେ ଥିବା ଫଟୋଗ୍ରାଫଗୁଡ଼ିକ ଟେବୁଲ ଉପରେ ବିଞ୍ଚି ହୋଇପଡ଼ିଲା । ସବୁଗୁଡ଼ିକ ମଧୁମିତା ଆଉ ଚନ୍ଦ୍ରକାଂତର ଅଶ୍ଳୀଳ ପୋଜର୍ ଫଟୋ । ଯେଉଁ ଗୁଡ଼ିକ ଶଶୀଶେଖର ଛାଡ଼ି ଆସିଥିଲେ ମଧୁମିତା ଘରେ ।

ଶଶୀଶେଖର ଗର୍ଜନ କରି ଉଠିଲେ । ସାବଧାନ ମିତା, ତୁ ଆଉ ପାଦେ ଆଗେଇଛୁ ତ, ଏହି ଆଗ୍ନେୟାସ୍ତ୍ରଟି ତୋ ଛାତିର ରକ୍ତ ନିଗାଡ଼ି ଆଣିବ । ଶଶୀଶେଖର ହୃଦୟରେ ଦୟାମାୟା କିଛି ଟିକିଏ ବି ଅବଶିଷ୍ଟ ନାହିଁ । କର୍ତ୍ତବ୍ୟ ହିଁ ତା’ର ଧର୍ମ୍ମ ।

ମଧୁମିତା ଦେଖିଲା, ଶଶୀଶେଖରଙ୍କ ହାତରେ ପିସ୍ତଲଟା ତା’ରି ଛାତିକୁ ଲକ୍ଷ୍ୟ କରି ରହିଛି ।

 

ପାଦଟା ତା’ର ଆଗକୁ ଉଠି ବି ପଛକୁ ଫେରି ଆସିଲା ।

 

ସେ ଚାହିଁଲା ଶଶୀଶେଖରଙ୍କ ମୁହଁ କୁ । ସେଠି ଦୟାମାୟା ବା ଆତ୍ମୀୟତାର ବିନ୍ଦୁମାତ୍ର ସଂକେତ ନାହିଁ । ଆଖି ଦୁଇଟାରୁ ଯେପରି ସର୍ବନାଶର ଇଂଗିତ ଝରି ପଡ଼ୁଥିଲା ।

 

ମଧୁମିତା ଆଖି ମିଳାଇଲା ସେ ଆଖି ସହିତ ।

 

ଏତେ ତୀବ୍ର, ଏତେ ତେଜୀୟାନ୍ ସେ ଆଖିର ଚାହାଣୀ ?

 

କେତୋଟି ମୂହୁର୍ତ୍ତ ମାତ୍ର !

 

ତା’ ପରେ ହୋ ହୋ ହୋଇ ହସି ଉଠିଲା ମଧୁମିତା । ହସି ଉଠିଲା ଖୁବ୍ ଯୋରରେ । ତରଙ୍ଗାୟିତ ହସର ବନ୍ୟା ଯେପରି ବାଧା ବନ୍ଧନ କିଛି ମାନିବାକୁ ଚାହେଁନାହିଁ । ହସ, କେବଳ ହସର ଢ଼େଉ ।

 

ଶଶୀଶେଖର ସ୍ତବ୍ଧ ହୋଇଗଲେ । ହାତର ପିସ୍ତଲଟା ତାଙ୍କର ତଳକୁ ନଇଁ ପଡ଼ିଲା ।

 

ହଠାତ୍ ମଧୁମିତାର ହେଲା କ’ଣ ? ଆଖି ଦୁଇଟା ଯେ ଅସ୍ୱାଭାବିକ । ମୁହଁଟାର ଭାବଟା ବି କିପରି ଅପ୍ରାକୃତିକ । ତେବେ କ’ଣ, ତେବେ କ’ଣ ହଠାତ୍ ମଧୁମିତାର ମୁଣ୍ତ ଖରାପ ହୋଇଗଲା ?

 

ଶଶୀଶେଖର ପିସ୍ତଲଟା ପୁଣି ଡ୍ରୟାରରେ ବନ୍ଦ କରି ମଧୁମିତା ପାଖକୁ ଆଗେଇ ଆସିଲେ । ତା’ର ଦେହରେ ହାତ ଦେଇ ଧ୍ୟାନ ଭଙ୍ଗ କରେଇବା ପାଇଁ ଡାକିଲେ, ମିତା ! ମିତା ! !

 

ମଧୁମିତା କିନ୍ତୁ ହସୁଥିଲା । ଅସ୍ୱାଭାବିକ ହସର ତରଙ୍ଗ ପ୍ରକୋଷ୍ଠର ପ୍ରତିଟି କୋଣ ଅନୁକୋଣରେ ପ୍ରତିଧ୍ୱନିତ ହେଉଥିଲା ।

 

ମିତା ! ମିତା !!

 

ଶଶୀଶେଖର ଆହୁରି ଯୋର୍‍ରେ ଚିତ୍କାର କରି ମଧୁମିତାର ଧ୍ୟାନ ଭଙ୍ଗ ପାଇଁ ଚେଷ୍ଟା କରୁଥିଲେ ।

 

କିନ୍ତୁ ମଧୁମିତା ହସୁଥିଲା, ଆଉ ହସି ହସି ଦୁଇ ହାତରେ ଅଙ୍ଗବାସ ଛିନ୍ନ କରିବାରେ ଲାଗିଥିଲା ।

 

ଶଶୀଶେଖର ବିଚଳିତ ହୋଇ ପଡ଼ିଥିଲେ ।

 

ତେବେ ସତେରେ କ’ଣ ମଧୁମିତା ଉନ୍ମାଦିନୀ ହୋଇ ଉଠିଲା ! ବହୁ ଦୁର୍ଭାବନାର ଧକ୍କା ସହି ନ ପାରି ମୁଣ୍ତଟା କ’ଣ ତା’ର ସତେରେ ବିଗିଡ଼ି ଗଲା ! ଶଶୀଶେଖରଙ୍କର ସବୁ ଆଶା, ସବୁ ସମ୍ଭାବନା କ’ଣ......

 

ମଧୁମିତା ଏଥର କଣ୍ଠ ଫଟାଇ ହସିବାକୁ ଆରମ୍ଭ କରି ଦେଇଥିଲା ।

 

ଶଶୀଶେଖର ସ୍ଥିର ହୋଇ ବସି ପାରୁ ନଥିଲେ । ତାଙ୍କ ମୁହଁର ଅବସ୍ଥା ଆଡ଼େ ଚାହିଁଲେ ମନେ ହେଉଥିଲା, କେଇଘଣ୍ଟା ଭିତରେ ଯେପରି ତାଙ୍କର ବୟସ ବହୁତ ବଢ଼ି ଯାଇଛି । ସେ ଲାଇବ୍ରେରୀରେ କେବଳ ଟହଲିବାରେ ଲାଗିଥିଲେ ।

 

ବାହାରେ ଗାଡ଼ି ଲାଗିବାର ଶବ୍ଦ ଶୁଣି ଶଶୀଶେଖର ଚାହିଁଲେ ଟିକିଏ । ତାଙ୍କର ପରିଚିତ ଗାଡ଼ି । ଚନ୍ଦ୍ରକାଂତ ଓହ୍ଳେଉଚି ଗାଡ଼ିରୁ ।

 

ଶଶୀଶେଖର ପୁଣି ଟହଳିବାକୁ ଆରମ୍ଭ କରିଦେଲା ।

 

ଏଥର ଶୀକାର ତାଙ୍କୁ ନିଜ ହାତରେ କରିବାକୁ ହେବ । ଚନ୍ଦ୍ରକାଂତ ଜାଣିନାହିଁ କିଛି । ପ୍ରଥମେ ଆସି ସେ ମଧୁମିତାକୁ ଖୋଜିବ । କି ଉତ୍ତର ଦେବେ ତାକୁ ଶଶୀଶେଖର ?

 

ଚନ୍ଦ୍ରକାଂତ ଛୁଟି ଆସିଲା ଲାଇବ୍ରେରୀରୁମ୍‍କୁ । ସେ କ’ଣ ଆଶା କରିଥିଲା । ଶଶୀଶେଖରଙ୍କୁ ଏପରି ଅବସ୍ଥାରେ ଭେଟିବ !

 

ଶଶୀଶେଖର ଚନ୍ଦ୍ରକାଂତ କୁ ଦେଖି ବି ନଦେଖିଲା ପରି ସେହିପରି ଟହଲୁଟହଲୁ ଗମ୍ଭୀର କଣ୍ଠରେ କହିଲେ, ବସ ଚନ୍ଦ୍ରକାଂତ !

 

ଚନ୍ଦ୍ରକାଂତ ଶଶୀଶେଖରଙ୍କ କଣ୍ଠସ୍ୱର ଶୁଣି ଚମକି ଉଠିଲା ଯେପରି । ଚୁପଚାପ ବସି ପଡ଼ିଲ ଗୋଟିଏ ଚେଆର ଉପରେ ।

 

ଶଶୀଶେଖର ବୋଧହୁଏ ମନ ସ୍ଥିର କରି ପାରୁ ନଥିଲେ । ସେ କିପରି ଭାବରେ ଏବଂ କେଉଁ ଉପାୟରେ ଚନ୍ଦ୍ରକାଂତକୁ ବା ମନେଇଇବେ !

 

ହାତ ଦୁଇଟା ପଛ ଆଡ଼କୁ ଜାକି ଧୀରେ ଧୀରେ ସେ ଆଗେଇ ଆସିଲେ । ଠିଆହେଲେ ଆସି ଚନ୍ଦ୍ରକାଂତ ସାମନାରେ । ତା’ପରେ ଚେଆର ଉପରେ ବସୁ ବସୁ କହିଲେ, କେତେକ କାରଣରୁ ମୁଁ ଖୁବ୍ ଚିନ୍ତିତ ହୋଇପଡ଼ିଛି । ଆଶା କରୁଛି ହାତରେ ଯଥେଷ୍ଟ ସମୟ ରଖି ଆସିଚ ତମେ ।

 

ଚନ୍ଦ୍ରକାଂତ କହିଲା, ତେବେ ଛଅଟାବେଳେ ଆମର ଆଜି ପିକ୍‍ଚର ଯିବାର ଅଛି । ମିତା ଆପଣଙ୍କୁ କିଛି କହି ନାହିଁ ?

 

ଶଶୀଶେଖର ମୁହଁ ଟେକି ଚାହିଁଲେ ଚନ୍ଦ୍ରକାଂତ କୁ । ସେଇ ଶାନ୍ତ, ସରଳ ଆଖି ଦୁଇଟି । ବିନୟରେ ପୂରି ରହିଛି ।

 

ନା, ମିତା ମୋତେ କିଛି କହିନାହିଁ । ତେବେ ସେ ଆଜି ଯାଇ ପାରିବ ନାହିଁ ତମ ସହିତ-

 

କାହିଁକି ? ମିତାର ଦେହ ଭଲ ଅଛିତ ? ଚନ୍ଦ୍ରକାଂତ ସ୍ୱରରେ ଉଦ୍‍ବିଗ୍ନ ଫୁଟି ଉଠିଥିଲା ।

 

ଶଶୀଶେଖରଙ୍କ ଡ଼ାହାଣ ହାତଟା କେବଳ ଡ଼୍ରୟାରଟା ଟାଣି ପୁଣି ବନ୍ଦ କରିବାରେ ବ୍ୟସ୍ତ ଥିଲା ।

 

ସେ କହିଲେ, ରେନ୍‍ବୋ କ୍ଳବର ଉତ୍ସବ ଦିନ ରାତିରେ, ଯେଉଁଦିନ ତମେ ମେମ୍ବର ହେଲ କ୍ଳବର; ସେଦିନ ମିତା ସହିତ ତମର ଦେଖା ହୋଇଥିଲା ?

 

ହଠାତ୍ କାହିଁକି ଚନ୍ଦ୍ରକାଂତ ର ଛାତିଟା କମ୍ପି ଉଠିଲା । ସେ କହିଲା, ସେଦିନ ରାତିରେ ମିତା ମୋ ସାଙ୍ଗେ ସାଙ୍ଗେ ଥିଲା ।

 

କିନ୍ତୁ ୟଙ୍ଗମ୍ୟାନ୍‍ ! ମୁଁ ମୋଟେ ଏତେଟା ଆଶା କରି ନଥିଲି । ମୁଁ ଜାଣିଥିଲି ତମେ ଭଦ୍ରଘରର ପିଲା । ତମ ଆଚରଣ ସେହିପରି ମାର୍ଜ୍ଜିତ ଆଉ ରୁଚି ସଙ୍ଗତ ହୋଇଥିବ । ସେଇଥିପାଇଁ ମୁଁ ତୁମକୁ ମୋ ଘରେ ପ୍ରବେଶର ଅଧିକାର ଦେଇଥିଲି । ମିତା ସହିତ ମିଶିବାର ସୁଯୋଗ ଦେଇଥିଲି । କିନ୍ତୁ.....

 

ଶଶୀଶେଖର ହଠାତ୍ ଅଟକି ଯାଇ ଚନ୍ଦ୍ରକାଂତର ମୁହଁକୁ ଚାହିଁଲେ । ଯେପରି ସବୁ ରକ୍ତ କିଏ ଶୋଷି ନେଇଛି ତା’ ମୁହଁରୁ ! ଆଖି ଦୁଇଟା ନଇଁ ପଡ଼ିଛି ତଳକୁ । ସେ ନୀରବ, ନିଶ୍ଚଳ ।

 

ଶଶୀଶେଖର ଏଥର ଡ଼୍ରାୟାରରୁ ଫଟୋ ଗୁଡ଼ିକ ବାହାର କରି, ଖାମ୍ ସହ ସେଗୁଡ଼ିକୁ ଚନ୍ଦ୍ରକାଂତ ହାତକୁ ବଢ଼ାଇ ଦେଇ କିହଲେ, ଛି ଛି ଛି । ମୁଁ ବାପ ହୋଇ....

 

ଶଶୀଶେଖର ଦ୍ରୂତ ପଦରେ ଦୂରେଇ ଗଲେ ସେଠାରୁ । ଝରକା ପାଖରେ ଯାଇ ବାହାରକୁ ଚାହିଁ ଠିଆ ହେଲେ ।

 

ଚନ୍ଦ୍ରକାଂତ ଥରିଲା ହାତରେ ଖାମ୍‍ଟି ଖୋଳି, ଯେତେବେଳେ ପ୍ରଥମ ଫଟୋଗ୍ରାଫ ଖଣ୍ତିକ ଦେଖିଲା, ତା’ର ସର୍ବାଙ୍ଗ ଯେପରି ଶୀତଳ ହୋଇଆସିଲା । ମଧୁମିତା ଶୋଇଛି ଉଲଙ୍ଗ ହୋଇ । ହାତ ଛନ୍ଦିଛି ଚନ୍ଦ୍ରକାଂତ ବେକରେ । ଚନ୍ଦ୍ରକାଂତ ର ମୁହଁଟି ନଇଁ ଯାଇଛି ମଧୁମିତାର ମୁହଁ ପାଖକୁ ।

 

ତା’ପରେ ଆହୁରି ଖଣ୍ତେ, ଦୁଇଖଣ୍ତ, ତିନିଖଣ୍ତ । ଚନ୍ଦ୍ରକାଂତ ନିଜେ ବି ସେ ଫଟୋ ଗୁଡ଼ିକୁ ଚାହିଁ ପାରୁ ନଥିଲା । ସେ ମନେ ପକେଇବାକୁ ଚେଷ୍ଟା କରୁଥିଲା ଉତ୍ସବ ଦିନର ସେଇ ରାତିଟିକୁ । ଯେଉଁ ରାତିଟିରେ ମଧୁମିତା ସହିତ ସେ ଏକ ନିରୋଳ ପ୍ରକୋଷ୍ଠରେ ପ୍ରବେଶ କରିଥିଲା । ତା’ପରେ...ତା’ପରେ ଆଉ ମନେ ପଡ଼ୁ ନ ଥିଲା କିଛି । ମୁହଁଟେକି ଚାହିଁ ପାରୁ ନ ଥିଲା ସେ ଶଶୀଶେଖରଙ୍କ ଆଡ଼କୁ । ତା’ର ସର୍ବାଙ୍ଗରେ କମ୍ପନ ସୃଷ୍ଟି ହୋଇଯାଇଥିଲା । ମନେ ହେଉଥିଲା, ସେ ଯଦି ଏଇ ମୂହୁର୍ତ୍ତରେ ଆତ୍ମ ହତ୍ୟା କରିପାରନ୍ତା....

 

ଶଶୀଶେଖର ଆଗେଇ ଆସୁଥିଲେ । ଚନ୍ଦ୍ରକାଂତ ଫଟୋ ଗୁଡ଼ିକୁ ଲୁଚେଇବାକୁ ଚେଷ୍ଟା କରୁଥିଲା ।

ଶଶୀଶେଖର ପୁଣି ଆସି ନିଜର ଆସନ ଅଧିକାର କରି ବସୁ ବସୁ କହିଲେ, ତମେ ଏତେ ହୀନ, ଏତେ ନୀଚ ହୋଇପାର ମୁଁ ମୋଟେ ଆଶା କରି ପାରି ନଥିଲି ।

 

ଚନ୍ଦ୍ରକାଂତ ବହୁ କଷ୍ଟରେ କହିଲା, ମୋତେ କ୍ଷମାକରନ୍ତୁ ଡାଡ଼ି । କିନ୍ତୁ ଏହାର ବହୁ ପୂର୍ବରୁ ମୁଁ ମିତାର ସମସ୍ତ ଦାୟିତ୍ୱ ନେଇଛି ।

 

ଶଶୀଶେଖର ଗର୍ଜନ କରି ଉଠିଲେ, ତମେ ମିତାର କି ଦାୟିତ୍ୱ ବହନ କରିବ ୟଙ୍ଗମ୍ୟାନ୍‍ । ମିତା ସହିତ ମୁଁ ବି ଅଙ୍ଗାଙ୍ଗୀ ଭାବରେ ଜଡିତ । ତମେ ଜାଣିଛ ? ଦୀର୍ଘ କେତେ ବର୍ଷ ହେବ ମୋର କୌଣସି ଆୟ ନାହିଁ । ମୁଁ ଯାହା ବ୍ୟୟ କରୁଛି ସବୁ ଧାର କରଜ କରି । ଯା’ ଫଳରେ ପଚାଶ ହଜାର ଟଙ୍କାର ଡ଼ିକ୍ରୀ ପାଇଛି ମହାଜନ । ସମୟ ମାତ୍ର ମଝିରେ ଗୋଟିଏ ଦିନ । ପଚାଶ ହଜାର ଟଙ୍କା ଜମା ଦେଇ ନ ପାରିଲେ, ଆମର ଏଇ ଘର, ଦ୍ୱାର ସବୁ ନିଲାମ ହୋଇଯିବ । ସେତେବେଳେ ଆମର ଆଶ୍ରୟସ୍ଥଳୀ ହେବ ଗଛ ମୂଳେ ।

 

କିନ୍ତୁ…ଚନ୍ଦ୍ରକାଂତ କ’ଣ କହିବାକୁ ଯାଇ ପୁଣି ଅଟକିଗଲା ।

 

ଶଶୀଶେଖର କଣ୍ଠ କୋମଳ କରି କହିଲେ, ଏଥିରେ କିଛି କିନ୍ତୁ ନାହିଁ ୟଙ୍ଗମ୍ୟାନ୍‍ । ହାଇକୋର୍ଟରେ ରାୟ ଉପରେ କେହି ହସ୍ତକ୍ଷେପ କରି ପାରିବେନାହିଁ । ଦୁଇଦିନ ପରେ ଆମକୁ ପଥର ଭିକାରି ସାଜିବାକୁ ହେବ ।

 

ଚନ୍ଦ୍ରକାଂତର ଇଚ୍ଛା ହେଉଥିଲା ସେ ପଚାରି ଥାଆନ୍ତା, ମଧୁମିତା ସହିତ ଏଇ ଦୁର୍ବଳ ମୁହୂର୍ତ୍ତର ଫଟୋ କେଇଖଣ୍ତ ଶଶୀଶେଖରଙ୍କ ହାତକୁ ଆସି ନ ଥିଲେ ସେ କ’ଣ ହୋଇକୋର୍ଟର ରାୟକୁ ବଦଳେଇ ଦେଇ ପାରି ଥଆନ୍ତେ ? କିନ୍ତୁ ଏଇ କଥା କହିବାକୁ ତା’ର ସାହାସ ହେଉ ନଥିଲା ।

 

ଶଶୀଶେଖର ବୋଧହୁଏ ତା’ମନର କଥା ବୁଝି ପାରିଲେ । ସାମାନ୍ୟ ନୀରବତା ପରେ ପୁଣି ସେ ଆରମ୍ଭ କଲେ, ମୁଁ ଗୋଟାଏ ଜାଗାରେ ମଧୁମିତାର ବିବାହ ସମ୍ୱନ୍ଧ ସ୍ଥିର କରିଥିଲି । ସେମାନେ ଖୁବ୍ ବଡ଼ଲୋକ । ମୋର ଅବସ୍ଥା କଥା ସେମାନଙ୍କୁ ଜଣାଥିଲା । ସେମାନେ ରାଜି ହୋଇଥିଲେ ମୋତେ ଋଣ ମୁକ୍ତ କରିବା ପାଇଁ । ଟଙ୍କାଟା ତାଙ୍କର ଆଜି ମୋ ପାଖକୁ ପଠାଇବାର ଥିଲା । କିନ୍ତୁ ତା’ ବଦଳେର କ’ଣ ପାଇଲି ଜାଣ ୟଙ୍ଗମ୍ୟାନ୍‍ ? ଏଇ ଫଟୋ କେଇଖଣ୍ତି ।

 

ଏହା କହି ସେ ଅନ୍ୟ ଆଡ଼କୁ ମୁହଁ ବୁଲାଇ ନୀରବରେ ବସି ରହିଲେ ।

 

ଚନ୍ଦ୍ରକାଂତ ମନ ଭିତରେ ଝଡ଼ ଉଠିଥିଲା ।

 

ଶଶୀଶେଖରଙ୍କର ଏଇ ଦୁର୍ଦ୍ଦିନରେ ସେ କ’ଣ ତାଙ୍କୁ ସାହାର୍ଯ୍ୟ କରି ପାରିବନାହିଁ ? ଅବଶ୍ୟ ପଚାଶ ହଜାର ଟଙ୍କା ଦେବା ଭଳି ଶକ୍ତି ବ୍ୟକ୍ତିଗତ ଭାବରେ ତା’ର ନାହିଁ । କିନ୍ତୁ ଇଚ୍ଛା କଲେ କମ୍ପାନୀ ଏକାଉଣ୍ଟରୁ ସେତ ଦେଇପାରନ୍ତା । ମିତା, ତା’ର ପ୍ରାଣର ମିତା । ଯିଏ ତାକୁ ସର୍ବସ୍ୱ ଦାନ କରିଛି, ତା’ ପାଇଁ ସେ ଏତିକି କରି ପାରିବ ନାହିଁ ! !

 

ଧୀରେ ଧୀରେ ମୁହଁ ଟେକି ଚାହିଁଲା ଚନ୍ଦ୍ରକାଂତ ।

 

ଶଶୀଶେଖରଙ୍କ ପ୍ରଶସ୍ତ କପାଳରେ ଅଗଣନ ଚିନ୍ତାର ରେଖା ।

 

ସେ ମନ ଭିତରେ ବଳ ସଂଚୟ କରି କହିଲା, ଡାଡ଼ି ! ଆପଣ ବ୍ୟସ୍ତହୁଅନ୍ତୁ ନାହିଁ । ମୁଁ ମିତାର ଦାୟିତ୍ୱ ନେବାକୁ ଯେତେବେଳେ ସ୍ଥିର କରିଛି, ସେତେବେଳେ ଆପଣଙ୍କୁ ଗଛମୂଳ ଆଶ୍ରା କରିବାକୁ ପଡ଼ିବ ନାହିଁ ।

 

ଶଶୀଶେଖରଙ୍କ ମୁହଁରେ ହଠାତ୍ ପ୍ରସନ୍ନତାର ଢ଼େଉ ଉକୁଟି ଉଠିଲା । ସେ ସ୍ୱପ୍ନରୁ ଉଠିଲା ପରି, ଆନନ୍ଦ ଗଦଗଦ କଣ୍ଠରେ କହିଲେ, ମୁଁ ଜାଣିଥିଲି ୟଙ୍ଗମ୍ୟାନ୍‍ ! ତମେ ଆମର ଏଇ ଦୁଃସମୟରେ ନିଶ୍ଚୟ ସହାୟ ହେବ । ପଚାଶ ହଜାର ଟଙ୍କାର ଦାୟିତ୍ୱ ବହନ କରିବାକୁ ହୁଏତ ତମକୁ ଟିକିଏ କଷ୍ଟ ହୋଇ ପାରେ ୟଙ୍ଗମ୍ୟାନ୍‍ ! କିନ୍ତୁ ମୁଁ ଜାଣିଥିଲି ତମେ ପାରିବ ।

 

ଚନ୍ଦ୍ରକାଂତ ଶଶୀଶେଖରଙ୍କ ପରିବର୍ତ୍ତନ ଲକ୍ଷ୍ୟ କରି ଶ୍ୱସ୍ତିର ଗୋଟିଏ ନିଶ୍ୱାସ ପକାଇଲା-

 

ଶଶୀଶେଖର ପୁଣି କହିଲେ, ମଧୁମିତାକୁ ମୁଁ ପଠାଇଛି ମୋର ଜଣେ ପୁରୁଣା ବନ୍ଧୁଙ୍କ ଘରକୁ । ଏଇ ଟଙ୍କା ସଂଗ୍ରହ କରିବା ଆଶାରେ । ମୁଁ ଜାଣେ ସେଠାରୁ ବି ସେ ବ୍ୟର୍ଥ ହୋଇଫେରିବ-। କିନ୍ତୁ ତମର ଯେପରି ମନେ ରୁହେ ୟଙ୍ଗମ୍ୟାନ୍‍ । କାଲି ବାରଟା ଭିତରେ ଟଙ୍କା ଜମା ଦେଇ ନ ପାରିଲେ.....

 

ଚନ୍ଦ୍ରକାଂତ ଉଠି ଠିଆ ହେଲା । କହିଲା, ଆପଣ ନିଶ୍ଚିନ୍ତ ହୋଇ ରୁହନ୍ତୁ ଡାଡ଼ି । ମୁଁ କାଲି ଏଗାରଟା ଭିତରେ ଟଙ୍କା ଧରି ନିଶ୍ଚୟ ଆସି ପହ୍ଞ୍ଚିବି ।

 

ଚନ୍ଦ୍ରକାଂତ ଫେରି ଯାଉଥିଲା ।

 

ଶଶୀଶେଖର କହିଲେ,ମଧୁମିତା ଆସିବାଯାଏ ଅପେକ୍ଷା କରିବନାହିଁ ୟଙ୍ଗମ୍ୟାନ୍‍ ? ହୁଏତ ତା’ର ଡ଼େରି ହୋଇପାରେ । ତଥାପି...

 

ଚନ୍ଦ୍ରକାଂତ କହିଲା, ନା ସେ ଆସିଲେ ଆପଣ କହିଦେବେ କାଲି ତା’ ସହିତ ଦେଖା ହେବ ।

 

ଚନ୍ଦ୍ରକାଂତ ଗାଡ଼ି ନେଇ ବାହାରି ଯିବାଯାଏ ଶଶୀଶେଖର ବାରଣ୍ତାରେ ଠିଆ ହୋଇ ପ୍ରସନ୍ନ ଦୃଷ୍ଟିରେ ତା’ଆଡ଼େ ଚାହିଁ ରହିଥିଲେ । ପୁଣି ସେ ଲାଇବ୍ରେରୀ ଭିତରେ ପ୍ରବେଶ କଲାବେଳକୁ ଦେଖିଲେ, ନାଜନିନ୍ ଉପରୁ ଆକୁଳ ଚିତ୍କାର କରି ତଳକୁ ଧାଉଁ ଆସୁଛି । ସେ ଶିଡ଼ିରୁ ପଡ଼ି ଯାଉ ଯାଉ ଶଶୀଶେଖର ତାକୁ ଦୁଇ ହାତରେ ଧରି ପକାଇ ପଚାରିଲେ, ହେଲା କ’ଣ ?

 

ନାଜନିନ୍ ନିଜର ରକ୍ତାକ୍ତ ହାତଟା ଦେଖାଇ କହିଲା, ଦିଦି ମୋତେ କାମୁଡ଼ି କ’ଣ କରିଛି ଦେଖନ୍ତୁ ।

 

ଶଶୀଶେଖର ନାଜନିନ୍ ହାତରୁ ରକ୍ତ ପୋଛି ଦେଲେ । କହିଲେ, ତୁ ତା’ ପାଖକୁ ଗଲୁ କାହିଁକି ?

 

ମୁଁ ଖାଇବାକୁ ଦେବାକୁ ଯାଇଥିଲି । ଦିଦି ମୋତେ ପାଖକୁ ଡାକିଲା । କହିଲା ତାଲାଟା ଖୋଲିଦିଏ । ମୁଁ ତାଲା ଖୋଲି ନ ଦେବାରୁ ସେ ମୋତେ କାମୁଡ଼ି ଏଇ ଅବସ୍ଥା କରିଛି ।

 

ଶଶୀଶେଖର ସାନ୍ତ୍ୱନା ଦେଇ କହିଲେ, ଆଉ ତୁ ଖିଡ଼ିକିରେ ବି ହାତ ଗଳେଇ ଖାଇବାକୁ ଦେବୁ ନାହିଁ । ତା’ଛଡ଼ା କାଲି ମୁଁ ତାକୁ ମେଣ୍ଟାଲ ହସ୍ପିଟାଲକୁ ପଠାଇ ଦେବି ।

 

ନାଜନିନ୍ ବୋକା ପାଲଟି ଯାଇଥିଲା । ସେ କହିଲା, ଦିଦି କ’ଣ ଆଉ ଭଲ ହେବ ନାହିଁ ଡାଡ଼ି ?

 

ଶଶୀଶେଖର ନାଜନିନ୍ ମୁହଁକୁ ଚାହିଁ ଟିକିଏ ହସିଲେ । କହିଲେ, ତୁ ଯା’ ହାତରେ ଟିକିଏ ଆଇଓଡ଼ିନ ଲଗାଇଦେବୁ ।

 

ଆରଦିନ ଠିକ୍ ଏଗାରଟାବେଳେ ଚନ୍ଦ୍ରକାଂତର ଗାଡ଼ି ଆସି ଶଶୀଶେଖରଙ୍କ ଦୁଆରେ ଠିଆ ହେଲା ।

 

ଶଶୀଶେଖର ଲାଇବ୍ରେରୀରୁ ଉଠି ଯାଇ ଦେଖିଲେ, ଚନ୍ଦ୍ରକାଂତ ଗୋଟିଏ ପୋର୍ଟଫୋଲିଓ ବ୍ୟାଗ ଧରି ଗାଡ଼ିରୁ ଓହ୍ଳାଉଚି ।

 

ଚନ୍ଦ୍ରକାଂତ ଲାଇବ୍ରେରୀ ରୁମରେ ପହଞ୍ଚି ଦେଖିଲା ଆଉ ଜଣେ ଭଦ୍ରଲୋକ ଅପେକ୍ଷା କରି ବସିଛନ୍ତି ।

 

ଶଶୀଶେଖର କହିଲେ, ତୁମେ ମୋତେ ବଞ୍ଚାଇଲ ଚନ୍ଦ୍ରକାଂତ ! ତୁମେ ନ ଥିଲେ ଅବସ୍ଥା ଯେ ମୋର କ’ଣ ହୋଇଥାଆନ୍ତା ! !

 

ଚନ୍ଦ୍ରକାଂତ ପୋର୍ଟଫୋଲିଓ ବ୍ୟାଗଟି ଶଶୀଶେଖରଙ୍କ ହାତକୁ ବଢ଼ାଇ ଦେଇ କହିଲା ଏହା ଭିତରେ ପୂରା ପଚାଶ ହଜାର ଅଛି ।

 

ଶଶୀଶେଖର ବ୍ୟାଗଟି ଚନ୍ଦ୍ରକାଂତ ହାତରୁ ନେଇ ପାଖ ଚେଆରରେ ବସିଥିବା ଭଦ୍ରଲୋକଟି ହାତକୁ ବଢ଼ାଇ ଦେଇ କହିଲେ, ଶୀଘ୍ର ନେଇ ଚାଲି ଯାଆନ୍ତୁ ମିଷ୍ଟର ସେନ୍, ଆଜି ବାରଟା ଭିତରେ ଜମା ନ ଦେଲେ ଚଳିବ ନାହିଁ ।

Image